ଅନୁବାଦ ଗଳ୍ପ : ମୋ ମା’ କାଇଁ ?
କୃଷ୍ଣା ସୋବତୀ, ହିନ୍ଦୀ ସାହିତ୍ୟର ମୁର୍ଦ୍ଧନ୍ୟ ସ୍ରଷ୍ଟା । ୧୯୨୫ ମସିହାରେ ପଶ୍ଚିମ ପଞ୍ଜାବରେ ଜନ୍ମିତ ଏହି ସାହିତ୍ୟିକା ଦେଶ ବିଭାଜନ ବେଳେ ଲାହୋର ଛାଡ଼ି ଦିଲ୍ଲୀ ଆସିଥିଲେ । ‘ମିତ୍ରୋ ମରଜାଣି’ ଓ ‘ଜିନ୍ଦେଗୀନାମା’ ପାଇଁ ଚର୍ଚ୍ଚିତ ଏହି ଲେଖିକା ଦେଶ ବିଭାଜନ ଉପରେ ଅନେକ ମନଛୁଆଁ କାହାଣୀ ରଚନା କରିଛନ୍ତି । ନିଜର ସାହିତ୍ୟ ସର୍ଜନା ନିମନ୍ତେ ସାହିତ୍ୟ ଏକାଡ଼େମୀ ସହିତ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ କୃଷ୍ଣା ସୋବତୀ ଆଧୁନିକ ହିନ୍ଦୀ ସାହିତ୍ୟର ଅନ୍ୟତମ ପ୍ରମୁଖ ସ୍ୱର ଭାବେ ସୁପରିଚିତ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩
ମୂଳ ହିନ୍ଦୀ : କୃଷ୍ଣା ସୋବତୀ
ୟୁନୁସ୍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ ତା’ହେଲେ ସେ ଥରିଲା କେଉଁଠି? ତଳେ, ପାତାଳପୁରୀରେ, ରସାତଳରେ, ଏକ ଅନ୍ଧାରି ମୁଲକରେ…! ଯେଉଁଠି ସବୁ ଗାତ ମଣିଷ ରକ୍ତରେ ଭରପୂର ହୋଇଯାଇଥିଲା, ସେଇଠି ସିଏ ଥିଲା ଏକ ଦୁଷ୍ଟ ଜାଦୁକର ପରି, ଚାରିଆଡ଼େ ସେ ସିଇଁ ଦେଇଥିଲା ଗୁଳିରେ । କିନ୍ତୁ… କିନ୍ତୁ ସେସବୁ କିଛି ହେଲେ ଦୁଃସ୍ୱପ୍ନ ନ ଥିଲା । ଥିଲା ନିଚ୍ଛକ ବାସ୍ତବତା । ଗୋଟିଏ ନୂଆ ଦେଶକୁ ଜନ୍ମ ଦେବାଲାଗି ସେ ସଂଗ୍ରାମ ଚଳାଇଥିଲା । ଆଉ ନିଜ ଜନ୍ମଭୂମିର ଆହ୍ୱାନ, ତାକୁ କରିବା ଲାଗି ଦିଆଯାଉଥିବା ଡାକରାକୁ ତ ପାଳିବାକୁ ପଡ଼ିବ । ନିଜର ବ୍ୟକ୍ତିସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ । … ତା’ହେଲେ, ଇଏ ଗଲା ଚାରିଦିନ ଧରି ସେ ଥିଲା କେଉଁଠି? ହଁ, ସେ ସବୁଠାରେ ଥିଲା! ଗୁଜରାନୱାଲା, ୱାଜିରାବାଦ, ଲାହୋର! ତା’ନିଜ ଟ୍ରକଟିକୁ ଧରି ସେ ଏଇସବୁ ଜାଗା ବୁଲିଛି । ସବୁଆଡ଼େ ଯାଇଛି । କେତେ ବାଟ ସେ ବୁଲିଛି ? ତା’ର କ’ଣ କିଛି ହିସାବ ରଖିଛି! ହେଲେ କାହାପାଇଁ, ଅବା କ’ଣପାଇଁ? ନିଜ ଦେଶଲାଗି, ନିଜ ଲୋକଙ୍କ ଲାଗି, ଆଉ…? ଆଉ ନିଜପାଇଁ! ନା, ସେ ନିଜକୁ ସେତିକି ଭଲ ପାଇ ନାହିଁ, କେବେ ବି! ଦିଗବଳୟ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାଟା ଉପରେ ଠିଆହୋଇ ୟୁନୁସ୍ ଖାଁ ଚାହିଁଲା ରାସ୍ତା ଦି’କଡ଼େ ଦିଶୁଥିବା ଗାଆଁମାନଙ୍କୁ । ଗାଆଁମାନଙ୍କରୁ ଘରପୋଡ଼ାର ଧୂଆଁ ଉଠୁଥିବା ଆକାଶକୁ । ଭିଡ଼ି ମୋଡ଼ି ହୋଇ ଆକାଶକୁ ଚାଟି ନେବାକୁ ଉଦ୍ୟତ ଏକ ଅଜଗର ସାପ ପରି! ଚାରିଆଡ଼େ କେବଳ ଜଳାପୋଡ଼ାର ଦୃଶ୍ୟ । ତା’କାନରେ କେତେ ଆକୁଳ ଚିତ୍କାର ପଡ଼ିଛି ତା’ର ସୀମା ନାହିଁ । ଲୋକମାନଙ୍କର ଘର ପୋଡ଼ିଗଲେ ସେମାନେ ଏମିତି ଚିତ୍କାର କରନ୍ତି । ଆଗରୁ ସେ କେତେଥର ନିଆଁ ଦେଖିଥିଲା । ସେଇ ନିଆଁକୁ ନିଷ୍ପାପ ଶିଶୁମାନଙ୍କୁ ଫୋପାଡ଼ି ପୋଡ଼ି ଜାଳି ଦିଆ ଯାଇଥିଲା… ଆଉ ସେମାନଙ୍କ ସହିତ କେତେ କେତେ ନିରୀହ ପୁରୁଷ ଓ ନାରୀଙ୍କୁ ମଧ୍ୟ । ଆଖପାଖର ସାଇପଡ଼ିଶାଙ୍କ ଘର ଜଳିଯିବାର ସେ ଦେଖିଛି । ରାସ୍ତା ଉପରେ ଦରପୋଡ଼ା ଶବଗୁଡ଼ାକ ତା’ ଆଖିରେ ପଡ଼ିଛି । କିନ୍ତୁ ସେସବୁ ଦୃଶ୍ୟ ତାକୁ କେବେ ବିଚଳିତ କରିଛି କି? ବିନା ରକ୍ତପାତରେ କ’ଣ ସ୍ୱାଧୀନତା ସମ୍ଭବ? ଦେହରୁ ରକ୍ତ ନ ବୁହାଇ କ’ଣ ବିପ୍ଳବାତ୍ମକ ଯୁଦ୍ଧରେ ଜୟଲାଭ କରିହେବ? ଆଉ… ଆଉ ତା’ର ଛୋଟ ଓ ସୁନ୍ଦର ଦେଶଟା ତ ସେଇଭଳି ଏକ ରକ୍ତାକ୍ତ ସଂଘର୍ଷରୁ ଜନ୍ମଲାଭ କରିଛି । ସେଥିରେ ସିଏ ନିଜେ ଦିନରାତି ସଂଗ୍ରାମ କରିଛି । ତା’ ଆଖି ପତା କେବେ ବି ବିଶ୍ରାମ ଲାଗି ନଇଁ ପଡ଼ିନି । ଏବେ ତା’ ଆଖିରେ ଆଖିଏ ଲେଖାଏଁ ନିଦ ଥିଲା ପରି ସେ ଅନୁଭବ କରୁଥିଲା । ହେଲେ ତାକୁ ପ୍ରଥମେ ଲାହୋରରେ ପହଞ୍ଚିବାକୁ ପଡ଼ିବ । ପୁଣି ଠିକଣା ସମୟରେ ନ ପହଞ୍ଚିଲେ ସର୍ବନାଶ! ତାକୁ ପ୍ରଥମେ ଆଉ ଥରେ ପରଖି ନେବାକୁ ପଡ଼ିବ ଯେ କେହି ଜଣେ ହେଲେ କାଫେର ଯେମିତି ବଞ୍ଚି ରହିଯାଇ ନାହାନ୍ତି ।
ଏତେ ବଡ଼ ଶୀତ ରାତିଟାରେ ସୁଦ୍ଧା କାଫେର୍ ନାଁଟା ମନକୁ ଆସିବା ମାତ୍ରେ ୟୁନୁସ୍ ଖାଁର ରକ୍ତ ଟକମକ ହୋଇ ଯେମିତି ଫୁଟି ଉଠିଲା । ତାକୁ ଲାଗିଲା ଏକାବେଳକେ ତା’ ଦେହର ସବୁତକ କ୍ଷତ ଯେମିତି ଆଁ କରି ମେଲା ହୋଇଗଲା । ଟ୍ରକ୍ ଷ୍ଟାର୍ଟ ହେଲା ଓ ଖୁବ୍ ଜୋରରେ ଆଗକୁ ଚାଲିଲା । ଲାଗୁଥିଲା ସତେ ଯେମିତି ମୃତ୍ୟୁ ତା’ର ଶୀତଳ ହାଜ ବୁଲେଇ ଆଣିଚି ରାସ୍ତାର ଦି’କଡ଼େ ଥିବା ଗାଆଁମାନଙ୍କ ଉପରେ । ଗହମ କ୍ଷେତ ମଝିରେ ଅନେକ ଜାଗାରେ କୁଢ଼ କୁଢ଼ ଦରପୋଡ଼ା ଓ ଛିନ୍ନଭିନ୍ନ ଶବସବୁ ଗଦା ହୋଇଥିଲା । ଅଦୂରରୁ ଶୁଭୁଥିଲା ରଣହୁଂକାର, ‘ଆଲ୍ଲା ହୋ ଆକବର!’ ଏବଂ ‘ହର ହର ମହାଦେବ!’ । ଆଉ ବେଳେବେଳେ ଶୁଭି ଯାଉଥିଲା ‘ଧର, ଧର, ମାର’ । ପୁଣି ରହି ରହି କାନରେ ପଡ଼ୁଥିଲା କାହାର ଆକୁଳ ନିବେଦନ ‘ନା, ନା ମୋତେ ମାରନା… ଦୟାକରି ମୋତେ ଛାଡ଼ିଦିଅ… ।’ ୟୁନୁସ ଖାଁ କାନରେ ସବୁ ପଡ଼ିଛି । ସେ ସବୁ ଶୁଣଛି । ସେ ଯେମିତି ନିଜ ଆଖିରେ ଦେଖିଛି ଆଉ ଏକ ମୋଗଲ ସାମ୍ରାଜ୍ୟର ଅଭ୍ୟୁଦୟକୁ । ଚମତ୍କାର ଏ ମୋଲ ସାମ୍ରାଜ୍ୟଟି । ପୂର୍ବ ସାମ୍ରାଜ୍ୟ ଅପେକ୍ଷା ଅଧିକ ବିଶାଳ ।
ଦୂର ଦିଗ୍ବଳୟ ତଳେ ଜହ୍ନ ମୁହଁ ଲୁଚେଇ ନେଉଥିଲା । କୁହୁଡ଼ିଆ ଜହ୍ନ ଆଲୁଆରେ ଏକ ବିଚିତ୍ର ନୀଳ ରଙ୍ଗର ଛିଟା । ବୋଧହୁଏ ଭୂଇଁରେ ଛିଞ୍ôଚ ହୋଇଯାଇଥିବା ଏତେ ଏତେ ତାଜା ରକ୍ତ ବିଷାକ୍ତ ପାଲଟି ସାରା ଆକାଶକୁ ବି ଗ୍ରାସ କରିବାକୁ ବସିଥିଲା! ‘ଟ୍ରକ୍ ଅଟକାଅ, ଟ୍ରକ୍ ଅଟକାଅ!’ ୟୁନୁସ୍ ଖାଁ ବଡ଼ ପାଟିରେ ଚିତ୍କାର କରି ଉଠିଲା । ଡ୍ରାଇଭର ବ୍ରେକ୍ କଷି ଟ୍ରକ୍ ଅଟକାଇଲା । ରାସ୍ତା କଡ଼ରେ ସେ ଛାଇଟା କ’ଣ? କିଏ ସେ? ନା… ତାକୁ ଦେଖିବାକୁ ପଡ଼ିବ । ଟ୍ରକରୁ ଓହ୍ଲାଇ ସେ ସତର୍କତାର ସହ ସେଠାରେ ପହଞ୍ଚିଲା । ଆରେ, ଏ ତ ଛୋଟ ଝିଅଟିଏ । ବେହୋସ ହୋଇ ଏମିତି ପଡ଼ିଛି । ତା’ ସାଲୱାର ସାରା ରକ୍ତ ଜୁଡ଼ୁବୁଡ଼ୁ । ୟୁନୁସ ଖାଁ ମନରେ ଭାବାନ୍ତର ଆସିଲା । କାହିିଁକି ସେ ଏଠାରେ ଅଟକିଗଲା? କୌଣସି ଗୋଟିଏ ଶବ ଦେଖି ସେ ପୂର୍ବରୁ ତ କେବେ ଅଟକି ଯାଇ ନ ଥିଲା । କିନ୍ତୁ ଏ ଯେ ଗୋଟିଏ ଅସହାୟା ଛୋଟ ଝିଅ… ଚେତାଶୂନ୍ୟ ଓ କ୍ଷତାକ୍ତ ହୋଇ ରାସ୍ତାକଡ଼ରେ ପଡ଼ିଛି । କ’ଣ ହେଲା ସେଇଠୁ? ଶହ ଶହ ତରୁଣୀଙ୍କ ଶବକୁ ଡେଇଁ ଡେଇଁ ସେ ଆଗକୁ ବଢ଼ିଛି… କେବେହେଲେ ତ କାହାରି ଆଡ଼େ ସେ ଏପରି ଦୟାର୍ଦ୍ର ଆଖିରେ ଚାହିଁ ନାହିଁ ।… ନା , ନା । ତାକୁ ଯେମିତି ହେଲେ ଏଠାରୁ ନେଇଯିବ । ଯଦି ତା’ ସେବାରେ ନିରୀହ ବାଳିକାଟିର ଜୀବନ ରକ୍ଷା ହୋଇଗଲା… ହେଲେ… ସେ କାହିଁକିି ଏ ଝିଅଟିର ଜୀବନ ବଞ୍ଚାଇବାକୁ ଚାହୁଁଛି? ନିଜ ପାଖରେ ନିଜେ ଏକ ଦୀର୍ଘ ପ୍ରଶ୍ନବାଚୀ ପାଲଟି ଯାଉଥିଲା ୟୁନୁସ ଖାଁ । ବୁଝି ପାରୁନଥିଲା ସେ କ’ଣ କରିବା ଉଚିତ । ତା’ର ପ୍ରଥମ କର୍ତ୍ତବ୍ୟ କ’ଣ? କିନ୍ତୁ ଯେତେ ଯାହା ହେଲେ ସୁଦ୍ଧା ସେ କ’ଣ ଏ ଝିଅଟିକୁ ଏମିତି ଅବସ୍ଥାରେ ଏଠାରେ ଛାଡ଼ିଦେଇ ଆଗକୁ ଯାଇପାରିବ? ଝିଅଟି କାଫେର ହେଲେ ସୁଦ୍ଧା… ୟୁନୁସ ଖାଁ ନିଜର ବଳିଷ୍ଠ ବାହୁକୁ ପ୍ରସାରଣ କରି ଝିଅଟିକୁ ତଳୁ ତୋଳି ଆଣିଲା ଓ ତାକୁ ନେଇ ଟ୍ରକର ଡ୍ରାଇଭର ପାଖ ସିଟ୍ ଉପରେ ଶୁଆଇଦେଲା । ଝିଅଟିର ଆଖି ଦିଓଟି ମୁଦି ହୋଇ ରହିଥାଏ । ବେଶ୍ ନିଷ୍ପାପ ଆଖି ଯୋଡ଼ିଏ । ମୁଣ୍ଡର ଘନକୃଷ୍ଣ କେଶ ଓଦା ଲାଗୁଥିଲା । ବୋଧହୁଏ ରକ୍ତରେ ଭିଜି ସେମିତି ଅଠା ଅଠା ଲାଗୁଛି । ଆଉ ମୁହଁଟା, ଅସହ୍ୟ ଯନ୍ତ୍ରଣାକୁ ଭିତରେ ଜାବୁଡ଼ି ଧରି କେମିତି ମଳିନ ଦିଶୁଥିଲା… ପୁଣି ସେ ଚାହୁଁ ଉପରେ ବୁନ୍ଦା ବୁନ୍ଦା ରକ୍ତ ପଡ଼ି ସେତେବେଳକୁ ଶୁଖି ସାରିଥିଲା ।
ୟୁନୁସ ଖାଁ ସ୍ନେହରେ ଝିଅଟିର ମୁଣ୍ଡ ଉପରେ ଥରେ ହାତ ଘୂରେଇ ଆଣିଲା । ତା’ ହାତରେ ରକ୍ତ ମନ୍ଦା ମନ୍ଦା ହୋଇ ଲାଗିଗଲା । ସେ କ’ଣ ସତରେ ଝିଅଟିକୁ ଏ ଯନ୍ତ୍ରଣାରୁ ଉପଶମ ଦେଶ ଲାଗି ଏମିତି ଚେଷ୍ଟା କରିଚାଲିଛି? ନିଜେ ତା’ର ଉତ୍ତର ଖୋଜି ପାଉ ନ ଥିଲା । କାହିଁ ପୂର୍ବରୁ ତ ସେ କେବେ ନିଜକୁ ଏପରି ଆବେଗପ୍ରବଣ ହୋଇପଡ଼ିବାର ଲକ୍ଷ୍ୟ କରି ନାହିଁ? ତା’ହେଲେ ଆଜି ତା’ ମନରେ ଏତେ ଦରଦ କାହିଁକି – କାହିଁକି ତା’ ସ୍ନେହର ହାତ ବାରମ୍ବାର ଏ ଅଚିହ୍ନା ଝିଅଟିର ମୁଣ୍ଡ ଉପରେ ଘୂରି ଆସୁଛି? ବୋଧହୁଏ ଏ ପ୍ରଶ୍ନର ଉତ୍ତର ସେ ନିଜେ ଜାଣି ନ ଥିଲା । ଚେତାଶୂନ୍ୟ ହୋଇ ପଡ଼ିଥିବା ଝିଅଟି ମଧ୍ୟ ଜାଣିପାରୁ ନ ଥିଲା ଯେ ଯେଉଁ ସ୍ନେହବୋଳା ହାତଟି ତା’ ମୁଣ୍ଡ ଉପରେ ଘୂରି ଆସୁଛି, ସେଇ ହାତ ହିଁ ତା’ର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ହତ୍ୟା କରିଛି । ଝିଅଟି ୟୁନୁସ ଖାଁ କୋଳରେ ସେମିତି ନିଶ୍ଚଳ ହୋଇ ପଡ଼ି ରହିଥିଲା ।… ୟୁନୁସ ଖାଁ ଆଖି ଆଗରେ ଅତୀତର ସେଇ ଦୁଃଖଦ କାହାଣୀର ଦୃଶ୍ୟ ଗୋଟି ଗୋଟି ହୋଇ ଭାସି ଉଠୁଥିଲା । ଏବେ ଆଉ ତା’ ଆଖିରେ ସେ ଜହ୍ଲାଦର ଜ୍ୱଳନ୍ତ ବହ୍ନି ନ ଥିଲା, ବରଂ ତା’ ଆଖି ଦିଶୁଥିଲା ଦୁଃଖ, କରୁଣା ଓ ପ୍ରଶାନ୍ତିର ଏକ ନିଶ୍ଚଳ ସାଗର ପରି । ସେଇ ଶୀତ ରାତିର ଦୃଶ୍ୟ ଭାସି ଉଠୁଥିଲା ତା’ ଆଖି ଆଗରେ – ନିଜ ଆଖି ଆଗରେ ସେ ନିଜେ ଠିଆ ହୋଇଛି । ତା’ ହାତଟା ସାନ ଭଉଣୀ ନୁରନର କାନ୍ଧ ଉପରେ । ନୁରନକୁ ସେତେବେଳେ ବାର ବର୍ଷ ହୋଇଥିଲା । ଭାଇ ଭଉଣୀ ଦୁହେଁ ନୀରବରେ ଠିଆ ହୋଇ ରହିଥିଲେ ବିଧବା ମା’ଟି ଆଗରେ । ବେମାର ମା’ ତାଙ୍କର, ସେମାନଙ୍କ ସାମ୍ନାରେ ଦି’ଆଖି ବୁଦି ଦେଇଥିଲା ।
ମା’ ମରିବାର ଅଳ୍ପ ଦିନ ପରେ ନୁରନ ବି ଚାଲିଯାଇଥିଲା ମା’ ପାଖକୁ । ସେଦିନ କବରଖାନାଟା ଭାରି ଖାଁ ଖାଁ କରୁଥିଲା । ଜୋର୍ ପବନ ସାଙ୍ଗକୁ ରହି ରହି ସୁ ସୁ ଗର୍ଜନ । ନିଜ ପ୍ରାଣଠାରୁ ବେଶୀ ଭଲ ପାଉଥିବା ସାନ ଭଉଣୀକୁ କବର ଦେଇ ଢ଼େର୍ ସମୟ ପର୍ଯ୍ୟନ୍ତ ୟୁନୁସ ଖାଁ ସେଇଠି ଠିଆହୋଇ ରହିଥିଲା । ଫୁଲଠାରୁ ବଳି କୋମଳ ତା’ ଭଉଣୀକୁ ଆଲ୍ଲା ତା’ଠାରୁ ଛଡ଼େଇ ନେଲେ । ନିଜ ଭାଇକୁ ଛାଡ଼ି ଏ ଦୁନିଆର ସବୁ ମୋହ ତୁଟାଇ ନୁରନ ଚାଲିଗଲା ଅନେକ ଦୂରକୁ । କେତେବେଳେ ୟୁନୁସ ଖାଁର ଆଖିରେ ଲୁହ ଜକେଇ ଆସିଥିଲା ସେକଥା ସେ ଜାଣିପାରି ନ ଥିଲା । ସେଦିନ ସେ ନିଜ ଭଉଣୀ ନୁରନକୁ ଯେମିତି ନିଜ କୋଳରେ ଜଡ଼େଇ ଧରିଥିଲା ଆଜି ଏ ଅପରିଚିତ ଝିଅଟିକୁ ମଧ୍ୟ ସେ ସେମିତି କୋଳରେ ଭିଡ଼ି ଧରିଥିଲା… ହେଲେ ସେଦିନର ସେ ୟୁନୁସ ଖାଁ କାହିଁ? ଗଲା ଚାରିଦିନ ଧରି ସେ କେତେ ଯେ ଲୋକଙ୍କୁ ହତ୍ୟା କରିଥିଲା ତା’ର ସୀମା ନାହିଁ । କେବଳ ସେଇ ସଂକୀର୍ଣ୍ଣ ଧର୍ମାନ୍ଧ ମନୋଭାବକୁ ଧରି… ସେ ରକ୍ତରେ ସେ ହୋଲି ଖେଳିଛି । ସଦ୍ୟ କଟା ମଣିଷଙ୍କ ତାଜା ରକ୍ତରେ! ସେ ଆଜି କେଉଁଠି ଆସି ପହଞ୍ଚିଛି ? କେଉଁଠି?
ୟୁନୁସ ଖାଁର ସବୁ ଭାବନା ଯେପରି ଗୋଳମାଳ ହୋଇଗଲା । ତା’ର ସର୍ବାଙ୍ଗ ଶରୀର କମ୍ପି ଉଠିଲା । ଏପରି ଏକ ପ୍ରଶ୍ନ ପଚାରିବାକୁ ଯେମିତି ସେ ଏଠାରେ ଢେର୍ ବିଳମ୍ବ କରିଦେଇଛି । ଝିଅଟା ଯେ ଏମିତି କ୍ଷତାକ୍ତ ହୋଇପଡ଼ିଛି, ତାକୁ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବା ଦରକାର । ଆଉ ଥରେ ମୁଣ୍ଡ ଉପରେ ସ୍ନେହଭିଜା ହାତ ବୁଲାଇ ଆଣି ୟୁନୁସ ଖାଁ ଝିଅଟିକୁ ଚାହିଁଲା । ସେ ଚାହାଣିରେ ସ୍ନେହ ଓ ଦୟା ଭରି ରହିଥିଲା । ଏଥର ଆଉ ସେ ବିଳମ୍ବ ନ କରି ପୁଣି ଟ୍ରକରେ ବସି ଆଗକୁ ଚାଲିଲା । କର୍ତ୍ତବ୍ୟ ଯେପରି ତାକୁ ଆଗକୁ ବାଟ କଢ଼େଇ ନେଉଥିଲା । ସେ ମନେ ମନେ ଅନୁତପ୍ତ ହେଉଥିଲା ଯେ ଝିଅଟିକୁ ଆହୁରି ଆଗରୁ ଡାକ୍ତରଖାନାରେ ପହଞ୍ଚାଇବା ଉଚିତ ଥିଲା । ସେ ଅଯଥା ବିଳମ୍ବ କରିଦେଇଛି । ସମ୍ଭବତଃ ଉପଯୁକ୍ତ ଚିକିତ୍ସା କରାଗଲେ ଝିଅଟା ବଞ୍ଚାଯାଇପାରିବ । ତା’ କ୍ଷତସ୍ଥାନମାନଙ୍କରେ ଔଷଧ ଲଗାଇ ପଟି ଭିଡ଼ିଦେଲେ ତାହା ଭଲ ହୋଇଯିବ । ଡ୍ରାଇଭରକୁ ଆହୁରି ଜୋରରେ ଟ୍ରକ୍ ଚଳାଇବାକୁ ସେ ନିର୍ଦେଶ ଦେଲା । ରାତିର ଅନ୍ଧକାରକୁ ଚିରି ଟ୍ରକଟି ପୁଣି ଆଗକୁ ଛୁଟି ଚାଲିଲା । ଯୁନୁସ ଖାଁ ମନେ ମନେ ଭାବି ଚାଲିଥିଲା, ‘କାହିଁକି ମୁଁ ଏପରି କରୁଛି? କେବଳ କ’ଣ ଏ ଝିଅଟିର ଜୀବନ ବଞ୍ଚାଇବାକୁ? ତା’ ଭଳି ତ ହଜାର ହଜାର ଝିଅଙ୍କୁ ମାରି ଦିଆଯାଇଛି । ବୋଧହୁଏ ଏ ଝିଅଟି ବଞ୍ଚି ଗଲେ ମୋ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରେ! ତା’ଛଡ଼ା ମୁଁ ତ ଏବେ ମୋ ନିଜ ଦେଶର ସ୍ୱାଧୀନତା ଲାଗି ସଂଗ୍ରାମ କରୁଛି!’
ଲାହୋର ସହର ପାଖେଇ ଆସୁଥିଲା । ରାସ୍ତା ସହ ସମାନ୍ତରାଳଭାବେ ରେଳଧାରଣାସବୁ ଲମ୍ବି ଯାଇଥିଲା ଲାହୋରଆଡ଼େ । ଚାହୁଁ ଚାହୁଁ ଶାହାଦରା ଆସି ପହଞ୍ଚିଲା – ତା’ପରେ ଟ୍ରକଟି ମୁହାଁଇଲା ଲାହୋରକୁ ଯାଇଥିବା ରାସ୍ତାରେ । ଝିଅଟିକୁ ସେ କେଉଁ ଡାକ୍ତରଖାନାକୁ ନେବ? ମାୟୋ ହସପିଟାଲ ନା ସାର୍ ଗଙ୍ଗାରାମ…? ଗଙ୍ଗାରାମ ହସପିଟାଲକୁ କାଇଁକି ନେବ? ୟୁନୁସ ଖାଁ ନିଜକୁ ନିଜେ ଚିହିଁକି ଉଠି ପଚାରିଲା । ସେଠାକୁ ଗଲେ ତ ଝିଅଟା ପଡ଼ିଯିବ ସେଇମାନଙ୍କ ହାତରେ । ସେ କ’ଣ ସେଇମାନଙ୍କ ହାତରେ ଝିଅଟିକୁ ସମର୍ପି ଦେବାକୁ ଏତେ ବାଟ କଷ୍ଟକରି ଆଣିଛି ନା କ’ଣ?
ନା, ନା, ସେ ଝିଅଟିର ସେବାଯତ୍ନ ନିଜେ କରିବ । ଟ୍ରକଟା ଏବେ ଦୌଡ଼ିଲା ମାୟୋ ହସପିଟାଲ ଅଭିମୁଖେ । ହସପିଟାଲ ଭିତରେ ପଶି ୟୁନୁସ ଖାଁ ଡାକ୍ତମାନଙ୍କ ପାଖରେ ନେହୁରା ହେଲା, ‘ଡାକ୍ତର ସା’ବ୍, ଯେମିତି ପ୍ରକାରେ ହେଉ, ଏ ଝିଅଟିର ଜୀବନ ବଞ୍ଚାନ୍ତୁ… ମୁଁ ଆପଣମାନଙ୍କ ହାତଗୋଡ଼ ଧରୁଛି ଡାକ୍ତର ସା’ବ୍… ।’
:‘ହଁ, ହଁ । ତୁମେ ଆଦୌ ବ୍ୟସ୍ତ ହୁଅନା । ଆମେ ତାକୁ ବଞ୍ଚେଇବାକୁ ସବୁ ମତେ ଚେଷ୍ଟା କରିବୁ ।’ ଡାକ୍ତରମାନେ ହସପିଟାଲ ବେଡ ଉପରେ ଝିଅଟିକୁ ଶୁଆଇଦେଲେ ଓ ଚିକିତ୍ସା ଆରମ୍ଭ କଲେ ।
ଚେତାଶୂନ୍ୟ ଭାବେ ଅପରିଚିତ ଝିଅଟି ସେମିତି ପଡ଼ି ରହିଥାଏ । ୟୁନୁସ ଖାଁ ତାକୁ ସେଇଠି ଛାଡ଼ି ଚାଲିଗଲା ନିଜ କର୍ତ୍ତବ୍ୟରେ । ହେଲେ ପ୍ରତିଦିନ ଆସି ଝିଅଟିର ଖବର ନେଇ ଯାଉଥିଲା ।
କିଛି ଔଷଧପତ୍ର ଦରକାର କଡ଼ିଲେ ତୁରନ୍ତ ତାହା କିଣିଆଣି ଡାକ୍ତରଙ୍କ ପାଖରେ ପହଞ୍ଚାଇ ଦେଉଥିଲା । ତା’ ମନ ବ୍ୟାକୁଳ ହୋଇ ଉଠୁଥିଲା, ଝିଅଟିର ଚେତା କେତେବେଳେ ଫେରିବ ।
ଲାହୋର ସହର ସତେ ଯେମିତି ହୁତୁହୁତୁ ହୋଇ ଜଳୁଥିଲା ସାମ୍ପ୍ରଦାୟିକ ଦଙ୍ଗାରେ । ରାସ୍ତା ଉପରେ ପୋଡ଼ାଜଳାର ଭୟଙ୍କର ଦୃଶ୍ୟ । ଚାରିଆଡ଼େ ଧୂଆଁ ଭରପୂର । ସେନାଙ୍କ ସହାୟତାରେ ଦଳ ଦଳ ଭୟାର୍ତ୍ତ ଲୋକ ରାସ୍ତାର ଏଣେତେଣେ ଧାଉଁଥିଲେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ । ପୁଣି କେଉଁଠି ଅବା ବନ୍ଧୁକଧାରୀ ଯବାନମାନେ ସେଇ ଆତତାୟୀଙ୍କ ସହ ମିଶି ଲୁଟତରାଜ, ପୋଡ଼ାଜଳା ଓ ହାଣକାଟରେ ଲିପ୍ତ ଥିଲେ । ସେମାନଙ୍କ ସହ ମିଶି ପୈଶାଚିକ ହସ ହସୁଥାଆନ୍ତି ଦଙ୍ଗାକାରୀ ଓ ଲୁଟେରାମାନେ । ମଇଳା ଗଦା ଭଳି ରାସ୍ତାର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଶବ ଗଦା ହୋଇଥିଲା । ନିର୍ଜନ ରାସ୍ତା ଉପରେ ଯୁବତୀମାନଙ୍କ ଉଲଗ୍ନ ଶବ ଗଡ଼ୁଥିଲା । ରହି ରହି ସହରର ନିସ୍ତବ୍ଧତାକୁ ଭଙ୍ଗ କରି ଶୁଭୁଥିଲା ଅସହାୟ ଲୋକଙ୍କ ଚିତ୍କାର – ସେ ଚିତ୍କାର, ଯାହା ଶୁଣିଲା ମାତ୍ରେ ରକ୍ତ ପାଣି ଫାଟିଯାଉଥିଲା । କିନ୍ତୁ ଗଲା ଚାରିଦିନ ଧରି ଅବିଶ୍ରାନ୍ତଭାବରେ ନରସଂହାର କରିଚାଲିଥିବା ୟୁନୁସ ଖାଁ ହଠାତ୍ ଚୁପ୍ ପଡ଼ିଯାଇଥିଲା । ସେଦିନ ସନ୍ଧ୍ୟାରେ ସେ ମାତ୍ର ଅଳ୍ପ ବାଟ ଚାଲବୁଲ କରିଥିଲା । ତାକୁ ଲାଗୁଥିଲା ସେ ହସପିଟାଲକୁ ଯାଉ ନାହିଁ, ନିଜ ଘରକୁ ଲେଉଟି ଯାଉଛି । ହେଲେ ସେ ନିଜେ ବୁଝି ପାରୁ ନ ଥିଲା ଏ ଅଜଣା ଅଚିହ୍ନା ଝିଅଟି ଲାଗି ତା’ ମନରେ ଏତେ ଦରଦ, ଅନୁକମ୍ପା ଓ ମମତା କାହିଁକି ସୃଷ୍ଟି ହେଉଛି! ଜୋର୍ ଜୋର୍ ପାଦ ପକେଇ ସେ ପୁଣି ହସପିଟାଲ ଆଡ଼େ ଚାଲିବାକୁ ଆରମ୍ଭ କଲା । ହସପିଟାଲ ଭିତରେ ପହଞ୍ଚି ଦୁଆର ମୁହଁରେ ଠିଆହୋଇ ସେ ଝିଅଟିକୁ ଚାହିଁଲା । ତାକୁ ଲାଗିଲା ଦରଜାଠାରୁ ତା’ ବେଡଟିର ଦୂରତ୍ୱ ବେଶ୍ ଦୀର୍ଘ । ମାତ୍ର ଦି’ତିନି ପାହୁଣ୍ଡ ପକାଇ ସେ ତା’ ବେଡଟି ନିକଟରେ ପହଞ୍ଚିଗଲା । ୟୁନୁସ ଖାଁ ମନରେ ତଥାପି ଗୋଟିଏ ପ୍ରଶ୍ନ ଗୋଳେଇ ଘାଣ୍ଟି ହେଉଥିଲା – ଏ ଝିଅଟି ମୁସଲମାନ ନୁହେଁ – ହିନ୍ଦୁ ହେବ କି କ’ଣ । ହଁ, ହିନ୍ଦୁ ନିଶ୍ଚୟ ।
ଲୁହା ଖଟଟି ଉପରେ ଝିଅଟି ନିସ୍ତେଜ ହୋଇ ଶୋଇ ରହିଥିଲା । ତା’ ମୁଣ୍ଡର କ୍ଷତସ୍ଥାନମାନଙ୍କରେ ପଟି ବନ୍ଧାହୋଇଥିଲା ।ଆଖି ଦିଓଟି ମୁଦିହୋଇ ରହିଥିଲା । ସତେକି କେଉଁ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ସେ ନାରାଜ ଓ ସେଇଥିପାଇଁ ଆଖି ବୁଜି ଦେଇଛି! ତା’ ନିରୀହ ଓ ସୁନ୍ଦର ମୁହଁଟି ଉପରେ ଭୟର ଏକ କଳା ବାଦଲ ଘୋଡ଼େଇ ହୋଇରହିଛି । ୟୁନୁସ ଖାଁ ମନେମନେ ଭାବୁଥିଲା, ଝିଅଟିର ଚେତା ଫେରିଲେ ସେ ତାକୁ କ’ଣ ବୋଲି କହିବ – ତାକୁ କ’ଣ ବୋଲି ସମ୍ବୋଧନ କରିବ? ନିଜ ଅଜାଣତରେ ୟୁନୁସ ଖାଁ ତୁଣ୍ଡରୁ ‘ନୁରନ’ ବୋଲି ବାହାରି ଆସୁଥିଲା । ସେ ପୁଣି ନିଜକୁ ସମ୍ଭାଳି ନେଲା । ହାତଟିକୁ ଝିଅଟିର ମୁଣ୍ଡ ଉପରେ ଧୀରେ ଘୂରେଇ ଆଣିଲା । ମନ ଭିତରୁ ଉଠୁଥିବା କୋହ ସେତେବେଳକୁ ତା’ର କଣ୍ଠକୁ ବାଷ୍ପରୁଦ୍ଧ କରି
ପକାଇଥିଲା ।ହଠାତ୍ ଝିଅଟି ଥରି ଉଠିଲା । ଚେତାଶୂନ୍ୟ ଅବସ୍ଥାରେ ଭୟାର୍ତ୍ତ କଣ୍ଠରେ ସେ ଚିତ୍କାର କରିଉଠିଲା, ‘କ୍ୟାମ୍ପ… କ୍ୟାମ୍ପ… ଆମେ ଆସି କ୍ୟାମ୍ପରେ ପହଁଞ୍ଚିଗଲୁ । ପଳାଅ… ପଳାଅ… ଆହୁରି ଜୋରରେ ଦୌଡ଼ି ପଳାଅ ।’
:‘ନା, ନା, ଭୟ କରନା । ଆଖି ଖୋଲି ଦେଖ ।’
:‘ନିଆଁ… ନିଆଁ…ହେଇଟି, ସେମାନେ ଗୁଳି କରୁଚନ୍ତି… ଫଉଜମାନେ ବି… ।’
ଝିଅଟି ଆଖି ଖୋଲି ଚାହିଁଲା । ଆଖି ସାମ୍ନାରେ ୟୁନୁସ ଖାଁକୁ ଦେଖିବା ମାତ୍ରେ ସେ ଆହୁରି ଭୟ ପାଇଗଲା ପରି କମ୍ପିଉଠିଲା ।
ୟୁନୁସ ଖାଁ ଡାକ୍ତରଙ୍କୁ ଡାକ ପକେଇଲା, ‘ଡାକ୍ତରବାବୁ, ଡାକ୍ତରବାବୁ, ଦୟାକରି ତାକୁ ବଞ୍ଚାନ୍ତୁ, ଡାକ୍ତରବାବୁ!’
ଡାକ୍ତରବାବୁ କିନ୍ତୁ ଏପରି ପ୍ରଳାପ ଓ ଦୃଶ୍ୟ ସହ ପୂର୍ବରୁ ବେଶ୍ ପରିଚିତ ଥିଲେ । ତେଣୁ ସେ ୟୁନୁସ ଖାଁ ଆଡ଼େ ଚାହିଁ କହିଲେ, ‘ସେ ତୁମକୁ ଦେଖି ଏମିତି ଭୟ ପାଇଯାଇଛି । କାରଣ ସିଏ ଜଣେ କାଫେର ।’
‘କାଫେର…!’ ଏଇ ଶବ୍ଦଟି ୟୁନୁସ ଖାଁର କାନରେ ପ୍ରତିଧ୍ୱନି ସୃଷ୍ଟି କରିଚାଲିଲା । କାଫେର… ତା’ହେଲେ ସେ କାହିଁକ ତାକୁ ବଞ୍ଚେଇଲା? ସତରେ କ’ଣ ଝିଅଟା କାଫେର? …ନା, ସେ ଯାହା ହେଉନା କାହିଁକି, ମୁଁ ତାକୁ ବଞ୍ଚେଇବି, ତା’ର ଯତ୍ନ ନେବି ।’
ଏମିତି ଦ୍ୱନ୍ଦ୍ୱ ଓ ଚିନ୍ତା ଭିତରେ ଦଙ୍ଗା କେଇଦିନ ଗତ ହୋଇଗଲା । ୟୁନୁସ ଖାଁ ଫଉଜରେ ତା’ ଡ୍ୟୁଟି କରେ ଓ ସେ ଅପରିଚିତ ଝିଅଟି ହସପିଟାଲ ବେଡ୍ ଉପରେ ସେମିତି ଶୋଇ ରହିଥାଏ ।
ଡାକ୍ତରଙ୍କ ସେବା ଓ ଚିକିତ୍ସା ବଳରେ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା । ଦିନେ ୟୁନୁସ ଖାଁ ହସପିଟାଲକୁ ଯାଇ ପହଞ୍ଚିଲା ଝିଅଟିକୁ ନିଜ ଘରକୁ ନେଇ ଆସିବ ବୋଲି । ଝିଅଟି ୟୁନୁସ ଖାଁ ମୁହଁକୁ ଡବଡ଼ବ କରି ଚାହିଁ ରହିଲା । ତା’ ଆଖିରେ ଆଖିଏ ଭୟର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । କେବଳ ଭୟ ନୁହେଁ, ସେ ଚାହାଣିରେ ୟୁନୁସ ଖାଁ ପ୍ରତି ତା’ମନରେ ଥିବା ସନ୍ଦେହ ଓ ଘୃଣା ବି ଜଳଜଳ ହୋଇ ଦୃଶ୍ୟ ହେଉଥିଲା ।
ୟୁନୁସ ଖାଁ ଝିଅଟିର ମୁଣ୍ଡ ଉପରେ ସ୍ନେହବୋଳା ହାତ ବୁଲାଇ ଆଣିବା ମାତ୍ରେ ତା’ ଦେହରେ ଭୟର ଏକ ବିଦ୍ୟୁତ୍ ସ୍ରୋତ ସତେ କି ଖେଳିଗଲା । ଝିଅଟିକୁ ଲାଗିଲା ଏଇ ମୁହୂର୍ତ୍ତରେ ସେ ହାତ ଦୁଇଟି ତା’ ତଣ୍ଟି ଚିପିଦେବ! ଏକ ଅଜଣା ଆତଙ୍କରେ ସେ ଆଖି ଦିଓଟି ବୁଜିନେଲା । ଏପର୍ଯ୍ୟନ୍ତ ସେ କିଛି ହେଲେ ବୁଝି ପାରୁ ନ ଥିଲା – ‘ସେ କେଉଁଠି ଆସି ପହଞ୍ଚଛି? ଏ ଲୋକଟି କିଏ…?’…
ତା’ ଆଖି ଆଗରେ ସେ ଦିନ ରାତିର ସେଇ ଭୟଙ୍କର ଦୃଶ୍ୟ ନାଚି ଉଠିଲା । … ଓଃ! କି ଭୟଙ୍କର ସେ ଦୃଶ୍ୟ! ତା’ ଭାଇମାନେ କାହାନ୍ତି? ହଠାତ୍ ତା’ର ମନେ ପଡ଼ିଗଲା, ତା’ ନିଜ ଆଖି ଆଗରେ ଗୋଟିଏ କଟୁରି ଚୋଟରେ କେମିତି ତା’ ଭାଇମାନଙ୍କ ମୁଣ୍ଡ ଗଣ୍ଡିଠାରୁ ଅଲଗା ହୋଇଯାଇଥିଲା ।
ୟୁନୁସ ଖାଁ ଦଣ୍ଡେ ଝିଅଟିଆଡ଼େ ଚାହିଁଲା ଓ ତା’ପରେ ସ୍ନେହବୋଳା କଣ୍ଠରେ କହିଲା, ‘ଏବେ ତୋ ଦେହ ଭଲ ହୋଇଗଲାଣି । ଏଥର ଘରକୁ ଯିବା ।’ ଝିଅଟି ୟୁନୁସ ଖାଁ କଥାରେ ସମ୍ମତ ନ ହେବା ଭଳି ମୁଣ୍ଡ ହଲାଇଲା ଓ କହିଲା, ‘ନା, ନା… ମୋ ଘର ଏଠି ନୁହେଁ । ମୋ ଘର କାଇଁ? ତୁମେ ମୋତେ ମାରି ପକେଇବ ।’
ୟୁନୁସ ଖାଁ ମନେମନେ ବିଶ୍ୱାସ କରିବାକୁ ଚେଷ୍ଟା କରୁଥିଲା ଯେ ତା’ ସାମ୍ନାରେ ସେ ଯେଉଁ ଅପରିଚିତ ଝିଅଟିକୁ ଦେଖୁଚି ସିଏ ‘ନୁରନ’ । ହେଲେ ତାହା କେବଳ ତା’ ମନର ଧାରଣା ମାତ୍ର । ଝିଅଟି ଏବେ ସୁଦ୍ଧା ୟୁନୁସ ଖାଁ ପାଖରେ ସେମିତି ଅପରିଚିତ ଥିଲା, ଯେମିତି ଅବସ୍ଥାରେ ଦିନେ ସେ ତାକୁ ରାସ୍ତାକଡ଼ରୁ ଅଚେତ ଅବସ୍ଥାରେ ସାଉଁଟି ଆଣିଥିଲା । ୟୁନୁସ ଖାଁ ତା’ ଦୃଷ୍ଟିରେ
ଥିଲା ଜଣେ ସାକ୍ଷାତ ଘାତକ । ତାକୁ ଦେଖିବାମାତ୍ରେ ତା’ର ତାଳୁରୁ ତଳିପା ପର୍ଯ୍ୟନ୍ତ ଥରି ଉଠୁଥିଲା ।
ଝିଅଟି ଏବେ ହାତଯୋଡ଼ି ନେହୁରା ହେଉଥିଲା, ‘ମତେ ତୁମେ ତୁମ ଘରକୁ ନେଇ ଯାଅନା । ଦୟାକରି ମୋତେ କ୍ୟାମ୍ପକୁ ପଠେଇଦିଅ । ଏଠି ଏମାନେ ମତେ ମାରି ପକେଇବେ – ମେତେ ମାରି ପକେଇବେ… ।
ୟୁନୁସ ଖାଁ ନିଜ ଆଖି ତଳକୁ କରିନେଲା । ଏବେ ସେ ଆଉ ନିଜକୁ ଜଣେ ଦୁର୍ଦ୍ଧର୍ଷ ସୈନିକ ବୋଲି ଭାବି ପାରୁ ନ ଥିଲା । ନିଜ ଦୃଷ୍ଟିରେ ସେ ଖୁବ୍ ଦୟନୀୟ, ଅସହାୟ ଓ ଦୁର୍ବଳ ପାଲଟି ସାରିଥିଲା। ପୁଣି ଥରେ ସେ ଝିଅଟିଆଡ଼େ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା ଓ ମନେମନେ ଚିନ୍ତାକଲା – ସତରେ କ’ଣ ଏତେ ବଡ଼ ଦଙ୍ଗା ପରେ ଏ ଝିଅଟିର କେହି ହେଲେ ସମ୍ପର୍କୀୟ ବଞ୍ଚି ଥିବେ? ନା, ବୋଧହୁଏ ନୁହେଁ । ତେଣୁ ମୁଁ ଏ ଝିଅଟିକୁ ମୋରି ଘରେ ରଖି ତାକୁ ସ୍ନେହ ଯତ୍ନରେ ପାଳିବି । ନିଜ ଭିତରେ ଏକ ବିଚିତ୍ର କରୁଣାର ଭାବ ଅନୁଭବ କଲା ୟୁନୁସ ଖାଁ ।
ଏଥର ସେ ମୁହଁରେ ସାମାନ୍ୟ ହସ ଖେଳେଇ ଖୁବ୍ ଆପଣାର କଣ୍ଠରେ କହିଲା, ‘ଚାଲ୍ ଯିବା । ତୁ ଆଦୌ ଭୟ କରନା । ତୁ ପରା ମୋ ନିଜ…’ ୟୁନୁସ ଖାଁ କଡ଼କୁ ବସିରହି ଝିଅଟା ଭାବି ଚାଲିଥିଲା – ଏ ବେଲୁଚି ଲୋକଟା ପ୍ରଥମେ ମୋତେ ଗୋଟିଏ ନିଛାଟିଆ ସ୍ଥାନକୁ ନେଇଯିବ । ସେଇଠି ମୋତେ ହତ୍ୟା କରିବ । ବୋଧହୁଏ ବନ୍ଧୁକର ଗୁଳି ଫୁଟେଇ ମୋତେ ମାରିବ, ନ ହେଲେ ଛୁରୀ ଭୁଷି । ଏମିତି ଭାବି ଭାବି ସେ ୟୁନୁସ ଖାଁର ହାତକୁ ଭିଡ଼ି ଧରି ପୁଣି ଥରେ ମିନତି କଲା, ‘ଖାନ୍, ମୋତେ ମାରନା । ଦୟାକରି ମୋତେ ଛାଡ଼ିଦିଅ ।… ମୋ ପ୍ରତି ଏତିକି ଦୟା କର ।’ ସେତେବେଳକୁ ତା’ର ମୁହଁରୁ ସତେ କି ସବୁତକ ରକ୍ତ ଶୁଖି ସାରିଥିଲା! ୟୁନୁସ ଖାଁ ପୁଣିଥରେ ଝିଅଟି ମନରେ ବିଶ୍ୱାସ ଜନ୍ମାଇବାକୁ ନିଷ୍ଫଳ ଉଦ୍ୟମ କଲା ଓ ଖୁବ୍ ଆତ୍ମୀୟତାଭରା ସ୍ୱରରେ କହିଲା, ‘ଧୈର୍ଯ୍ୟ ଧର । ଜମ୍ମାରୁ କାନ୍ଦନା । ମୋ ନିଜ ଭଉଣୀ ଭଳିଆ ସ୍ନେହ ଦେଇ ମୁଁ ତୋତେ ମୋ ଘରେ ରଖିବି । ତୁ ମୋରି ସାଥିରେ ରହିବୁ ।’
ଏଥର ଝିଅଟି ମନରେ ଥିବା ସବୁ ଘୃଣା ଯେମିତି ତା’ କଣ୍ଠସ୍ୱର ହୋଇ ବାହାରି ଆସିଲା । ସେ ବଡ଼ ପାଟିରେ ଚିତ୍କାର କରିଉଠିଲା, ‘ନା । ତୁମେ… ତୁମେ ମୋତେ ମାରି ପକେଇବ ।’ ଏତିକି କହି ସେ ଦି’ହାତ ମୁଠାକରି ୟୁନୁସ ଖାଁକୁ ମନଇଚ୍ଛା ମାରି ଚାଲିଲା । ରହି ରହି ତା’ ଚିତ୍କାର ଶୁଭୁଥିଲା, ‘ମୋ ଭାଇ କାଇଁ? ମୋ ଭଉଣୀ କାଇଁ? ମୋ ମା’ କାଇଁ…?’
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.