ସସ୍ମିତା ପ୍ରଧାନ
ସକାଳରୁ ରାତି
ଭୁଲି ନିଜ ସ୍ଥିତି
ସଭିଙ୍କ ସେବାରେ
ନିଜକୁ ସମର୍ପି
ଚାଲୁଥାଏ ଡେଇଁ ଡେଇଁ
ମୁଁ ଚାବିଦିଆ କଣ୍ଢେଇ ।।
ନିଜର ଅସ୍ଥିତ୍ୱ
ଦେଇଛି ହଜେଇ
ଯନ୍ତ୍ର ପରି ମୁହିଁ
ନିଜକୁ ସଜେଇ
ପରିସ୍ଥିତି ଦ୍ୱାହି ଦେଇ
ମୁଁ ଚାବିଦିଆ କଣ୍ଢେଇ ।।
କହି ମୁଁ ପାରେନା
ମନର ବେଦନା
ହୃଦୟ ରେ ଭରା
ଅକୁହା ଯନ୍ତ୍ରଣା
ଓଠରେ ହସର ନଈ
ମୁଁ ଚାବିଦିଆ କଣ୍ଢେଇ ।।
ଖୁସିରେ ହୁଏନି
ଅଥୟ ଅଧିର
ବିପଦେ ହୁଏନି
କେବେ ମୁଁ କାତର
ବଞ୍ଚେ ସୁଖ ଦୁଃଖ ନେଇ
ମୁଁ ଚାବିଦିଆ କଣ୍ଢେଇ।
କିଏ କରେ ନିନ୍ଦା
କେ କରେ ପ୍ରଶଂସା
କଟୁକଥା କହି
କରିଥାନ୍ତି ଇର୍ଷା
ଚାଲୁଥାଏ ସବୁ ସହି
ମୁଁ ଚାବିଦିଆ କଣ୍ଢେଇ ।।
ବିଧାତା ଲେଖିଛି
ଯାହା ମୋ ଭାଗ୍ୟରେ
ଏ ସାରା ସଂସାର
ତାଙ୍କ ଇସାରାରେ
ଭାବିକି କାନ୍ଦିବି କାହିଁ
ମୁଁ ଚାବିଦିଆ କଣ୍ଢେଇ ।।
ବିଶ୍ୱର ନିୟନ୍ତା
ପ୍ରଭୁ ନାରାୟଣ
ମୋର ଏ ଜୀବନ
ଅଟେ ତାଙ୍କ ଦାନ
ବାଟ ଚାଲେ ପ୍ରଭୁ ଧ୍ୟାୟୀ
ମୁଁ ଚାବିଦିଆ କଣ୍ଢେଇ ।।
ରାଜନଗର, କେନ୍ଦ୍ରାପଡା
Comments are closed.