Latest Odisha News

BREAKING NEWS

କବିତା : ସ୍ବପ୍ନ ସବାରୀ

ତଫିଜୁଲ ହୋସେନ

 

ଲକ୍ଷ ଲକ୍ଷ ସ୍ବପ୍ନ ଏମିତି ଏକା ସାଙ୍ଗରେ
ପ୍ରତ୍ୟହ ଲକ୍ଷ୍ୟ ସ୍ଥଳ ସନ୍ଧାନରେ ବାହାରନ୍ତି
କିଛି ଲୁହ, କିଛି କୋହ, କିଛି ଆଶା ଓ ଆଶଙ୍କାକୁ
ନିଜ ହୃଦୟର ସନ୍ଧିରେ ଜାବୁଡ଼ି
କିଏ ଜାଣିଛି ସେମାନେ କେଉଁ ଘନ ଅନ୍ଧାର ମଧ୍ୟରେ
କେଉଁ ଅଜଣା ରାଇଜରେ କିମ୍ବା
କେଉଁ ଶଶ୍ମାନର ନିରବତା ମଧ୍ୟରେ
ହଜି ଯାଇଛନ୍ତି ନା,
ଦପ୍ ଦପ୍ କରୁଥିବା ସୂର୍ଯ୍ୟର ଆଲୋକ ରଶ୍ମି ମଧ୍ୟରେ ।

ଏକ ନୂତନ ଅଧ୍ୟାୟ ରଚନା ପାଇଁ
ଶବ୍ଦ ଅନୁସନ୍ଧାନରେ ବିଭୋର ଅଛନ୍ତି
ଏହା ଏକ ପୁନଃ ପୁନଃ ପ୍ରକ୍ରିୟାକରଣ
ଲୌହ ସକଟର ଏକ ଆବଦ୍ଧ କୋଠରୀରୁ
ଏଭଳି ଅନେକ ସ୍ବପ୍ନ ପ୍ରତ୍ୟହଃ ଉଙ୍କି ମାରନ୍ତି ।

ଝରକା ସେପାଖରୁ ଏପାଖ ଧାବମାନ
ଜଡ଼ ଓ ଜୀବ ମଧ୍ୟରେ ଅନ୍ବେଷଣର ଅଭିପ୍ସା ନେଇ
ସର୍ବଦା କୋଳାହଳ କରୁଥିବା ପୃଥିବୀ
କାହିଁକି କେଜାଣି ନୀରବତା ଅବଲମ୍ବନ କରେ
କେବଳ ସକଟର ଶବ୍ଦ କେବେ କାହା ପାଇଁ
ମଧୁର ମୂର୍ଚ୍ଛନାର ତାନ ଭରେ ତ ପୁଣି
କାହାପାଇଁ ଏକ ପ୍ରହେଳିକା ଭଳି
ସମଗ୍ର ସରୀରକୁ ଆବୋରି
ମାୟାର ଇନ୍ଦ୍ରଜାଲରେ ଛନ୍ଦି ଛଟପଟ କରେ।

କ୍ଷୀପ୍ର ଗତିରେ ଧାବମାନ ସ୍ବପ୍ନ ଗୁଡ଼ିକ
ଏମିତି ଏକତ୍ରିତ ହୋଇ ବୁହା ହୋଇ ଯାତ୍ରା କରନ୍ତି
କେଉଁଠି ଶୀତତାପ ନିୟନ୍ତ୍ରିତ ଡବାରେ ତ କେଉଁଠି
ତମାମ ଜଞ୍ଜାଳକୁ ଏକତ୍ରିତ କରିଥିବା
ସାଧାରଣ ଏକ ଅବ୍ୟବସ୍ଥିତ ପଞ୍ଜୁରୀ ମଧ୍ୟରେ
କିଛି ଓହଳି ଥାନ୍ତି ହତଭାଗା ଭାଗ୍ୟକୁ ଆଦରି
ନିଶ୍ଚୟ ସାକାର ହେବ ସେମାନଙ୍କ ସ୍ବପ୍ନ
ନିଶ୍ଚିତ ଥାନ୍ତି ସେମାନେ ଏକ ପ୍ରକାର
ମୁଠାଏ କୋହ ଓ ଆଞ୍ଜୁଳାଏ ଲୁହକୁ ଧରି ।

Comments are closed.