ଶକ୍ତିପ୍ରଦା ମହାପାତ୍ର
ମୁଁ କଳା ମାର୍ବଲ ଚଟାଣ ଉପରେ
ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ
ମତେ କ’ଣ ଉଠେଇବାର ଆସ୍ପର୍ଦ୍ଧା
କା’ର ଅଛି ?
ମୁଁ ନୀରବ ମନର ଗଭୀର ପିପାସା
ଯେତେ ମାପିଲେ ବି ମୁଁ ଅଶେଷ
ମତେ ମାପିବାର ଅଭିପ୍ରାୟ
କା’ର ଅଛି ???
ମୁଁ ଗଭୀର ମନର ଦୁର୍ବାର ଦୁଃଆଶା
ମତେ ଯେତେ ସାଇତିଲେ ବି
କର୍ପୂର ପରି ଉଡ଼ିଯାଏ
ତେବେ ସାଇତିବାର ସ୍ପର୍ଦ୍ଧା
ଅଛି କା’ର ???
ମେଞ୍ଚା ମେଞ୍ଚା ଗୁଲ୍ମ ଭିତରୁ
କଅଁଳ ଦୁବ ଘାସଟେ ମୁଁ
ମୋତେ ବାଛିବାର ପ୍ରତ୍ୟାଶା
ଅଛି କା’ର ???
ମୁଁ ଖଣ୍ଡ ଖଣ୍ଡ ଚଲା ବାଦଲରୁ ଖଣ୍ଡେ
କେତେବେଳେ କେଉଁଠି ଯେ ବର୍ଷିବି
ତା’ ଶତ ପ୍ରତିଶତ
ମୋତେ ବାନ୍ଧିବାର ଅବାନ୍ତର
ଉଦ୍ଦେଶ୍ୟ ଅଛି କା’ର !
ମନକୁ ସିଡ଼ି କରି ଆକାଶକୁ
ଚଢୁଥିବା ଗୁଡ଼ିଟିଏ ମୁଁ
ମୋ ପଛେ ପଛେ ତାରାର ଲମ୍ବା ଧାଡ଼ିଟିଏ
ମାଂଜା ସୂତାକୁ ଧରି ମୋତେ
ଟାଣି ଆଣିବାର ବୋଧ
ଅଛି କା’ର ?
କତା ଲଗା ନଡ଼ିଆଟିଏ ମୁଁ
ଯାହାର ଉପର ଯେତିକି ଶକ୍ତ
ଭିତର ସେତିକି ମଧୁର ଆଉ ସିକ୍ତ ।
ମୁଁ ଦିକଦିକ ଜଳୁଥିବା ମହମ ବତୀ ଟିଏ
ଆଲୋକର ସୁନ୍ଦର ବର୍ତ୍ତୀଟିଏ
କାହାକୁ ଜାଳିବା ପାଇଁ ନୁହେଁ
ଅସୀମ ଉଷୁମ ସ୍ପର୍ଶ ହୃଦେ ଭରିଦିଏ ।
ମୁଁ ସୁନ୍ଦର ନାଲି ଚହ ଚହ ଗୋଲାପଟିଏ
ମୋ ଆଶ-ପାଶ ଖାଲି କଣ୍ଟା ଆଉ କଣ୍ଟା
ଅଥଚ ଜୀବନଟା ମୋର ଶ୍ରୀପାଦର
ଭୋଗ ଆଉ ଭାବ ପାଇଁ ବଣ୍ଟା ।।।
କଟକ
Comments are closed.