Latest Odisha News

ଅନୁବାଦ କବିତା : ସାବଧାନ

ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ

ମୁଁ ସେଇ ମଣିଷ
ମତେ ଭଲ କରି ଦେଖ
ମୁଁ ଫେରି ଆସିଛି
ମୋ କପାଳରେ ରକ୍ତ ;
ବାଷ୍ପରୁଦ୍ଧ ଗଳାରେ
ବସ ଓଲାଟାଇ ଦେଇଥିବା
ବିପଦଜ୍ଜନକ ରାସ୍ତା ଦେଇ ଫେରି ଆସିଛି ।

ମୁଁ ମାଛ ବିହୀନ ଭାତଥାଳି
ସାମନାରେ ବସିଛି
ରେସନ୍ ଦୋକାନର ଚାଉଳ ପାଇଁ
ଲମ୍ବା ଧାଡ଼ିରେ ଛିଡ଼ା ହୋଇଛି
ମୋ ବାଳରେ ଭେଜାଲ ତେଲର ଗନ୍ଧ
ମୋର ନିଃଶ୍ୱାସ !

ରାସ୍ତାରେ ଛୋଟ ପିଲାଟିଏ ବାନ୍ତି କଲା
ମୁଁ ତାର ମୃତ୍ୟୁ ପାଇଁ ଦାୟୀ
ବାଡ଼ି ପଟ ଦ୍ଵାର ଦେଇ ବସ୍ତା ଭର୍ତ୍ତି
ଟଙ୍କା ଲାଞ୍ଚ ନେଉଥିଲା ଯେଉଁ ଲୋକଟା
ମୁଁ ତାର ହତ୍ୟା ପାଇଁ ଦାୟୀ
ମୁଁ ପୋଲିସର ମୂର୍ଖାମି ଦେଖି
ଖୋଲାଖୋଲି ପ୍ରକାଶ୍ୟରେ
ଜୋରରେ ହସାହସି କରିବି
ନେହେରୁଙ୍କ ଉଇଲ ସମ୍ପର୍କରେ
ଟ୍ରାମ୍ ବସରେ ଥଟ୍ଟା ପରିହାସ
କରୁଥିବା ଲୋକଙ୍କ କଥା ଶୁଣିବି
ବିବିଧ ରଙ୍ଗ ଓ ସ୍ଲୋଗାନ ଦେଇ
ଯାଉଥିବା ଶବଯାତ୍ରା ମାନ ଦେଖି
ମୋର ଟିକିଏ ବି ଆସିବନି ଦୟା
ମୁଁ ଝିଅଟି ପାଖକୁ ଯାଇ
ତା’ ଓଠରେ ନୀରବରେ ଚୁମାଟିଏ ଦେବି

ସଶରୀରେ ବିଛଣାରେ ଶୋଇ
ଆମେ ଦୁହେଁ ବିଭିନ୍ନ ଢଙ୍ଗରେ
କାନ୍ଦିବୁ ସକେଇ ସକେଇ
କାହିଁକିନା ପରଦିନ ଆମକୁ
ଠିକଠାକ୍ ବଞ୍ଚି ଉଠିବାକୁ
ହେବ, ସେଇଥି ପାଇଁ।

ମୋର ଗଳା ପରିଷ୍କାର
ମୁଁ ସ୍ବଷ୍ଟ କଥା କହିବି
ସମସ୍ତ ପୃଥିବୀର ମେଘୁଆ ଆକାଶ ତଳେ
ଛିଡ଼ା ହୋଇ ଜଣେ ମଣିଷ
କ୍ରୋଧ ଓ କ୍ରନ୍ଦନ ପରେ
ସ୍ନାନ ସାରି, ଶୁଦ୍ଧ ହୋଇ,
ମୁଁ ଆଜି ଉଚ୍ଚାରଣ କରିବି
ସେଇ ପରମ ମନ୍ତ୍ରଧ୍ୱନି
ମତେ ବଞ୍ଚିବାକୁ ନଦେଲେ
ଏ ପୃଥିବୀ ବି ଆଉ ବଞ୍ଚିବନି ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.