Latest Odisha News

କବିତା : ନଈର ଡାକ

ପଞ୍ଚାନନ ମିଶ୍ର 

ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ
ନିଶ୍ଚଳ ମୁହୂର୍ତ୍ତ
ଅସ୍ତାଚଳେ ସୂର୍ଯ୍ୟ
ନିରୋଳା ନଈପଠା
ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ
ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି
ଯାହା ଭାସିଆସେ ପାହାଡ଼ର ସେପାରିରୁ।

ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ
ପଥର ଦେହରେ ଘଷି ହେଉଥାଏ
ଆଶ୍ଳେଷରେ ମୋହିତ କରୁଥାଏ ଜଡ଼ର ଜୀବନ।

ଗଛ ଡାଳ
ନଈର ପାଣି ସମ୍ପୂର୍ଣ୍ଣ ନିରାଭରଣ
ଗୋଟିଏ ବି ନାଆ ହୁଏନାହିଁଦୃଶ୍ୟମାନ
ସମ୍ପୂର୍ଣ୍ଣ ଉଲଗ୍ନ ନଈର ଶକ୍ତି ଏତେ କଳ୍ପନା ବାହାର ।

ବାକୁ ତା’ ନିଆରା ଚେହେରା
ଝାପ୍‌ସା ସନ୍ଧ୍ୟାରେ ମୁଁ ହତବମ୍ବ

ନିର୍ଜନତାରେ ନଈ ଦିଶୁଛି
ନୃତ୍ୟରତା ଅପ୍‌ସରୀ ପରି
ହାତ ଠାରି ନିବର୍ତ୍ତାଉଛି
ଟିକେ ଦୂରରେ ରହ
ଲାଜରେ ସେ ଯାଉଅଛି ମରି।

ମୋ’ ଦେହର ନାଆରେ ଭର୍ତ୍ତି
ଚଳମାନ ଜୀବନର ସ୍ରୋତ
ନଈର ସାନ୍ନିଧ୍ୟରେ ଅଦ୍ଭୁତ ଚମକ ଗତିହୀନତାରେ ଝଡ଼ର ଗତି
ଝଡ଼ର ଇଗଲ ଉଡୁଥାଏ
ଆକାଶ ଉପର।

ନାଆ ଏବେ ଟଳମଳ
ପାଣିର ସୁଅରେ ନାଚୁଛ ତୁମେ ପାଦରେ
ତୁମ ଭଉଁରିର ପାଉଁଜି
ହାତଠାରି କହୁଛ ତୁମକୁ ତୋଳିଧରିବାକୁ
ଉପରେ ଆକାଶ ଚୁପଚାପ୍ ଉଇଁଥାଏ ଜହ୍ନ।

Leave A Reply

Your email address will not be published.