ପ୍ରସେନଜିତ୍ ସେଠୀ
ସେ କେବେ ହସିଥିଲା, ଜଣା ନାହିଁ
ବାସ୍, ହସି ଦେଇଥିଲା
ନଜାଣି ତା ହସିବାର କାରଣଟା ।
ଅସହାୟତାର ଅସହନୀୟ ବୋଝକୁ
ମୁଣ୍ଡରେ ଲଦି
ସେ ତାର ପସରା ମେଲାଇ ଦେଇଥିଲା
ଏକ ଅଦ୍ଭୁତ ଅଟ୍ଟହାସ୍ୟ ସାଥେ ।
ତା ପାଖରେ ଯାହା ଥିଲା
ଖାଲି ତାକୁ ହିଁ ଜଣା
ହେଲେ ଅଭାବୀ ହେବାର ସେ କେବେ
ଅଭିଯୋଗ କରି ନଥିଲା ।
ସେ ବଞ୍ଚିବାକୁ ଚେଷ୍ଟା କରିଥିଲା
“ଢୋକେ ପିଇ ଦଣ୍ଡେ ଜୀଇଁ”ର
ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ।
ସେଦିନ ତାକୁ ଦେଖି
ମୁଁ ଆଚମ୍ବିତ ହେଲି
ତା ମୁଖରେ ଏକ ଅହେତୁକ
ଉଜ୍ଜ୍ବଳ କାନ୍ତି ଓ ଅଜଣା ପୁଲକ ଥିଲା
ସେ ହସି ଚାଲିଥିଲା ।
ସାମ୍ନାରେ କେତେ ଜଣ ଭଦ୍ରବ୍ୟକ୍ତି
ଲାଭ କ୍ଷତିର ହିସାବ କରୁଥିଲେ
ଅଚଳାଚଳ ସମ୍ପତ୍ତି ଥାଇ ବି
ସେମାନେ ଚିନ୍ତିତ ଥିଲେ
ମାତ୍ର; ସେ ସେମିତି ହସି ଚାଲିଥିଲା ।
Comments are closed.