ବଳରାମ ପୂଜାରୀ
ଚିପୁଡି ଦିଅ ?
ବୈଶାଖର ପେଜୁଆ ଆକାଶରେ
ଓହଳି ପଡିଥିବା ଅଗର୍ଭା ମେଘମାନଙ୍କୁ,
ନିଗାଡି ଦିଅ
ଜଙ୍ଗଲ ଜଙ୍ଘ ସନ୍ଧିରେ
ଲେଞରା ଆଖିରେ
ଆକାଶ ଆଡ଼କୁ ଆଁକରି
ଅନାଇଁ ଥିବା,
ଅଧା ଜୀଆଁ ଅଧା ମରା ‘ମୟୁରଝୋଲା’ ର
ବଳକା,ସାଉଁଟା ରକ୍ତକୁ ?
କିଛି ନ ପାଇଲେ,
ନିଜ ନିଅଣ୍ଟିଆ
ଅଶ୍ରୁନିଃଶ୍ୱାସରେ’
ତ !
ଲେଖି ପାରିବ ?
ଦୁଇଧାଡ଼ି ଭୋକର ଭସ୍ତ୍ରିକା ?
ମାଟିରୁ ଆକାଶ ଯାଏଁ,
ଟାଙ୍ଗି ଦିଅ
ତୁମ ବତୁରା ଲୁହର ଓଦା ଓଦା ‘ଆବେଦନ ପତ୍ର’
ଜଙ୍ଗଲୀ ଜୀବନମାନଙ୍କ
ଦହଗଞର ‘ଦରଖାସ୍ତ’
କେହି ତ ଜଣେ କହିବ !
ଏବେ ବି ?
ଭୋକ ଉପାସିଆ
ଦୁଃଖ ସବୁ ଜୀଇଁ ଛନ୍ତି ?
ଲାଉ ହୋଇ,
ପାହାଡ଼ ଖୋପର ଡହକା ଡହକା ତତଲା ପିଠିରେ।
କେହି ନା କେହି ଜଣେ !
ପଢିବ ନିଶ୍ଚୟ
ତୁମ ଛାଲ ଉତୁରା ପିଠିର କ୍ଷତାକ୍ତ ଶିଳାଲେଖ
କେହି ନାଁ କେହି
ପଥର ଖୋଲରୁ ଉଖାରିବ,
ନିଆଁଧରା ରଡନିଆଁକୁ ?
କେହି ନା କେହି,
ଟିକେ ଆଉଁସି ଦେବ,
ପାଉଁଶର ପେଟକୁ
ଭିତରେ ଖୋଜିବ,
ଡହ ଡହ ଶବ୍ଦକୋଷ,
ଲହ ଲହ ଅଗ୍ନିଝୁଲ
ବୈଶାଖ ଛିଡ଼ୁ ଛିଡୁ
ଆଷାଢୁଆ ସଞରେ ବୁଣିଦେବ
ମୁଠାଏ ନିଆଁକୁ,
ରଙ୍ଗଡିଆ ଡଙ୍ଗର ଗର୍ଭରେ
ଭୋକ ସବୁ ଓହଳି ପଡିବେ,
ପାହାଡ଼ର କନ୍ଦି ବିକନ୍ଦି,
ମାଟି ମଣିଷଙ୍କ
ଅନ୍ତଃବୁଜୁଳା ଚିରି ଫାଡି,
ଶିଆଡିପତ୍ର ତୋରଣରେ ସଜେଇ ହେବେ
ନଅଁକିଆ ନାଭିନାଡ,
ଦୁଃଖ ସବୁ ଗାଇ ଉଠିବେ,
ଜଙ୍ଗଲୀ ଝୂଲର କଲିଜା ଛିଡା,
ଡହ ଡହ ଗୀତ ଗୋବିନ୍ଦ।
ପୁଣି ଜଳି ଉଠିବ !
ପେତିନୀ ନିଆଁ
ରୁଗ୍ ରୁଗ୍ ଜଙ୍ଗଲ ଛାତିରେ
ପୁଣି କକ୍ଷପଥକୁ ଫେରିଆସିବେ
ବନ୍ଦୀ ହୋଇଥିବା ସବୁତକ
ଅଭିଶପ୍ତ ଅସଭ୍ୟ ଅଙ୍ଗାର ?
ଡାଳକୁ ଡାଳ ଘଷି ହେବ
ପଥହୁଡା ପଥର
ଓ
ମେରିଆମାନଙ୍କ ମେଳିରେ,
ଜଳି ଉଠିବ ?
ହୁତୁ ହୁତୁ ଜଙ୍ଗଲୀ ନିଆଁ ?
କବିତା ସବୁ ଟକ୍ ମକ୍ ଫୁଟିବେ
ପାହାଡ଼ ସନ୍ଧିର ପଥର ଖୋଜର
ଝୋଲା ଜଳରେ ?
ଶୁଖିଲା ଶିଉଳି ଓ
ଫିରିଘାସର କୁହୁଳା ଧୂଆଁରେ,
ଦରପୋଡ଼ା ଶାଣିତ ଶବ୍ଦ ବୀଜ !
ପୋଡା ଚେଙ୍କର କବିତାମାନେ
ପୁଣି ପଜେଇ ହେବେ
ନେସି ହେବେ
ଧାରୁଆ ହେବେ
ପାହାଡ଼ ପିଠିରେ,
ବେଣ୍ଟ ଡଙ୍ଗରର କମାର ଶାଳରେ ।
‘ମାଲ୍ୟବନ୍ତ’ ର ଡଙ୍ଗର ଡଙ୍କାରେ
ପୁଣି ଗର୍ଜିବେ
ପାହାଡୀ ଈଶ୍ୱର ?
ଜଙ୍ଗଲ ପାହାଡ଼ଙ୍କ
ଭୋକିଲା ପେଟ ପାଇଁ
ଲେଖିବେ ଭୋକର ଭବିତବ୍ୟ ?
ସୀମାନ୍ତ ସରହଦର ଜାଙ୍ଗୁଲ ଜାଙ୍ଗୁଲୁ ଜଙ୍ଗଲୀ ନିଆଁ,
ମଳି ମୁଣ୍ଡିଆ ମୁଣ୍ଡରେ
ତାକତ୍ ଭରିବେ ?
କୋଣ୍ଡାକାମ୍ଵେରୁ’ ଖୋଲର ଦିଅଁ ଦେବତା, ଡୂମା ଡାହୂନୀ ?
ତୁଳସୀ ପାହାଡ଼ର ଦୁଃଖ ବଖାଣିବେ
ଅତରା ଝୋଲାର
ଗୁରୁମାୟୀ ଜଳକାମିନୀ
ଏବେ ତ ?
ଡଙ୍ଗର ପାହାଡ଼ ସାରା,
ଅସମ୍ଭବ ନୀରବତା ?
ଅନେକ ଅସନ୍ତୋଷମାନଙ୍କ
ଆକସ୍ମିକ’ ଅନ୍ନ ପ୍ରାସନ୍ନ ?
ଭୋକ ଘଉଡା
ଜଙ୍ଗଲୀ ଯଜ୍ଞର ଅନ୍ତିମ ଆରାଧନା ?
ଲଢ଼ୁଆ ଜୁଆନ୍ ପରଜାର
କ୍ଷତାକ୍ତ କବିତାମାନଙ୍କ ଅକ୍ତିଆରରେ
ସମଗ୍ର ସୀମାନ୍ତ ?
ଚାରିଆଡେ ଶୁଭୁଛି,
ଜଙ୍ଗଲୀ ଜନ ଗର୍ଜନ,
ଅଦମ୍ୟ ଆହ୍ବାନର
ଅଗନା ଅଗନି ଡହ ଡହ ଅରଣ୍ୟ ଆକ୍ରୋଶ।
Comments are closed.