ଦେବଯାନୀ ରାୟ
ସକାଳ ହେବାକୁ ଆହୁରି ଅନେକ ବାକି
ଆକାଶ ଛାତିରେ ଚନ୍ଦ୍ରତାରା ସୂର୍ଯ୍ୟଙ୍କ ମେଲଣରୁ
ବଞ୍ଚିବାର ରାହା ଖୋଜୁଛି ବସୁଧାର ଆୟୁଷ
ବିଶ୍ୱାସ ରୁ ଆଖି ଫେରାଇ ଦେଖିଲେ
ବାରିହୋଇପଡେ ନିଃସଙ୍ଗ ନିଃଶ୍ୱାସ।
ତ୍ୟାଗର ହିସାବ ଖାତାରେ ସମୟର ଅଭିନୟ
ତେବେ ବି ଚଗଲା ମନ ହଳେ ଡେଣା ସହ
ବୁଲିଆସେ ସାରା ଦିଗବଳୟ ।
ଏବେ ତ ଜହ୍ନ ଉପତ୍ୟକାରେ ପଇଁତରା ମାରୁଛି
କଳା ବାଦଲ
ସ୍ଵପ୍ନର ଇଲାକାରେ ରାଜୁତିକରୁଛି ଏକଲା ପଣ
ବିପ୍ଲବ ପଥରେ ଅପସଂସ୍କୃତିର ଖାଣ୍ଡବ ବନ
ନିର୍ବିଘ୍ନରେ ପେଟରେ ଭୋକର ନିନାଦ
ଖୋଲା ଆଖି, ମୁକ୍ତ ପବନ, ସ୍ଵପ୍ନମହଲ ସ୍ୱାର୍ଥ ସର୍ବସ୍ୱ
ହଜିଯାଏ ଅନ୍ଧାରୀ କବାଟ କୋଣରେ ଜୀବନର ଭାଷ୍ୟ
ହେଲେ ଗୋଟେ ଅନିଶ୍ଚିତ ବାସ୍ନା ନିମନ୍ତେ
ଅଣନିଶ୍ଵାସୀ ଏ ଜୀବନକୁ
ଆବୋରି ନେବକି, କୁହେଳିକାର ନାଗଫାଶ।
ଏବେ ବି ବେଳ ଅଛି
ଆଖିର ଅନ୍ଧ ପୁଟୁଳି ଖୋଲି ଦେଖ ଜୀବନ ପୃଷ୍ଠାର
ନୀଳ ହସ୍ତାକ୍ଷର
ମାନସିକ ନପୁଂସକତା କୁ ତେଜ୍ୟ କରି
ହାସଲ କରିନିଅ ଅଭିଳଷିତ ଅହଂକାର
ଦୈନ୍ୟର ଦୁଆରେ ମଥା ଟେକି ବାଛିନିଅ
ଉତ୍ତାଳ ମୋହ ଜୀବନ ଜିଇଁବାର
ସରିନଯାଉ ବେଳ…
ସଞ୍ଜୟ ପରି ମାଗିନେଇ ଦିବ୍ୟ ନେତ୍ର
ଦେଖ , ଅନୁଭଵ, ହୁଅ ପରିବର୍ତ୍ତନ ଶୀଳ
ଅନ୍ଧାର ସମ୍ମୁଖରେ ଟାଣିଦେଇ ପୂର୍ଣ୍ଣଛେଦ।
ହୁଅ ଗତିଶୀଳ
ତେବେଯାଇ ଛବିଳ ରଙ୍ଗ ପରି ବିଛାଡ଼ି ଯିବ
କାଉଁରୀ ସୂର୍ଯ୍ୟର କଁଅଳ ମୂରୁଜ
ସ୍ୱପ୍ନ ସମ୍ଭାବନା , ଶବ୍ଦରୁ ଶବ୍ଦ କୋଷ
ବିଶ୍ବରୁ ବିଶ୍ଵସ୍ତ।
Comments are closed.