ପିନାକୀ ମିଶ୍ର
ହଳେ ରବରଚପଲ
ଭଲ ବଇଁତିରି ଯାଏ ପାଦକୁ,
ପଥୁରିଆ ହୁଡିବାଟ ଦିହସୁହା
ଝୁଣ୍ଟିବନି ଜମା ,କାମକୁ ରତରତ
ହାତରେ ଟିଫିନିଭାତ
ତା’କୁ ନିଇତି ଆଉଁସେ ନଇଁଁ ପଡିଥିବା ଗଛ ।
ରାତି ପାହିଲେ ପୋଖରୀ ଧାଏଁ
ପଡିଥାଉ କନ୍ଥା ,ବେଲା ,ଚୂଲୀପାଉଁଶ,
ବାପା ମାଆ ଚାଲିଲେ ଖାଦାନ୍,
ଆଠବର୍ଷର ଦୂତୀ ଗତିପାରିବ
ଘର ,ଅଗଣା ,କୁନିଭାଇର କାନ୍ଦ,
ନିଶା ପଚେଇ ଲେଉଟିବ ସଞ୍ଜ
ଦେହପୀଡା , ପଥରପିଟା ମର୍ମରକବିତା,
ହପ୍ତା ମଜୁରୀ ଫୁସ୍ କରେ ରସିମାଉଁସରେ
ସକାଳକୁ ପୁଣି ଏକମୁହାଁ ଧାଏଁ ଖଣିକୁ ।
ହର୍ଟିଂ ଅବା ପାହାଡଘେରା
ଏକଚାଳିଆ ଘର,
ସେଠି କି ଆଲୁଅ କି ଅନ୍ଧାର,
ସ୍ବପ୍ନ ବସେନି ପ୍ରଜାପତି ପରି,
ବାଡିଫୁଲ ଫୁଟିଲେ ଫୁଟୁଥାଉ
ଜହ୍ନ ଫେରିଯାଏ କ୍ଳାନ୍ତିନିଦକୁ ମାପି ନ ପାରି,
ସକାଳ ସୂର୍ଯ୍ୟ ଦୁଆରେ ଠିଆ
କହେ ବେଗେବେଗେ ଯାଆ,
ଦିହାତିଆ ମାଟିପିଣ୍ଡାରେ ନୁଖୁରାଛୁଆ
ବେଲାରେ ଚାଉଳପିଠା ଥୁଆ,
ଖାଦାନ୍ ରେ ପଥର ପିଟିଲାବେଳେ
ଫାଟି କି ଯାଏ କୋମଳମତିର କପାଳ !!
ଦଇବ ତ ପୋତିଦେଇଛି ଧନ
ଦେଇଛି ବି ଉତ୍କଟଅଭାବର ଶାପ
ଜନ୍ମରୁ ସରିଛି ନିଶାପ ,
ଗଚ୍ଛିତଧନ ଗନ୍ଧମାଦନ
ଶୁଆକାଟୀ ,ଯୋଡା , ଠାକୁରାଣୀ, ପୁତୁଲୁପାଣି,
ଲୁହାପଥର ,ମାଙ୍ଗାନିଜ, କ୍ରୋମାଇଟ୍ ଖଣି ,
ହେଲେ ଝଲମଲ କାଚଘରେ ବସିଛି ସୌଦାଗର,
ରାଜଧାନୀରୁ ଯୋଡା ଗାଡି ମାଳମାଳ,
ଧୂଳିଧୂଆଁ ଖାଉଛି ବିଚରା ଆଦିବାସୀ
ନାଲିମାଟିର ଜୀବନ
ଶାଳୁଆଡାଳରେ ହଲୁଛି ତା’ ଫଟାଚାଳର ସପନ
ହେଲେ ଅଧାବୟସରୁ ହାମୁଡିପଡେ ,
ପଥରପିଟା ଦେହଟା ତିରିଶିବେଳକୁ ବାଉଁଶଫଟା
ବନସ୍ତଜୀବନକୁ ଭାଗ୍ୟ ବି ଭଗାରୀ ।
ଭୂୟାଁଛାତିର ମଞ୍ଜହାଡ
କଳାମଚ ପଥରରେ ଲେଖେ ଈଶ୍ବରଙ୍କୁ ଦୋଷପତ୍ର ।
ଦିନେ ଉଠିଥିଲା ଝଡ
ଭାଙ୍ଗିଥାନ୍ତା ସିଂହାସନର ମେରୁହାଡ
ତାକୁ ଚାପି ଦିଆଗଲା, ନଇଁ ନଥିଲା ମହାରାଣୀପୁତ୍ର,
ଅଧିକାର ଆଖିବୁଜିଲା ଆଳି ବରଗଛ ମୂଳେ ।
ରାସ୍ତାରେ ସିନା ଅଣ୍ଟେଖାଲ
ନିରୀହ ଛାତିରେ ଯେ ଅତଳଅନ୍ଧାର,
ଅଧବୁରେ କାର୍ଡ ଚାଉଳ ଛିଣିଲେ –
ଚୂଲୀ ହୁତୁହୁତୁ ଜଳେ,
ଆଷାଢବର୍ଷା ନାଲିପାଣି ନାଲିରକ୍ତ ପରି,
ଦୁଃଖକୁ ପାଖରେ ଶୁଆଏ,
ପରବରେ ମାଦଳପିଟେ ,ପିକାରୁ ଧୂଆଁଛୁଟେ
ବଣ ଏକଜିଦିଆକୁ ବୁଝେଇବ କେତେ !!
ଚର୍ଚ୍ଚ ପାଖ , ଜେଲ୍ ରୋଡ ,କେନ୍ଦୁଝର-୧
ମୋ – ୯୪୩୮୧୧୮୩୯୭
Comments are closed.