ସ୍ମୃତି ରଞ୍ଜନ ତ୍ରିପାଠୀ
କଥା ଥିଲା ଗୋଟେ ଫଳନ୍ତି ଗଛରେ
ବସାଟିଏ କରିବା
ଲୁହ କୋରଡରେ ଆଙ୍କିବା
ଆମ ପତ୍ରାୟିତ ପ୍ରେମପକ୍ଷୀର
ପ୍ରଥମ ଉଡାଣ ।
ହାତମୁଠାରୁ ରେଖାସବୁ
ସନ୍ୟାସ ନେଲାବେଳେ
ଆଉ କିଏ ଗଢ଼ୁଥିବ
ଅଦେଖା ହାତର ତ୍ଵରଣ,
ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ
ମୁଁ ଲହୁରେ ଲେଖୁଥିବି ଆମ କଳଙ୍କର ନାଁ
ଠିକ ସେଇ ଡାଳରେ ଯୋଉଠି ଫି ଦିନ
ରଚାହୁଏ ଜୀଇଁବାର ବିକଳ୍ପ ସମ୍ମୋହନ।
ତୁ ଏବେ ତୁ ହୋଇ ନାହୁଁ
ମୁଁ ବି ଅବୁଦ୍ଧ, ଅଶରୀର
ପ୍ରୟାଗରେ ଏବେ ବି ଭାସୁଛି
ଶୁଖିଲା ପତ୍ରର ପାଉଁଶ
କିଏ ଜଣେ ଏବେ ବି ଶବ୍ଦରେ ପିନ୍ଧୁଚି
ପତ୍ରଝଡ଼ା ପରର ଜୀବନ ।