Latest Odisha News

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ସୁନୀଲଗଙ୍ଗୋପାଧ୍ୟାୟ( (୧୯୩୪--୨୦୧୨) ଆମ ପଡ଼ୋଶୀ ବଙ୍ଗଳା ରାଜ୍ୟର ଜଣେ ପ୍ରତିଷ୍ଠିତ କବି, ଗାଳ୍ପିକ, ଉପନ୍ୟାସିକ,ଲେଖକ। ସେ ନୀରା ନାମକ ଏକ କାଳ୍ପନିକ ନାୟିକା/ ନାରୀ ଚରିତ୍ରକୁ ନେଇ ଅନେକ କବିତା ଲେଖିଛନ୍ତି। ଆମ ସାହିତ୍ୟରେ ମୋର ସହପାଠୀ ବନ୍ଧୁ,ଦିବଂଗତ କବି ସୌରିନ୍ଦ୍ର ବାରିକ ମଧ୍ୟ ନତି ନାମକ ଏକ କାଳ୍ପନିକ ନାରୀକୁ ନେଇ ଅନେକ କବିତା ଲେଖିଛନ୍ତି। ଆମର ବିଦଗ୍ଧ କବି, ପାଠକ ଓ ସମାଲୋଚକ ମାନେ ଏଇ ଦୁଇ ପ୍ରଖ୍ୟାତ କବିଙ୍କର ଏଇ କବିତା ଗୁଡ଼ିକର ଆଲୋଚନା, ସମାଲୋଚନା ଓ ସ୍ବାଦ ସମ୍ବନ୍ଧରେ ଅନ୍ୟ ସାଧାରଣ ପାଠକଙ୍କୁ ଅମୋଦିତ କରିବାକୁ ଅନୁବାଦକର ଅନୁରୋଧ ।

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ 

ଶିଶିର ଭିଜା ଘାସ ଉପରେ
ତୁମର ଚମ୍ପା ରଙ୍ଗର ପାଦ
ତୁମ ଆଖିରେ ଆଖି ମିଳାଇଛି
ସଦ୍ୟ ଫୁଟା ଦୁଇ ଫୁଲ
ସେଇ ମୁହୂର୍ତ୍ତରେ ନୀରା
ତୁମେ ବୁଝିପାରିଲନି
ଫୁଲକୁ ଛାଡ଼ି କହୁଛି ଭ୍ରମର
କିଶୋରୀକୁ ଛୁଇଁବାର
ଅଭିଳାଷ ତାର।

ଯୁବତୀ ଥିଲ, କେଉଁ ପୁଣ୍ୟବଳରେ
ପୁଣି କିଶୋରୀ ହେଲ,
ନଦୀ କୂଳରେ ନଗ୍ନ ବାହୁଲତା
ମେଲାଇ ଦେଲ
ଆକାଶ ବି ଅଟକି ଚାହିଁଲା
ସମୟ ବି ବାଟ ଭୁଲିଗଲା।
ଆଖିରେ ତୁମର
ସ୍ବର୍ଗର ସ୍ମୃତିର ଝଲକ
ଓଠରେ ଅମରତ୍ଵର ପୁଲକ।
ଠିକ୍ ସେମିତି କିଛି ସମୟ
ଛିଡ଼ା ହୋଇ ରୁହ ନୀରା
କଥାଟା ଯେମିତି ମିଛ ବୋଲି ଲାଗିବନି
ଛବିଟା ଯେମିତି ମିଳାଇ ଯିବନି
ସମୟ ବଡ଼ ଜିଦଖୋର୍
ଏବେ କାଳର ପ୍ରହରୀମାନେ
ନତ ଜାନୁ ହୋଇ
ତୁମ ପାଦ ଯୁଗଳକୁ ରଖନ୍ତୁ ଜଡ଼ାଇ।

ଅନୁବାଦ: ମନୋରଞ୍ଜନ ହୋତା

Comments are closed.