Latest Odisha News

BREAKING NEWS

ଗଳ୍ପ : ଝୁଣ୍ଟିଆ

ଅଳକା ମହାପାତ୍ର 

ଆନନ୍ଦ ଉଲ୍ଲାସରେ ଆଜି ଝିଅର ନିର୍ବନ୍ଧ ତଥା ଅଳଙ୍କାର ଧାରଣ ସମାରୋହ ସମାପନ ହୋଇଯାଇଛି । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସମସ୍ତଙ୍କ ଉପସ୍ଥିତି ଓ ଆଶୀର୍ବାଦ ସମାରୋହକୁ ସମୃଦ୍ଧ କରି ଦେଇଥିଲା । ଉପଯୁକ୍ତ ନୂତନ ବନ୍ଧୁ ତଥା ଉପଯୁକ୍ତ ପାତ୍ର ପାଇ ସମସ୍ତଙ୍କ ମନ ଖୁସି ହୋଇ ଯାଇଥାଏ ।

ସମାରୋହ ଉପରାନ୍ତେ ସନ୍ଧ୍ୟାରେ ଘରକୁ ଫେରିଲୁ ସମସ୍ତେ, ଥକ୍କାପଣ ଥିବା ସତ୍ତ୍ବେ ଖୁସି ଗପରେ ମଜ୍ଜି ଯାଇଛୁ । ଏହି ସମୟରେ ଝିଅ ଆସି କହୁଛି ମା, ମୋ ଗୋଡ଼ ଝୁଣ୍ଟିଆଟି ବୋଧେ ଟାଇଟ ହୋଇ ଯାଇଛି, କଷ୍ଟ ହେଉଛି । ତା ଅଳତା ବୋଳା ପାଦରେ ନୂଆ ପାଉଁଜି, ନୂଆ ଝୁଣ୍ଟିଆ ଖୁବ ସୁନ୍ଦର ଦିଶୁଛି, ସତେ କି ମା ଲକ୍ଷ୍ମୀଙ୍କ ପାଦ ଯୁଗଳ । ମୋ କୋଳ ଉପରେ ତା” ପାଦଟିକୁ ରଖି, ଝୁଣ୍ଟିଆକୁ ଟିକିଏ ହୁଗୁଳା କରିବାକୁ ଯାଉଛି , ଦେଖିଲି ଝିଅର ବାପା, ହାତରେ ପ୍ଲାସ, ଚିମୁଟା, ଇତ୍ୟାଦି ଧରି ମୋତେ କହୁଛନ୍ତି ରୁହ ରୁହ ଆସ୍ତେ ଆସ୍ତେ ହୁଗୁଳା କରିବା ।

ଆଶ୍ଚର୍ଯ୍ୟ ହୋଇ ଅନାଇଲି ତାଙ୍କୁ, ପଚାରିଲି କଣ ହେଲା ? ଏସବୁ କଣ ପାଇଁ ଆଣିଛ ? କହିଲେ ଝିଅର ଝୁଣ୍ଟିଆ ହୁଗୁଳା କରିବାକୁ କେଉଁଟି ଆବଶ୍ୟକ ପଡିପାରେ, ପ୍ରଥମେ ଝୁଣ୍ଟିଆ ଭିତରେ ସୂତା ପୁରେଇ ପ୍ଲାସ୍ ରେ ଧୀରେ ଧୀରେ ଦୁଇ ପଟରୁ ସୂତାକୁ ଟାଣିଲେ ଝିଅକୁ କଷ୍ଟ ହେବନି, ଝୁଣ୍ଟିଆ ହୁଗୁଳା ହୋଇଯିବ, ନ ହେଲେ ଅନ୍ୟ ଉପାୟ ଚିନ୍ତା କରିବା । ଝିଅକୁ ମଶା କି ପିମ୍ପୁଡ଼ି କାମୁଡ଼ିଲେ ଯେଉଁ ବାପା ସହି ନ ପାରି ସଙ୍ଗେ ସଙ୍ଗେ ବରୋପ୍ଳସ ଲଗାନ୍ତି, ସେ ଝିଅ ଆଙ୍ଗୁଠିରେ ଝୁଣ୍ଟିଆ ଫୁଟିଯିବା କେମିତି ବା ସହିବେ ? ତାଙ୍କ ବ୍ୟାକୁଳତା ଦେଖି ମୋ ମନରେ ଅନେକ ଭାବାନ୍ତର ସୃଷ୍ଟି ହେଲା । ଝିଅ ଏବେ ବାସ୍ତବ ଜୀବନରେ ପାଦ ଥାପିବାକୁ ଯାଉଛି, ଯେଉଁଟା କି ବାପାଙ୍କ ‌କୋମଳ ସୁରକ୍ଷା ବଳୟଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୀବନର ଚଲାପଥ ଯେ କେତେବେଳେ କୁସୁମିତ ତ କେତେବେଳେ କଙ୍କରିତ । କେତେବେଳେ ଜୀବନ ସୁନ୍ଦର, ସ୍ନିଗ୍ଧ, ସୁବାସଭରା ଗୋଲାପ ପରି ମଧୁର ହୋଇ ଉଠିବ ତ କେତେବେଳେ କଣ୍ଟାରେ ଲହୁ ଲୁହାଣ ହୋଇଯିବ ।

“ଝିଅ ଜନମ ପର ଘରକୁ” ଝିଅ ଜନ୍ମ ହେବା ପରଠୁ ସମସ୍ତେ ଜାଣନ୍ତି କିନ୍ତୁ ଉକ୍ତିଟି ଯେତେବେଳେ ସତ୍ୟ ହୋଇଯାଏ, ବଡ଼ କଠିନ ହୋଇପଡେ ସେହି ମୁହୂର୍ତ୍ତ ଗୁଡ଼ା । ଏଡୁରୁ ଏଡୁଟିଏ କରି ବଢେଇ ଥିବା ନୟନ ପିତୁଳାକୁ ଅନ୍ୟ ଘର, ଅନ୍ୟ ପରିବାରକୁ ପଠେଇବାକୁ ହୁଏ ।ଏହା ସୃଷ୍ଟିର ନିୟମ, ମୁଁ ବି ଏମିତି ଦିନେ ଆସିଥିଲି,ମୋ ମାଆ,ଜେଜେମା ତାଙ୍କ ମା ମାନେ ବି ଆସିଥିଲେ । କିନ୍ତୁ ବହୁ କଷ୍ଟକର ସମୟ ୟେ, କି ନିଷ୍ଠୁର ବାସ୍ତବତା ! କିଛି ଦିନ ପରେ ହୁଏତ ସାମାନ୍ୟ ହୋଇଯିବ ସବୁ କିନ୍ତୁ ଆଜି “ଝିଅ ଶାଶୁଘର ଚାଲିଯିବ” ଏଇ ଭାବନାରେ କଲିଜା ଥରି ଯାଉଛି, ଭାରାକ୍ରାନ୍ତ ହୋଇଯାଉଛି ମନ ।

ଅଜାଣତରେ ମୋ ଆଖିରୁ ଲୁହ ବୋହି ଯାଇଛି, ଧିରେ ଧିରେ ବାପଝିଅ,ଜେଜେବାପା, ପିଉସୀ, ଭାଇଭଉଣୀ ସମସ୍ତଙ୍କ ଆଖିକୁ ସଂକ୍ରମିତ ହୋଇଯାଇଛି ଲୁହ । ଗାମ୍ଭିର୍ଯ୍ୟରେ ଭରିଯାଇଛି ପରିବେଶ,କାହାରି ମୁହଁରେ ଶଦ୍ଦ ନାହିଁ । ୟା ଭିତରେ ହୁଗୁଳା ହୋଇ ଯାଇଛି ଝୁଣ୍ଟିଆ, ଆଙ୍ଗୁଠିରେ ଅଏଣ୍ଟମେଣ୍ଟ ଟିକେ ଲଗେଇ ଦେଇ ଲୋତକଭରା ଆଖିରେ ଝୁଣ୍ଟିଆକୁ ଚାହୁଁଛନ୍ତି ବାପା ।

ସମ୍ବଲପୁର

Leave A Reply

Your email address will not be published.