Latest Odisha News

BREAKING NEWS

କବିତା : ମତେ ମୋ ପରି

ସାଗରିକା ଦାସ

ଅଦୃଶ୍ଯ ମୋ ଇଛାର ପରିଧିରେ
ମୋତେ ମୋ ପରି ରହିବାକୁ ଦିଅ ,
ଯେମିତି ମୁଁ ମୋତେ ବୁଝାଇ ନେଇଛି
ଥାପୁଡାଇ ମନକୁ ଫୁସଲେଇ ଦେଇଛି

ଯାହା ନଥିଲା ମୋର ,
ନପାଇବାର ହିଁ ଥିଲା……
ସବୁ ପାଇଲେ ଅବା ଜୀବନ ନଷ୍ଟ !

ତୁମ ଦୁନିଆର ଝାପସା ଆଲୋକ
ସଞୁଆ ପବନରେ କିଛି ମହକ
ଜହ୍ନବାଦଲ ସାଥେ ଖେଳର କୁହୁକ
ଯାହା ନଥିଲା ଏକାନ୍ତେ ମୋର
ହାତ ପାହାନ୍ତାରେ ଅସରନ୍ତି ସ୍ୱପ୍ନ
ନପାଇବାର ହିଁ ଥିଲା
ସବୁ ପାଇଲେ ଅବା ସ୍ୱପ୍ନଭ୍ରଷ୍ଟ !

ତୁମ କଥାର ଚାତୁରୀ କଳା
ମୋହବିଷ୍ଟ ମୋ କୁଆଁରୀ ବେଳା
କିଛି ବସନ୍ତର ମୋହିନୀ ଛୁଆଁ
ସେସବୁ ନଥିଲା ମୋର ବୋଲି
ଯେମତେ ମନକୁ ବୁଝାଇ ଦେଇଛି
ଜୀବନକୁ ସେମତେ ସାଉଁଟି ନେଇଛି
ସବୁ ମିଳିଲେ ଲେଖନୀ ବ୍ଯର୍ଥ
ସବୁ ବୁଝିଗଲେ ଅବା ମୋହଭ୍ରଷ୍ଟ !

ମୋତେ ମୋ ପରି ରହିବାକୁ ଦିଅ ।

 

Comments are closed.