ଦିଲୀପ କୁମାର ପଣ୍ଡା
ତୁମେ ପଚାରୁ ଥିଲ ନା
ଆଉ ପାଞ୍ଚ କି ଦଶ ବର୍ଷ
ଅଧିକ ବଞ୍ଚିଲେ
କି ନିହାଲ କରିଦେବ ବୋଲି !
ପ୍ରକୃତରେ ଆମେ
ବଞ୍ଚିବାର ବୟସ ବଞ୍ଚିବା ବେଳେ
କ’ଣ ଟା ନିହାଲ କରିଥାଉ ଯେ ,
ଗୋଟେ ପରେ ଗୋଟେ
କାମନାର ପୂରଣ ବ୍ୟତୀତ
ଆଉ କିଛି କରିବାର ନ ଥାଏ ବୋଲି
କେବଳ ବଞ୍ଚି ଚାଲି ଥାଉ ।
ନାଲି ନେଳି କାଚ – କାଞ୍ଚନ ଘେରା
ଜାଦୁଘରର ଚାରି କାନ୍ଥ ଭିତରେ ।
କେବେ ଆମେ ଜାଣିବାକୁ ଚେଷ୍ଟା କରୁ କି ରାମୁ ରିକ୍ସାବାଲା ବା
ମାଟି ପଥର ସଙ୍ଗେ ଏକ ହୋଇ
ଜୀବନକୁ କଞ୍ଚାରୁ ପାକଳ କରୁଥିବା ଉଜାଗର କେମିତି ଜୀବନ ବଞ୍ଚେ?
ଅଣ୍ଟା ନଇଁ ଯାଇଥିବା ହୀରା ବୁଢୀ
ଦିନ ରେ ଗୋଟେ ଓଳି
ଭାତ ମୁଠେ ଖାଏ କି ନ ଖାଏ ?
ନା, ଆମେ ଖାଲି ଆମ ପାଇଁ ବଞ୍ଚିବା ଜାଣିଛୁ
ଇଛା ସବୁର ଜାଗ୍ରତ ପ୍ରହରୀ ସାଜି
ମନର ନିଷିଦ୍ଧ ଇଲାକାରେ
ମସ୍ତିରେ ବିଚରଣ କରୁ ।
ଗୋଟେ ପରେ ଗୋଟେ ଇଚ୍ଛାକୁ
ଗର୍ଭସ୍ଥ କରି ତୃପ୍ତ ହେଉ
କାମନାର ଦୁର୍ବାର ବର୍ଷାରେ ଭିଜି ଭିଜି ଓଦା ସରସର ହୋଇ
ରୋମାଞ୍ଚରେ ନାଚୁ ,
ଜୀବନର ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ।
ତଥାପି ଆମର ଫୁଟାଣି କଣ କମ !
କଥା କଥାରେ
ଲେଖା ଲେଖିରେ
ଭାଷଣ ବାଜିରେ
ଆମେ ମେଞ୍ଚା ମେଞ୍ଚା ବିପ୍ଳବ କରୁ।
ରମୁ, ଉଜାଗର, ହୀରା ମାନଙ୍କର
ରକ୍ଷାକର୍ତ୍ତା ସାଜି
ଛାତିରେ ହାତ ପିଟି
ସମାଜରେ ନିଜର ବାନା ଉଡ଼େଇ
ସାମ୍ୟବାଦ ସମାଜବାଦର
ଓଜନ ଦାର ଆୱାଜରେ
ପୁଞ୍ଜିବାଦର କବର ଖୋଲୁ
“ଆମର୍ ଜୟ ହେଉ” ର
ସ୍ଲୋଗାନ ଦେଇ
ନିଜେ ନିଜକୁ ଅମର କରୁ ।
Comments are closed.