ବିନୋଦ ବିହାରୀ ପ୍ରଧାନ
ସୁମନେ ସୁମନ ପ୍ରଭୁଙ୍କୁ ଅର୍ପିବ
ଲୋଡା ନାହିଁ ଆନ ଫୁଲ
ଧନ ଦେଇ କେବେ ତୋଷି କି ପାରିବ
ଭାବଟି ଅମୂଲ ମୂଲ । ୧ ।
ଘୃତ ଦୀପ ଧରି ବନ୍ଦାପନା କଲେ
ପ୍ରଭୁ କି ଘେନନ୍ତି ବାରେ
ପ୍ରାଣର ପ୍ରଦୀପ ଜାଳି ପ୍ରେମାଲୋକ
ବନ୍ଦାଅ ଭକତି ଭରେ । ୨।
ଚାହିଁ ନ ଥାନ୍ତି ମୋ ପ୍ରଭୁ ଗଙ୍ଗାଜଳେ
ନିତି ସ୍ନାନ କରିବାକୁ
ଭକତ ପ୍ରେମିକ ସ୍ନେହାଶ୍ରୁଧାରାରେ
ଶ୍ରଦ୍ଧା ତାଙ୍କ ବୁଡ଼ିବାକୁ । ୩ ।
ମନ୍ଦିରେ ଦେଉଳେ ରତ୍ନ ସଂହାସନେ
ନ ଥାଏ ତାଙ୍କର ମନ
ଭକତ ହୃଦୟ ସିଂହାସନେ ବସି
ଦେଖନ୍ତି ସାରା ଭୁବନ । ୪ ।
ସାରା ଜଗତକୁ ଯୋଗାଉଛି ଯିଏ
ବାସ ବସ୍ତ୍ର ଅନ୍ନ ଖାଦ୍ୟ
ତାହାଙ୍କୁ କିଏ ବା କିପରି ବା ଦେବ
କେଉଁ ପରି ନଇବେଦ୍ୟ । ୫ ।
ପୂଜାରି ପଣ୍ଡିତ କେତେ ଯେ ସେବକ
ପୁଜନ୍ତି ଉଚ୍ଚାରି ମନ୍ତ୍ର
ହେଲେ ମିଠା ଲାଗେ ଶବରୀ ଉଚ୍ଛିଷ୍ଟ
ଜାଣିଥିଲା କେଉଁ ଶାସ୍ତ୍ର ? ୬ ।
ଯେ ବିଳାସେ ସୁସ୍ଥେ ରହିଣ ଅସତ୍ୟେ
ଚିନ୍ତିଥାଏ ବିରସରେ
ସେହି ଜାଣ ଦୁଃଖେ ପଡ଼ିଥାଏ ନର୍କେ
ନାହିଁ ସେ କେଉଁ ଭଲରେ । ୭ ।
Comments are closed.