ରାମକୃଷ୍ଣ
କେତେ ବା ସମୟ ମୋତେ ଜନ୍ମ ନେବାକୁ
ଘୃଣାରେ ଟିକେ ହଲଚଲ୍ ହେଲା ରକ୍ତ
ତ ଲେଲିହାନ୍ ଭୋକପରି
ଛିଡା ହୋଇ ପଡିଲି ତମର ଚରାଭୂଇଁରେ
ପଥରେ ହେଉ ବା ନେପଥ୍ୟରେ
ଯାହାର ହାତରେ ହ୍ବୁସିଲ୍
ସେ ହିଁ ମୋର ମାଲିକ
ଆଉ ମୁଁ ତାର ବଶମ୍ବଦ ଭୃତ୍ୟ
ଘୃଣାର ବିଷ୍ଫୋରଣ ମୁଁ ବାରୁଦର ହାତ ।
ମାଲିକ ହାତରେ ଦେଶ ବୋଇଲେ
ଚାରିଚଉତା ଖଣ୍ଡେ କାଗଜ ପକେଟରେ
ଯାହା ରୁମାଲ ପରି ବ୍ୟବହାର ହୁଏ
ଓଠରୁ ପୋଛିବାକୁ ପାନଖିଆ ପାଟିର ଛେପ
ଆଉ ଦେଶବାସୀତ ଛାର୍ ପୋକମାଛି
ହୁଳାଏ ନିଆଁରେ ଖେଳ ଖତମ୍ ।
ମୁଁ ସେଇ ନିଆଁ ହୁଳା
ଦଙ୍ଗାପରି ଦିଶିଲେ ଦିଶୁ
ତମର ଆଖିରେ ମୋର ଦହନ କଳା
ଯାହା ପଡିଲା ଆଖିରେ
ପୋଡି଼ ପାଉଁଶ କରିବା ଧର୍ମ ମୋର
ଘର, ଖେତ, ବଗିଚା,
ନାରୀ, ଶିଶୁ ଓ ସୁଖର ଫସଲ
ମଣିଷ ନୁହେଁ କେବଳ
ମୁହଁରେ ପଡିଲେ
ଈଶ୍ବରବି ମୋର ସୁସ୍ବାଦୁ ଆହାର ।
କରୋନା ଭାଇରସ୍ଠୁ ବି
ତୀବ୍ର ଓ ଭୟଙ୍କର ମୋର ସଂକ୍ରମଣ
କାରଣ ବିଦେଶଆଗତ ଶତ୍ରୁ ନୁହେଁ
ମୁଁ ତମର ରକ୍ତପାଳିତ ଅତିଥି ।
Comments are closed.