Latest Odisha News

BREAKING NEWS

ଗଳ୍ପ : ମୃତ ପ୍ରଜାପତି

ପ୍ରସେନଜିତ୍ ସେଠୀ 

ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ ହୋଇଯାଏ। ଅନ୍ୟ ପକ୍ଷଯୁକ୍ତ ପ୍ରାଣୀ କିମ୍ବା କୀଟ ପତଙ୍ଗଙ୍କ ପରି ସେ ବେଶୀ ଉଚ୍ଚରେ ଉଡେନି। ବୋଧେ ସେ ତାର ସୌନ୍ଦର୍ଯ୍ୟରେ ସମସ୍ତ ମାନବ ଜାତିକୁ ଆକର୍ଷିତ କରିବାକୁ ଚାହେଁ। ମୁଁ ପ୍ରତିଦିନ ପ୍ରାତଃ ଭ୍ରମଣରେ ଗଲା ବେଳେ ରାସ୍ତା କଡ଼ରେ ଥିବା ଗଛ ଓ ଘାସ ଉପରେ ନଜର ରଖିଥାଏ, କାଳେ କିଛି ନୂଆ ଦେଖିବାକୁ ମିଳିବ ବୋଲି। ସବୁ ଦିନ କିଛି ମିଳୁ କି ନ ମିଳୁ, ମୋ ଦୃଷ୍ଟି ଆକର୍ଷଣ କରନ୍ତି କୋଉଠି ଘାସରେ କିମ୍ବା ଫୁଲରେ ବସିଥିବା ପ୍ରଜାପତିମାନେ। ଭାରି ଭଲ ଲାଗେ ଦେଖି ସେମାନଙ୍କୁ। ଆହୁରି ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରେ ସେମାନଙ୍କର, ହେଲେ ‘ ପରଜା ପତି, ତରକା ଅତି’ର ଉକ୍ତିକୁ ଯଥାର୍ଥତା ଦେଇ ସେମାନେ ଉଡ଼ି ଯାଆନ୍ତି ଆଉ କିଛି ଦୂରକୁ। ମୁଁ ସେମାନଙ୍କ ପଛରେ ଧିରେ ଧିରେ ଅତ୍ୟନ୍ତ ସତର୍କତାର ସହିତ ଯାଏ, ସେମାନଙ୍କୁ ନିଜ ଫୋନ୍ ର କ୍ୟାମେରାରେ ଆବଦ୍ଧ କରିବାକୁ ଚାହେଁ। ହେଲେ ଫଳ କିଛି ହୁଏନି। ମୁହଁରେ ଏକ ପରାଜୟ ଓ ଶୈଶବ ସୁଲଭତାର ସ୍ମିତହାସ୍ୟ ଖେଳିଯାଏ। ମୁଁ ପୁଣି ଆଗକୁ ଚାଲିଯାଏ ମୋ ଗନ୍ତବ୍ୟ ପଥରେ।

ସେଦିନ ସେମିତି ପ୍ରାତଃ ଭ୍ରମଣରେ ଯାଇଥାଏ। ହଠାତ୍ ଏକ ସୁନ୍ଦର ପ୍ରଜାପତିଟିଏ ଦେଖି ମୁଁ ଅଟକି ଗଲି। ତାର ରଙ୍ଗୀନ ପକ୍ଷ ଦୁଇଟି ମୋତେ ବିସ୍ମିତ କଲା। ଏମିତି ପ୍ରଜାପତିଟିଏ, ବୋଧେ ମୁଁ ପ୍ରଥମ ଥର ପାଇଁ ଦେଖୁଥିଲି। ମୁଁ ତା ନିକଟକୁ ଯିବାକୁ ଚେଷ୍ଟା କଲି। ବେଶୀ ନିକଟକୁ ଗଲେ କାଳେ ଉଡ଼ିଯିବ, ତେଣୁ ଦୂରରୁ ଏକ ଫଟୋ ଉଠେଇଲି। ହେଲେ ପ୍ରଜାପତିଟି ଏବେ ବି ସ୍ଥିର ଥାଏ, ଅନ୍ୟ ପ୍ରଜାପତିମାନେ କୋଉଠି ବସିବା ସମୟରେ ଯେପରି ପଙ୍ଖ ହଲାନ୍ତି, ସେମିତି ବି ହଲାଉ ନଥାଏ, ସେ ସମ୍ପୂର୍ଣ୍ଣ ସ୍ଥିର ଥାଏ। ମୁଁ ଏଥର ତାର ସମ୍ପୂର୍ଣ୍ଣ ନିକଟରେ। ନିଜ ଇଚ୍ଛା ମୁତାବକ ବିଭିନ୍ନ କୋଣରୁ ତାର ଫଟୋ ଉଠେଇବାରେ ମୁଁ ବ୍ୟସ୍ତ ଥାଏ, ନିଜ ଫଟୋଗ୍ରାଫି ସ୍କିଲ୍ ପାଇଁ ମୋର ନିଜ ଉପରେ ଗର୍ବ ଆସୁଥାଏ। ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ପ୍ରସାର କଲେ କେତେ ପ୍ରଶଂସା ନ ମିଳିବ ମୁଁ ଭାବୁଥାଏ। ଏଥର ଏକ ସାମାନ୍ୟ ପବନର ଝଟକାରେ ପ୍ରଜାପତିଟି ଟଳି ପଡ଼ିଲା। ମୁଁ ତାକୁ ଉଠାଇଲି, ହେଲେ ସେ ମରି ସାରିଥିଲା କେବେଠୁ, ମୁଁ ଏକ ମୃତ ପ୍ରଜାପତିର ସୌନ୍ଦର୍ଯ୍ୟକୁ ମୋ କ୍ୟାମେରାରେ ଆବଦ୍ଧ କରି ପାରିଥିଲି ମାତ୍ର, ଯାହାକି ବହୁତ୍ ସୁନ୍ଦର୍ ଥିଲା।

ସେଦିନ ସନ୍ଧ୍ୟାରେ ଏକ ଶୋକସଭାକୁ ଯାଇଥିଲି, ଲୋକମାନେ ମୃତ ବ୍ୟକ୍ତିଙ୍କ ଗୁଣଗାନରେ ବ୍ୟସ୍ତ ଥିଲେ, ଠିକ୍ ମୁଁ ସେ ମଲା ପ୍ରଜାପତିଟିର ସୋନ୍ଦର୍ଯ୍ୟକୁ କ୍ୟାମେରାରେ ଆବଦ୍ଧ କଲା ପରି!!

ବାଲିଆ, ଗୋପୀନାଥପୁର, ଜଗତସିଂହପୁର

Leave A Reply

Your email address will not be published.