Latest Odisha News

BREAKING NEWS

କବିତା : ରକ୍ତସ୍ନାନ

ରମାକାନ୍ତ ନାୟକ 

ତମେ ମୋ ଦେହରୁ ହାତ ଖସାଉଚ
ଧୀରେ ଧୀରେ ମୋ ଆଖି ବନ୍ଦ କରି
ଉଷୁମ ଦେହଟା ଶୀତଳ ହୋଇ ନିରବି ଯିବା ପରେ
ଧଳାଲୁଗା ଭିତରୁ ସମର୍ପଣ କଲି
ମୋ ନିଜକୁ
ଅରଣା ମଇଁଷି ସହ
ବଳ କଷା କଷି କରି ।

କଠିନ ହୋଇସାରିଥିଲା ମୋ ତଳିପା
ପାପୁଲି, ଆଖି ଆଉ ଚିବୁକ
ହଜିଯାଇଥିଲା ମୋ ପୁରୁଣା ଅଭ୍ୟାସ
ବଦରାଗୀ ପଣ, ନାଟକୀୟ ଅଶ୍ରୁ
ଅବା କୁରୁସଭା ସ୍ଥଳେ ଦୁଃଶାର ହସ
ଅଥବା ଚିପା ଚିପା
ସଖା ଶ୍ରୀକୃଷ୍ଣଙ୍କ ହସ
ମୋ ଜନ୍ମ ଜନ୍ମାନ୍ତର ସାଇତା ଶୈଶବ, ଯୌବନ, ଜରା
ମରଣଯନ୍ତ୍ରଣା ।

ଏବେ ମୁଁ ଆଉଜି ଯିବି ତମ
ଉଭା ଫୁଗୁଳା ଦେହରେ
ତେଲ ହଳଦୀ ମଖା
ଚିକିଣିଆ ଗୋରା ଦେହ
ଯାହାକୁ ପାଇଁ ବାକୁ ଲୋଭେଇ ଥିଲ
ବହୁବାର ଏକାନ୍ତରେ,
ରାତିର ଅତର୍କିତେ ଉଲଂଘନ କର
ଅଶ୍ଳୀଳତାର ସୀମା
ଗାଁ ମୁଣ୍ଡରୁ ଶୁଭୁ ଥାଏ
ନାମୀ ଦାମୀ ଯାତ୍ରା ପାର୍ଟିର ବେହେଲାର ବାଜେଣି
କାନ୍ଦିଉଠେ ହୃଦୟର କରୁଣ ରାଗିଣୀ
ମୋ ନପରିବା ପଣରେ
ପୌରୁଷ ହୀନତାରେ
ହୁଏତ ହୋଇଥିବ
ଶଙ୍ଖାୟୀତା, ସିନ୍ଦୁରୟୀତା
ଅଣ ମାତୃତ୍ୱର ବେଦନାରେ
ତଥାପି ସବୁ ଶୋଷି ନେଲ
କେହି ଯେମିତି,
ମୋ ଓଠକୁ ଚୁଚୁମି ନଦେଉ
ବହି ନଯାଉ,ଗର୍ଭସ୍ତ ନକରୁ ଆଗ୍ନେୟ ଗିରିର ଆଭା
କେହି ନହେଉ ମୋ ପତ୍ନୀ, ଉପ ପତ୍ନୀ ବା ପ୍ରେମିକା ଶୃଙ୍ଗାରର ।

ଭାଗବତ ବାଣୀ ଆଉ ଶୁଭୁନାହିଁ
ଗୁଳୁମାଳିଆ କରୁନାହିଁ
ଅନାବନା ସପ୍ନ
ସଜନା ଗଛରେ ପେଚାର କୁନ୍ଥନ
କୁକୁରୀର କାନ୍ଦିବାର ସ୍ଵନ
ମନେ ପଡ଼ୁନାହିଁ,
ରଘୁ ମହାନ୍ତି ଝିଅର
ପୁରିଲା ପୁରିଲା ଛାତି
ଆଖିଛଟା ଚଗିଲି ପଣିଆ
ବେଣୀଛଟା ଆମ୍ବ କଷିଆ ଯୌବନ
ଆଖିମୋର ଲାଖି ରହୁନାହିଁ,
ତ୍ରିତଳ ପ୍ରାସାଦ କିଂବା
କାହା ଛଅମାଣ ଆଠ ଗୁଣ୍ଠ
ଚାରିଚକିଆ ଯାନ ଅବା
ସୁବ୍ରତର ଡାହାଣ ହାତର
ସୁନା ବ୍ରେସଲେଟ ।

ଏବେ ମୋର କରିପାର
ବିଷାଦ ଖଣ୍ଡନ
ତ୍ରୀଯୋଗ କର୍ମ ଭକ୍ତି, ଜ୍ଞାନ
ଏବେ ତଵ ବିଶ୍ୱରୂପ କରିବି ଦର୍ଶନ
କିମିଆ କରିଦିଅ ମୋତେ
ଦିଅ ଦିବ୍ୟ ଜ୍ଞାନ
ସଖା ପ୍ରେମ, ଗୋପୀପ୍ରେମ,
ଅବା ଶ୍ରୀରାଧାଙ୍କ ପରକିୟା ପ୍ରେମ
ଯେଉଁ ଜ୍ଞାନେ ହେବନାହିଁ
ପୁନରପି ଜନମ ମରଣ
ହେଜି ମୁଁ ପାରିବି
ମୋ ଜୀବନର ସନ୍ଧିକ୍ଷଣ
ଅନ୍ଧକାର ଘରେ କରିରକ୍ତ ସ୍ନାନ
ଧୋଇ ଧାଇ ଦେଇ ବଞ୍ଚିବା ଜୀବନ
ପୁଣି ଅଙ୍ଗିକାର ବୋଧ
ଜାକିଧରି କୋଳେ କରି ଆଲିଙ୍ଗନ
ଆତ୍ମହତ୍ୟା କରିବାକୁ
ପାଇ ଗାଢ଼ ଚୁମ୍ବନ
ଉଷୁମ ଭରିଯୁବ ଦେହଟା ଯାକ
ଧୀରେ ଧୀରେ ପୁଣିଭୁଲି ଯିବି
ପାପ, ପଶୁତ୍ବର ଭାବ
ଅବା ପୂର୍ଣ୍ଣତା ଯଶ କିର୍ତ୍ତୀ ମାନ
ହେ ମଧୁସୂଦନ!
ଆଉ କରନ୍ତିନି ମୁଁ ରକ୍ତସ୍ନାନ ।

ପଦ୍ମାମାୟା ପୁରୀ, ଚରମ୍ପା , ଭଦ୍ରକ

Comments are closed.