Latest Odisha News

BREAKING NEWS

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ

ସେ ଢ଼ୋକିଦେଲା ସବୁତକ ପାପ ଓଠର
ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ
ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର,
ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ
ସମ୍ଭୋଧିତ କରିବା ଏତେ ସହଜ ନଥିଲା
ଯଦିଚ ବିଶ୍ୱାସକୁ ନିହାଣ ମୁନରେ
ବାରମ୍ବାର ଆଘାତ ଦେଇ
ମୂର୍ତ୍ତିଟିଏ ଗଢିବାର କଳା ବେଶ୍ ଜଣାଥିଲା।

ସବୁ ନୀଡ଼ରେ ନଥାଏ କଳଙ୍କର ଛାଇ,
କିଛି ଧରାଶାୟୀର ଛାତି ଗୁଞ୍ଜିବାର ଠିକଣା,
ଆଉ କିଛି ଆତତାୟୀ ଷଡଯନ୍ତ୍ରର ଗୋପନ ନାଁ ।

ନୀରବତାର କୋଳାହଳରେ ସେ ଜଳେ ଓ ଜଳାଏ
କେବେ ଜ୍ୱାଳାମୁଖୀ ବିରହୀ କୁଟୁମ୍ବର
କେବେ ଶତାବ୍ଦୀର ଅନ୍ତଃସ୍ୱର ବୁଭୁକ୍ଷୁ ଅଗ୍ନିଶିଖାର।

ଏବେ ଘୋଡେ଼ଇ ଦିଆଯାଉ
ଶବ୍ଦର ବାଲିସ୍ତମ୍ଭ ଉପରେ
ପ୍ରତାରଣାର ଚାଦର,
ଲିଭି ଲିଭି ଯାଉ ସବୁ ଆହତ ହେମାଗ୍ନି
ପ୍ରେମର ମଶାଲଟିଏ ଜଳୁଥାଉ ଅହରହ
ସଂକଳ୍ପର ସୁଉଚ୍ଚ ପ୍ରତିବେଦନରେ
ପ୍ରତିଶ୍ରୁତି ସେଇମିତି ଘୁରୁଥାଉ
ଆଉ ଏକ ସୁରକ୍ଷିତ ଗ୍ରହର ଅକ୍ଷପଥରେ।

ଜଟଣୀ, ଖୋର୍ଦ୍ଧା
୯୪୩୮୩୧୫୩୮୨

Leave A Reply

Your email address will not be published.