Latest Odisha News

BREAKING NEWS

ତିନି ଶହ ରାମାୟଣ (୧)

ମୂଳ ରଚନା  : ଏ. କେ. ରାମାନୁଜନ୍ 

ରାମାୟଣ କେତୋଟି ? ତିନି ଶହ ? ତିନି ହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି ? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ ।

ଦିନେ ରାମ ନିଜର ସିଂହାସନ ଉପରେ ବିଜୟମାନ ଥିବାବେଳେ ତାଙ୍କ ଶ୍ରୀହସ୍ତରୁ ମୁଦ୍ରିକାଟିଏ ଗଳି ପଡ଼ିଲା । ଧରଣୀ ଛୁଇଁବା କ୍ଷଣି ଭୂମିରେ ଗାତଟିଏ ହେଲା ଏବଂ ମୁଦ୍ରିକାଟି ହେଲା ସେଥି ମଧ୍ୟରେ ଅଦୃଶ୍ୟ । ଗଲା, ଆଉ ଦିଶିଲା ନାହିଁ । ତାଙ୍କର ବିଶ୍ୱସ୍ତ ଭୃତ୍ୟ ହନୁମାନ ପାଦଦେଶରେ ବିଜେ ହୋଇଥାଆନ୍ତି । ରାମ ହନୁମାନଙ୍କୁ କହିଲେ ‘ଦେଖ, ମୋ ମୁଦ୍ରିକାଟି ହଜିଅଛି । ମୋ ଲାଗି ତାହା ଖୋଜିଆଣ ।’ ହନୁମାନଙ୍କ ପାଇଁ ଗୋଟିଏ ଗର୍ତ୍ତ ଯେତେ ଛୋଟ ହେଇଥାଉନା କାହିଁକି, ସେଥି ମଧ୍ୟରେ ପ୍ରବେଶ କରିବା ସମ୍ଭବ । ତାଙ୍କର ବୃହତ୍ତମ ଠାରୁ ବୃହତ୍ତର ଓ କ୍ଷୁଦ୍ରତ୍ତମଠାରୁ କ୍ଷୁଦ୍ରତ୍ତର ବନିବାର କ୍ଷମତା ଥିଲା । ଏଣୁ ସେ ଏକ କୁନି ରୂପ ନେଲେ ଓ ଗାତ ଭିତର ଦେଇ ତଳକୁ ଗଲେ । ସେ ଗଲେ ଗଲେ ଏବଂ ଗଲେ ଆଉ ଗଲେ ଓ ହଠାତ୍ ପାତାଳପୁରୀରେ ଗଳିପଡ଼ିଲେ । ସେଠାରେ ଥିଲେ ତିନୋଟି ନାରୀ । ‘ଦେଖ, କୁନି ମାଙ୍କଡ଼ଟିଏ ! ଏହା ଉପରୁ ଖସି ପଡ଼ିଛି !’ ସେମାନେ ତାଙ୍କୁ ଧରିନେଲେ ଓ ଗୋଟିଏ ଥାଳି ଉପରେ ରଖିଲେ । ପାତାଳପୁରୀରେ ରହୁଥିବା ଭୁତମାନଙ୍କର ରାଜାଙ୍କୁ ପଶୁଟିମାନ ଖାଇବାକୁ ଭଲ ଲାଗନ୍ତି । ତେଣୁ ପରିବାପତ୍ର ସହିତ ରାତିର ମଣୋହି ହିସାବରେ ରାଜାଙ୍କ ପାଖକୁ ହନୁମାନ ମଧ୍ୟ ପଠାଗଲେ । ହନୁମାନ ଥାଳି ଉପରେ ବସିଲେ ଓ କ’ଣ କରିବେ ବୋଲି ଭାବିଲେ ।

ପାତାଳପୁରରେ ଏସବୁ ଚାଲିଥିବା ବେଳେ, ରାମ ମର୍ତ୍ତ୍ୟପୁରରେ ନିଜ ସିଂହାସନରେ ବସିଥାଆନ୍ତି । ଋଷି ବଶିଷ୍ଟ ଓ ବେଦବ୍ରହ୍ମା ତାଙ୍କୁ ଭେଟିବାକୁ ଆସିଲେ । ସେମାନେ ରାମଙ୍କୁ କହିଲେ, ‘ଆମ୍ଭେ ତୁମ୍ଭ ସହ ନିରୋଳାରେ ବାର୍ତ୍ତାଳାପ କରିବାକୁ ଚାହୁଁ । ଆମ୍ଭେ ଯାହା କହିବୁ, ଆମ୍ଭେ ଚାହୁଁ ନାହୁଁ କି କେହି ମଧ୍ୟ ତାକୁ ଶୁଣିବ, କିମ୍ବା ସେଥିରେ ବିଭ୍ରାଟ ଉପୁଜାଇବ । ଆମ୍ଭେ ଏଥିରେ ରାଜି ତ ?’ ‘ଠିକ୍ ଅଛି, ଆମ୍ଭେ କଥା ଭାଷା ହେବା’, ବୋଲି ରାମ କହିଲେ । ଏଥୁ ଅନନ୍ତରେ ସେମାନେ କହିଲେ, ‘ଗୋଟିଏ ନିୟମ ଧରି ରଖ । ଆମ୍ଭେ ବାର୍ତ୍ତାଳାପ କରୁଥିବା ସମୟରେ ଯଦି କିଏ ଏଠାକୁ ଆସେ, ତାହାହେଲେ ତାହାର ଶିର ହେବ ସ୍କନ୍ଧଚ୍ୟୁତ । ଏଥିକୁ ରାମ କହିଲେ, ‘ଏହା ହିଁ ହେବ ।’ ଦ୍ୱାର ଜଗିବା ପାଇଁ ସବୁଠାରୁ ବିଶ୍ୱସ୍ତ ଲୋକ କିଏ ହେବ ? ହନୁମାନ ତ ମୁଦ୍ରିକା ଆଣିବା ପାଇଁ ଯାଇ ତଳେ । ରାମ ଲକ୍ଷ୍ମଣଙ୍କ ତୁଳନାରେ ଅନ୍ୟ କାହାକୁ ଅଧିକ ବିଶ୍ୱାସ କରୁନଥିଲେ । ତେଣୁ ସେ ଲକ୍ଷ୍ମଣଙ୍କୁ ଦ୍ୱାର ପାଖେ ଦଣ୍ଡାୟମାନ ହେବା ପାଇଁ କହିଲେ । ସେ ଆଦେଶ ଦେଲେ, ‘ପ୍ରବେଶ ପାଇଁ କାହାରିକୁ ଅନୁମତି ଦେବ ନାହିଁ ।’

ଲକ୍ଷ୍ମଣ ଦ୍ୱାରପାଖରେ ଦଣ୍ଡାୟମାନ ଥିବା ସମୟରେ ଋଷି ବିଶ୍ୱାମିତ୍ର ଉଭା ହୋଇଲେ ଓ କହିଲେ, ‘ମୁଁ ରାମଙ୍କୁ ବର୍ତ୍ତମାନ ସଙ୍ଗେ ସଙ୍ଗେ ଦେଖା କରିବାକୁ ଚାହେଁ, ଏହା ଏକ ଜରୁରୀ ବ୍ୟାପାର ଅଟେ । ଆମ୍ଭକୁ କୁହ, ରାମ କେଉଁଠି?’ ଲକ୍ଷ୍ମଣ କହିଲେ, ‘ଦୟାକରି ବର୍ତ୍ତମାନ ପ୍ରବେଶ କରନ୍ତୁ ନାହିଁ । ସେ କିଛି ଲୋକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।’ ‘ଏମିତି କ’ଣ ଅଛି ଯାହା ରାମ ମୋ’ ଠାରୁ ଲୁଚାଇବାକୁ ଚାହିଁବେ’, ବୋଲି ବିଶ୍ୱାମିତ୍ର କହିଲେ । ‘ମୁଁ ନିଶ୍ଚିତ ପ୍ରବେଶ କରିବି, ବର୍ତ୍ତମାନ ହିଁ ।’ ଲକ୍ଷ୍ମଣ କହିଲେ, ‘ମୋତେ ଆପଣଙ୍କୁ ଭିତରକୁ ଛାଡ଼ିବା ଆଗରୁ ଅନୁମତି ମାଗିବାକୁ ପଡ଼ିବ ।’ ତା’ହେଲେ ଭିତରକୁ ଯାଅ ପଚାର । ‘ରାମ ବାହାରକୁ ନ ଆସିବା ପର୍ଯ୍ୟନ୍ତ ମୁଁ ଭିତରକୁ ଯାଇପାରିବି ନାହିଁ, ଆପଣଙ୍କୁ ଅପେକ୍ଷା କରିବାକୁ ହିଁ ପଡ଼ିବ ।’ ‘ତୁମେ ଯଦି ବର୍ତ୍ତମାନ ଭିତରକୁ ଯିବ ନାହିଁ, ମୋର ଉପସ୍ଥିତି ଘୋଷଣା କରିବ ନାହିଁ, ତାହାହେଲେ ମୁଁ ଅଭିଶାପ ବଳରେ ଏହି ଅଯୋଧ୍ୟା ରାଜ୍ୟକୁ ଜାଳିଦେବି’ ବୋଲି ବିଶ୍ୱାମିତ୍ର କହିଲେ ।

ଲକ୍ଷ୍ମଣ ଭାବିଲେ, ‘ଯଦି ମୁଁ ବର୍ତ୍ତମାନ ଭିତରକୁ ଗଲି ତାହା ହେଲେ ମଲି । ଯଦି ନ ଯାଏ, ତା’ହେଲେ ଏଇ କ୍ରୋଧି ମଣିଷଟି ପୁରା ରାଜ୍ୟକୁ ହିଁ ଜଳାଇଦେବ । ସମସ୍ତ ପ୍ରଜାଗଣ, ଏଥିରେ ଜୀବନଧାରଣ କରୁଥିବା ସମସ୍ତ ଜୀବଜନ୍ତୁ, ନାଶ ଯିବେ । ଏହାଠାରୁ ଭଲ କି ମୁଁ ଏକୁଟିଆ ହିଁ ମୃତ୍ୟୁବରଣ କରିବି ।’ ତେଣୁ ସେ ଭିତରକୁ ଚାଲିଗଲେ । ରାମ ତାଙ୍କୁ ପଚାରିଲେ, ‘କ’ଣ ବ୍ୟାପାର?’ ‘ବିଶ୍ୱାମିତ୍ର ଆସିଛନ୍ତି ।’

‘ତାଙ୍କୁ ଭିତରକୁ ପଠାଅ ।’ ଏଥୁ ବିଶ୍ୱାମିତ୍ର ଭିତରକୁ ଗଲେ, ସେତେବେଳକୁ ଗୋପନୀୟ କଥାବାର୍ତ୍ତା ସରିସାରିଥିଲା । ବ୍ରହ୍ମା ଓ ବଶିଷ୍ଟ ରାମଙ୍କୁ ଭେଟି ଏହା କହିବା ପାଇଁ ଆସିଥିଲେ ଯେ, ‘ମାନବ ଲୋକରେ ଆପଣଙ୍କର କାର୍ଯ୍ୟ ଶେଷ ହୋଇଅଛି । ରାମ ରୂପରେ ଆପଣଙ୍କର ଅବତାରକୁ ବର୍ତ୍ତମାନ ତ୍ୟାଗ କରିବାକୁ ପଡ଼ିବ । ଏହି ଶରୀରକୁ ତ୍ୟାଗ କରି ଊର୍ଦ୍ଧ୍ୱଲୋକକୁ ଗମନକରି ଦେବଗଣରେ ଯୋଗ ଦିଅନ୍ତୁ ।’ ସେମାନେ ବାସ୍ ଏତିକି କହିବାକୁ ଚାହୁଁଥିଲେ ।

ଲକ୍ଷ୍ମଣ ରାମଙ୍କୁ କହିଲେ, ‘ଭ୍ରାତା ଆପଣ ମୋର ଶିରଚ୍ଛେଦ କରିବା ଉଚିତ ହେବ ।’ ରାମ କହିଲେ, କାହିଁକି? ଆମର ତ ଆଉ କିଛି କହିବାର ନଥିଲା, କିଛି ହିଁ ବାକି ନଥିଲା, ଏଣୁ ମୁଁ ତୁମର ଶିରଚ୍ଛେଦ କାହିଁ କରିବି? ଲକ୍ଷ୍ମଣ କହିଲେ, ‘ଆପଣଙ୍କ ନିମନ୍ତେ ଏହା ଅକର୍ତ୍ତବ୍ୟ ହେବ । କେବଳ ମୁଁ ଆପଣଙ୍କର ଭ୍ରାତା ବୋଲି ଆପଣ ମୋତେ ଛାଡ଼ି ଦେଇ ପାରିବେ ନାହିଁ । ତା’ହେଲେ ରାମ ନାମରେ କଳଙ୍କ ଲାଗିବ । ଆପଣ ଆପଣଙ୍କର ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ । ଆପଣ ତାଙ୍କୁ ଜଙ୍ଗଲକୁ ପଠାଇଥିଲେ । ମୁଁ ଦଣ୍ଡିତ ହେବା ଆବଶ୍ୟକ । ଏଣୁ ମୁଁ ଯାଉଛି ।’

ଯେଉଁ ଶେଷନାଗଙ୍କ ଉପରେ ବିଷ୍ଣୁ ଶୟନ କରନ୍ତି, ଲକ୍ଷ୍ମଣ ସେହି ଶେଷଙ୍କର ଅବତାର ଥିଲେ । ମର୍ତ୍ତଲୋକରେ ତାଙ୍କର ମଧ୍ୟ ସମୟ ପୂର୍ଣ୍ଣ ହୋଇଥିଲା । ସେ ସିଧା ସରଜୁ ନଦୀକୁ ଗଲେ ଏବଂ ଜଳସ୍ରୋତରେ ଅଦୃଶ୍ୟ ହୋଇଗଲେ । ଲକ୍ଷ୍ମଣଙ୍କର ଦେହତ୍ୟାଗ ପରେ ରାମ, ବିଭୀଷଣ ଓ ସୁଗ୍ରୀବ ଆଦି ନିଜର ସମସ୍ତ ଅନୁଚରମାନଙ୍କୁ ଡକାଇଲେ ଏବଂ ନିଜର ଯମଜ ପୁତ୍ର ଲବ ଓ କୁଶଙ୍କର ରାଜ୍ୟାଭିଷେକ ପାଇଁ ଆୟୋଜନ କଲେ । ଏହା ପରେ ରାମ ମଧ୍ୟ ସରଜୁ ନଦୀରେ ପ୍ରବେଶ ହୋଇଲେ ।

ଏହା ସବୁ ଘଟୁଥିବା ସମୟରେ ପାତାଳ ଲୋକରେ ହନୁମାନ ଥିଲେ । ଶେଷରେ ଭୂତରାଜାଙ୍କ ସମ୍ମୁଖକୁ ତାଙ୍କୁ ନିଆଗଲା ପରେ, ସେ ରାମଙ୍କର ନାମ ଜପିବାରେ ଲାଗିଲେ । ‘ରାମ ରାମ ରାମ…’ ଏଥୁ ଭୂତରାଜ ପଚାରିଲେ, ‘କିଏ ତୁମେ?’

‘ହନୁମାନ’ ।

‘ହନୁମାନ? ତୁମେ ଏଠାକୁ କାହିଁକି ଆସିଲ ?’

‘ରାମଙ୍କର ମୁଦ୍ରିକା ଗୋଟିଏ ଗାତରେ ପଡ଼ିଗଲା । ମୁଁ ତାକୁ ନେବାପାଇଁ ଆସିଛି ।’

ଏଥିକୁ ରାଜନ ଚାରିଆଡ଼େ ଦୃଷ୍ଟି ପକାଇଲେ । ହନୁମାନଙ୍କୁ ଦେଖାଇଲେ ଗୋଟିଏ ଥାଳ । ଥାଳିଟି ଉପରେ ଥିଲା ସହସ୍ର ସହସ୍ର ମୁଦ୍ରିକାଟିମାନ । ସେ ସବୁଗୁଡ଼ିକ ଥିଲା ରାମଙ୍କର ମୁଦ୍ରିକା । ରାଜନ ଥାଳିଟିକୁ ହନୁମାନଙ୍କ ପାଖକୁ ଆଣି ତଳେ ଥୋଇଲେ ଓ କହିଲେ, ‘ତୁମର ରାମଙ୍କର ମୁଦ୍ରିକାଟି ତୁମେ ଉଠାଅ ଏବଂ ନିଅ ।’ ସବୁଗୁଡ଼ିକ ଥିଲା ଏକଦମ୍ ଏକାଭଳି । ହନୁମାନ ନିଜର ମୁଣ୍ଡ ହଲାଇଲେ ଏବଂ କହିଲେ, ‘ମୁଁ ଜାଣିନାହିଁ ଏହା ଭିତରୁ କେଉଁଟି ।’ ଭୂତରାଜ କହିଲେ, ‘ଏହି ଥାଳିରେ ଯେତୋଟି ମୁଦ୍ରିକାଟିମାନ ଅଛି, ଠିକ୍ ସେତିକିଟି ରାମ ଅବତରି ସାରିଛନ୍ତି । ତୁମ୍ଭେ ଯେତେବେଳେ ମର୍ତ୍ତଲୋକକୁ ଫେରିବ, ଆଉ ରାମଙ୍କୁ ପାଇବ ନାହିଁ । ଏହି ରାମଙ୍କର ଅବତାର ବର୍ତ୍ତମାନ ପୂର୍ଣ୍ଣ ହୋଇଅଛି । ଯେତେବେଳେ ଏକ ରାମାବତାରର ଅନ୍ତ ହୁଏ, ସେତେବେଳେ ତାଙ୍କର ମୁଦ୍ରିକାଟି ଗଳିପଡ଼େ । ମୁଁ ସେଗୁଡ଼ିକୁ ସଂଗ୍ରହ କରି ରଖେ । ତୁମ୍ଭେ ବର୍ତ୍ତମାନ ଯାଇପାର ।’ ଏହା ଶୁଣି ହନୁମାନ ପ୍ରସ୍ଥାନ କଲେ ।

ଏହିପରି ପ୍ରତ୍ୟେକ ରାମଙ୍କ ପାଇଁ ଯେ ଗୋଟିଏ ଲେଖାଏ ରାମାୟଣ ଅଛି, ସେକଥା ବୁଝାଇବା ପାଇଁ ଏହି ଗପଟି କୁହାଯାଇଥାଏ । ଗତ ପଚିଶ ଶହ ବର୍ଷ ଭିତରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଯେତିକି ସଙ୍ଖ୍ୟାରେ ରାମାୟଣ ଲେଖା ଯାଇଅଛି, ଏବଂ ତଦ୍ୱାରା ଯାହା ପ୍ରଭାବ ପଡ଼ିଅଛି, ତାହା ସତରେ ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର ଅଟେ । ରାମଙ୍କର କଥା ଯେଉଁ ସବୁ ଭାଷାମାନଙ୍କରେ କୁହା ଯାଇଅଛି ଏବଂ ଲେଖା ଯାଇଅଛି, ତାହାର ଏକ ତାଲିକା କଲେ ଫକାସ ଉଡ଼ିଯିବ । ଅନାମୀୟ, ବାଲି ଦେଶୀୟ, ବଙ୍ଗାଳି, କାମ୍ବୋଦିଅ, ଚୈନିକ, ଗୁଜୁରାତି, ମାଳୟ ଦେଶୀୟ, ମରାଠି, ଓଡ଼ିଆ, ପ୍ରାକୃତ, ସଂସ୍କୃତ, ସାନ୍ତାଳି, ସିଂହଳୀ, ତାମିଳ, ତେଲଗୁ ତଥା ଅନେକ ପାଶ୍ଚାତ୍ୟ ଭାଷାଟିମାନ ।

ଶତାବ୍ଦୀ ଶତାବ୍ଦୀ ଧରି ଏହି ମଧ୍ୟରୁ କେତେକ ଭାଷାଗୁଡ଼ିକରେ ଏକାଧିକ ରାମ କଥା ମଧ୍ୟ ଅନୁସୃଜିତ ହୋଇଛି । କେବଳ ସଂସ୍କୃତରେ ହିଁ କାବ୍ୟ ଓ ପୁରାଣ ଆଦି ଅନେକ ସାହିତ୍ୟିକ ବିଭାବରେ, ପଚିଶଟିରୁ ଅଧିକ ରାମ କଥା ଆମେ ପାଇବା । ଯଦି ଉଭୟ ଶାସ୍ତ୍ରୀୟ ତଥା ଲୌକିକ ପରମ୍ପରାରେ ନାଟକ ଓ ନୃତ୍ୟନାଟିକା ଆଦିକୁ ଆମେ ହିସାବ କରିବା, ତେବେ ରାମାୟଣମାନଙ୍କ ସଙ୍ଖ୍ୟା ତ ଆହୁରି ବଢ଼ିଯିବ । ଏଥିରୁ ଆମକୁ ଅନେକ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସୀୟ ସଂସ୍କୃତିମାନଙ୍କର ସ୍ଥାପତ୍ୟ, ମୁଖା ନାଟକ, କଣ୍ଢେଇନାଚ ଓ ଛାୟା ନାଟିକା, ଇତ୍ୟାଦିକୁ ଯୋଡ଼ିବାକୁ ପଡ଼ିବ । କ୍ୟାମିଲ୍ ବୁଲ୍କେ (୧୯୫୦) ନାମକ ଜଣେ ରାମାୟଣର ଛାତ୍ର ଏହିପରି ସମୁଦାୟ ତିନି ଶହ ରାମାୟଣ ଅଛି ବୋଲି ହିସାବ କରିଥିଲେ । ତେଣୁ କରି ଚତୁର୍ଦ୍ଦଶ ଶତାବ୍ଦୀର କନ୍ନଡ଼ କବି କୁମାରବ୍ୟାସ ଏକ ମହାଭାରତ ପ୍ରବନ୍ଧ କରିବା ପାଇଁ ନିଷ୍ପତ୍ତି ନେଲେ । କାରଣ ରାମାୟଣର କବିମାନଙ୍କର ଭାରାରେ ପୃଥିବୀକୁ ତୋଳି ଧରିଥିବା ବାସୁକୀ ଦୀର୍ଘଶ୍ୱାସ ଛାଡ଼ୁଥିବାର ସେ ଶୁଣିବାକୁ ପାଇଲେ ।

ଏହି ପ୍ରବନ୍ଧରେ ମୁଁ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଗୋଟିଏ କଥାର ଭିନ୍ନ ଭିନ୍ନ ସଂସ୍କୃତି, ଭାଷା ଓ ଧାର୍ମିକ ପରମ୍ପରାରେ ସୃଷ୍ଟି ହୋଇଥିବା ଏହି ଶହ ଶହ ରାମାୟଣଟି ମାନ କିଭଳି ପରସ୍ପର ସହିତ ସମ୍ପର୍କିତ, ତାହା ଜାଣିବାକୁ ଚେଷ୍ଟା କରିଛି । ଏହି ଗୋଟିଏ କଥା କିଭଳି ଭାବରେ ଅନ୍ତର୍ହିତ, ବିସ୍ଥାପିତ ଓ ଅନ୍ତର୍ଭେଦିତ ହୋଇଛି, ତାହା ମଧ୍ୟ ବୁଝିବା ପାଇଁ ମୁଁ ଚେଷ୍ଟା କରିବି । ଏଣୁକରି ଏହି ପ୍ରବନ୍ଧଟି ଲେଖିବା ନିମନ୍ତେ ମୁଁ ରାମାୟଣର ପୂର୍ବ ଅନୁବାଦକ ଓ ଆଲୋଚକମାନଙ୍କ ପାଖରେ ଋଣୀ ।

ଅନୁବାଦ – ଶୈଲେନ ରାଉତରାୟ

 

Comments are closed, but trackbacks and pingbacks are open.