Latest Odisha News

BREAKING NEWS

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା

ଶୀତ ଋତୁ ତୁମର ପସନ୍ଦ ଭାରି
ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ
ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି
ତୁମକୁ ସବୁଠାରୁ ବେଶୀ ଭଲପାଏ
ଏବଂ ସଦାବେଳେ ତୁମ କଥା ଭାବେ।

ଯେ କୌଣସି ଋତୁ, ମାସ, ବରଷା
ବା ବରଫଠୁ ବଳି
ମନୋରମ ସାନିଧ୍ୟ ତୁମରି
କାର୍ଡିଗାନ ନୁହେଁ, ଦେହର ଉଷ୍ମତା ଦେଇ
ମୁଁ ତୁମକୁ ଘୋଡ଼େଇ,
ଶୀତ ହେଲେ ଗରମ ପୋଷାକ ପାଲଟେ ମୁଁ
ଖାଲି ତୁମ ପାଇଁ
ଶୀତ ଦିନ କ୍ରିମ ଅବା ଅନ୍ୟ ତୁଚ୍ଛ ପ୍ରସାଧନ
ସେ ସବୁତ କିଛି ଲୋଡ଼ା ନାହିଁ ।

ତୁମକୁ ମୁଁ କରିବାକୁ ଚାହେଁ
ଅପରୂପ ସୁନ୍ଦରୀ ମୋ ନିବିଡ଼ ଚୁମ୍ବନେ
ଶୀତ ଯେଉଁ ଶୋଭା ଓ ଲାବଣ୍ୟ ଦିଏ
ତୁମ ଶରୀରରେ, ତୁମରି ସୁକାନ୍ତି ପାଇଁ
ମୁଁ ହେବି ଶୀତ ଆଉ ତାର ବିଭିନ୍ନ ରୂପ,
ହେବି ମୁହିଁ ଖାଲି ତୁମ ପାଇଁ
ଏ ଶୀତରେ ଗରମ ରେଜାଇ
ଏବଂ ଏଇ ସକାଳର ଉପାଦେୟ ଖରା
ଲୋଡ଼ା ତୁମ ସୂର୍ଯ୍ୟ_ସ୍ନାନ ପାଇଁ
ମୁଁ ଜାଣିଛି ନଗ୍ନତା ହିଁ ଶୀତର ସ୍ୱଭାବ
ତେଣୁ ମୁଁ ପୋଷାକ ହୋଇ
ଢାଙ୍କି ଦେବି ତୁମ ନଗ୍ନ ଦେହ ।
ଅବହେଳା କରି ତୁମେ
ଫିଙ୍ଗି ଦେବ ଯଦି ମୋତେ
ଘାସରେ ଶିଶିର ହୋଇ
ଛୁଇଁବି ମୁଁ ତୁମ ପାଦ ଦ୍ୱୟ
ପାଲଟିବି ତୁମ ପାଦେ ଅଙ୍କା ସେଇ
ରଙ୍ଗୀନ ଅଳତାର ଧାର
ଏଇ ଶୀତ ସମୟରେ
ତୁମରି ସଘନ ଉଷ୍ମତା ଛଡ଼ା
ଅନ୍ୟ କିଛି ନୂଆବର୍ଷ ଉପହାର
ଲୋଡ଼ା ନାହିଁ ମୋର।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.