ଅନୁବାଦ ଗଳ୍ପ : କଳେ ପାଣି, କଳେ ରକ୍ତ
ଏନ ଜି ଗୋରେ ୧୯୦୭ ମସିହାରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଗୋରେ ମରାଠୀ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ରୂପେ ସୁପରିଚିତ । ଶ୍ରୀ ଗୋରେ ୧୯୪୨ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ଜେଲ ବରଣ କରିଥିଲେ । ଦେଶ ସ୍ୱାଧାନତୀ ଲାଭ କରିବା ପରେ ସେ ଲୋକସଭାକୁ ଏକାଧିକ ବାର ନିର୍ବାଚିତ ହୋଇଥିଲେ । କିନ୍ତୁ ଆଜୀବନ ସେ ସାହିତ୍ୟ ରଚନାରେ ନିଜକୁ ଲିପ୍ତ ରଖି ବହୁ ଗଳ୍ପ ସଙ୍କଳନ ଏବଂ ଉପନ୍ୟାସ ରଚନା କରିଥିଲେ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୬
ମୂଳ ମରାଠୀ : ଏନ ଜି ଗୋରେ
ଆକାଶରେ କେଉଁଠି ଚାଖଣ୍ଡେ ହେଲେ ବାଦଲ ଦିଶୁ ନ ଥିଲା । ଚାରିଆଡ଼ ବେଶ୍ ଉଜ୍ଜ୍ୱଳ ଲାଗୁଥିଲ । ବାହାରେ ଅସମ୍ଭବ ଖରା, ଯେତିକି ତେଜ ସେତିକି ଅସହ୍ୟ । ଗୁଳୁଗୁଳି ବି ତା’ ଠାରୁ ବଳି ଯନ୍ତ୍ରଣାଦାୟକ । ପାଦ ତଳେ ଆଁ ମେଲା କରିଥିବା ଭୂଇଁରୁ ସତେ ଯେମିତି ବାମ୍ଫ ବାହାରୁଥିଲା । ଗୁଡ଼ହାଣ୍ଡିରୁ ବାହାରିଥିବା ମାଛିଟିଏ ପରି । ଆମେ ଟ୍ରେନ୍ଟା ଧୀରେ ଧୀରେ ଆଗକୁ ବଢ଼ୁଥିଲା । ଆହ୍ଲାବାଦ ଷ୍ଟେସନ ତଥାପି ଆହୁରି ବେଶ ଦୂର ଥିଲା । ଆମ ବଗିଟା ଭିତରେ କିଛି କମ ଲୋକ ନ ଥିଲେ । କିନ୍ତୁ ସେଇ ଗହଳି ଭିତରେ ବି କେହି ଜଣେ ଚାହିଁଲେ ସହଯାତ୍ରୀମାନଙ୍କ ଗୋଡ଼ ଡେଇଁ ସେମାନଙ୍କ ବ୍ୟାଗପତ୍ର ଉପରେ ପାଦ ଥୋଇ ଶୌଚାଗାର ପର୍ଯ୍ୟନ୍ତ ଯାଇପାରୁଥିଲା । ହେଲେ ସବୁ ଯାତ୍ରୀ ଏକଥା ଜାଣିଥାନ୍ତି ଯେ ଆହ୍ଲାବାଦ ଷ୍ଟେସନରୁ ଯାତ୍ରୀମାନେ ଉଠିବା ପରେ ଆଉ ବଗି ଭିତରେ କଡ଼ ବୁଲେଇବା ଲାଗି ସ୍ଥାନ ମିଳିବନି । ତା’ରି ଭିତରେ ଟ୍ରେନ୍ ଆଗକୁ ବଢ଼ୁଥିଲା । ଟ୍ରେନ୍ ଆସି ଆହ୍ଲାବାଦ ଷ୍ଟେସନ ବାହାରେ ସିଗନାଲ ପୋଷ୍ଟ ପାଖରେ ପହଞ୍ôଚବା ମାତ୍ରେ ଯାତ୍ରୀମାନେ ଯେଝା ଯେଝା ସିଟ୍ ଉପରେ ବସିପଡ଼ିଲେ । ଏବେ ସୁଦ୍ଧା ଟ୍ରେନ୍ଟା ଆଗକୁ ଧୀରେ ଗଡ଼ି ଚାଲିଥାଏ । ଯାତ୍ରୀମାନେ ବଗିର ଝର୍କାସବୁ ବନ୍ଦ୍ କରିବାରେ ଲାଗି ପଡ଼ିଥାନ୍ତି । ଯେମିତି ସୈନିକମାନେ ସୀମାନ୍ତରେ ଶତ୍ରୁପକ୍ଷ ସେନାଙ୍କ ଆଗମନକୁ ପ୍ରତୀକ୍ଷା କରି ବସି ରହିଥାନ୍ତି, ଆମେମାନେ ସେମିତି ବସିଥାଉ । ନିଜ ନିଜ ସିଟ୍ରେ ହଲଚଲ ସୁଦ୍ଧା ହେଉ ନ ଥାଉ । ପରସ୍ପର ସହ ଅପରିଚିତ ଶହ ଶହ ଯାତ୍ରୀଙ୍କ ମଧ୍ୟରେ ହଠାତ୍ ସୃଷ୍ଟି ହୋଇଥିବା ଏପରି ଐକ୍ୟଭାବ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିଲା । ଠିକ୍ ଏତିକିବେଳେ ଆମ ଟ୍ରେନ୍ଟି ଆହ୍ଲାବାଦ ଷ୍ଟେସନ ଭିତରକୁ ପ୍ରବେଶ କଲା । ଟ୍ରେନଟା ବ୍ରେକ କଷି ଅଟକିବା ଆଗରୁ କେବଳ ସୈନିକମାନେ ଭରପୂର ହୋଇ ରହିଥିଲେ । ଚାରି ଆଡ଼େ ଦଉଡ଼ାଧାପଡ଼ା କରୁଥିଲେ । ସେମାନଙ୍କ ଭାରୀ ବୁଟ୍ର ମଚ୍ ମଚ୍ ଶବ୍ଦରେ ପ୍ଲାଟଫର୍ମସାରା ଏକ ବିଚିତ୍ର ଶବ୍ଦ ସୃଷ୍ଟି ହେଉଥିଲା । ଆମ ବଗିର ଦୁଆରମୁହଁରେ ଜଣେ ଥନ୍ତଲା ପେଟିଆ ମାରୱାଡ଼ି ଆସନ ଜମେଇ ବସିଥାନ୍ତି । ନିଜର ବିଶାଳ ବେଡ୍ରୋଲଟାକୁ ବିଛେଇ ସେ ମୋଗଲସରାଇ ଷ୍ଟେସନଠାରୁ ସେଠାରେ ସେମିତି ବସି ରହିଥାନ୍ତି । ଏବେ ଦୁଆରମୁହଁଟା ଖୋଲିଯିବାରୁ ସେ ଆପେ ଆପେ ଗୋଟିଏ ପଟକୁ ଜାକି ହୋଇଗଲେ ଏବଂ କଷ୍ଟ ହେବାରୁ ହଠାତ୍ ଚିତ୍କାର କରିଉଠିଲେ । ଯେମିତି ଯନ୍ତାରେ ପଡ଼ି ବିଲୁଆଟିଏ ଚିତ୍କାର ଛାଡ଼େ । କେବଳ ସେ ନୁହନ୍ତି, ଆମେମାନେ ସମସ୍ତେ ଜଣକ ପରେ ଜଣେ ଦୟନୀୟ ଭାବେ ଜାକି ହୋଇଯାଉଥିଲୁ । ସମସ୍ତଙ୍କ ତୁଣ୍ଡରେ ସେଇ କେଇ ଧାଡ଼ି କଥା – ‘ଆଉ ପଶନା, ଏ ବଗିରେ ଆଉ ଜାଗା ନାହିଁ ।’ ହେଲେ ଏପରି ବାରଣ ଓ ବିରକ୍ତିକୁ ଶୁଣୁଛି କିଏ?
ମୋଟା ନିଶୁଆ, ଲମ୍ବା ଦାଢ଼ିଆ ଶିଖ୍ ସୈନିକ, ପଞ୍ଜାବୀ ସୈନିକ, ଜାଠ ସୈନିକମାନେ ଜଣକ ପରେ ଜଣେ ମାଡ଼ି ଦଳି ଭିତରକୁ ଧସେଇ ପଶି ଆସୁଥାନ୍ତି । ସମସ୍ତଙ୍କ ଦେହରେ ଫଉଜ ପୋଷାକ, କାନ୍ଧରେ ବନ୍ଧୁକ । ବଗି ଭିତରକୁ ପଶିବା ମାତ୍ରେ ସେମାନେ ତୁରନ୍ତ ବନ୍ଦ୍ ଝର୍କାଗୁଡ଼ିକୁ ଖୋଲି ପକାଇଲେ ଏବଂ ସେଇ ଝର୍କା ବାଟେ ପ୍ଲାଟଫର୍ମରେ ଥୁଆ ହୋଇଥିବା ନିଜ ନିଜର ଅନ୍ୟ ଆସବାବପତ୍ର ସବୁକୁ ବଗି ଭିତରକୁ ଗଳେଇବାରେ ଲାଗିପଡ଼ିଲେ । ରାଇଫଲ, କିଟ୍ ବ୍ୟାଗ, ବେଡ୍ରୋଲ, ବଡ଼ ବଡ଼ ଟ୍ରଙ୍କ୍ ଇତ୍ୟାତି, ଇତ୍ୟାଦି । ବାସ୍, ବଗି ଭିତରେ ସେସବୁ ଏବେ ଗଦା ହୋଇଗଲା । ଝର୍କା ପଟେ ସେମାନଙ୍କର ଜିନିଷପତ୍ର ଯେତିକି ମାତ୍ରାରେ ପଶୁଥିଲା, ତା’ଠାରୁୁ ଅଧିକ ସଂଖ୍ୟକ ସୈନିକ ଦୁଆରମୁହଁ ଦେଇ ଭିତରକୁ ପ୍ରବେଶ କରିଚାଲିଥାନ୍ତି । ସେତେବେଳେକୁ ଆମେ ଭିତରେ ବସିଥିବା ଯାତ୍ରୀମାନେ ଅତିଷ୍ଠ ହୋଇ ପଡ଼ିଥାଉ । ଆମ ଦେହହାତ ଝାଳ ଗନ୍ଧରେ ଫାଟି ପଡ଼ୁଥିଲା । ଆଉ ତା’ ସାଙ୍ଗକୁ ଦେହ ମୁହଁରେ ଧୂଳି ଓ କୋଇଲାଗୁଣ୍ଡର ଏକ ମୋଟା ଆସ୍ତରଣ ବସି ସାରିଥିଲା ।
ସେତେବେଳକୁ ଟ୍ରେନଟା ତିନି ଚାରି ଘଣ୍ଟା ବିଳମ୍ବରେ ଚାଲୁଥିଲା -ଆମେ ଖୁବ୍ କ୍ଳାନ୍ତ ଓ ବିଷର୍ଣ୍ଣ ଜଣାପଡ଼ୁଥିଲୁ । ତା’ ସାଙ୍ଗକୁ ଏ ପଞ୍ଝାକ ପଙ୍ଗପାଳ ଆମ କମ୍ପାର୍ଟମେଣ୍ଟ ଭିତରେ ପଶି ଆସ୍ଥାନ ଜମେଇ ସାରିଥିଲେ! ଏପରି କାଣ୍ଡ ଦେଖି ମୁଁ ଆଉ ଧୈର୍ଯ୍ୟ ଧରି ପାରିଲିନାହିଁ । ବିରକ୍ତିଭରା କଣ୍ଠରେ କହି ଉଠିଲି – ‘ଭଗବାନଙ୍କୁ ଜଣା, ସବୁ ବିପଦ କେବଳ କ’ଣ ଆମରି ଭାଗ୍ୟରେ ଲେଖା ହେଇଚି! ଏ ଫଉଜଗୁଡ଼ାକ ତାଙ୍କ ମିଲିଟାରୀ ଭ୍ୟାନ ଭିତରକୁ ନ ଯାଇ ଏ ବଗିରେ ପଶିଲେ କାହିଁକି?’ ‘ସେମାନେ ହେଲେ ମିଲିଟାରୀ ଲୋକ । ସେମାନଙ୍କୁ ପଚାରିବ କିଏ? ବରଂ ନିଜକୁ ଭାଗ୍ୟବାନ ବୋଲି ଭାବ ଯେ ସେମାନେ ତୁମକୁ ଏ ବଗି ଭିତରୁ ବାହାରକୁ ଧକ୍କା ଦେଇ ବାହାର କରି ଦେଇନାହାନ୍ତି ।
ମୋ ସାମ୍ନା ସିଟରେ ବସିଥିବା ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତି କହିଲେ । ଏତିକି କହି ସେ ହାତରେ ଧରିଥିବା ପିକଦାନୀରେ ଥୁ’ କରି ମେଞ୍ଚାଏ ଛେପ ପକେଇଲେ । ‘ସତ କଥା କହିଲେ ବାବା । ଇଏ ଫଉଜଗୁଡ଼ାକ ହେଲେ ଅଲଗା କିଷମର ଲୋକ । ସେମାନଙ୍କ ମନରେ ଦୟା ମାୟା ବୋଲି କିଛି ନାହିଁ ।’ ବୁର୍ଖା ପିନ୍ଧା ଜଣେ ଭଦ୍ରମହିଳା ଏଇ କଥାରେ ପାଳି ଧରି କହିଲେ ଓ ନିଜ ମୁହଁ ଉପରେ ପୁଣିଥରେ ପର୍ଦ୍ଦାଟିକୁ ଢାଙ୍କିନେଲେ ।
ଆମ ବଗିରେ ବସିଥିବା ବୟସ୍କ ଯାତ୍ରୀମାନେ ପରସ୍ପର ମଧ୍ୟରେ ଏମିତି କଥାବାର୍ତ୍ତା ହୋଇ ଚାଲିଥିଲୁ ଓ ନୂଆ ଯାତ୍ରୀମାନଙ୍କ ବିଷୟରେ ନାନା ପ୍ରକାର ମତ ମନ୍ତବ୍ୟ ଦେଇ ଚାଲିଥିଲୁ । କିନ୍ତୁ ସେମାନେ ଆମର ଏପରି କଥାବାର୍ତ୍ତା ପ୍ରତି ତିଳେହେଲେ ଧ୍ୟାନ ନଦେଇ ଚୁପ୍ଚାପ୍ ବସି ଯେଝା ଯେଝା ଲଗେଜକୁ ସଜାଡ଼ି ନେବାରେ ବ୍ୟସ୍ତ ଥାଆନ୍ତି । ଚଟାଣ ଉପରେ ଗୋଟିଏ ଗୋଟିଏ ବଡ଼ ଟ୍ରଙ୍କ୍ ଓ ତା’ଉପରେ ସେମାନଙ୍କର ଛୋଟ ଛୋଟ ଆସବାବପତ୍ର । ମଝିରେ ମଝିରେ ଜାକିଜୁକି ହୋଇ ନିଜ ନିଜର ବସିବା ଜାଗା ଖଣ୍ଡିଏ ଲେଖାଏଁ ମଧ୍ୟ ଯୋଗାଡ଼ କରି ଚାଲିଥାନ୍ତି । ସେମାନଙ୍କ ଦେହର ଝାଳ ସେମାନଙ୍କ ସାର୍ଟ-ପ୍ୟାଣ୍ଟ ଭିଜି ବାହାରକୁ ସ୍ପଷ୍ଟ ଦିଶୁଥାଏ । ଘାତକ ହାତରେ ଧରା ପଡ଼ିଥିବା କୁକୁଡ଼ାଟିଏ ଲେଖାଏଁ ପରି ଆମେ କେବଳ ଛାଟିପିଟି ହେଉଥିଲୁ ଯାହା । ଏତିକିବେଳେ ଜଣେ ମୋଟାସୋଟା ତାଗଡ଼ା ଶିଖ୍ ଯବାନ ଠିଆ ହୋଇପଡ଼ିଲେ । ତାଙ୍କ କାନ୍ଧରେ ତିନିଟା ପିତ୍ତଳ ତାରା ଚକମକ କରୁଥିଲା । ଚାରିଆଡ଼କୁ ଚାହିଁ ସେ ପଚାରିଲେ: ‘ସମସ୍ତେ ଆରାମରେ ବସି ପଡ଼ିଲ ତ?’
‘ହଁ, ସର୍ଦାରଜୀ ।’
‘ତା’ହେଲେ ଏବେ ଆରାମରେ ବିଶ୍ରାମ ନିଅ ।’ ଏତିକି କହି ସେ ନିଜ ପ୍ୟାଣ୍ଟର ବେଲ୍ଟକୁ ହୁଗାଳିନେଇ ବସିପଡ଼ିଲେ ଓ ମନକୁ ମନ କହିବାକୁ ଲାଗିଲେ, ‘ଯାହା ହେଉ, ଶେଷରେ ଯୁଦ୍ଧ ସରିଲା । ପାଞ୍ଚବର୍ଷ ପରେ ମଣିଷ ନିଜ ପରିବାରର ମୁହଁ ଦେଖିବାକୁ ଟିକେ ସୁଯୋଗ ପାଇଲା ।’ ସର୍ଦାରଜୀଙ୍କ ଦାଢ଼ି ସାଲୁବାଲୁ ମୁହଁରୁ ଏତିକି କଥା ସରିଛି କି ନାହିଁ, ତାଙ୍କ ଆଖିରେ ଲୁହ ଭରି ଆସିଲା । ଆଉ କିଛି ନ କହି ସେ ସ୍ଥିର ନିଶ୍ଚଳ ହୋଇ ବସିପଡ଼ିଲେ । ତାଙ୍କ ପାଖକୁ ଲାଗି ଆଉ ଜଣେ ଡେଙ୍ଗା ପଞ୍ଜାବୀ ଲୋକ ବସିଥିଲେ । ନିଜର ମୋଟା ନିଶକୁ ମୋଡ଼ି ସେ କହିଲେ, ‘ଆରେ ୟା’ର୍, କିଛି ପରବାୟ ନାହିଁ । ବାହେ ଗୁରୁଙ୍କ ଦୟାରୁ ତ ଆମେ ଜିନ୍ଦା ଫେରି ଆସିଛେ , ସେଇ ସବୁଠୁ ବଡ଼ କଥା । ସେଇ ବାହେ ଗୁରୁ ଚାହିଁଲେ ପୁଣି ସବୁ ଠିକ୍ ହୋଇଯିବ ।’
ନିଜ ବନ୍ଧୁଙ୍କ ଏପରି ସମବେଦନାରେ ସର୍ଦ୍ଦାରଜୀଙ୍କ ମନରେ କେତେ ମାତ୍ରାରେ ପ୍ରତ୍ୟୟ ସୃଷ୍ଟି ହୋଇଥିଲା, ସେକଥା କେବଳ ତାଙ୍କୁ ହିଁ ଜଣା । କିନ୍ତୁ ପର ମୁହୂର୍ତ୍ତରେ ସେ ପୁଣି ଥରେ ସଳଖି ହୋଇ ବସିପଡ଼ିଲେ ଓ ନିଜ ଲମ୍ବା ଦାଢ଼ି ଉପରେ ହାତ ସାଉଁଳେଇ ଆଣୁ ଆଣୁ କହିଉଠିଲେ, ‘ବାହେ ଗୁରୁ! ବାହେ ଗୁରୁ!’
ଠିକ୍ ଏତିକିବେଳେ ପଛପଟ ବେଞ୍ଚରେ ବସିଥିବା ଛୋଟ ପିଲାଟିର କୋମଳ ହାତ ଆସି ସର୍ଦାରଜୀଙ୍କ କାନ୍ଧ ଉପରେ ପଡ଼ିଲା । କେହି ଜଣେ ଏବେ ଖୁବ୍ କୋମଳ କଣ୍ଠରେ ଡାକୁଥିବାର ଶୁଭିଲା, ‘ଚାଚାଜୀ! ଚାଚାଜୀ!’ ଆମେ ସମସ୍ତେ ମୁହଁ ଘୂରେଇ ସେଇଆଡ଼େ ଚାହିଁଲୁ । ସୁନ୍ଦରିଆ ଛୁଆଟିଏ । ଏମିତି ଡାକି ଡାକି ସର୍ଦ୍ଦାରଜୀଙ୍କ କାନ୍ଧ ଉପରେ ହାତ ବାଡ଼େଇ ଚାଲିଥିଲା । ତା’ ଆଖି ଯୋଡ଼ିକ ବେଶ୍ ଚଳଚଞ୍ଚଳ ଲାଗୁଥିଲା । ସେଥିରେ ସେମିତି ଦୁଷ୍ଟାମୀ ଭରି ରହିଥିଲା । ତା’ ମୁଣ୍ଡର କହରା କେଶ ଲାଗୁଥିଲା ମେହେନ୍ଦୀ କରା ଦାଢ଼ି ଭଳି କିମ୍ବା ମକାଗଛର ଫୁଲ ପରି । ଆଉ ତା’ କୁନିକୁନି ହାତ ଯୋଡ଼ିକ ଦିଶୁଥିଲା ଠେକୁଆର ପାଦ ପରି ।
‘ଚାଚାଜୀ! ଅଙ୍କଲ୍!’
ସର୍ଦ୍ଦାରଜୀ ଏଥର ମୁହଁ ବୁଲେଇ ପିଲାଟି ଆଡ଼େ ଚାହିଁଲେ ଓ ନିଜ ହାତରେ ଶିଶୁଟିର ଦୁଇହାତକୁ ଧରି ତାକୁ କିଛି ସମୟ ଲାଗି ଚାହିଁଲେ । ପିଲାଟି ବେଶ୍ ସାହସର ସହ ଶିଖ୍ ସୈନିକଙ୍କୁ ଚାହିଁ ରହିଲା, ମୁହଁରେ ତା’ର ସେଇ ଦୁଷ୍ଟାମୀର ହସ । ପରସ୍ପର ମୁହଁକୁ ଉଭୟେ ଚାହିଁ ରହିଥାନ୍ତି । ଏତେ ବଡ଼ ଡେଙ୍ଗା ଚଉଡ଼ା ଲୋକ । ପୁଣି ସୈନିକ । ହେଲେ ଛାତି ଭିତରଟା କମ୍ପି ଉଠୁଚି, ତାହା ପୁଣି ଏମିତି ଏକ ଶିଶୁର କୋମଳ ସ୍ପର୍ଶରେ । ସତେ ଯେମିତି ତାଙ୍କ ହୃଦୟଟା ମିଳେଇ ଯାଉଛି! ତାଙ୍କ ତୁଣ୍ଡରୁ କିଛି ବାକ୍ୟ ସ୍ଫୁରୁନାହିଁ । ସର୍ଦାରଜୀଙ୍କ ବିଶାଳକାୟ ଶରୀରକୁ ଦେଖି ପ୍ରଥମେ ତା’ମନରେ ଯେଉଁ ସାମାନ୍ୟ ଭୟ ସୃଷ୍ଟି ହୋଇଥିଲା ତାହା ବି ଏବେ ଦୂର ହୋଇ ସାରିଥିଲା । ସେ ଫଉଜୀ ପୋଷାକ, ଦାଢ଼ି ନିଶ ସାଲୁବାଲୁ ମୁହଁ, କିଛି ହେଲେ ତା’ ମନରେ ଭୟ ସୃଷ୍ଟି କରୁ ନ ଥିଲା । ବରଂ ସେତେବେଳକୁ ସେ ସର୍ଦାରଜୀଙ୍କ ସେଇ ଲମ୍ବା ଦାଢ଼ି ଭିତରେ ଆଙ୍ଗୁଳି ପୂରେଇ ସେଥିରୁ ଗୋଟିଏ ଗୋଟିଏ ଟାଣି ଡାକ ପକେଇବାରେ ଲାଗିଥିଲା, ‘ମା’,ଦେଖ୍, ଦେଖ୍, ଗୋଟାଏ ସିଂହ!’ ପିଲାଟି ପାଖକୁ ଲାଗି ବସିଥିବା ତା’ର ମା’ ବୁର୍ଖା ତଳୁ ପୁଅକୁ ଆକଟ କଲାଭଳି କଣ୍ଠରେ କହିଉଠିଲେ, ‘ଅନୱାର! ତୁ କେଡ଼େ ବଦମାସ୍ । କେତେ ଖରାପ କଥା କହୁଛୁ !’ କିନ୍ତୁ ଲାଗୁଥିଲା ଯେମିତି ପିଲାଟିର ସବୁ ହସ ପରିହାସକୁ ସର୍ଦ୍ଦାରଜୀ ମନଭରି ଉପଭୋଗ କରୁଥିଲେ ।
ଅନୱାରର ଗାଲରେ ଆଙ୍ଗୁଠିଟିଏ ଥାପି ସେ ହସି ହସି କହିଲେ, ‘ତା’ହେଲେ ମୁଁ ତୋତେ ଗୋଟିଏ ସିଂହ ଭଳିଆ ଦେଖାଯାଉଛି ? ଆଚ୍ଛା, ତୁ ତେବେ କ’ଣ? ଠେକୁଆ ନା?’ ଆମେ ସମସ୍ତେ ଦୁହିଁଙ୍କ ଏପରି କଥାବାର୍ତ୍ତାକୁ ମନଭଳି ଉପଭୋଗ କରୁଥିଲୁ ।
ମୁଁ ଭାବୁଥିଲି – ଏ ମା’ଛୁଆ ଦୁହେଁକେଉଁଠୁ ଆସୁଛନ୍ତି? ଏ ମା’ଛୁଆ ଦିହେଁ ତ ଆହ୍ଲାବାଦ ଷ୍ଟେସନ ପୂର୍ବରୁ ଏ ବଗିରେ ନଥିଲେ । ତା’ହେଲେ ଏ ଭିଡ଼ ଭିତରେ ସେମାନେ ଏ ବଗି ଭିତରେ ପଶିଲେ କେମିତି?
ଆମେ ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲୁ । ସେହି ଠେଲାପେଲା ଭିତରେ ସମ୍ଭବତଃ ସେମାନେ କେମିତି ପ୍ରକାରେ ବଗି ଭିତରକୁ ପଶିଆସି ଥାଇପାରନ୍ତି । ସମସ୍ତ ଆଗ୍ରହର ସହ ପିଲାଟି ମୁହଁକୁ ଚାହିଁ ରହିଥାଉ । ପିଲାଟିର ମୁହଁ ଯେମିତି ଗୋଲଗାଲ, ଶରୀର ସେମିତି ଡଉଲଡ଼ାଉଲ । ଠିକ୍ କୌତୁକିଆ ଠେକୁଆଟିଏ ପରି । ସର୍ଦ୍ଦାରଜୀଙ୍କୁ ସେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଥାଏ ।
– ‘ଆମ ଟ୍ରେନ୍ କେତେବେଳେ ଚାଲିବ?’
– ‘ମୁଁ ଏଇ ସାଙ୍ଗେ ସାଙ୍ଗେ ଚଲଉଛି ।’
– ‘ତୁମେ ଏମିତିକିଆ ପୋଷାକ କାଇଁକି ପିନ୍ଧିଛ ?’
– ‘ଆମେ ହେଲୁ ଫୌଜୀ । ଆମକୁ ଏମିତିକିଆ ପୋଷାକ ପିନ୍ଧିବାକୁ ପଡ଼େ ।’
– ‘ଇଏ ବନ୍ଧୁକରେ ତୁମେ କ’ଣ କର?’
– ‘ଆମେ ବେଳେବେଳେ ଏଥିରେ ଲୋକମାନଙ୍କ ଉପରକୁ ଗୁଳି ଚଳାଉ- ଢୋ…’
– ‘କାହା ଉପରକୁ?’
– ‘ଲୋକମାନଙ୍କ ଉପରକୁ ।’
– ‘କାଇଁକି?’
– ‘କାରଣ, ସେମାନେ ଆମକୁ ଅସୁବିଧାରେ ପକାନ୍ତି ।’
ଅନୱାରର ଏ ପ୍ରଶ୍ନପେଡ଼ିରୁ ଅସରନ୍ତି ପ୍ରଶ୍ନ ବାହାରି ଚାଲିଥିବା ଦେଖି ତା’ର ମା’ ପୁଣି ଥରେ ତାକୁ ଆକଟ କରି କହିଲା, ‘ଅନୱାର, ତୁ ଏମିତି କେତେ ସମୟ ଧରି ବକବକ ହୋଇ ଚାଲୁଥିବୁ?’ ଶେଷରେ ଅଙ୍କଲ୍ କହିବେ, ତୁ ଗୋଟିଏ ଭାରି ଦୁଷ୍ଟ ପିଲା । ତାଙ୍କୁ ବହୁତ ହଇରାଣ କରୁଚୁ ।’ ଅନୱାର କିନ୍ତୁ ନଛୋଡ଼ବନ୍ଦା । ମା’ର ଗାଳି କି ଆକଟରେ ସେ ଯେ ତା’ର ଦୁଷ୍ଟାମୀ ଛାଡ଼ିବାକୁ ନାରାଜ ସେକଥା ତା’ର ହାବଭାବରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ତେଣୁ ସେ ସର୍ଦ୍ଦାରଜୀଙ୍କ କାନ୍ଧ ଉପରେ ସେମିତି ହାତ ଥାପି ମା’ ଆଡ଼କୁ ବୁଲି ଚାହିଁଲା ଓ କହିଲା, ‘ମୁଁ ଦୁଷ୍ଟାମୀ କଲେ ସର୍ଦ୍ଦାରଜୀ ମୋତେ ଗୁଳି ମାରିଦେବେ?’
ଏକଥା ଶୁଣିବା ମାତ୍ରେ ସର୍ଦ୍ଦାରଜୀ ହଠାତ୍ ଅନୱାରକୁ ନିଜର ଆହୁରି ପାଖକୁ ଟାଣିନେଲେ ଓ ତା’ର ଗାଲଟିକୁ ଆସ୍ତେ ଟିପିଦେଇ କହିଲେ, ‘ବୋକା, ଦେଖୁନ, କେମିତି ଗପୁଛି ।’ ତା’ପରେ ତା’ ସାଙ୍ଗରେ କଥାବାର୍ତ୍ତା କରିବା ଅଭିପ୍ରାୟରେ ନିଜ ମୁହଁଟିକୁ ଆଉ ଗୋଟିଏ ଦିଗକୁ ଘୂରେଇଆଣି କହିଲେ, ‘ଆଚ୍ଛା, ଏବେ ତୁ କହ, ତୋର କ’ଣ ଦରକାର?’
ଅନୱାର ସେମିତି ଖାମଖିଆଲ ଢଙ୍ଗରେ କହିଲା, ‘ମୋର ପାଣି ଦରକାର । ମୋତେ ଶୋଷ କରୁଛି ।’ ତା’ର ମା’ ତାକୁ ବୁଝେଇବା ଭଳି କହିଲେ, ‘ଅନୱାର, ତୁ ପରା ଜାଣିଛୁ , ଭିଡ଼ ଭିତରେ ବଗି ଭିତରକୁ ପଶିଲାବେଳେ ସବୁ ପାଣି ଢାଳି ହୋଇଯାଇଥିଲା । ତୁ କ’ଣ ଦେଖିନୁ? ପୁଣି ପାଣି ପାଇଁ ଅଳି କରୁଚୁ? ଆମେ ଲକ୍ଷ୍ନୌ ପହଞ୍ଚିଲା ପରେ ମୁଁ ତୋ ଲାଗି ପାଣି ନେଇଆସିବି… ତା’ ଆଗରୁ କେଉଁଠୁ ଆଣିବି କହିଲୁ?’
ଏକଥା ଶୁଣି ସର୍ଦ୍ଦାରଜୀ ହଠାତ୍ ଠିଆ ହୋଇପଡ଼ିଲେ ଓ କହିଲେ, ‘ଭଉଣୀ, ମୋତେ ସେ ଲୋଟାଟା ଦିଅନ୍ତୁ । ମୁଁ ଏଇ ସାଙ୍ଗେ ସାଙ୍ଗେ ପାଣି ଭରି ଆଣୁଚି ।’ ଏତିକି କହି ସେ ବୋତଲଟିକୁ ନେଇଗଲେ ଓ ଝର୍କାପଟେ ନିଜ ଶରୀରକୁ ଅଧା ପଦାକୁ ବାହାର କରିନେଲେ । ତାଙ୍କର ଜଣେ ସାଥୀ ତାଙ୍କୁ ବାରଣ କରି କହିଲେ, ‘ଆରେ ଉଧାମ ସିଂହ, ଟ୍ରେନ୍ ଛାଡ଼ିବାକୁ ବସିଲାଣି । ମୁଁ ତୋ ବୋତଲରୁ ଅଧେ ପାଣି ଦେଇଦେବି ।’ ‘ମୁଁ ଏଇ ସାଙ୍ଗେ ସାଙ୍ଗେ ନେଇ ଆସୁଛି …’ ଏତିକି କହି ଉଧାମ ସିଂହ ପ୍ଲାଟଫର୍ମ ଉପରକୁ ଡେଇଁ ପଡ଼ିଲା ଓ ପାଣି ଟ୍ୟାପ୍ ପାଖକୁ ଦୌଡ଼ିଗଲା । ଠିକ୍ ସେଇ ସମୟରେ ଟ୍ରେନଟା,ଗୋଟିଏ ଲମ୍ବା ହ୍ୱିସିଲ୍ ବଜେଇ ଆଗକୁ ଗଡ଼ିବାକୁ ଆରମ୍ଭ କଲା । ବଗିର ଝର୍କା ପାଖକୁ ଯାତ୍ରୀମାନେ ନଇଁପଡ଼ି ଉଧାମ ସିଂହ ଆଡ଼େ ଚାହିଁ ରହିଥାନ୍ତି । ତା’ର ସାଥୀମାନେ ଉଧାମ ସିଂହକୁ ଡାକ ଛାଡ଼ୁଥାନ୍ତି । ସେତେବେଳକୁ ଉଧାମ ସିଂହ ନିଜ ବଗି ଆଡ଼କୁ ଖୁବ୍ ଜୋରରେ ଧାଇଁଥାଏ । କିଏ କହୁଥାଏ ‘ଆରେ, ଆଗ ଷ୍ଟେସନରେ ଆସି ପହଞ୍ଚିବୁ’, ଆଉ କିଏ କହୁଥାଏ ‘ଉଧାମ, ଆହୁରି ଜଲ୍ଦି ଦୌଡ଼…’ । ଅନୱାର ଆବାକାବା ହୋଇ ଏସବୁ ଦୃଶ୍ୟ ଦେଖୁଥିଲା । ତାକୁ ସବୁକିଛି ଆଶ୍ଚର୍ଯ୍ୟ ଲାଗୁଥିଲା । ସେ ମନେମନେ ଭାବୁଥିଲା – ସେ କିଛି ଭୁଲ୍ କରି ପକାଇଲା କି? ଆଉ କ’ଣ ‘ଚାଚାଜୀ’ ଟ୍ରେନ୍ରୁ ଗଳିପଡ଼ିଲେ? ଏଇ ଆଶଙ୍କା ଓ ଦ୍ୱନ୍ଦ୍ୱ ଭିତରେ ତା’ ଆଖିର ସବୁ ଦୁଷ୍ଟାମୀ ସେତେବେଳକୁ ହଜି ଯାଇଥିଲା । ବାହାରର ଅସହ୍ୟ ଗରମ ଓ ତା’ ଗଳାର ଶୋଷ ତା’ ମୁହଁକୁ ଏକବାର ଲାଲ କରିପକାଇଥିଲା । ସେତେବେଳକୁ ଟ୍ରେନ୍ର ବେଗ ବଢ଼ି ସାରିଥିଲା । ‘ନା, ଆଉ ସିଏ ଟ୍ରେନ ଧରି ପାରିବନି’ ଏତିକି କହି ପଞ୍ଜାବୀ ମୁସଲମାନ ସୈନିକ ଜଣକ ତା’ ନିଜ ପାଣି ବୋତଲଟି ଅନୱାର ଆଡ଼କୁ ବଢ଼େଇଦେଲା । କିନ୍ତୁ ସେ ବୋତଲରୁ ଅନୱାର ଢୋକେ ପାଣି ପିଇଛି କି ନାହିଁ, ଏତିକିବେଳେ ବଗିର ଦୁଆରମୁହଁରୁ ଉଧାମ ସିଂହର ସ୍ୱର ଶୁଭିଲା, ‘ଅନୱାର, ଦେଖ୍, ମୁଁ ତୋ ଲାଗି ପାଣି ନେଇ ଆସିଛି ।’
ଅନୱାର କାନରେ ଯେମିତି ଉଧାମ ସିଂହର ଡାକ ପଡ଼ିଛି, ସେ ତା’ ମୁହଁରୁ ପାଣି ବୋତଲଟିକୁ କାଢ଼ିନେଇ ଦରଜା ଆଡ଼କୁ ଚାହିଁଲା ଓ ପର ମୁହୂର୍ତ୍ତରେ ଉଧାମ ସିଂହ ହାତରୁ ପାଣି ବୋତଲଟି ନେଇ ପିଇବାକୁ ଆରମ୍ଭ କଲା । ସର୍ଦ୍ଦାର ଉଧାମ ସିଂହ ତଥାପି ସେ ପାଣି ବୋତଲଟିକୁ ଗୋଟିଏ ହାତରେ ଧରିଥାଏ ଓ ଅନ୍ୟ ହାତକୁ ଅନୱାର ମୁଣ୍ଡରେ ସ୍ନେହରେ ସାଉଁଳେଇ ଆଣିଲା ।
ଏପରି ଦୃଶ୍ୟକୁ ମନେ ମନେ ତାରିଫ୍ କରି ପଞ୍ଜାବୀ ମୁସଲମାନ ସୈନିକ ଜଣକ ନିଜ ପାଣି ବୋତଲରେ ଠିପି ବନ୍ଦ୍ କରିଦେଲେ । ତାଙ୍କ ପାଖରେ ବସିଥିବା ଜଣେ ଜାଠ ସୈନିକ ଏସବୁ ଘଟଣା ଦେଖି ହସି ହସି କହିଉଠିଲେ, ‘ଆରେ ଦେଖ, ୟା’କୁ କହନ୍ତି ସ୍ନେହ,ବୁଝିଲ!’ ଗୋଲାପ ପାଖୁଡ଼ା ଉପରେ ଲାଗିଥିବା ଶିଶିର ବିନ୍ଦୁକୁ ପୋଛି ଆଣିଲା ପରି ସର୍ଦାରଜୀ ଏବେ ଅନୱାର ଓଠରୁ ପାଣି ପୋଛି ଦେଉଥିଲେ ଓ କହୁଥିଲେ, ‘ ମୋ ଲଛମନ ବି ଏବେ ଏତିକି ବଡ଼ ହୋଇଯିବଣି ।’ ଉଧାମ ସିଂହ ତୁଣ୍ଡରୁ ଏତିକି କଥା ବାହାରିଛି କି ନାହିଁ, ତା’ ଆଖି ଲୁହ ଛଳଛଳ ହୋଇଉଠିଲା ଓ ସେ ଆଉ କିଛି କହି ପାରିଲାନି ।
ଏଇ ଘଟଣାର ଦୁଇ କିମ୍ବା ଅଢ଼େଇ ବର୍ଷ ପରର ଆଉ ଏକ ଘଟଣା । ପ୍ରଥମ ସ୍ୱାଧୀନତା ଦିବସ । କରୋଲବାଗର ଜାମିଆ ମିଲିଆ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଲାଗି ଖୁବ୍ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ସାରା ସ୍କୁଲଟି ରଙ୍ଗୀନ ପତାକା ଓ ଦେବଦାରୁ ପତ୍ରରେ ସଜା ଯାଇଥିଲା । ପିଲାମାନଙ୍କ ମନର ଆନନ୍ଦ କହିଲେ ନସରେ । ମୁଁ କୋଠରିରୁ କୋଠରି ଘୂରି ବୁଲୁଥିଲି ଓ ସେସବୁ ନିରୀକ୍ଷଣ କରୁଥିଲି । ପିଲାମାନେ ସେମାନଙ୍କର କଷ୍ଟକରି କରି କାନ୍ଥରେ ଲଗାଇଥିବା ଫଟୋଗୁଡ଼ିକୁ ଦେଖୁଥିଲି । ଛବି ଓ ଖେଳନା ସବୁ ଟଙ୍ଗା ହୋଇଥିଲା । ପିଲାମାନେ ନିଜେ ରୋଷେଇଶାଳ ଦାୟିତ୍ୱରେ ଥିଲେ । ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ମୋତେ ଲାଗୁଥିଲା, ଏଇ ବିଦ୍ୟାଳୟରୁ ହିଁ ହିନ୍ଦୁସ୍ତାନର ନୂତନ ଓ ଯୁବପୀଢ଼ି ଜନ୍ମଲାଭ କରୁଛନ୍ତି । ଲାଗୁଥିଲା ଯେମିତି ଡକ୍ଟର ଜାକିର ହୁସେନ ଓ ତାଙ୍କ ସହଯୋଗୀମାନଙ୍କ ସ୍ୱପ୍ନରାଜ୍ୟର ନନ୍ଦନକାନନରେ ଏମାନେ ସବୁ ଗୋଟିଏ ଗୋଟିଏ ଚାରା – ବେଶ୍ ସତେଜ, ବେଶ୍ ପ୍ରଫୁଲ୍ଲ । ଏତିକିବେଳେ ଘଣ୍ଟା ବାଜିଲା ଓ ଯେଉଁ ଶିକ୍ଷକମାନେ ଆମକୁ ସ୍କୁଲ ବୁଲାଇ ଦେଖାଇବାକୁ ଆଣିଥିଲେ, ସେମାନେ ଆମକୁ ସୂଚନା ଦେଲେ ଯେ ଏବେ ପିଲାମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସେଠାକୁ ଯାଇ ସେମାନଙ୍କ ବେଶପୋଷାକ ପିନ୍ଧାର ରିହରସାଲ ଦେଖିପାରିବୁ ।
ପ୍ରଥମେ ଜାମିଆ ମିଲିଆର ପତାକା ସଙ୍ଗୀତ ଗାନ କରାଗଲା । ପରେ ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯେଉଁସବୁ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥାଏ ସେସବୁ ଆରମ୍ଭ ହେଲା । ଏସବୁ ସ୍ୱାଭାବିକ କାର୍ଯ୍ୟକ୍ରମକୁ ଦେଖିବା ଲାଗି ମୋ ମନରେ କୌଣସି ଆଗ୍ରହ ନଥିôଲା । ତେଣୁ ମୁଁ ସେଠାରୁ ଉଠିପଡ଼ିବାକୁ ଯାଉଛି, ଏତିକିବେଳେ ଇକବାଲଙ୍କର ସେଇ ଅମର ସଙ୍ଗୀତର ଝଙ୍କାର ମୋ କାନରେ ପଡ଼ିଲା – ‘ସାରେ ଜହାଁସେ ଅଚ୍ଛା…’ । ମୁଁ ପୁଣି ଥରେ ବସିବାକୁ ସ୍ଥିର କଲି । ଏ ପିଲାଟି କିଏ? ଏତେ ସ୍ପଷ୍ଟ ଓ ଶୁଦ୍ଧ ଭାଷାରେ ଗୀତଟିକୁ ଗାଉଛି? ଦେଖିବାକୁ ଯେମିତି ହୃଷ୍ଟପୁଷ୍ଟ ସେମିତି ତୋଫା ଗୋରା ଚେହେରା । ଆଖି ଯୋଡ଼ିକ କିନ୍ତୁ ନିଷ୍ପ୍ରଭ । ପିଲାଟି ଏବେ ତଲ୍ଲୀନ ହୋଇ ଗାଇ ଚାଲିଥିଲା –
‘ହମ୍ ବୁଲବୁଲ୍ ହେଁ÷ ଉସ୍କୀ, ୱହ୍ ଗୁଲିସ୍ତାଁ ହମାରା ।’
‘ଆମେସବୁ ହେଲୁ ତା’ର ବୁଲବୁଲ ଓ ସେ ହେଲା ଆମର ପ୍ରମୋଦ ଉଦ୍ୟାନ ।’ ବୁଲବୁଲ? ଆଉ ଏ ଶୁଖିଲା ମୁହଁ? ଦିଓଟି ଶୁଷ୍କ ଆଖି? ମୋ ସ୍ମୃତିରେ ମୁଁ ଅତୀତର ପୃଷ୍ଠାରୁ ସେଇ ଦୃଶ୍ୟଟିକୁ ଖୋଜି ବୁଲିଲି । ମଞ୍ଚ ଉପରେ ଶିଶୁଟି ସେମିତି ଗାଉଥିଲା –
‘ଏଇ ଆବ୍ରୁ ଦେ ଗଙ୍ଗା, ୱହ୍ ଦିନ ହୈ ୟାଦ୍ ତୁଝ୍କୋ, ଉତରା ତେରେ କିନାରେ ଜବ୍ କରବନ ହମାରା!’
‘ତୁମେ ଗଙ୍ଗା, ଯିଏ ସଦାବେଳେ ପ୍ରାଣ ସଞ୍ଚାରକାରୀ ଜଳଦାନ କର, ତୁମର କ’ଣ ସେ ଦିନର କଥା ମନେନାହିଁ…? ହଁ, କେମିତି ଅବା ତାକୁ ମୁଁ ଭୁଲିପାରିବି? ତାକୁ କେଉଁଠି ଦେଖିଛି? କେଉଁଠି? ‘ହିନ୍ଦୀ ହୈ ହମ୍, ବତନ୍ ହୈ ହିନ୍ଦୁସ୍ତାଁ ହମାରା…!’
ଏଇ କେଇଟି ଶବ୍ଦ ସହିତ ସେ ଯେତେବେଳେ ତା’ର ସଙ୍ଗୀତ ଗାନ ଶେଷ କଲା ଓ ଶ୍ରେତୃମଣ୍ଡଳୀଙ୍କ କରତାଳିରେ ଚତୁର୍ଦ୍ଦିଗ କମ୍ପିଉଠିଲା, ମୁଁ ଆଉ ନିଜକୁ ନୀରବ ରଖିନପାରି ମୋ ସାଥିରେ ଥିବା ଶିକ୍ଷକଙ୍କୁ ପଚାରିଲି, ‘ସେ ପିଲାଟି କିଏ?’
:‘ସେ ପିଲାଟି? ଅନୱାର ହୁସେନ । ଆମ ସ୍କୁଲର ସବୁଠୁ ଭଲ ପଢ଼ୁଥିବା ପିଲାଙ୍କ ଭିତରୁ ସିଏ ଜଣେ ।’
:‘ସେ କ’ଣ ଲକ୍ଷ୍ନୌର?’
:‘ଲକ୍ଷ୍ନୌର? ଆପଣ ତାକୁ ଚିହ୍ନିଲେ କେମିତି?’
ସାମାନ୍ୟ ହସି ମୁଁ କହିଲି, ‘ନା, ପ୍ରକୃତରେ ମୁଁ ତାକୁ ଚିହ୍ନିନି ।’
ଅନୱାର! ହଁ, ଏବେ ତାକୁ ଚିହ୍ନିପାରିଲି । ମୋର ସବୁକଥା ମନେ ପଡ଼ିଗଲା । ସ୍କୁଲର ଆୟୋଜକମାନଙ୍କଠାରୁ ବିଦାୟ ନେଇ ମୁଁ ଯେତେବେଳେ ବାହାରକୁ ଆସିଲି, ମୋ ମନ ଆନନ୍ଦରେ ଭରିଉଠିଲା । ଏକ ଦୁର୍ମୂଲ୍ୟ ମଣିକୁ ହଠାତ୍ ହାତ ପାଆନ୍ତାରେ ପାଇଲେ ଯେମିତି ଲାଗେ ଓ ତାହା ଯଦି ଅନେକ ଦିନର ଆଶା ଆକାଂକ୍ଷା ପରେ ମିଳିଥାଏ, ମନ ଯେମିତି ଚଞ୍ଚଳ ହୋଇଉଠେ, ମୋତେ ଏବେ ଠିକ୍ ସେମିତି ଲାଗୁଥିଲା । ମୋ ମନ ହଠାତ୍ ଆକାଶରେ ଉଡ଼ୁଥିବା ପକ୍ଷୀଟିଏ ପରି ଉଡ଼ି ବୁଲିବାକୁ ଲାଗିଲା ।
ସେଇ ଅସହ୍ୟ ଗ୍ରୀଷ୍ମ, ଖରାବେଳ, ଯାତ୍ରୀରେ ଭରପୂର ସେଇ ବଗି, ଦୀର୍ଘ ଦିନପରେ ଘରକୁ ଫେରୁଥିବା ଫଉଜ, ସେମାନଙ୍କ ଗଳାର ଶୋଷ, ଅନୱାର, ତା’ର ମା’, ଆଉ ସେଇ ଶିଖ୍ ସୈନିକର ଆଖି, ସ୍ନେହ ଓ ବାତ୍ସଲ୍ୟ ପ୍ରେମରେ ଛଳଛଳ – ଗୋଟିଏ ମୁହୂର୍ତ୍ତ ଲାଗି ମୋତେ ଲାଗିଲା ମୁଁ ଯେମିତି ପୁଣି ଥରେ ସେଇ ପରିସ୍ଥିତିରେ, ସେଇ ଟ୍ରେନରେ ବସି ଯାତ୍ରା କରୁଛି!
କରୋଲବାଗଠାରୁ ବସ୍ଟିଏ ବରଖମ୍ବା ଅଭିମୁଖେ ଯାତ୍ରା କରୁଥିଲା । ଡ୍ରାଇଭର ହର୍ଣ୍ଣ ବଜେଇ ମୋତେ ତା’ ବାଟରୁ ହଟିଯିବା ଲାଗି ସାବଧାନ କରୁଥିଲା । ହେଲେ ମୁଁ ସେ ହର୍ଣ୍ଣ ଶୁଣିପାରୁ ନ ଥିଲି । ଶେଷରେ ଡ୍ରାଇଭର ବ୍ରେକ୍ କଷିଲା ଓ ବସଟା କେଁ ଶବ୍ଦ କରି ଅଟକିଲା । ପୂରାପୂରି ମୋ ଦେହକୁ ଲାଗି । ରାସ୍ତାର କୋଣମୁଣ୍ଡର ଶିଖ୍ ଦୋକାନୀଟି ମୋ ଆଡ଼କୁ ଚାହିଁ ଚିତ୍କାର କରି ଦୌଡ଼ିଆସିଲା, ‘ଆରେ, ବାବୁଜୀ! ବାବୁଜୀ!’ ମୁଁ ହଠାତ୍ ଭାବି ପାରୁ ନ ଥିଲି ଯେ କେଡ଼େ ବଡ଼ ବିପଦରୁ ବର୍ତ୍ତି ଯାଇଛି! ଡ୍ରାଇଭର ତା’ ସିଟ୍ ଉପରେ ବସି ମୋ ଆଡ଼କୁ କ୍ରୋଧ ଓ ଘୃଣାମିଶା ଦୃଷ୍ଟିରେ ଚାହିଁ ରହିଥିଲା । ଶେଷରେ ମୋର ବେଶପୋଷାକ ଦେଖି ସେ ପୁଣି ଥରେ ଗାଡ଼ି ଆଗକୁ ଗଡ଼ାଇବାକୁ ଆରମ୍ଭ କଲା । କିନ୍ତୁ ଯିବା ଆଗରୁ ଗୁଣୁଗୁଣୁ ସ୍ୱରରେ ମୋ ଉଦ୍ଦେଶ୍ୟରେ କିଛି ସ୍ୱଗତୋକ୍ତି କରିଗଲା । ସେଇ ବିଶାଳକାୟ ଶିଖ୍ ଲୋକଟି ମୋ ଖୁଆକୁ ଜୋରରେ ଭିଡ଼ିଧରି ବିରକ୍ତ ହେଲାଭଳି ପଚାରିଲା, ‘କ’ଣ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି କରି ଘରୁ ବାହାରିଚ?’ ମୁଁ ତାଙ୍କ ଆଡ଼କୁ ମୁରୁକିହସା ଦେଇ କହିଲି, ‘ନା’ ।
‘ହେଲେ ବାବୁଜୀ, ଅଳ୍ପକେ ବର୍ତ୍ତିଗଲ । କି ଚିନ୍ତାରେ ଡୁବି ରହିଥିଲ କି?’
ମୁଁ ତାଙ୍କ ପ୍ରଶ୍ନର କିଛି ଉତ୍ତର ଦେବାକୁ ଆଦୌ ଚେଷ୍ଟା କଲିନାହିଁ । ବରଂ, ହଠାତ୍ ତାଙ୍କୁ ପଚାରି ବସିଲି, ‘ଉଧାମ ସିଂହ, ଆରେ ତୁମେ ଏଠାରେ କେମିତି?’ ମୁଁ ତାଙ୍କ ନାଁ ଧରି ଡାକିବା ଦେଖି ସେ ମଧ୍ୟ ଆବାକାବା ହୋଇ ମୋ ମୁହଁକୁ ଚାହିଁରହିଲେ ।
‘ଉଁ, ସାର୍! ଆପଣ କେମିତି ଏଠାରେ ପହଞ୍ଚିଲେ ଲେ, ପ୍ରଥମେ କୁହନ୍ତୁ । ମୁଁ କେଡ଼େ ବୋକା ସତରେ! ଆପଣଙ୍କୁ ଦେଖି ବି ଚିହ୍ନି ପାରିଲିନି!’ ନିଜର ବୋକାମୀ ଲାଗି ନିଜକୁ ଧିକ୍କାର କରି ସେ ସେମିତି କହିଚାଲିଲା, ‘ଆସନ୍ତୁ, ବାବୁଜୀ, ଆସନ୍ତୁ । ଆପଣଙ୍କୁ ଚିହ୍ନିପାରି ନ ଥିବାରୁ ମୋତେ କ୍ଷମା ଦେବେ । ମୋ ଦୋକାନରେ ଦଣ୍ଡେ ବସିପଡ଼ନ୍ତୁ ।’ ଏତିକି କହି ସେ ମୋତେ ତା’ ଦୋକାନକୁ ଡାକିଲା । ଦୋକାନରେ ପଡ଼ିଥିବା ବେଞ୍ଚ୍ଟିକୁ ପୋଛି ପକାଇ ଉଧାମ ସିଂହ ମୋତେ କହିଲା, ‘ବସନ୍ତୁ ବାବୁଜୀ ।’
ମୁଁ ବସି ପଡ଼ୁପଡ଼ୁ କହିଲି, ‘ଏବେ ତୁମ ଲଛମନ ସ୍କୁଲରେ ପଢ଼ିବଣି, ନୁହେଁ? କେଉଁଠି ଅଛି ସିଏ?’
ଉଧାମ ସିଂହର ମନର ବିସ୍ମୟ ଆହୁରି ବଢ଼ିଗଲା । ଏ ଅଚିହ୍ନା ବାଟୋଇ ଜଣକ ତାକୁ ଏତେ ଆପଣାର ପ୍ରଶ୍ନ ପଚାରି ପାରୁଛନ୍ତି କିପରି ବୋଲି ଭାବି ସେ ମନେମନେ ଆବାକାବା ହୋଇ ଉଠୁଥିଲା । କାରଣ,ତା’ର କିଛି ହେଲେ ମନେ ପଡ଼ୁନଥିଲା । ତେଣୁ ତା’ର ସବୁ ଚିନ୍ତା ଗୋଳମାଳ ଧରି ଯାଉଥିଲା । ଶେଷର ସେ ପଚାରିଲା, ‘ଆଚ୍ଛା, ସେ ଅନୱାରକୁ ଚିହ୍ନିଛ ? ସେ ଏବେ ଜାମିଆରେ ସ୍କୁଲରେ ପଢ଼ୁଥିବ, ନୁହେଁ?’
ଉଧାମ ସିଂହ କେବଳ ଉପରଠାଉରିଆ ଭାବେ ‘ହଁ’, ‘ନା’ରେ ଉତ୍ତର ଦେଇ ଚାଲିଥିଲା । ମୁଁ କିନ୍ତୁ ତା’ ଆଖିକୁ ଲକ୍ଷ୍ୟ କରୁଥିଲି । ତା’ ଆଖିରେ ସ୍ନେହର ଲେଶମାତ୍ର ଚିହ୍ନବର୍ଣ୍ଣ ଦେଖିପାରୁ ନ ଥିଲି । ମୁଁ ମନେ ମନେ ଭାବୁଥିଲି, ଏ ଫଉଜୀ ଲୋକଗୁଡ଼ାକ କ’ଣ ଆମ ଦୁଃଖର ନଦୀ ଭଳି? କେତେବେଳେ କୂଳ ଖାଉଥିବେ ତ ଆଉ କେତେବେଳେ କେବଳ ବାଲିଗରଡ଼ା ଭଳି ଗଡ଼ି ଚାଲିଥିବେ? ତା’ ମନରେ ସ୍ନେହର ସେ ବସନ୍ତ ପବନ ରହିବ କି ତାକୁ ପୁଣି ଉଖାରି ବାହାର କରିବାକୁ ପଡ଼ିବ ସେକଥା ମୁଁ ଠଉରାଇ ପାରୁ ନ ଥିଲି । ତେଣୁ ପୁଣି ଥରେ ମୁଁ କହିଲି, ‘ଆଃ, ଭାରି ଗୁଲୁଗୁଲିଆ ପିଲାଟା, ନୁହେଁ?’
ମୋ ଆଡ଼କୁ ଚା’କପ୍ଟିକୁ ବଢ଼େଇ ଦେଉ ଦେଉ ଉଧାମ ସିଂହ କେମିତି ପରିହାସ ଛଳରେ କହିଲା, ‘ହଁ, ସେଥିରେ ଆଉ ସନ୍ଦେହ ଅଛି? ପିଲାଟା ସୁନା ମୁଣ୍ଡାଟିଏ । ହେଲେ ସାପ ଭଳି ଭୟଙ୍କର ବି ।’
ଓଠକୁ ନେଉଥିବା ଚା’ କପ୍ଟି ଫେରାଇ ଆଣୁ ଆଣୁ ମୁଁ କହିଲି, ‘ତା’ମାନେ?’
‘ବାବୁଜୀ, ସିଏ ହେଲା ମୁସଲମାନ ପିଲା । ଏକଥା ଭୁଲିଯାଅନା ।’
ଉଧାମ ସିଂହର ମୁହଁରେ ଏକ କୂଟୀଳ ହସ ମୁଁ ଲକ୍ଷ୍ୟ କଲି । ମୁଁ ଅନୁମାନ କଲି ସତେ ଯେମିତି ଏକ ଧାରୁଆ ଛୁରୀ ତା’
ଆଖି ଆଗରେ ନାଚିଉଠୁଛି ।
ସ୍ୱାଧୀନତା ଦିବସର ଉତ୍ସାହ ଲୋକମାନଙ୍କ ମନରେ ଅଧିକ ଦିନ ରହି ନ ଥିଲା । କେମିତି ଅବା ରହନ୍ତା? ଫଳ ବଗିଚାରେ ବଉଳ ଭର୍ତ୍ତି ହୋଇଯାଏ । ହେଲେ ରାତିରେ କେତେବେଳେ ତୁଷାର ବର୍ଷା ଆସି ସବୁକିଛି ଧ୍ୱଂସ କରିଦେଇଯାଏ । ଏବେ ପରିସ୍ଥିତି ଠିକ୍ ସେଇଆ ପାଲଟିଥିଲା । ସତେ ଯେପରି ସ୍ୱାଧୀନତାର ସଙ୍ଗୀତ ଗାନ କରାଯିବା ସହିତ ତମ୍ବୁ ସାମିଆନାର ଛାତରେ ନିଆଁ ଲାଗିଯାଇଥିଲା । ଅମୃତସର, ଲାହୋର, ସିଆଲକୋଟ, ଏଭଳିଗୋଟିକ ପରେ ଗୋଟିଏ ସହର, ବଜାର, ଜନବସତି ଜଳି ଚାଲିଥିଲା । ଆଉ ଏ ଦାବାଗ୍ନି ବେଳକୁ ବେଳ ଚତୁର୍ଦ୍ଦିଗକୁ ବ୍ୟାପିବାରେ ଲାଗିଥିଲା । ସଂହାରକର୍ତ୍ତା ରୁଦ୍ରଙ୍କ ପାଦ ଆଜି ଏଠାରେ ପଡ଼ିଲାଣି ତ କାଲି ଆଉ କେଉଁଠି । ତାଙ୍କର ସେଇ ପ୍ରଳୟ ଡମ୍ବରୁର ଶବ୍ଦ ଗଗନପବନ ପ୍ରକମ୍ପିତ କରୁଥିଲା । ଆକାଶକୁ ଥରାଇ ଦେଉଥିଲା । ରୁଦ୍ରଙ୍କ ସେଇ ବିକଟାଳ ହସ ଆସି ଆମ ସମସ୍ତଙ୍କ କାନରେ ପଡ଼ୁଥିଲା । ଆମକୁ ଚିନ୍ତାରହିତ, ବିବେକଶୂନ୍ୟ କରି ପକାଉଥିଲା । ମଣିଷ ମନରୁ ମାନବିକତା ଲୋପ ପାଇଯାଉଥିଲା ଏବଂ ତା’ ପରିବର୍ତ୍ତେ ତା’ ମନରେ ହିଂସ୍ର ସ୍ୱଭାବ, ଆଦିମ ପ୍ରବୃତ୍ତି ଜାଗି ଉଠୁଥିଲା । ସତେ ଯେପରି ତା’ର ଚାହାଣିରେ ଗୃଧ୍ର ଭଳି ଲୋଭ, ହାତରେ ଶାର୍ଦ୍ଦୁଳର ପଞ୍ଝା, ମୁଣ୍ଡରେ ବରାହର ହିଂସ୍ର ଶିଙ୍ଘ ସୃଷ୍ଟି ହୋଇ ସାରିଥିଲା । ତା’ହେଲେ ଆଜି ପର୍ଯ୍ୟନ୍ତ ଏ ମଣିଷ ଜାତି କ’ଣ ଶିକ୍ଷାଲାଭ କରିଥିଲା?
କ’ଣ ପାଇଁ ସେ ନିଜକୁ ମଣିଷ ବୋଲି ଗର୍ବ କରୁଥିଲା? ତା’ ପ୍ରେମିକାର ପ୍ରେମ? ନା ତାଡ଼ ମା’ ଆଖିର ଲୁହ? ତା’ର କେଉଁଟି ଅଧିକ ପ୍ରିୟ, ଅଧିକ ଆପଣାର? ଆଉ ନିରୀହ, ନିଷ୍ପାପ ଶିଶୁର ହସ? – ଏସବୁକୁ ଅତି ନିଷ୍ଠୁର ଭାବେ ଦଳିଚକଟି ଖିଭିନ୍ନ କରି ଚାଲିଥିଲା ସେ । ସେମାନଙ୍କ ବ୍ୟାକୁଳ ମିନତି, ଆକୁଳ କ୍ରନ୍ଦନ, ନିବେଦନ, କିଛି ହେଲେ ତା’ କାନରେ ପଡ଼ୁ ନଥିଲା । ନିଜର ପ୍ରତିବେଶୀ, ନିଜର ଭାଇକୁ ହାଣି, ମାରି ଆମେ ଜଣେ ଜଣେ ମଣିଷରୂପୀ ପିଶାଚ ପାଲଟି ସାରିଥିଲୁ । ସେମାନଙ୍କ ପ୍ରତି ପାଶବିକ ଅତ୍ୟାଚାର କରି ଆମେ ଆନନ୍ଦରେ ନୃତ୍ୟ କରୁଥିଲୁ । ବିଶ୍ୱ ସମ୍ମୁଖରେ ନିଜକୁ ବୀର, ସାହସୀ ବୋଲି ଦାବି କରୁଥିଲୁ ।
ସେପର୍ଯ୍ୟନ୍ତ ସୁଦ୍ଧା ଦିଲ୍ଲୀରେ ଏପରି ସାମ୍ପ୍ରଦାୟିକ ବହ୍ନି ଲାଗି ନ ଥିଲା । କିନ୍ତୁ ପଞ୍ଜାବରୁ ତୁହାକୁ ତୁହା ଆସି ପହଞ୍ଚୁଥିବା ଦଙ୍ଗା ଖବରରେ ସେପରି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ସେ ତାତି ଯେ କେତେବେଳେ ହୁତୁହୁତୁ ହୋଇ ଜଳି ଉଠିବ ସେକଥା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିବାକୁ ଲାଗିଥିଲା । ଚାରିଆଡ଼େ ଶରଣାର୍ଥୀଙ୍କ କ୍ରନ୍ଦନ ଓ ଯନ୍ତ୍ରଣା । ହିନ୍ଦୁ ଓ ଶିଖ୍ ଲୋକମାନଙ୍କ ମନରେ ଧୀରେ ଧୀରେ ପ୍ରତିଶୋଧର ବହ୍ନି କୁହୁଳିବାକୁ ଆରମ୍ଭ କଲା । ଆଉ ମୁସଲମାନମାନଙ୍କ ମନରେ ଭୟ ଓ ଆଶଙ୍କା । ତା’ପରେ ଖବର ମିଳିବାକୁ ଲାଗିଲା – ଆଜି ଫିରୋଜ ଶାହ ରୋଡରେ ନିଆଁ ଲାଗିଲାଣି ତ ପରଦିନ ସବ୍ଜି ମଣ୍ଡିରେ କିଏ କାହାକୁ ଛୁରୀ ଭୁସି ଦେଲାଣି । ତା’ପର ଦିନ ପୁରୁଣାକିଲ୍ଲା ଇଲାକାରେ ମୁସଲମାନ ଲୋକଙ୍କ ଘର ଉପରକୁ ଟେକାପଥର ଫିଙ୍ଗା ହେଲାଣି । ଏପରି ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିଲା । ଦଙ୍ଗା ଲାଗିବାର ଏହା ଥିଲା ଅୟମାରମ୍ଭ ମାତ୍ର । ଏକ ପ୍ରଳୟଙ୍କରୀ ଝଡ଼ର ପ୍ରାକ୍ ସୂଚନା । ଧୀରେ ଧୀରେ ସେ ଝଡ଼ ପ୍ରଳୟ ପରି ଜମାଟ ବାନ୍ଧିବାରେ ଲାଗିଲା । ଶେଷରେ ଯେତେବେଳେ ପଶ୍ଚିମ ପଞ୍ଜାବରୁ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଓ ଶିଖ୍ ଶରଣାର୍ଥୀ ସୋନିପତ୍-ପାନିପତ୍ ଦେଇ ଆସି ଦିଲ୍ଲୀରେ ପହଞ୍ôଚଲେ ସତେ ଯେପରି ସମସ୍ତଙ୍କ ହୃଦୟରେ ଏତେ ଦିନ ଧରି କୁହୁଳୁଥିବା ନିଆଁ ହୁତ୍ହୁତ୍ ହୋଇ ଜଳିବାକୁ ଆରମ୍ଭ କଲା । ଆଉ ସେ ଅଗ୍ନି ଚତୁର୍ଦ୍ଦିଗକୁ ବ୍ୟାପିବାରେ ଲାଗିଲା । ଶରଣାର୍ଥୀମାନଙ୍କ ତୁଣ୍ଡରୁ ବାହାରୁଥିବା ପ୍ରତିଟି ଶବ୍ଦ ସେ ନିଆଁକୁ ଆହୁରି ଭୟଙ୍କର ଓ ସର୍ବଗ୍ରାସୀ କରିପକାଇଲା । ସ୍ଥାନୀୟ ଅଧିବାସୀମାନେ ପ୍ରତିଶୋଧର ନିଆଁରେ ଆଉଟୁପାଉଟୁ ହୋଇ ଉଠିଲେ ।
ଶରଣାର୍ଥୀଙ୍କ ଆଖିରୁ ଝରୁଥିବା ପ୍ରତିଟି ଲୁହ ଠୋପା ପ୍ରତିହିଂସାର ମାତ୍ରାକୁ ଆହୁରି ଉତ୍କଟ କରିଦେଲା । ସମସ୍ତଙ୍କ ତୁଣ୍ଡରେ ଏବେ ଗୋଟିଏ ସ୍ୱର ଶୁଣିବାକୁ ମିଳୁଥିଲା – ‘ପ୍ରତିଶୋଧ! ପ୍ରତିଶୋଧ! ନ୍ୟାୟ!’
ସହରର ପ୍ରତି ଛକମୁଣ୍ଡରେ ଲୋକମାନେ ରୁଣ୍ଡ ହେବାକୁ ଆରମ୍ଭ କଲେ । ପରସ୍ପର ମଧ୍ୟରେ ସେମାନେ ମନ୍ତ୍ରଣା କରିବାକୁ ଲାଗିଲେ । ଗୁପ୍ତ ଯୋଜନା ପ୍ରସ୍ତୁତ କଲେ ଓ କିଛି ସମୟ ପରେ ସମସ୍ତେ ପୁଣି କୁଆଡ଼େ ଅଦୃଶ୍ୟ ହୋଇ ଯାଉଥିଲେ । ଦେଖିଲେ ଲାଗୁଥିଲା, ଯେପରି ଦିଲ୍ଲୀ ସହରର ସେ ଲୋକମାନଙ୍କୁ ପୂର୍ବରୁ କେହି କେବେ ଦେଖି ନ ଥିଲେ । ଏପରିକି ପରିଚିତ ମୁହଁମାନେ ବି ଏବେ ଅଜଣା ଲାଗୁଥିଲେ । କାରଣ, ସେମାନଙ୍କ ମୁହଁରୁ ସେ ପରିଚିତ ଭାବ, ସ୍ୱାଭାବିକ ମୁଦ୍ରା କୁଆଡ଼େ ହଜିଯାଇଥିଲା । ସମସ୍ତେ ହିଂସ୍ର ପାଲଟି ସାରିଥିଲେ । ନିଜକୁ ଅଧିକ ସାହସୀ ମନେ କରୁଥିଲେ । ରାସ୍ତାଘାଟରେ କିନ୍ତୁ ମହିଳା ଓ ପିଲାମାନଙ୍କ ଆତଯାତ ବୃଦ୍ଧି ପାଇଥିବା ମୁଁ ଲକ୍ଷ୍ୟ କରୁଥିଲି । ସେମାନେ ବୁଲାବିକାଳୀ ନ ଥିଲେ । ଥରେ ପଞ୍ଝାଏ ଲୋକଙ୍କୁ ରାସ୍ତାରେ ରୁଣ୍ଡ ହୋଇଥିବାର ମୁଁ ଲକ୍ଷ୍ୟ କଲି । ସେତିକିବେଳେ ହଠାତ୍ ଉଧାମ ସିଂହଙ୍କ ଉପରେ ମୋର ନଜର ପଡ଼ିଲା । ତାଙ୍କ ଦୋକାନ ଆଡ଼େ ମୁଁ ଚାହିିଁଲି । ତାଙ୍କର କାଳେ କିଛି ଅଘଟଣ ଘଟିଛି, ସେଇ କଥା ବୁଝିବା ଲାଗି ମୁଁ ତାଙ୍କ ଦୋକାନକୁ ଗଲି । ଲକ୍ଷ୍ୟ କଲି, ଉଧାମ ସିଂହ ଦୋକାନ ଭିତରେ ପଥର ମୂର୍ତ୍ତିଟିଏ ଭଳି ବସି ରହିଛନ୍ତି ଓ ତାଙ୍କୁ ଘେରି ଅନ୍ୟମାନେ ଠିଆ ହୋଇଛନ୍ତି । କାହାରି ମୁହଁରେ କିଛି ହେଲେ ଭାଷା ନାହିଁ । କିନ୍ତୁ, ସମସ୍ତଙ୍କ ମନରେ ଯେ ଏକ ପ୍ରତିଶୋଧର ନିଆଁ ଜଳୁଥିଲା ସେକଥା ମୁଁ ଭଲଭାବେ ଅନୁମାନ କରିପାରୁଥିଲି । ହଠାତ୍, ମୋ କାନରେ କେଉଁ ନିଭୃତ କୋଣରେ ପ୍ରତିଶୋଧର ସେଇ ଅଜଣା ନିଆଁ ଉଙ୍କି ମାରିବାକୁ ଲାଗିଲା । ଆଖିରେ ଏକ ବିଚିତ୍ର ପାଗଳାମୀ ଦେଖାଦେଲା । ମୁଁ ନିଜେ ବୁଝିପାରୁ ନ ଥିଲି, ମୋଠାରେ କାହିଁକି ଏ ପ୍ରକାର ପରିବର୍ତ୍ତନ ଘଟିଚାଲିଛି । ଆଗକୁ ପାଦ ବଢ଼ାଇ ମୁଁ ଧୀରେ ଡାକିଲି, ‘ସର୍ଦ୍ଦାରଜୀ… ଉଧାମ ସିଂହ!’ ହାତ ମୁଠାକୁ ଛଡ଼ାଇ ସେ ମୋ ଆଡ଼କୁ ଚାହିଁଲେ । ମୁଁ ପଚାରିଲି, ‘କ’ଣ ହୋଇଛି?’
କେମିତି ଏକ ଶୁଖିଲା ହସ ହସି କହିଲା, ‘କ’ଣ ଘଟିବ? ସେଇ ଏକା କଥା, ଯାହା ରାୱଲପିଣ୍ଡିରେ ଘଟୁଛି, ସିଆଲକୋଟରେ
ଘଟୁଛି, ମୁଲତାନରେ ଘଟୁଛି, ସାରା ପଞ୍ଜାବରେ ଘଟୁଛି – ସେଇଆ ହିଁ ଘଟିଛି ।’
‘ତା’ମାନେ?’
‘ବାବୁଜୀ, ମୋର ସବୁ ଲୁଟ୍ ହୋଇଯାଇଛି । ମୁଁ ସର୍ବସ୍ୱାନ୍ତ ହୋଇଯାଇଛି!’
ଏତିକି କହି ଉଧାମ ସିଂହ ଉଠି ଠିଆହେଲେ । ତା’ର ଲୁହାପରି ଶକ୍ତ ହାତକୁ ମୋ କାନ୍ଧରେ ଥାପି କହିଲା, ‘କିଛି ଚିନ୍ତା କରିବାର ନାହିଁ ।’ ଏଥର ଯେପରି କୌଣସି ଜଣକୁ ନୁହେଁ, ତାଙ୍କ ଚାରିକଡ଼େ ଘେରି ଠିଆ ହୋଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଓ ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ ରୁଣ୍ଡ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ଦେଶ୍ୟରେ ସେ କହୁଥିଲା – ‘ଆସନ୍ତାକାଲି ହିଁ ଦିଲ୍ଲୀ ସହରରେ ନ୍ୟାୟ ଦିବସ ପାଳନ କରାଯିବ । ଦୋଷୀ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରାଯିବ । ସବୁ ସାପଙ୍କୁ ବିନାଶ କରାଯିବ ।’ ଆଉ ତା’ପର ଦିନ ସକାଳୁ ଦିଲ୍ଲୀ ସହରରେ ସେଇ ନ୍ୟାୟ ଦିବସ ଆରମ୍ଭ ହୋଇଗଲା । ସହରର ଗଳିକନ୍ଦିରେ ଥିବା ମୁସଲମାନ ଲୋକମାନେ ସେମାନଙ୍କ ପିଲାକବିଲାଙ୍କୁ ଧରି ଯିଏ ଯୁଆଡ଼େ ପାରିଲେ ପ୍ରାଣ ବଞ୍ଚାଇବାକୁ ପଳାଇବାରେ ଲାଗିଲେ । ହାଣକାଟ, ପୋଡ଼ାଜଳା, ଲୁଟତରାଜ, ଅତ୍ୟାଚାର ସବୁକିଛି ଏକାକାର ହୋଇଗଲା । ଦିନ ଦି’ପହରେ, ବିଚ୍ ସଡ଼କ ଉପରେ, ସମସ୍ତଙ୍କ ଆଖି ଆଗରେ ଏପରି ଅଘଟଣ ଘଟି ଚାଲିଲା । କେଉଁଠି ଘରସବୁ ହୁତ୍ହୁତ୍ ହୋଇ ଜଳୁଥିଲା ତ ଆଉ କେଉଁଠି ବୋମା ଫୁଟି ସେସବୁ ଭୁଶୁଡ଼ି ପଡ଼ିଥିଲା । ଚାରିଆଡ଼େ ପ୍ରତିହିଂସା ଓ ପ୍ରତିଶୋଧର ଏକ ବିଚିତ୍ର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ମୁଣ୍ଡ ଉପର ଆକାଶ ଧୂଆଁରେ କଳା ପଡ଼ି ସାରିଥିଲା । ଲାଗୁଥିଲା, ମେଷପାଳକର ଅନୁପସ୍ଥିତିରେ ସତେକି ହିଂସ୍ର ଗଧିଆମାନେ ନିରୀହ ମେଣ୍ଢାମାନୁ ମାରି ପଦା କରି ପକାଉଥିଲେ! ସାରା ସହରରେ ଅରାଜକତା ବିରାଜମାନ କରୁଥିଲା । ଆଉ ମୁଁ ସେତେବେଳେ କେଉଁଠି ଥିଲି? ମୋ ମନକୁ କି ପ୍ରକାର ଚିନ୍ତା ଆସୁଥିଲା?
ମୁଁ କ’ଣ ଏପରି କାଣ୍ଡକୁ ନାପସନ୍ଦ କରୁଥିଲି? ସତ କହିଲେ ନା । ମୁଁ ନାପସନ୍ଦ କରୁ ନ ଥିଲି । ମୁଁ ନିଜେ ମୁସଲମାନ ଝିଅ-ବୋହୂଙ୍କୁ ଜୋର ଜବରଦସ୍ତ ମୋ ଘରକୁ ଉଠେଇ ଆଣି ନ ଥିଲି – ଏକଥା ଅବଶ୍ୟ ସତ । ହେଲେ କାହିଁକି? ତା’ର ଏକମାତ୍ର କାରଣ ହେଲା ମୁଁ ଖୁବ୍ ଦୁର୍ବଳମନା ଥିଲି । କିନ୍ତୁ ଅନ୍ୟମାନେ ଏପରି ନାରକୀୟ କାଣ୍ଡ ଘଟାଇ ଚାଳିଥିବାବେଳେ ମୁଁ ସବୁ ଦେଖି ମନେମନେ ଏକ ପୈଶାଚିକ ଆନନ୍ଦ ପାଉଥିଲି । ସେଇଥିଲାଗି ତ ମୁଁ ରାସ୍ତା ଉପରେ ଘୂରି ବୁଲୁଥିଲି । ମଞ୍ଚରେ ଅଭିନୀତ ନାଟକ ଦେଖିବାକୁ ଆଗ ଧାଡ଼ିରେ ଆଗ୍ରହର ସହ ବସିଥିବା ଦର୍ଶକଟିଏ ପରି ମୁଁ ପ୍ରତି ଗଳିକନ୍ଦିରେ ଘଟି ଚାଲିଥିବା ଏପରି ନାରକୀୟ କାଣ୍ଡସବୁକୁ ମନଭରି ଉପଭୋଗ କରୁଥିଲି । ହିଂସ୍ର ବ୍ୟାଘ୍ରଟିଏ ତା’ର ଶିକାର ଉପରକୁ ଲମ୍ଫ ପ୍ରଦାନ କରି ତାକୁ ନିଜ ତୀକ୍ଷ୍ଣ ଦାନ୍ତରେ ଖିନ୍ଭିନ୍ କରିପକାଇଲା ବେଳେ ଏ ଦୃଶ୍ୟ ଦେଖିବାକୁ କିଏ ଅବା ଭଲ ନ ପାଏ? ଏ ଦୃଶ୍ୟ ଦେଖିଲେ ତା’ ଧମନୀରେ ଉଷ୍ମ ରକ୍ତ ପ୍ରବାହିତ ହେବା ସ୍ୱାଭାବିକ । ସେଦିନ ଅପରାହ୍ଣରେ ବି ମୁଁ ସେଇଭଳି ଏକ ଦର୍ଶକ ପାଲଟି ଯାଇଥିଲି । ହିଂସ୍ର ଆକ୍ରମଣକାରୀଙ୍କ ସହ ମିଶି ଏକାକାର ହୋଇଯାଇଥିଲି । ସେମାନେ ବୁହାଉଥିବା ରକ୍ତରେ ମୁଁ ମୋର ହାତକୁ ସତେକି ଧୋଇ ଦେଇଥିଲି ଓ ନିଜ ମନର ଦମ୍ଭ ଓ ସାହସକୁ ପରଖିଥିଲି । ସେମାନେ କେବଳ ରକ୍ତପାତ କରି ନ ଥିଲେ, ଯୁବତୀ,ଝିଅବୋହୂଙ୍କ ପ୍ରତି ଅଭାବନୀୟ ଅତ୍ୟାଚାର ମଧ୍ୟ କରିଥିଲେ । ଆଖି ସାମ୍ନାରେ ସେମାନଙ୍କ ଅନାବୃତ୍ତ ଶରୀର ମୋ ଦେହ ସଙ୍ଗେ ଜଡି଼ସଡ଼ି ଯାଉଛି! ଦୁର୍ବୃତ୍ତମାନଙ୍କ ପ୍ରତିଟି କାଣ୍ଡରେ ମୋ କଳ୍ପନାରେ ସେମାନଙ୍କ ସଙ୍ଗେ ସାମିଲ ହୋଇଥିଲି ।
ଦୈହିକ ଭାବେ ଏପରି କାଣ୍ଡରେ ସେମାନଙ୍କ ସହ ମିଶି ନ ଥିଲି ସତ, କିନ୍ତୁ ମାନସିକ ସ୍ତରରେ ମୁଁ ସେମାନଙ୍କ ସହ ଏକାକାର ହୋଇ ଯାଇଥିଲି ।
ସେଦିନ ଖରାବେଳେ ସମୟ ପ୍ରାୟ ଦୁଇଟା ସରିକି ହେବ । ହଠାତ୍ ମୋ କାନରେ ବାହରର ହୋହଲ୍ଲା ପଡ଼ିଲା । ଜାମିଆ ମିଲିଆ ଆଡ଼େ କିଛି ଗଣ୍ଡଗୋଳ ଲାଗିଥିବା ପରି ଅନୁମାନ କଲି । କାହିଁକି କେଜାଣି ମନ ଭିତରେ ମୁଁ ଏକ ବିଚିତ୍ର ଉନ୍ମାଦନା ଅନୁଭବ କଲି ଓ ସେଇ ଆଡ଼କୁ ବାହାରି ପଡ଼ିଲି । ଜାମିଆ ମିଲିଆ ଆଡ଼କୁ ଚାହିଁଲା ବେଳକୁ ମୋ ଆଖିରେ ପଡ଼ିଲା ପ୍ରାଇମେରୀ ସ୍କୁଲଘରୁ କଳା ଧୂଆଁ ଆକାଶକୁ ଉଠୁଥିଲା । ଧୂଆଁ ସାଙ୍ଗରେ ମିଶି ଛୋଟ ଛୋଟ ଦରପୋଡ଼ା କାଗଜ, ଶୁଖିଲା ପତ୍ରସବୁ ଆକାଶରେ ଉଡୁଥିଲା । ଆତଙ୍କିତ କୁଆ ଓ କପୋତସବୁ ପ୍ରାଣ ବିକଳରେ ଉଡ଼ିଯାଇ ପାଖ କୋଠାଘର ଛାତ ଉପରେ ଧାଡ଼ିବାନ୍ଧି ବସିଥିଲେ । ଗଣ୍ଡଗୋଳକାରୀଙ୍କ ସମବେତ ଚିତ୍କାର କେମିତି ଏକ ଭୟଙ୍କର ପରିବେଶ ସୃଷ୍ଟି କରୁଥିଲା । ମୁଁ ଯେଉଁଠି ଠିଆ ହୋଇଥିଲି ସେଠାରେ ଏକା ସାଙ୍ଗରେ ଦୁଇ ତିନିଶହ ମୁସଲମାନ ଲୋକ ଯା’ଆସ କରୁଥିଲେ । ସେମାନଙ୍କ ଭିତରେ ମହିଳା ଓ ଶିଶୁମାନେ ବି ଥିଲେ । ଯା’ଆସ ବୋଲି କୁହାଯିବନାହିଁ । ବରଂ ସେମାନଙ୍କ ମନର ଭୟ କେବଳ ସେମାନଙ୍କୁ ଆଗକୁ ଟାଣିଟାଣି ନେଲାପରି ଲାଗୁଥିଲା । ସେମାନଙ୍କୁ ଘେରି ରହିଥିବା ଲୋକମାନେ ସେମାନଙ୍କୁ ଘୃଣା ଚକ୍ଷୁରେ ଚାହୁଁଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ବେଶ୍ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ । ସେମାନଙ୍କର ଏପରି ଦୟନୀୟ ଅବସ୍ଥା ଦେଖି ହସି ହସି କୁରୁଳି ଉଠୁଥିଲେ । କିନ୍ତୁ ଗଣ୍ଡଗୋଳକାରୀମାନେ ଏପର୍ଯ୍ୟନ୍ତ ସୁଦ୍ଧା ଅଣୟାୟତ୍ତ ଅବସ୍ଥାକୁ ଆସି ନ ଥିଲେ । ପ୍ରାଣ ବିକଳରେ ପଳାୟନ କରୁଥିବା ଲୋକମାନଙ୍କୁ ଅଟକାଇ ସେମାନଙ୍କୁ ମାରଧର କରିବା କିମ୍ବା ଛୁରୀ ଭୁଷିବା ଅବା ଲୁଟପାଟ କରିବା ଭଳି କାଣ୍ଡ ଭିଆଇ ନ ଥିଲେ । କିନ୍ତୁ ସେଦିନ ଉଧାମ ସିଂହର ଦୋକାନ ପାଖରେ ଆସି ପଞ୍ଝାଏ ଗଣ୍ଡଗୋଳକାରୀ ପହଞ୍ଚିଯିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଯେପରି ମଣିଷ ମନରେ ଥିବା ଶେଷ ଦୟାମାୟା ଟିକକ କୁଆଡ଼େ ନିଃଶେଷ ହୋଇଯାଇଥିଲା । କେଉଁଆଡ଼ୁ କେଜାଣି ହଠାତ୍ ପ୍ରାୟ ପଚାଶଜଣ ସରିକି ଲୋକ ଆସି ପହଞ୍ଚି ଯାଇଥିଲେ । ସମସ୍ତଙ୍କ ହାତରେ ଛୁରୀ, ଟାଙ୍ଗିଆ ଅବା ସେଇଭଳି କିଛି ମାରଣାସ୍ତ୍ର । ଆଖି ପିଛୁଡ଼ାକେ ସେମାନେ ଦୋକାନ ଉପରେ ଚଢ଼ାଉ ଆରମ୍ଭ କରିଦେଲେ । ଏପରି ଆକ୍ରମଣରୁ ରକ୍ଷା ପାଇବା ଲାଗି ପୁରୁଷ ଲୋକମାନେ ପ୍ରାଣ ବିକଳରେ ଏତେତେଣେ ଦୌଡ଼ିବାକୁ ଲାଗିଲେ । ମହିଳାମାନେ ନିଜ ନିଜ କୋଳରେ ପିଲାଛୁଆମାନଙ୍କୁ ଜାକିଧରି କାକୁସ୍ଥ ହୋଇ ବସି ରହିଥିଲେ । ମାତ୍ର କେଇଟା ମୁହୂର୍ତ୍ତ ଭିତରେ ପିଚୁରାସ୍ତା ଉପରେ ରକ୍ତର ସୁଅ ଛୁଟିଲା । ଠିକ୍ ଭଙ୍ଗା ସୁରେଇରୁ ପାଣି ବୋହିଯିବା ପରି । ଆଖି ଆଗରେ ଜଣକ ପରେ ଜଣେ ଟଳି ପଡ଼ୁଥାନ୍ତି । ମାତ୍ର କେତୋଟି ମୁହୂର୍ତ୍ତ ଲାଗି ହାତଗୋଡ଼ ଛାଟି
ଯନ୍ତ୍ରଣାରେ ଛଟପଟ ହେବା ପରେ ସବୁକିଛି ସ୍ଥିର ନିଶ୍ଚଳ ହୋଇଯାଉଥିଲା ।
ଠିକ୍ ସେତିକିବେଳେ କାହାର ଆର୍ତ୍ତ ଚିତ୍କାର ମୋ କାନରେ ପଡ଼ିଲା । ହିଂସ୍ର ଜନ୍ତୁଟି କବଳରେ ପଡ଼ି ପ୍ରାଣ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରୁଥିବା କ୍ଷୁଦ୍ର ପକ୍ଷୀଟି ପରି । ମୁଁ କ’ଣ ଦେଖୁଥିଲି? ଉଧାମ ସିଂହ ତା’ର ଳୁହା ଭଳି ଶକ୍ତ ହାତମୁଠାରେ ଗୋଟିଏ ଶିଶୁର ମୁଣ୍ଡକୁ ଭିଡ଼ି ଧରିଥିଲା ଓ ଆର ହାତରେ ଶାଣିତ କୃପାଣ । ସେତେବେଳକୁ ରକ୍ତ ଜୁଡ଼ୁବୁଡ଼ୁ କୃପାଣଟି ଆସି ପିଲାଟିର ଛାତିକୁ ସ୍ପର୍ଶ କରି ସାରିଥିଲା । ଶିଶୁଟି ଆଖିରୁ ତା’ ସବୁ ଜ୍ୟୋତି ହଜିଯିବା ପରି ଲାଗୁଥିଲା । ତା’ର ପ୍ରାଣହୀନ ଶରୀର କେମିତି ନିଷ୍ପ୍ରଭ ଲାଗୁଥିଲା । ତା’ ଶୁଖିଲା ଓଠ ବୀଭତ୍ସ ଲାଗୁଥିଲା । ହୁଏତ ମୃତ୍ୟୁ ପୂର୍ବରୁ ସେ କିଛି କହିବାକୁ ଚାହୁଁଥିଲା, କିନ୍ତୁ ତା’ ତୁଣ୍ଡରୁ ଶବ୍ଦଟିଏ ସୁଦ୍ଧା ବାହାରି ନ ଥିଲା… ହଁ, ମୁଁ ସେ ଶିଶୁଟିକୁ ଚିହ୍ନିପାରିଲି । ସିଏ ଅନୱାର । ସଦ୍ୟ ପ୍ରସ୍ଫୁଟିତ ଫୁଲଟିଏ ପରି ବଢ଼ୁଥିବା ଅନୱାର । ସେ ତ ମେଷ ଶାବକଟିଏ ପରି ନିଷ୍ପାପ ଥିଲା! ବୁଲବୁଲଟିଏ ପରି ଚାରିଆଡ଼େ ହସିଖେଳି ବୁଲୁଥିଲା । ନା, ଅନୱାର କଦାପି ମରି ନ ପାରେ! ମୁଁ ମୋର ସମସ୍ତ ଶକ୍ତି ସଞ୍ଚୟ କରି ଚିତ୍କାର କରିଉଠିଲି, ‘ଉଧାମ ସିଂହ, କୃପାଣ ହଟେଇ ନିଅ । ଆରେ, ସିଏ ପରା ଅନୱାର, ତୁମକୁ କ’ଣ ଦିଶୁନି? ତୁମେ କ’ଣ ଚିହ୍ନିପାରୁନ?’ କିନ୍ତୁ ମୋ ତୁଣ୍ଡରୁ ଏଇ କେଇପଦ କଥା ସରିବା ପୂର୍ବରୁ ଉଧାମ ସିଂହର ଶାଣିତ କୃପାଣ ଅନୱାରର କୋମଳ ଛାତିକୁ ଭେଦ କରି ସାରିଥିଲା । ଦିନେ ଉଧାମ ସିଂହ ଅନୱାର ମୁଣ୍ଡର ରେଶମ ପରି ନରମ ବାଳକୁ ସାଉଁଳାଇଥିଲା । ତୃଷାର୍ତ୍ତ ଅନୱାରକୁ ନିଜ ହାତରେ ପାଣି ପିଆଇଥିଲା । ଦିଲ୍ଲୀର ରାଜରାସ୍ତା ଉପରେ ଆଜି ସେଇ ଅନୱାର, ସେଇ ନିଷ୍ପାପ ବୁଲବୁଲଟି ନିଷ୍ପ୍ରାଣ ହୋଇ ପଡ଼ିଥିଲା । ତା’ର ଛାତି ଭିତରୁ କିଛି ତାଜା ରକ୍ତ ବହି କଳାକଳା ପିଚୁ ରାସ୍ତାକୁ ଲାଲ କରିଦେଇଥିଲା । ତା’ ଓଠର ଔଜଲ୍ୟ ଫେରିଆସିଥିଲା । ପୁଣି ଥରେ ଅସ୍ତସୂର୍ଯ୍ୟଙ୍କ ସୁନେଲୀ କିରଣରେ ତା’ର ଗାଲ ଚକମକ କରି ଉଠୁଥିଲା । ତା’ ମୁଣ୍ଡର କେଶ ବି ଚକମକ କରୁଥିଲା ।
ମୋତେ ଲାଗୁଥିଲା, ଉଧାମ ସିଂହ ଯଦି ପୁଣି ଥରେ ଅନୱାର ପାଖକୁ ଯାଏ, ତା’ହେଲେ ଅନୱାର ତା’ର କୁନିକୁନି ହାତ ବଢ଼ାଇ ଉଧାମ ସିଂହର ବାହୁକୁ ଜାବୁଡ଼ି ଧରି ସ୍ନେହବୋଳା କଣ୍ଠରେ ଡାକି ଉଠିବ – ‘ଚାଚାଜୀ…!’
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.