Latest Odisha News

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ 

ନୀଳ ଜହ୍ନ, ନୀଳ ଆକର୍ଷଣ
ନୀଳ କ୍ଷତ, ନୀଳ ନୀଳ ଆଘାତ
ନୀଳ ନୀଶା ଘନ ନୀଳ ରାତ୍ର
ବିବସରୁ ବିବସ,

ହାତ ପାଆନ୍ତାରୁ ଦୂର, ବହୁଦୂର
ନୀଳଜହ୍ନ ।

ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା
ବର୍ଷ ବର୍ଷ ଶତବର୍ଷ
ମୃଦୁ ମୃଦୁ ଆଗମନ,
ପାଦ ଥାପୁ ନ’ ଥାପୁଣୁ
ଝରକା ଖୋଲି ଚାହୁଁ ନ’ ଚାହୁଁଣୁ
ରାହୁଗ୍ରସ୍ତ, କେତୁ ଗ୍ରସ୍ତ ।
ଧୋବଫର ଫର ଜହ୍ନ ନିୟମିତ ଆସେ
ଅନିୟମିତତାର ବିରୁଦ୍ଧ ସେ
ଛାତି ଛାତ ଆକାଶ ଅନ୍ତରୀକ୍ଷ
ସବୁଠି ତାର ଆସ୍ଥାନ
ଅହ ରହ ଜ୍ୟୋସ୍ନା ସ୍ନାନ ।

ତଥାପି କେଉଁ ଏକ ନିଭୃତ କୋଣରେ
ଶୂନ୍ୟସ୍ଥାନଟିଏ ସଂରକ୍ଷିତ ରହିଯାଏ
ସତେ ଯେମିତି
କେବେ ନା’କେବେ ଆସିଯିବ
ନୀଳଜହ୍ନ ।

ହୁଏତ ସେତେବେଳକୁ
ମଦ ମୃଦ ଘଟଣା ଘଟି ସାରିଥିବ
ଖସିପଡ଼ିଥିବ ଉଡ଼ନ୍ତା ବିମାନ
ମହାବାତ୍ୟା ଆସି ଫେରିଥିବ
ସୁନାମୀର ଚିହ୍ନ ବର୍ଣ୍ଣ ନଥିବ
ବାଘ ଗଣତି ସରିଥିବ,
କବି ଗଣତିରେ ଭୁଲ ହେଉଥିବ
ବାରମ୍ବାର ଭୁଲ ହେଉଥିବ ।
ନିଜକୁ ଛାଡ଼ି କବି ବୋଧେ
ସଭିଙ୍କୁ ଗଣୁଥିବ
ଯେମିତିକି ନୀଳଜହ୍ନ
ଆସିଯିବାର ନିର୍ଦ୍ଧାରିତ ହେଇସାରିଥିବ
ତାରିଖ ।

Comments are closed.