ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

0
17

ସଖା !
ଏହି ସମ୍ବୋଧନ ତୁମ ପାଇଁ ପ୍ରଯୁଜ୍ୟ ବୋଲି ଖୁବ୍ ପିଲାବେଳୁ ବୁଝେଇ ଦେଇଥିଲେ ନନା । ମନେ ନାହିଁ ଆଜି ଯାଏଁ କେବେ ତୁମ ପାଖକୁ ଚିଠିଟେ ଲେଖିଛି ଖୁସିରେ । ଲୁହ ଆସିଲା କି ଆସିବାର ଉପକ୍ରମ କଲା ତ ଚିଠି ଲେଖିଯାଏ ମନରେ ନତୁବା କଲମ ଦେଇ କାଗଜ ଦେହରେ । ତୁମେ ତୁମର ସେହି ରଙ୍ଗା ଅଧରରେ ସର୍ବକାଳୀନ ସ୍ନିଗ୍ଧ ହସଟେ ଫୁଟେଇ ଜାଣେ ମୋତେ କହିଦେଇ ପାରିବ , ଆଜି ଯାଏଁ ବୁଝିଲୁନି କେମିତି ! ତୋତେ ମୁଁ ଆଦର କରେ , ପାଖରେ ଚାହେଁ ବୋଲି କାମ ସବୁ କରାଉଛି ପରା ଏମିତି ?” ସେ ଯାବତ୍ ଲୁହରେ ,ଅଭିମାନରେ ମୁହଁ ଫୁଲାଇଥିବା ତୁମର ଏଇ ମନୋଇ ସଖୀଟି ହସିଦିଏ ନିଜ ଅବୁଝାପଣକୁ ଦୟା ଦେଖେଇ ।

ଏ କଥା ସତ ଯେତେ ଶୀଘ୍ର ଅଭିମାନ କରେ ବା କରିପାରେ ତୁମ ଉପରେ ମୁଁ , ସେତେଶୀଘ୍ର ବୁଝେଇ ଦେଇ ବି ପାର ତୁମେ ତୁମର ପ୍ରଭୂପଣରେ ଭିନ୍ନ ଭିନ୍ନ ଘଟଣାର ଅବତାରଣା କରି ଯେ ତୁମେ ସବୁ ସମୟରେ ତୁମ ସତୀର୍ଥପଣିଆ ନିର୍ବାହ କରିଆସିଛ । ଏସବୁ ସତ୍ତ୍ୱେ ମୁଁ ବିଷର୍ଣ୍ଣ ରୁହେ । ଉଦାସୀନତାର ବିଭିନ୍ନ ପର୍ଯ୍ୟାୟକୁ ଯାଇ ଘାରି ହୁଏ । ନୂଆ ନୂଆ ଦୁଃଖର କାରଣକୁ ଦେଖିପାରେ ଏବଂ ତା ପାଖକୁ ଟାଣି ହୋଇ କଷ୍ଟ ପାଏ । ପୁଣି ଚିଠି ଲେଖେ । ଚିଠି ସରିବା ଭିତରେ ଦୁଃଖ ନଥାଏ ଅଥବା କାରଣମାନଙ୍କୁ ଅକାରଣ କରିବା ପାଇଁ ମୋ ଭିତରେ ବଳ ସଂଚରି ହୋଇ ଯାଇଥାଏ ।

ଏଇ କିଛି ଦିନ ଅଦ୍ଭୁତ ଏକୁଟିଆପଣରେ ସନ୍ତୁଳି ହେଉଛି ମୁଁ । ଭାଇଟେ ଖୋଜୁ ଖୋଜୁ , ଭାଇଟେ ଗଢୁ ଗଢୁ , ଭାଇ ଭଳି କାହାକୁ ପାଉ ପାଉ ମୁଁ ଥକି ଯାଉଛି ନିଜ ନିର୍ମାଣ କଳାର ବିଫଳତାରେ ଅଥବା ନିସ୍ତେଜ ପଡ଼ିଯାଉଛି ନିଜ ଲୋଭର ହଳାହଳରେ । କାହିଁକି ଖୋଜି ହେଉଛି ଭାଇଟେ ଯିଏ ମୋତେ ନିଃସର୍ତ୍ତରେ ଭଲ ପାଇପାରୁଥିବ , ବିଶ୍ୱାସ କରୁଥିବ , “ଦେଖ, ତୋ ସହ ସବୁବେଳେ ଛାଇ ଭଳି ଅଛି ତୋ ଭାଇ ” କହି ଆପଣେଇ ନେଉଥିବ । ମୋର ଅଭିମାନର ସକଳ ନିରବତାକୁ ତୁରନ୍ତ ପଢି ମୋ ପାଇଁ ଅଜସ୍ର ସମ୍ଭାବନାର ରଙ୍ଗରେ ଭବିଷ୍ୟତର କାନ୍ଭାସକୁ ରଙ୍ଗଉଥିବ । ମୋତେ ଡରାଉଥିବା ସମସ୍ତ ଆତତାୟୀଙ୍କ ହାତକୁ ଗଛର ଡାଳ ଭଳି ଅଭୟଦାୟୀ କରେଇ ଦେଉଥିବ । କେବଳ ସେତିକି ନୁହେଁ ମୋ ପାଇଁ ପବନରେ ଭାସି ବୁଲୁଥିବା ସବୁ ଅଭିଶାପକୁ ବାସ୍ନା କରି ଆକାଶମୁହାଁ କରିଦେଉଥିବ । ସେ ଯେ ମୋତେ ଖୁବ୍ ଭଲ ପାଏ , ମୋତେ ହସ ହସ ଦେଖିବାକୁ ଚାହେଁ ବୋଲି ସବୁବେଳେ କହି ହେଉଥିବ ।

ତୁମେ ନିଶ୍ଚୟ କହିବ ଅସମୟରେ ଭାଇ କରି ଯେଉଁ ମହନୀୟ ଚରିତ୍ରମାନଙ୍କୁ ପଠେଇଥିଲ ମୋ ପାଖକୁ ମୋତେ ସଳଖି ଠିଆହେବାରେ ସହଯୋଗ କରିବା ପାଇଁ ସେମାନଙ୍କୁ ଏଡେଇ ଦେଇ ହେବ କି ସମୟର ଦାୟରେ ! ତୁମ ପ୍ରେରିତ ମଣିଷମାନଙ୍କୁ ସାଧାରଣରେ ଦେବଦୂତ କୁହାଯାଉଥିଲା ବେଳେ ମୁଁ ସେମାନଙ୍କୁ ପ୍ରାଣ ଦେଇ ପସନ୍ଦ କରେ – ଭାଇ ଡାକିପାରେ , ମାନିପାରେ ବୋଲି ଢ଼େର ଗର୍ବ କରେ । ହେଲେ ସ୍ଥାୟୀତ୍ୱରେ ବାନ୍ଧି ନହୋଇ ସେହି ଚରିତ୍ରଗଣ ନିଜ ନିଜ ରାସ୍ତାରେ ମୋତେ ପଛ କରି ଫେରି ଯାଉଥିଲାବେଳେ ଖୁବ୍ ବଡ଼ ପାଟିରେ କାନ୍ଦେ ସଖା କିନ୍ତୁ ମୋ ଡାକ ବାଜେନି ସେମାନଙ୍କ କାନରେ । ଯେଉଁ ହିସାବକୁ ଆଳ କରି ସେମାନେ ମୋତେ ଏକୁଟିଆ ଛାଡ଼ି ଦେଇଥାନ୍ତି ସେଇଠି କେଉଁ ଅଧିକାରରେ ଦାବୀ କରି ବସିବି କୁହ । କେମିତି କହିପାରିବି ଯେ ସାନଟେ ମୁଁ ମୋର ଦଶଦୋଷ କ୍ଷମା କରି ଭାଇପଣିଆର ଆଦରରେ ମୋତେ ସାରା ଜୀବନ ବାନ୍ଧିରଖିବାର ଦାୟିତ୍ୱ ତୁମର ! ହୁଏନି କାରଣ ତୁମେ ଚାହଁ ଇ ନାହିଁ । ତୁମକୁ କହିବିନି , ତୁମ ଉପରେ ରୁଷିବିନି ତ କରିବି କଣ ?

ଭାଇକୁ ନେଇ ଅସମ୍ଭବ ଯନ୍ତ୍ରଣା ଏବଂ କ୍ଷୋଭ ମୋ ଭିତରେ । ଭାଇ ଖୋଜୁ ଖୋଜୁ ମୋର ଭଉଣୀମାନଙ୍କ ପାଇଁ ଭାଇ ହେବାର ପାଗ ଭିଡ଼ିଲି ସିନା ଭାଇବିହୀନ ଦୁନିଆଁ କେଡ଼େ ଶ୍ରୀହୀନ ଆଜିକାଲି ସ୍ପଷ୍ଟ ଦେଖେଇ ଦେଉଛି ମୋର ଚାରିପାଖ ମୋତେ । ଅଧିକରୁ ଅଧିକ ମୋତେ ଦୃଢ଼ କର ଈଶ୍ୱର ଅନ୍ତତଃ ଭାଇ ମୋର ଭାଇ ଭଳି ପାଖରେ ଠିଆ ନହେଉ ମୋର ମୁଁ କିନ୍ତୁ ଭଉଣୀର ଆତ୍ମା ନେଇ ଭାଇ ପାଇଁ ଖୁସି ଖୋଜି ହେଉଥାଏ ଚିରକାଳ । ଗୋଟିଏ ମୁହୂର୍ତ୍ତ ପାଇଁ ହେଉ ପଛେ ଭଉଣୀର ମର୍ଯ୍ୟାଦା ଦେଇଥିବା ଦୁନିଆଁର ସବୁ ଭାଇଙ୍କ ପାଇଁ ପ୍ରସ୍ତୁତ ଥାଉ ମୋର ପ୍ରାର୍ଥନାର ସ୍ୱର ।

ଲୁହରୁ ଆରମ୍ଭ କରିଥିବା ଏଇ ଚିଠିଟି ଦେଖ ନିଜ ସଂକଳ୍ପରେ ମୁର୍କି ମୁର୍କି ହସି ତିଆରି କରି ସାରିଲାଣି ଆଉ ଏକ ସୁନ୍ଦର ସକାଳ । ମୋର ବିସ୍ତାର କରି ଆଶୀର୍ବାଦ ଭଳି ଦେଇଛ ଯେଉଁ ସମ୍ପର୍କ ତାକୁ ଦୃଢ଼ୀଭୂତ କରିବା ପାଇଁ ମୋ ଭିତରେ ସାମର୍ଥ୍ୟ ଓ ପ୍ରତ୍ୟୟ ସଞ୍ଚାର କର ।

ବାସ୍ ! କରୁଣାର ଦୃଷ୍ଟି ଥାଉ ତୁମର ।

ତୁମର ବୋଲି କହିହେଉନି ଏବେ ଯେହେତୁ ସଚେତନ ଅବସ୍ଥାରେ କାହାକୁ ବିକେଇ ସାରିଛି “ମୁଁ ” ମୋ ନିଜକୁ କେବେ ।