Latest Odisha News

BREAKING NEWS

କବିତା : ଦେବୀ

ଜୟନ୍ତୀ ବିଶ୍ବାଳ ବେହୁରିଆ 

ଦେବୀ ନୁହେଁ … .
ନାରୀଟିଏ ହେବାକୁ ଚାହେଁ !
ଚଉଷଠି ଭୋଗ ଉପଚାର
ଧୂପ ଓ ଦୀପର ବର୍ଣ୍ଣବିଭା
ଝୁଣାର ସେ ଧୂମାୟିତ
ଇତସ୍ତତଃ ନିରୁତା ମହକ
କେଉଁଥିରେ ମନ ନାହିଁ ..!

ତଥାସ୍ତୁ ମୁଦ୍ରାରେ ବସି
ଦେଖିବିନି
ମୋହମୟ ମଣିଷ
ଆଶାୟୀ ମସ୍ତକ
ନଇଁଗଲେ ଥରେ
ଦୁଇହାତ ତୋଳି
ମିଛର ଅଭୟ ପ୍ରଦାନ
କରିବି କିଆଁ
ପ୍ରଶସ୍ତି ଆଶାରେ !

ଜନ୍ମରୁ ଦେଖି ନଥିବା
ଏଇ ସୁନ୍ଦର ପୃଥିବୀକୁ
ଭଲ କରି ଥରେ ଦେଖିବାକୁ
ମୋତେ ବି ଚେନାଏ ଆଲୁଅ
ନିହାତି ଦରକାର ..

ବେଶି କଣ ଚାହିଁଛି ଯେ ,
ଏଇତ ନିଜ ଇଛାରେ
ବସିବା ଉଠିବା ଭଳି
କିଛି କିଛି କର୍ମ
କେବଳ ମୋ ହିସାବରେ
ଚାଲୁ ବୋଲିତ ?

ମୋ ଦେହ ଦେଇ
ଯାଉଥିବା ପବନ
ସେ କେବଳ ଶୁଣୁ ମୋର କଥା ..
ମୋ ହସ ଓ ଓଠର ଭାଷା
ଫୁଲ ଓ ପତ୍ର ପରି
ସେ ବି ଦିନେ ଶୁଖିଯିବା ଆଗୁ
ଅସରନ୍ତି ବର୍ଣ୍ଣମାଳା ସମ
ଶବ୍ଦର ସମୁଦ୍ରେ
ଭାସିଯାଉ ଗୋଟି ଗୋଟି କରି !

ଅଶୁଭ ପକ୍ଷୀଟିଏ ହୋଇ
ଆକାଶର ଶୀର୍ଷତମ ପଡିଆରେ
ବସିବାକୁ ଚାହେଁନାହିଁ
ପକ୍ଷ ମେଲି ,
ପଡିବା ମଞ୍ଜୁରବି ‘ନୁହେଁ
ମାଟିକୁ କାମୁଡି !

ସର୍ବୋଚ୍ଚ ଓ ସର୍ବନିମ୍ନ
ସ୍ଥାନଟିକୁ ଛାଡିଦେଲେ
ଯେ ଆସନ ପଡିଥାଏ
ସର୍ବ ସାଧାରଣ ସ୍ଥଳେ
ସେଇଠି ପଡିବି ବସି ,
ଭଲ ପାଉଥିବା ଯେତେ ସବୁ
ମଣିଷଙ୍କ ମେଳେ !

ଦୁଃଖ ପରି ସୁଖର ଭାଗ
ବରାବର ସଭିଙ୍କର ହେଉ
ଯେମିତିକି ମୃତ୍ଯୃ ଛୁଏଁ
ସମାନ ଭାବରେ ପ୍ରତିଟି ଶରୀର,
ନରଖି ମନରେ କିଛି
ବାଛ ଓ ବିଚାର !!

ବାଲେଶ୍ଵର

Leave A Reply

Your email address will not be published.