ମୂଳ ରଚନା : ଲୁଇସ ଗ୍ଲୁକ
ଅନୁବାଦ: ଆସୀମା ସାହୁ
ସୁଖ-ସ୍ମୃତିକୁ
ଝୁରିହେବାର
ଯନ୍ତ୍ରଣା ଠାରୁ ବଳି ଦୁଃଖ ,
ଆଉ କିଛି ନାହିଁ
ସେ ନାରୀକୁ ପଚାର,ସେ କିଛି ପସ୍ତଉଛି କି
ମୁଁ ଦିନେ କାହାର ବାଗଦତ୍ତା ଥିଲି
କିନ୍ତୁ ଆଜି ରହୁଛି ଅନ୍ୟ ଜଣକ ସାଥିରେ
ସେକଥା ତୁମେ ଭୁଲିଯାଅ ଯେତେବେଳେ
ତୁମକୁ ମୁଁ ଛୁଇଁଦିଏ
ସେ ନାରୀକୁ ପଚାର ତା’ ପୁରୁଷ ତା’କୁ ଛୁଏଁ
କେମିତି ?
ତାଙ୍କ ଆଙ୍ଗୁଳି ମୋତେ ସ୍ପର୍ଶ କରିବା ପୂର୍ବରୁ
ତାଙ୍କ’ ଚାହାଣୀ ମୋତେ ଛୁଇଁଦିଏ
ସେ ନାରୀକୁ ପଚାର ତା’ ପୁରୁଷ ତା’କୁ ଛୁଏଁ
କେମିତି
ମୁଁ କିଛି କାମନା କରେ ନାହିଁ, ମୋତେ ତ
ସବୁକିଛି ଆପଣାଛାଏଁ ମିଳିଯଏ
ସେ ନାରୀକୁ ପଚାର ସେ କ’ଣ ସବୁ ମନେ
ପକାଏ
ଆମେ ନର୍କ ଭିତରକୁ ଘୋସରା ହେଉଥିଲୁ
ମୁଁ ଭାବୁଥିଲି ବଞ୍ଚି ରହିବାର ଦାୟିତ୍ୱ ଛଡା
ଅଧିକ କିଛି ଦାୟିତ୍ବ ନଥିଲା
ମୁଁ କମ୍ ବୟସର ତରୁଣୀଟିଏ ଥିଲି ,
କ୍ଵଚିତ ମୋତେ ଆକ୍ଷେପ କରାଯାଉଥିଲା ;
ତା’ପରେ ସମାଜରୁ ବାସନ୍ଦ।
ଗୋଟିଏ ଦିନରେ ମୋ ଭିତରେ କ’ଣ
ଏତେ ସବୁ ପରିବର୍ତ୍ତନ ଆସିଗଲା ?
ଯଦି , ମୁଁ ବଦଳି ଯାଇ ନଥିଲି,ନହୁଲି
କିଶୋରୀର ଭୂମିକାରେ ମୋ ଅଭିନୟ
କଣ ଭୁଲଭାଲ୍ ହୋଇ ଯାଉଥିଲା ?
ସେ ନାରୀକୁ ପଚାର ସେ କ’ଣ ସବୁ ମନେ
ପକାଏ
ମୁଁ କିଛି ବି ଦେଖି ନଥିଲି।କେବଳ ଅନୁଭବ
କରୁଥିଲି ମୁଁ ଥରଥର ଥରୁଛି ।
ସେ ନାରୀକୁ ପଚାର ଜଳିବା କ’ଣ କଷ୍ଟ
ଦିଏ ?
ମୋର ମନେ ଅଛି ଆମେ ଏକାଠି ଥିଲୁ
ଏବଂ ଧିରେଧିରେ ମୁଁ ବୁଝିଗଲି ଯେ ଯଦିଓ
ତିଳେ ମାତ୍ର ହଲଚଲ୍ ହେଉ ନଥିଲୁ ତଥାପି
ଆମେ ଏକାସଙ୍ଗେ ତ ନଥିଲୁ ,
ଥିଲୁ ଅଲଗା ଅଲଗା
ସେ ନାରୀକୁ ପଚାର ଜଳିବା କ’ଣ କଷ୍ଟ ଦିଏ
ତୁମେ ତୁମ ସ୍ଵାମୀଙ୍କ ସହ ଚିରଦିନ
ରହିବାକୁ ଚାହଁ ସେଇ ନିଆଁରେ ଯାହା
ପୃଥିବୀ ଠାରୁ ମଧ୍ୟ ଦୀର୍ଘସ୍ଥାୟୀ
ମୋତେ ଲାଗେ ଏ ପ୍ରାର୍ଥନା ମଞ୍ଜୁର ହୋଇ
ଯାଇଛି,ଆମେ ଯେଉଁଠି ଉଭୟ ଅଗ୍ନି ଓ
ଚିରନ୍ତନ।
ତୁମେ ତୁମ ଜୀବନ ପାଇଁ ପସ୍ତଉଛ କି
ଏମିତି ବି ତୁମେ ମୋତେ ଛୁଇଁବା ପୂର୍ବରୁ
ମୁଁ, ତୁମର ହୋଇସାରିଥିଲି ;
ଏତକ ଜାଣିବା ପାଇଁ କେବଳ
ତୁମେ ମୋତେ ଥରେ ଚାହିଁ ଦେଇଥାନ୍ତ ସିନା !
( ଆମେରିକାର କବୟିତ୍ରୀ ଲୁଇସ ଗ୍ଲୁକ୍ ୨୦୨୦ ବର୍ଷର ସାହିତ୍ୟ ପାଇଁ ସମ୍ମାନଜନକ ନୋବେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ ଛଅ ଦଶନ୍ଧିର କାବ୍ୟ ସାଧନା ତାଙ୍କୁ ଦେଇଛି ଅନେକ ଖ୍ୟାତି ଓ ଆନ୍ତର୍ଜାତିକ ସମ୍ମାନ। )
Comments are closed.