Latest Odisha News

BREAKING NEWS

ଗପ: ସେଲଫି

ଶ୍ୱେତପଦ୍ମା ପାଢ଼ୀ

ପ୍ରଚଣ୍ଡ ରାଗରେ ପ୍ରଣତିର ମୁଣ୍ଡ କ’ଣ ହେଇ ଯାଉ ଥାଏ।ମନ ଭିତରଟା କେମିତି ଗୋଳେଇ ଘାଣ୍ଟି ହେଇ ପଡୁଥାଏ।ଆଗ ତ ଭାବି ଥିଲା ପୋଲିସ୍ କୁ ଫୋନ୍ ଲଗେଇବା ବୋଲି ହେଲେ ନେତ କାକୁତି ମିନତି କଲାରୁ ସେ ଚୂପ୍ ପଡ଼ିଲା। ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯୋଉ ଲୋକକୁ ସେ ଗୋଟେ ପୁରୁଷୋତ୍ତମ ଦେବ ତୁଲ୍ୟ ଭାବୁଥିଲା ତା’ର ଅସଲ ଚେହେରା ଏମିତି ହେଇଥିବ ବୋଲି।

ସତ କଥା ଜାଣିଲେ ଝରଣା ଅବସ୍ଥା କ’ଣ ହେବ ଭାବି ଭାବି ବ୍ୟସ୍ତ ହେଉଥିଲା। ନେତ କ’ଣ ସତ କହୁଥିଲା ଏଇ ଥର ନୁହେଁ ଆଗରୁ ଏମିତି କେତେ ଥର ଲୋକଟା ତା ସାଙ୍ଗରେ ଏଭଳି ଅଭଦ୍ର ବ୍ୟବହାର କରିଛି। ଆଶ୍ଚର୍ଯ୍ୟର କଥା ଝରଣା ସ୍ତ୍ରୀ ହେଇ କେମିତି ଜାଣି ପାରିନି; ସ୍ଵାମୀ ଗୁଣ ଅବଗୁଣ ସ୍ତ୍ରୀ ଠାରୁ ବେଶୀ କିଏ ଜାଣିଥାଏ। ହଁ ଜାଣିଥିଲେ ମଧ୍ୟ କୋଉ ମୁହଁରେ କହିବ ହେଲେ ଏଭଳି କଦର୍ଯ୍ୟ ଲୋକଟା ସାଙ୍ଗରେ ରହି କେମିତି ପାରୁଛି।

ପ୍ରଣତି ସବୁବେଳେ ଭାବେ କେତେ ସୁନ୍ଦର ଯୋଡ଼ି ସ୍ବାମୀ ସ୍ତ୍ରୀ ଙ୍କ; କେତେ ସୁଖି ଦାମ୍ପତ୍ୟ ଜୀବନ। କେତେଥର ସେ ଝରଣାକୁ ପଚାରିଥିବ ତା ସୁଖି ଦାମ୍ପତ୍ୟ ଜୀବନର ରହସ୍ୟ ଜାଣିବା ଉଦ୍ଦେଶ୍ୟରେ କେତେ ଥର ପ୍ରକାଶ ଉପରେ ବିରକ୍ତ ହେଇଛି ଆଉ ଝଗଡ଼ା ମଧ୍ୟ କରିଛି। ଏଭଳି ଗୋଟେ ଚରିତ୍ର ହୀନ ପୁରୁଷ ପାଇଁ ସେ କେତେ ଥର ନିଜେ ହୀନମନ୍ୟତା ର ସିକାର୍ ହେଇଛି। କେମିତି ଏଭଳିଆ ଲୋକୁ ଝରଣା ବିଶ୍ବାସ କରି ପାରୁଛି?

ସବୁ ଛୁଟି ଦିନରେ ଝରଣା ଆଉ ତା ସ୍ୱାମୀ ରମେଶ ବାହାରେ ବୁଲିବା, ରେଷ୍ଟୁରାଣ୍ଟ, ମୁଭି ଯିବା କିଛି ନହେଲେ କାରରେ ଲଙ୍ଗଡ୍ରାଇଭରେ ଯାଆନ୍ତି। ସେଲଫି ଉଠେଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ସେମାନଙ୍କ ପ୍ରଚ୍ଛଦପଟ ଗୁଡିକ ଏତେ ସୁନ୍ଦର ହେଇ ଥାଏ ଯେ ଆଖି ଖୋସି ହେଇଯାଏ।

ଆଉ ପ୍ରକାଶ ଛୁଟି ଦିନରେ ସକାଳୁ ଉଠିଲେ ମଧ୍ୟ ଖବରକାଗଜରେ ମୁହଁ ପାଖକୁ ଗେଞ୍ଜି ବସି ଥିବେ। ପରିବାର ସାଙ୍ଗ ସାଥି କାହା ସହିତ ବେଶୀ ଖୋଲିକି ମିଶନ୍ତି ନି। କହିଲେ କହିବେ ମଣିଷଟାକୁ ଠିକ୍ ସେ ନ ଚିହ୍ନିବା ଯାକେ ମୁଁ ବେଶୀ କଥା ବାର୍ତ୍ତା ହେଇପାରିବିନି। ମନକୁ କୁଆଡେ ବୁଲେଇ ନେବେନି କହିଲା ପରେ ଯାଇ ବୁଲେଇ ନେବେ ଓଲଟା କହିବେ ମୁଁ କ’ଣ ସର୍ବଜ୍ଞ କହିଲେ କରିବିନା ତମ ମନ ଭିତରେ ପଶିକି କେମିତି ଜାଣି ଦେବି। ରେଷ୍ଟୁରାଣ୍ଟ ଥରେ କୁ ଦି ଥର ହେଇଗଲେ ଅଯଥା ଖର୍ଚ୍ଚ,ଦେହ ଖରାପ ହେବା ଆଉ କ’ଣ କ’ଣ ସବୁ ଶୁଣେଇ ଦେବେ। ପ୍ରଣତି ବିରକ୍ତ ରାଗ ଆଉ ଅଭିମାନ ରେ ପାଟିତୁଣ୍ଡ ଆରମ୍ଭ କରିଦିଏ।ସେଲଫି ନେବାକୁ କହିଲେ ତ ଯେମିତି ପାହାଡ଼ ହାଣିବାକୁ ଅଛି ସେମିତି ହେବେ। ଏସବୁ ଦେଖି ଦେଖି ପ୍ରଣତି ର ମନ କ୍ଷୋଭରେ ଭରିଯାଏ।

ଏବେ କିଛି ଦିନ ତଳର କଥା ଘରକୁ ଯିବା ଆଗରୁ ଝରଣା ଅନ୍ତସତ୍ବା ଥିଲାବେଳେ ଭୀଷଣ ଦେହ ଖରାପ ହେଇଗଲା। ପ୍ରଣତି ନିଜେ ଦେଖିଛି ରମେଶ ଅଫିସ୍ ରୁ ଛୁଟି ନେଇ ଦିନରାତି ଝରଣାର ସେବା କରିବାରେ ଲାଗିଥିଲା। କାଇଁ ତାର ତ ଦିନେ ମଧ୍ୟ ମନେ ପଡୁନି ପ୍ରକାଶ ଏମିତି ତାର ଯତ୍ନ ନେବା। ଓଲଟା ଜର ମୁଣ୍ଡ ବିନ୍ଧା ହେଲେ ମେଡ଼ିସିନ ଖାଇକି ଶୋଇ ପଡ଼ ସକାଳୁ ଠିକ୍ ହେଇଯିବ ।

ଥରେ ଅଧେ ଏ ବିଷୟରେ ଆଲୋଚନା କଲାବେଳେ ପ୍ରକାଶ କହିଲେ ଦେଖ ମୁଁ ତମକୁ କେତେ ଭଲ ପାଏ ଏଇଟା ଲୋକଙ୍କୁ ଦେଖେଇବା କ’ଣ ଦରକାର; ଆଉ ସୋସିଆଲ ମିଡ଼ିଆରେ ଯାହା ସବୁ ଦେଖୁଛ ସେ କେବଳ ଗୋଟେ କୁହୁକ ଆକର୍ଷଣ। ଉପରେ ଗୋଟେ ଚେହେରା ଭିତରେ ଆଉ ଗୋଟେ ଚେହେରା। ଆମର ଯାହା ଅଛି ଯେତିକି ଅଛି ସେଥିରେ ଖୁସି ରହିବା; ଅନ୍ୟ ଘର କଥା ଆମ ଘରେ ପକେଇ ଅଯଥା ଅଶାନ୍ତି ହେବା କଥା।

ହେଲେ ଆଜି ଝରଣା ତା ଡେଲିଭରି ପାଇଁ ଘରକୁ ଯାଇ ଥିଲା। ହ୍ୱାଟସ୍ ଆପରେ ମେସେଜ କରିଥିଲା ଟିକେ ଯାଇ ତା ଘରେ ଦେଖିବାକୁ କ’ଣ ଅସୁବିଧା ‌ହେଲା କାଲି ରାତିରୁ ରମେଶ କାହିଁକି ତା ଫୋନ୍ ଉଠଉ ନାହାନ୍ତି ବୋଲି। ଗୋଟେ ଘର ଛାଡ଼ି ଆର କ୍ୱାଟର ଘରଟା ସେମାନଙ୍କର ।ତେଣୁ ସେ ସକାଳୁ ସକାଳୁ ଆସିଥିଲା ବୁଝିବ ବୋଲି ହେଲେ ଦାଣ୍ଡ ଘରକୁ ଲାଗି ଡାଇନିଂ ଟେବୁଲ ପାଖରେ ଯାହା ଦେଖିଲା ତା ଗୋଡ଼ ତଳୁ ମାଟି ଖସି ଗଲା।ନେତର ନଜର ହଠାତ୍ ତା ଉପରେ ପଡ଼ିଗଲା। ସେ ମଧ୍ୟ ତା ପଛେ ପଛେ ପ୍ରଣତି ଘର ଯାକେ ଚାଲି ଆସିଲା।

ନେତ ବହୁତ କହିଲାଠୁ ସେ ଚୂପ୍ ପଡ଼ିଛି।ନେତ କହିଲା ଆମେ ଗରୀବ ଲୋକ ; ଆମ କଥାକୁ କିଏ ଶୁଣିବ । ଓଲଟା ଯୋଉ ପାଞ୍ଚ ଘରେ କାମ କରୁଛି ମୋତେ କାମ କରିବାକୁ ଦେବେନି; ମୋତେ କ୍ଷମା କରିଦ ଅ।ପ୍ରଣତି ତାକୁ ସବୁ ବନ୍ଦ କରିବାକୁ କହିଲା । ଆଉ କାହା ଆଗରେ ନ କହିବାକୁ ମଧ୍ୟ କହିଲା । ଆମ ଘରେ ତୋର ଆଉ କାମ କରିବା ଦରକାର ନାହିଁ କହି ତାକୁ ବିଦା କରିଦେଲା।

ପଛ କଥା ସବୁ ମନେ ପକେଇ ପ୍ରଣତିକୁ ଦୋଷୀ ଦୋଷୀ ଲାଗୁଥିଲା। ପର ଘରର ବାହ୍ୟ ରୂପ ଦେଖି ସେ ନିଜ ଘରେ ଅଶାନ୍ତି କରୁଥିଲା। ହେଇ ଥାଆନ୍ତୁ ପଛେ ପ୍ରକାଶ ଅନ୍ତର୍ମୁଖୀ ସ୍ୱଭାବର ମଣିଷ ହେଲେ ତା ସହିତ ବିଶ୍ଵାସ ଘାତକତା କରି ନାହାନ୍ତି। ଠିକ୍ କହିଥିଲେ ପ୍ରକାଶ ସୋସିଆଲ ମିଡ଼ିଆରେ ସେଲଫି ଗୋଟେ ପରଦା; ସେ ପରଦା ପଛରେ ଥିବା ମଣିଷ ର ଅସଲ ଚେହେରା ଜାଣିବା କଷ୍ଟସାଧ୍ୟ ବ୍ୟାପାର ।

Comments are closed.