ସୁବ୍ରତ କୁମାର ଜେନା
ମଲ୍ଲିକା କାହା ପାଇଁ କଣ ମୁଁ ଜାଣେନା,
ତଥାପି କାହିଁକି କେଜାଣି
ଆଜିବି ମୁଁ ତା ବାଟକୁ ଜଗି ବସୁଛି,
ସେ ଆସେ ବେଳେ ବେଳେ
ଜହ୍ନରାତିର ଝାପ୍ସାୟିତ ଆଲୋକ ରୋଷଣୀରେ
କେବେ ପୁଣି ଅମବାସ୍ୟାର କିଟି ମିଟି ତନ୍ଦ୍ରାରେ
ମଲ୍ଲିକାର ଗଜରାର ବାସ୍ନା ବିମୋହିତ କରେ ଅଧଫୁଟା ଗୋଲାପ ପାଖୁଡା ପରି,
ମତେ ଲାଗେ ମଲ୍ଲିକା ଗୀତ ଗାଉଛି
ଆଉ ତା’ ସହ ପବନ ମିଶାଉଛି ବାଦ୍ୟ ଝଙ୍କାର ।
ଆମ ଗାଁ ରେ ଯେବେ ସଞ୍ଜ ନଇଁ ଆସେ
ତାରା ମାନେ ମିଟି ମିଟି କରି ହସନ୍ତି
ମୁଁ ମୋ ଭାବନାର ପସରାକୁ ଖୋଲି ବସେ ବାରଣ୍ଡାରେ
ମୁଁ ଜାଣେ ମଲ୍ଲିକା ଆସିବ
ମୋ ସହ ମିଶି ଖୋଲି ବସିବ କାହାଣୀ ପସରା
ସେତେ ବେଳକୁ ହୁଏତ ଶୋଇ ଅସୁଥିବ ରାତି ଜହ୍ନକୁ ତକିଆ କରି
ଅଧା ନିଦରେ ଘୁଙ୍ଗୁଡ଼ି ନେଉଥିବେ ଚାରିଦିଗ ଓ ଦଶ ଦିଗପାଳ
ମୁଁ କିନ୍ତୁ ସେମିତି ଏକ ଲୟରେ ଚାହିଁ ଭାବୁଥିବି ମଲ୍ଲିକାର କଥାକୁ
ଏମିତିରେ କେତେବେଳେ ଯେ ରାତି ପହିବା ପାହିବା ହେଉଥିବ
ଏ କଥା ଆଦୌ ଜଣା ପଡିବନି ।
ମଲ୍ଲିକା ନଖ ଧାରେ ଚିତ୍ର ଆଙ୍କେ
ଚହଲା ପାଣିରେ ମୁହଁକୁ ଦେଖେ
ସେତ ଚୁଲୁବୁଲି ନାୟିକା ପରି ହସି ହସାଏ
ଯେତେ ଦୁଃଖ ଥାଉ ପଛେ
ମଲ୍ଲିକା ଆସିଲେ ମୋ ମନ ଉପବନ ମହକିତ ହୁଏ ଏକ ଅଜଣା ବାସ୍ନାରେ
ମଲ୍ଲିକା ମୂର୍ଚ୍ଛନା ତୋଳେ ମେଘ ମଲ୍ହାର ସ୍ୱରରେ
ହଠାତ ବର୍ଷା ଆସି ଭିଜାଏ ଗୋଟାପଣେ ତା ଡାକରେ
ମୋ ଭାବନାର ଅନ୍ତ ହୁଏ ସେ ଛିଟାରେ
ଦେଖେ ସବୁ କିଛି ସାମାନ୍ୟ ଯେମିତି ଆଗରୁ ଥିଲା
ଖାଲି ମୁଁ ଯାହା ହଜିଯାଇଥିଲି ଅଜଣା ଭାବନା ରାଜ୍ୟରେ
ମୋ ମନର ନେପଥ୍ୟ ନାୟିକା ମଲ୍ଲିକା ।।
ଶୂରଡିହ,ନନ୍ଦିପୁର, ଯାଜପୁର
ଦୂରଭାଷ-୯୭୭୬୨୦୮୯୩୦
Comments are closed.