Latest Odisha News

ଅନୁବାଦ କବିତା : ସ୍ମୃତିର ସହର

ବଙ୍ଗଳାର ସୁଖ୍ୟାତ କବି ଓ ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟ ନୀରା ନାମକ ଏକ କାଳ୍ପନିକ ନାରୀକୁ ନେଇ ଯେମିତି ଅନେକ ଗୁଡ଼ିଏ କବିତା ଲେଖିଛନ୍ତି,ସେମିତି “ସ୍ମୃତିର ସହର” ଶୀର୍ଷକରେ ୧,୨,୩,୪ ସଂଖ୍ୟା ଦେଇ ଅନେକ କବିତା ଲେଖିଛନ୍ତି ଏବଂ ସେ ଗୁଡିକ ଏକ ପୁସ୍ତକ ଆକାରରେ ୧୯୮୩ ମସିହାରେ ଏହି ନାମରେ ପ୍ରକାଶିତ। ନିମ୍ନରେ ସେଇ ଶୃଙ୍ଖଳାର ୧୫ ନମ୍ବର କବିତାର ଓଡ଼ିଆ ଅନୁବାଦ।

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ

ଦିନେ କିଏ ଆସି କହିବ
ତୁମ ଡ୍ରଇଂ ରୁମରେ
ଚେୟାର ଟିଏ ପଡ଼ିବାର ଜାଗାଅଛି
ମୁଁ ମୋ ଖଟଟା ଆଣି
ସେଇଠି ପକାଇ ଶୋଇବି
ଗଛତଳେ ମୋତେ ଆଉ
ଭଲ ଲାଗୁନାହିଁ।

ଦିନେ କିଏ ଆସି କହିବ
ତୁମ ଭାତ ଥାଳିରୁ ମୁଁ
ତିନି ଗୁଣ୍ଡା ନେବି
କାରଣ ମୋର ଥାଳି ହିଁ ନାହିଁ,
ମୋ ପେଟରେ ଅନାହାରର ନିଆଁ
ଧିକ ଧିକ ହେଇ କୁହୁଳୁଛି
ମୋତେ ସେଇଟା ଭଲ ଲାଗୁନାହିଁ।

ଗାଡି ରହୁଥିବା ଗ୍ୟାରେଜ ପାଖରୁ
ତିନୋଟି ଧୂଳି ଧୂସରିଆ ପିଲା
ଦୌଡ଼ି ଆସି କହିବେ, ଆଗୋ,
ଆମର ବାସିରୁଟି ଦରକାର ନାହିଁ
ସୁଉକି, ଅଧୁଲିଟିଏ ବି ଲୋଡା ନାହିଁ
ଆମକୁ ବାଦାମୀ ରଙ୍ଗର ପେଣ୍ଟ
ଏବଂ ଧଳା ସାର୍ଟ ପିନ୍ଧାଇ
ମୁଣ୍ଡବାଳ କୁଣ୍ଡାଇ ଦେଇ
ଆମ ଗାଲକୁ ଚିପିଦେଇ କୁହ
ହୁସିଆରରେ ,ଦେଖି ଚାହିଁ
ଆମେ ବି ଇସ୍କୁଲ୍ ଯିବୁ।

ଦିନେ କୋଇଲା ଖଣିର ଅନ୍ଧକାରରୁ
ଉଠି ଆସିବ ଜଣେ କଳାମଣିଷ
ସେ ଅବାକ୍ ହୋଇ କହିବ
ୟେ କଣ?
ମୋ ପାଇଁ ଶୋକସଭା କାହିଁକି ହେଉନି?
ଡ଼ିନାମାଇଟ ନେଇ ମୁଁ ଯାଇଥିଲି
ଗଭୀରରୁ ଗଭୀରତମ ଭୂତଳକୁ
ମୁଁ ଫେରିନାହିଁ, କିନ୍ତୁ ତୁମ ପାଇଁ
ଇନ୍ଧନତ ଆସିଛି।

ମୋ ନାମରେ ସହରର
କୌଣସି ରାସ୍ତାର
ନାମ ରଖିନାହଁ କାହିଁକି?
ଆଉ ଏ ସବୁ ରାସ୍ତାମାନ
କାହା ନାମରେ ନାମିତ?
ମୁଁ ତ ତାଙ୍କୁ କେବେ ଦେଖିନାହିଁ
ଜାଣିନାହିଁ,
କିଏ ସେଇ ଅପରିଚିତ?

ଦିନେ ଧାନବିଲ ଭିତରୁ
କାଦୁଅ ପାଣିରେ ଭିଜା ଜଣେ ମଣିଷ
ନିଜଠୁ ଅଧିକ ଲମ୍ବା ହୋଇଯାଇ
ଗଳା ଫଟାଇ କହିବ
ତୁମେ ଯେଉଁମାନେ, କେବେବି
ପାଣି କାଦୁଅରେ ଘାଣ୍ଟି ହୋଇନାହଁ
ମାଟିର କୌଣସି ଡାକରା
କେବେ ବି ଶୁଣି ନାହଁ, ଜାଣିନାହଁ
ଝାଳ, ରକ୍ତ, ଉତ୍କଣ୍ଠା ରେ
ସବୁଜ ହୁଏ ସୁନେଲି
ସେଇ ତୁମେ ମାନେ ହିଁ
ବିଲରୁ ଶସ୍ୟ ନେଇ
ଚୋରି ଡକାୟତି କର
ଆଉ ଆମ ପିଲାମାନେ
ରହନ୍ତି ଭୋକ ଉପାସରେ
ଲଜ୍ଜା ନାହିଁ ତୁମର?

ମୁଁ ଆସୁଛି…

ଅନୁବାଦ: ମନୋରଞ୍ଜନ ହୋତା

Comments are closed.