Latest Odisha News

ସନେଟ : ସମୁଦ୍ର

ରବି ପଣ୍ଡା 

ତମେ ନୀ, ମୁଁ’ ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ
ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ
ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା ‘ଚଳପ୍ରଚଳ
ବିଚଳିତ ମନ ଯା’ର, ସେ’କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ!

କଅଣ କରିବି କୁହ, ଯେତେ ଯେତେ କରିଚି ମୁଁ ପ୍ରୟାସ ସତରେ
ମୁଁ ଯେତେ ପହୁଞ୍ଚ ହୁଏ, ତମେ ସେତେ ଅପହଞ୍ଚ ହୁଅ କ’ଣ ପାଇଁ !
ବତାସର ତ୍ରାସ ହେଇ,ଯେବେ ଉଠେ କାମନାର ଉଚ୍ଚ ଉତ୍ତାଳରେ
ହଠାତ ତମେ ଶାନ୍ତହୁଅ, ଆବେଗ ଓ ଉତ୍ତାପକୁ ଜଳାଞ୍ଜଳି ଦେଇ।

ତମେ ଯେଉଁ ଜ୍ୱାଳା ଦିଅ, ଅସମ୍ଭବ ସହିବା ସେ ସୂର୍ଯ୍ୟର ଉତ୍ତାପ
ସେ ଜ୍ୱଳନ ଏତେ ଅସହ୍ଯ ଯେ, ବହୁଥାଏ ଗରମ ପବନ
ସେସବୁ ମୋ ଉତ୍ତେଜନା, ଦୀର୍ଘଶ୍ୱାସ ମିଶ୍ରଣର ଘନୀଭୁତ ବାଷ୍ପ
ସେ ବାଷ୍ପକୁ ଛାତିରେ ଧରି, ଭାବିନିଅ ଏହା ମୋର ଉଡ଼ନ୍ତା ଚୁମ୍ବନ।

ମୁଁ ସମୁଦ୍ର, ହେ’ଆକାଶ, ତମେ ମୋର ଅଭିଳାଷ, ଚିରନ୍ତନ ଶୋଷ
ସେ ଶୋଷ ସରେନା ବୋଲି, କରୁଥାଏ ତମ ସହ ନିତ୍ୟ ସହବାସ।

Comments are closed.