ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୩
ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’
ୟା’ ଭିତରେ କେତେବେଳେ ଛତିଶ ବର୍ଷ ବିତି ଯାଇଥିଲା । ଏତେଦିନ ପରେ ମୁଁ ପୁଣି ଥରେ ମୋ ଜନ୍ମସ୍ଥାନକୁ ବୁଲି ଆସିବାର ସୁଯୋଗ ପାଇଥିଲି । ସ୍ମୃତିପଟ୍ଟରୁ ଧୀରେ ଧୀରେ ଲିଭି ଆସୁଥିବା ରାସ୍ତାଘାଟମାନଙ୍କୁ ପୁଣି ଥରେ ଦେଖିଲା ପରେ ମୋ ମନ ଆନନ୍ଦରେ ଅଧୀର ହୋଇ ଉଠୁଥିଲା । ମୋ ଆଖି ମନେ ମନେ ଖୋଜି ବୁଲୁଥିଲା ସେଇସବୁ ପରିଚିତ ମୁହଁମାନଙ୍କୁ ଯେଉଁମାନଙ୍କୁ ଛତିଶ ବର୍ଷତଳେ ଏଇ ରାସ୍ତାରେ ପ୍ରତି ଦିନ ଦେଖିବାକୁ ମିଳୁଥିଲା ।
ମୋ କାନ୍ଧ ଉପରେ ଆସ୍ତେ ହାତ ଥୋଇ ଜମାଲ୍ ଗୋଟିଏ କାର୍ ଆଡ଼କୁ ଅଙ୍ଗୁଳି ଦେଖେଇ କହିଲା, ‘ଏଥର ଚାଲ, ଯିବା ।’ ଜମାଲ୍ ମୋ ସାଙ୍ଗ । ମୋତେ ପାଛୋଟି ନେବାଲାଗି ସେ ଷ୍ଟେସନକୁ ଆସିଥିଲା । ଦେଶ ଭାଗ ଭାଗ ହେବା ଆଗରୁ ଜମାଲ ଓ ମୁଁ ୟୁନିଭର୍ସିଟି ହଷ୍ଟେଲରେ ଗୋଟିଏ ରୁମରେ ରହୁଥିଲୁ । ଦୁହିଁଙ୍କ ଭିତରେ ଖୁବ୍ ଦୋସ୍ତି ଥିଲା । ଜମାଲର ଘର ମିରଟରେ, ଆଉ ଆମ ଘର ସିଆଲକୋଟ । ଭାରତ ପାକିସ୍ତାନ ଭାଗ ଭାଗ ହେବା ପରେ ସିଏ ପଳେଇଲା ପାକିସ୍ତାନ ଆଉ ମୁଁ ଗଲି ଭାରତକୁ, ଆପଣା ଇଚ୍ଛା ବିରୁଦ୍ଧରେ । ହେଲେ ଆମେ ଓ ଆମ ଭଳିଆ ଲକ୍ଷ ଲକ୍ଷ ଲୋକ ନାଚାର ଥିଲେ । କାରଣ ଧର୍ମ ହିଁ ଫଇସଲା କରୁଥିଲା କିଏ କେଉଁ ପଟେ ରହିବ ।
ଚାରା ଗଛଟିଏ ଭଳି ଆପକୁ ଗୋଟିଏ ଜାଗାରୁ ଓପାଡ଼ି ନେଇ ଆଉ ଗୋଟିଏ ସ୍ଥାନରେ ରୋପି ଦିଆଗଲା । ଗଛଟିଏ ଭଳି ଆମର ମଧ୍ୟ ବିରୋଧାଭାଷ ଥିଲା ନୀରବତା । ଯେମିତି ନୂଆ ପାଣି ପବନ ସାଙ୍ଗରେ ନିଜକୁ ସାମିଲ କରିନପାରି ଗଛଟି ଧୀରେ ଧୀରେ ମରି ମରି ଯାଏ ଆମ କ୍ଷେତ୍ରରେ ବି ଠିକ୍ ସେଆ ଘଟିଥିଲା । ଗଛଟି ସେ ଅପରିଚିତ ମାଟିରେ ପୋତି ହୋଇ ସୁଦ୍ଧା ଚେର ବିସ୍ତାର କରିନପାରିଲା ଭଳି ଆମେ ବି ଥିଲୁ ନୂଆ ଜାଗାର ଶରଣାର୍ଥୀ । ଆମେ ଅର୍ଥାତ୍, ମୋ ଭଳି ଆସିଥିବା
ଲୋକମାନଙ୍କ କଥା ମୁଁ କହୁଛି । ହେଲେ ମୋ ନୂଆ ଜାଗା ସହିତ ମୁଁ ନିଜକୁ ବେଶ୍ ଖାପ ଖୁଆଇ ନେଲି । ଏଇ ଦେଖୁନ, ମୁଁ କେତେ ବଡ଼ ହୋଇଯାଇଛି । ହଁ, ତା’ମାନେ ନୁହେଁ ଯେ ମୁଁ ସବୁ କ୍ଷେତ୍ରରେ ଏକା ମାତ୍ରାରେ ପ୍ରଗତି କରିପାରିଛି । କେଉଁ କ୍ଷେତ୍ରରେ ଅନେକ କିଛି ହରାଇଛି ବି । ତେବେ ମୋଟାମୋଟି ମୁଁ ନିଜକୁ ବେଶ୍ ସୁଦୃଢ଼ ଓ ସଚେତନ କରାଇ ପାରିଥିଲି । ସବୁ ସ୍ତରରେ ତ ଆଉ ପରିବେଶ ଅନୁକୂଳ ନଥିଲା । ପ୍ରକୃତିର ପ୍ରାଚୁର୍ଯ୍ୟ ସତ୍ତ୍ୱେ ପରିବେଶର ପ୍ରଭାବ ହିଁ ମଣିଷକୁ ନିୟନ୍ତ୍ରଣ କରିଥାଏ ।
ତେଣୁ ଯାହାକୁ ପ୍ରଥମେ ପ୍ରଥମେ ଅଧିକ ଘୃଣା କରୁଥିଲି ତା’ରି ସହ କିଛି ଦିନ ପରେ ନିଜକୁ ଖାପ ଖୁଆଇନେଲି । ସେସବୁ ଅଭ୍ୟାସରେ ପଡ଼ିଗଲା । ଏଇ ଦୀର୍ଘଦିନ ଭିତରେ ମୋ ଜୀବନରେ ସେଇ ଏକା ଭଳିଆ ଘଟଣାମାନ ଘଟିଛି । ଦିଲ୍ଲୀ ସହରରେ ହିଁ ମୋର ରୁଚି ଓ ଅରୁଚି ନୂଆକରି ସୃଷ୍ଟି ହୋଇଛି ମୋତେ ବେଳେବେଳେ ଭାଗେ ଯେ ଯଦି ମୋ’ଠାରୁ ଏଇ ସହରର ରୁଚି,
ଖୁସି ଓ ସମ୍ପର୍କକୁ ଛଡ଼ାଇ ନିଆଯାଏ ତା’ହେଲେ ମୁଁଁ କେବଳ ଖଣ୍ଡେ ନିର୍ଜୀବ କାଠ କି ପଥର ପାଲଟିଯିବି । ଯେତେବେଳେ ଦିଲ୍ଲୀର ପାଗ ଭଲ ଥାଏ ମୁଁ ବେଶ୍ ସକ୍ରିୟ ହୋଇଉଠେ । ସତେକି ମୁଁ ଦିଲ୍ଲୀ ସହରର ପାଣିପାଗ ସହ ତାଳଦେଇ ବଞ୍ଚିଥିବା ବୃକ୍ଷଟିଏ ! ମୁଁ ନିର୍ଦ୍ଦିଷ୍ଟ ଭାବେ ଜାଣିନଥିଲି ମୋ ଜାବନର ମୂଳପିଣ୍ଡଟି ସିଆଲକୋଟରେ କଫିନଟିରେ କବର ଦିଆହେଲା ଭଳି ଥିବା ବେଳେ ଦିଲ୍ଲୀର ଏ ନୂଆ ପରିବେଶ ତାକୁ ବେଳକୁ ବେଳ ଫିକା ପକାଇ ଚାଲିଥିଲା । ବେଳେବେଳେ ମୋ ଆତ୍ମାର ଲୁହ
ମୋ ଲାଗି ଗୋଟିଏ ଭଲ କାମ କରିବା ଭଳି ମନେହୁଏ । ତାହାହେଲା, ସେ ଅଶ୍ରୁଧାର ପୁଣି ମୋ ସ୍ମୃତିକୁ ଜଗାଇଦିଏ, ମୋ ମନ ପ୍ରଫୁଲ୍ଲ ହୋଇଉଠେ, ଆନନ୍ଦରେ ଭରିଯାଏ ।
ସିଆଲକୋଟକୁ ମୁଁ ପ୍ରାଣ ଠାରୁ ବଳି ଅଧିକ ଭଲ ପାଉଥିଲି । ସେଠାକାର ସ୍ମୃତି ମୋ ମନକୁ ସଦାସର୍ବଦା ଗୋଟାପଣେ ଆଚ୍ଛନ୍ନ କରି ରଖୁଥିଲା । ମୋର ବେଳେବେଳେ ଇଚ୍ଛାହୁଏ, ମୁଁ ସେ ସହରକୁ ମୋ ମର୍ଜି ମୁତାବକ ଫେରିଆସନ୍ତି ! କୁକୁର, ବିଲେଇ ତ ନିଜ ଇଲାକାରୁ ବାଟବଣା ହେଲେ କିଛିଦିନ ପରେ ପୁଣି ଫେରିଆସନ୍ତି । କିନ୍ତୁ ମଣିଷ ନିଜ ଇଚ୍ଛା, ଖୁସି ଉପରେ ଏତେ ପ୍ରକାର ନିୟନ୍ତ୍ରଣ କାହିଁକି ବସେଇଛି?
କାହିକି ଏତେ ସବୁ ଆଇନ କାନୁନ? ପାଣିରେ ବୁଡ଼ୁଛି,ଆକାଶରେ ଉଡ଼ୁଛି, ହେଲେ ଯେମିତି ନିଜର ସେଇ ମୂଳପିଣ୍ଡଟିକୁ ଖୋଜି ବୁଲିଛି ସଦାସର୍ବଦା । ନିଜ ଆତ୍ମା ପାଖରେ ବି ପହଞ୍ôଚପାରିବାର ଶକ୍ତି ତା’ନିକଟରେ ନାହିଁ! ଜମାଲ ପୁଣି ଥରେ ମୋ କାନ୍ଧକୁ ଆସ୍ତେକରି ହଲେଇଦେଲା ।‘ଆରେ, ତୁ ସ୍ୱପ୍ନ ଦେଖୁଚୁ ନା କ’ଣ? ଚାଲ୍, ଘରକୁ ଯିବା ।’ ଟ୍ରେନରୁ ଓହ୍ଲେଇଲା ପରେ ମୁଁ ତ ପ୍ରଥମେ ଜମାଲକୁ ଚିହ୍ନି ସୁଦ୍ଧା ପାରିନଥିଲି । କେମିତି ଅବା ପାରିଥାନ୍ତି? ଦୀର୍ଘ ଛତିଶ ବର୍ଷ ତଳେ ଯେଉଁ ତରୁଣଠାରୁ ମୁଁ ଅଲଗା ହୋଇଥିଲି, ସିଏ ଯେ ସମୟର ଚାପରେ ଏତେ ବୟସ୍କ ଜଣାପଡ଼ୁଥିବ ମୋର ସେକଥା ଆଦୌ ବିଶ୍ୱାସ ହେଉନଥିଲା । ଜମାଲ ମୁହଁରେ ଦରପାଚିଲା ଦାଢ଼ି ସାଲୁବାଲୁ ।
ମୋ ମୁହଁରୁ କିଛି କଥା ବାହାରିବା ଆଗରୁ ସେ ତା’ କାରର ପଛ ଡୋରଟି ଖୋଲି ମୋତେ ତା’ଭିତରକୁ ଠେଲି ସାରିଥିଲା । ତା’ପରେ ସେ ନିଜ ପଛସିଟ୍ରେ ମୋ ପାଖକୁ ଲାଗିଆସି ବସିପଡ଼ିଲା । ଡ୍ରାଇଭରକୁ ଗାଡ଼ି ଚଳେଇବାକୁ ନିର୍ଦ୍ଦେଶ ଦେଇ ସେ ପୁଣିଥରେ ମୋତେ ଚାହିଁ ପଚାରିଲା, ‘କ’ଣ ଚାହିଁ ଚାହିଁ ସ୍ୱପ୍ନ ଦେଖୁଛୁ ?’ ମୁଁ ତା’ ମୁହଁକୁ ଚାହିଁ କହିଲି, ‘ହଁ, ସତରେ ମୁଁ ସ୍ୱପ୍ନ ଦେଖୁଛି ।’
‘ତା’ହେଲେ ଆଖିବୁଜି ସ୍ୱପ୍ନ ଦେଖ୍, ମଜା ଲାଗିବ’- ସେ ପରିହାସ କରି କହିଲା । ତା’କହିବା ସାଥେ ସାଥେ ମୁହଁର ଦାଢ଼ିସବୁ ହଲିବାକୁ ଲାଗିଲା । ମୁଁ କେବଳ ତା’ମୁହଁକୁ ଚୁପ୍ଚାପ୍ ଚାହିଁ ରହିଥିଲି । ଜମାଲ ତା’ପକେଟରୁ ସିଗାରେଟ୍ ଓ ମ୍ୟାଚବକ୍ସ ବାହାର କରି ନିଆଁ ଧରେଇଲା ଓ ମୋ ଆଡ଼କୁ ସିଗାରେଟ ପ୍ୟାକେଟଟା ବଢ଼େଇଧରି କହିଲା, ‘ନେ,ଖଣ୍ଡେ ମାର୍ । ତୁମେ ଇଣ୍ଡିଆବାଲା ତ ଖାଲି ଦୁନିଆର ସବୁ କୋଣରୁ ଟଙ୍କା ଆଣି ଘରେ ଜମେଇ ରଖିବା ଜାଣିଛ । ପଇସାଟାକର ଜିନିଷ କିନ୍ତୁ ଦେଶରୁ ଆମଦାନି କଲେ ତୁମ ଦେହର ରକ୍ତ ଶୁଖିଯିବ ।’
ମୁଁ କିଛି ଉତ୍ତର ନଦେଇ ନୀରବରେ ଖଣ୍ଡିଏ ସିଗାରେଟରେ ନିଆଁ ଧରେଇଲି । ଜମାଲ ତା’ନିଜ ପରିହାସ ପରେ ହୋ ହୋ ହୋଇ ହସିଉଠିଲା । ହଠାତ୍ ମୋ ପିଠିରେ ପରିହାସର ଚାପୁଡ଼ାଟିଏ ମାରି ସେ ପଚାରିଲା, ‘ଆରେ ମୋହନ, ତୋ ମନେଅଛି, ମୁଁ କେମିତି ତୋ ସିଗାରେଟ ପ୍ୟାକେଟକୁ ନେଇ ଲୁଚାଇଦିଏ, ଆଉ ତୋ ସାଙ୍ଗରେ ରୁମ୍ଟାସାରା ତାକୁ ଖୋଜିବସେ? ହେଲ ମୁଁ ଭଲଭରି ଜାଣିଥିଲି ଯେ ସବୁବେଳେ ତୋର ମୋ ଉପରେ ହିଁ ସନ୍ଦେହ ଥାଏ । କିନ୍ତୁ କେବେ ବି ମତେ ମୁହଁଖୋଲି ସେକଥା
କହିପାରୁନା । ମୁଁ ସବୁବେଳେ ଚୁପ୍ଚାପ୍ ଥାଏ ଓ ଆଲ୍ଲାଙ୍କ ଦ୍ୱାହିଦେଇ ତୋ ସିଗାରେଟଣ ଦେଖିନି ବୋଲି ମିଛଟାଏ କହିଦିଏ । ସତରେ ମୁଁ ଏଇ ହସ ପରିହାସ ଭିତରେ ଢେର୍ ପାପ କରିଛି । ସବୁବେଳେ ମିଛରେ ଆଲ୍ଲାଙ୍କ କସମ୍ ଖାଇଛି । ଶଳା ତୁମ ଭଳିଆ ଧର୍ମଦ୍ରୋହୀଙ୍କ ପାଖରେ ରହି ରହି ଆମେ କେଇଜଣ ଧର୍ମନିଷ୍ଠ ବି ମିଛୁଆ ପାଲଟି ଯାଇଥିଲୁ, ନୁହେଁ?
ତୋର ସେସବୁ କଥା ମନେପଡ଼େ? ଏଇ ଯେଉଁ ରାସ୍ତାରେ ଆମେ ଯାଉଛେ, ତା’ ଆଗରେ ଗୋଟିଏ ଗଳି ରାସ୍ତା ଅଛି ବୋଲି ତୋର ମନେଅଛି?’
ତା’ପାଟିରୁ ପ୍ରଶ୍ନଟି ସରୁଣୁ ନସରୁଣୁ ଆମ କାର୍ ସେଇ ଗଳି ରାସ୍ତାକୁ ଅତିକ୍ରମ କରି ଚାଲିଗଲା । ମୋର ମନେପଡ଼ିଲା ଥରେ ଜମାଲ ଲାହୋରରୁ ସିଆଲକୋଟ ବୁଲି ଆସିଥିଲା ବେଳେ ମୁଁ ତାକୁ ସେଲି ସାଙ୍ଗରେ ପରିଚୟ କରେଇ ଦେଇଥିଲି । ସେଇ ଲେନର ପଞ୍ଚମ କୋଠାଘରଟି ତାଙ୍କର ଘରଥିଲା ।
ସେଲି… ବଡ଼ ବିଚିତ୍ର ଝିଅ । ସବୁବେଳେ ତା’ର ଡର, କାଳେ କିଏ ସେ ଦୁହିଁଙ୍କୁ ଏକାଠି ଦେଖିଦେବ ।
‘ସେଲି…’ ‘ମୋ ସାଙ୍ଗରେ ଏତେ ପାଖକୁ ଲାଗି ଚାଲନା ମୋହନ । ଦି’ପାଦ ଆଗକୁ ରହି ଚାଲ୍ ।’
‘ହେଲେ ମୋ କଥା ଟିକେ ଶୁଣ୍, ସେଲି…’ ‘ନା, ଚାଲି ଚାଲି ଯାହା କହିବାର ଅଛି କୁହ । ହଁ, ଆଉ ଟିକେ ଆଗକୁ ଯାଅ । କାଳେ କିଏ ଆମ ଦୁହିଁଙ୍କୁ ଏକାଠି ଦେଖିଦେବ!’ ‘ହେଲେ ସେଲି…’
‘ନା, ମୋ କଡ଼କୁ ଏତେ ଲାଗି ଚାଲନା ବୋଲି ତୁମକୁ ଏତେଥର କହିଲି ପରା । ଆଗକୁ ନଚାଲିଲେ, ଦି’ପାଦ ପଛକୁ ରହି ଚାଲ ।’ ଆଦ୍ୟ ଯୌବନର ପ୍ରଥମ ଚାରିବର୍ଷ କେବଳ ସେଲି ପିଛା କରି କରି ବରବାଦ ହୋଇଯାଇଥିଲା । କେତେବେଳେ ସେଲିର ଅନୁନୟ- ଆଗରେ ଚାଲ ତ ଆଉ କେତେବେଳେ କଡ଼ା ନିର୍ଦ୍ଦେଶ- ପଛରେ ରହି ଧୀରେ ଧୀରେ ଚାଲ । ତା’ସହିତ ହାତ ଧରାଧରି ହୋଇ ଚାଲିବାର ସୁଯୋଗ ଆସିଲା ପୂର୍ବରୁ ଆସିଥିଲା ଦେଶ ବିଭାଜନ ଆଉ ସାମ୍ପ୍ରଦାୟିକ ଦଙ୍ଗାର ଝଡ଼ ।
ସେଇ ଝଡ଼ ଭିତରେ ସେଲି ସୀମାନ୍ତର କେଉଁଠ ମିଳେଇ ଯାଇଥିଲା ଏକ ଚୋର ସୁଗନ୍ଧ ପରି । ତାକୁ ଖୋଜିବା ପାଇଁ ଅନେକ ଚେଷ୍ଟା କରିଥିଲା ମୋହନ । ହେଲେ ସବୁ ବୃଥା ଯାଇଥିଲା । କିନ୍ତୁ ସେଲିର ସ୍ମୃତି ଯେବେ ବି ମନକୁ ଆସିଛି, ମୋହନ ମନ ଉଦ୍ବେଳିତ ହୋଇଉଠିଚି । ସେ ତା’ର ପତ୍ନୀକୁ ବେଳେବେଳେ ସେଲି ଜ୍ଞାନ କରି ସ୍ନେହ ଦେଇଛି । ହେଲେ ସେଲିର ସ୍ମୃତି ସେମିତି ସଜାଗ ରହିଚି ତା’ ମନ ଭିତରେ । ଏତେ ବର୍ଷ ପରେ ବି ।
ବେଳେବେଳେ ପତ୍ନୀ ତା’ର କିଛି ବୁଝି ନପାରି କେବଳ ବଲବଲ ହୋଇ ଚାହିଁରହେ ମୋହନ ମୁହଁକୁ । ପୁଣି କେତେବେଳେ ପଚାରିଦିଏ, ‘ମୁଁ ବୁଝିପାରେନି, ଇଏ ପୁଣି ତୁମର କେମିତିକିଆ ସ୍ନେହ?’ ଏସବୁ କଥା ମନକୁ ଆସିଲାବେଳେ ମୋହନ ମୁହଁରେ ସ୍ୱତଃ ହସଟିକେ ଉକୁଟି ଉଠେ ।
ମୋତେ ଲାଗୁଥିଲା, ଆଜି ଏତେ ବର୍ଷ ପରେ ମୋତେ ପୁଣି ଥରେ ପାଇ ଏ ସହରର ରାସ୍ତାଗୁଡ଼ିକ ସତେକି ଆନନ୍ଦରେ କୁରୁଳି
ଉଠୁଥିଲେ । ପଟ୍ହୋଲ ଭର୍ତ୍ତି ରାସ୍ତା ଉପରେ କାର୍ ଚକ ପଡ଼ିଯାଇ ଯେତେବେଳେ ଡେଉଁଥିଲା, ମୋତେ ଲାଗୁଥିଲା ଏ ସଡ଼କସବୁ ମୋତେ ତା’କୋଳରେ ନଚାଉଛନ୍ତି!
ଜମାଲ ଡ୍ରାଇଭର ଉଦ୍ଦେଶ୍ୟରେ ତାଗିଦ କରି କହିଲା, ‘ଆସ୍ତେ ଗାଡ଼ି ଚଲା ।’
‘ସାବ୍, ଇଏ ପଟ୍ହୋଲ୍ ଉପରେ ଆସ୍ତେ ଚଲେଇଲେ ଆପଣଙ୍କୁ ଅଧିକ କଷ୍ଟ ହେବ । ବେଶୀ ଜର୍କିଂ ଲାଗିବ ।’ ‘ହେଲେ ଏତେ ଜୋରରେ ଚଲେଇଲେ ଗାଡ଼ି କେଉଁଠି ଓଲଟି ପଡ଼ିପାରେ । ସ୍ପିଡ଼୍ ଆଉ ଟିକେ କମ୍ କରିଦେ ।’
ସେମାନଙ୍କ କଥାଆଡ଼େ କାନ ନଦେଇ ମୁଁ ମନେ ମନେ ଭାବି ଚାଲିଥିଲି- ଏ ରାସ୍ତା ସାଙ୍ଗରେ ମୋର କେତେ ପରିଚୟ ନଥିଲା? ପିଲାଦିନେ ତ ଏଇ ରାସ୍ତାରେ ମୁଁ ଆଖିବୁଜି ସୁଦ୍ଧା ଦୌଡ଼ି ପାରୁଥିଲି । ଖାଲ, ଢିପ, ପଟ୍ହୋଲ୍, ବାଙ୍କ, ସବୁ ମୋତେ ମାଲୁମ ଥିଲା । ଏଇ ରାସ୍ତାରେ ଆଗକୁ ଯେଉଁ ଇଲେକ୍ଟ୍ରକ୍ ସରଞ୍ଜାମର ଦେକାନଟା ଥିଲା ତା’ରି ସାମ୍ନାରେ ଠୁରା ପଞ୍ଜାବୀ ବୁଢ଼ାଟିଏ ଫି’ଦିନ ଛୋଲେ-ବଟୁରେ, ଆଳୁଦମ୍ ବିକ୍ରି କରୁଥିଲା । କାହିଁକି କେଜାଣି ମୋତେ ଦେଖିଲେ ଖଣ୍ଡେ ଦରୂରୁ ତା’ମୁହଁରେ ହଉ ଉକୁଟି ଉଠେ । ମୋତେ ଲାଗେ, ସେଲି ଓ ମୋ ଭିତରେ ଚାଲିଥିବା ସେଇ ବିଚିତ୍ର ପ୍ରେମ ବ୍ୟାପାର ସମ୍ପର୍କରେ ସେ ଭଲଭାବେ ଅବଗତ ଥିଲା । ବୁଢ଼ାର ସେଇ ହସହସ ମୁହଁକୁ ଚାହିଁଲେ ମୋ ଭିତରେ କାହିଁକି କେଜାଣି ଏକ ଅହେତୁକ ଭୟ ଓ ଆଶଙ୍କା ସୃଷ୍ଟି ହେଉଥିଲା । ସେଇ ରାସ୍ତାପଟେ ଗଲାବେଳେ । ମୋତେ ଲାଗେ ଯେକୌଣସି ମୁହୂର୍ତ୍ତରେ ମୁଁ ପଡ଼ିଯିବି । ମୋ ଚାଲିକୁ ଲକ୍ଷ୍ୟକରି ବେଳେବେଳେ ବୁଢ଼ା ସର୍ଦ୍ଦାରଜୀ କହେ, ‘ଆସ୍ତେ, ବାବୁଜୀ, ଏତେ ଜଲ୍ଦି ଜଲ୍ଦି ଚାଲିଲେ ଝୁଣ୍ଟି ପଡ଼ିବ ।’
ସର୍ଦ୍ଦାରଜୀର ସେଇ ଉପଦେଶକୁ ସିନା ସେତେବେଳେ ମୁଣ୍ଡରେ ପୂରେଇ ନଥିଲୁ, ହେଲେ ତା’ର ସେଇ ଚେହେରା ଆମ ଅଜାଣତରେ ମନ ଭିତରେ ବସି ସାରିଥିଲା । ବୁଢ଼ାକୁ ଦେଖିଲା ମାତ୍ରେ ଲାଗ ସତେକି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିବା ସେନା ଛାଉଣୀର ସିଏ ଜଣେ ପୋଖତ ସୈନିକ । ଏକଥା କହିବାରେ ମୋ ତିଳେହେଲେ ଦ୍ୱିଧା ନାହିଁ ଯେ ମୋର କୌଣସି ପ୍ରକାର ଇଚ୍ଛା ପୂରଣ ଲାଗି ମୁଁ କେବେ ଉତଫୁଲ୍ଲିତ ହୋଇପଡ଼ିନି । ବରଂ ସବୁ କ୍ଷେତ୍ରରେ ମୁଁ ନିଜକୁ ସେଇ ଦୋ ଦୋ ପାଞ୍ଚ ପରିସ୍ଥିତିରେ ରଖି ଅନ୍ୟମାନଙ୍କ ଦୃଷ୍ଟିରେ ବିଚାର ବୁଦ୍ଧାମତ୍ତାର ଛଳନା କରିଛି । କିନ୍ତୁ ଆଜି ଲାଗୁଛି ଯଦି କୌଣସି ‘ରିସ୍କ’ନେଇ ସେଇ ବୁଢ଼ା ଶିଖଟି ଭଳି ଗୋଡ଼ଟିଏ ହରାଇଥାନ୍ତି ତା’ହେଲେ ଜୀବନାସାରା ଉପଦେଶ ଶୁଣିବା ପରିବର୍ତ୍ତେ ହୁଏତ ମୁଁ ବି
ଅନ୍ୟମାନଙ୍କୁ ଉପଦେଶ ଦେଇପାରିଥାନ୍ତି ।
ହେଲେ କାଇଁ ବୁଢ଼ା ଶିଖର ଦୋକାନ ତ ଆଖିରେ ପଡ଼ୁନି? ବରଂ ସେଇ ଜାଗାରେ ଗୋଟିଏ ବଡ଼ ହୋଟେଲ ମୁଣ୍ଡ ଟେକିଛି । ନା, ସେଇ ଇଲେକ୍ଟ୍ରିକ୍ ସରଞ୍ଜାମ ଦୋକାନ ଭଳିଆ ମନେ ହେଉଛି । ଆଉ ତା’ସାମ୍ନାକୁ ମାଛି ଭଣଭଣ ଛୋଲେ ଆଳୁଦମ୍ ଟ୍ରଲି । ମୋ କାନରେ ଗୁଞ୍ଜରି ଉଠୁଛି- ‘ଆସ୍ତେ ବାବୁଜୀ, ରାସ୍ତାକୁ ଚାହିଁ ଚାଲ, ପଡ଼ିଯିବ ।’
ଏଇସବୁ ଚିନ୍ତା ଭିତରେ ମୁଁ ଏତେ ପରିମାଣରେ ଡୁବି ଯାଇଥିଲି ଯେ ହଠାତ୍ ମୋର ମନେହେଲା ମୁଁ ଯେମିତି ସେଇ ରାସ୍ତାରେ ଝୁଣ୍ଟି ମୁହଁ ମାଡ଼ି ପଡ଼ିଯାଉଛି । ମୁଁ ଆଗକୁ ଉହୁଙ୍କି ପଡ଼ିଲି ।
ମୋର ଉହୁଁଙ୍କିଯିବା ଦେଖି ଜମାଲ ପୁଣି ଥରେ ଡ୍ରାଇଭରକୁ ତାଗିଦ୍ କଲା- ‘ ଏତେ ଜୋରରେ ନୁହେଁ, ଥରେ ମନାକଲି ପରା?’
ସତେ ଯେମିତି ମୋର ଉପସ୍ଥିତି କଥା ରାସ୍ତାକୁ ମାଲୁମ ହୋଇଯାଇଛି! ମୋ କାର୍ ଆଗେ ଆଗେ ସେ ଦୌଡ଼ି ଚାଲିଛି! ବେଳେ ବେଳେ କାରର ଝରକା ଦେଇ ମୋ ଆଡ଼କୁ ବୁଲି ଚାହୁଁଛି ଓ ମୋତେ ଡାକୁଛି, ‘ମୋହନ୍, ଏ ମୋହନ୍!’ ‘ହଁ । ଏଇ ରାସ୍ତାର କାହିଁ କେଉଁ ମାନ୍ଧାତା ଅମଳର । ଯଦିଓ ଏହାର ଜୀବନ ନାହିଁ, ତଥାପି ଲକ୍ଷଲକ୍ଷ ଜୀବନ ଏଇ ରାସ୍ତା ଉପରେ ପ୍ରବାହିତ ହୋଇଛି ପିଢ଼ି ପିଢ଼ି ଧରି । ଏଇ ରାସ୍ତାରେ ହୁଏତ ଶହ ଶହ ଶବ ମହାଯାତ୍ରାରେ ଯାଇଥିବେ! ମୁଁ ସିଆଲକୋଟରେ ଥିବାବେଳେ ବୁଢ଼ୀମା’ ମୋତେ କହୁଥିଲାଯେ ମୋ ଜେଜେବାକା ଶୋଇବା ଅବସ୍ଥାରେ ଶେଷନିଃଶ୍ୱାସ ଛାଡ଼ିଥିଲେ । ଯେଉଁଦିନ ତାଙ୍କୁ କବର ଦିଆଯାଇଥିଲା ସେଇଦିନ ବୁଢ଼ୀମା’ ଜେଜେବାପାଙ୍କୁ ଦେଖିଥିଲା । ଜେଜେବାପା ବୁଢ଼ୀମୀ’ର ପଲଙ୍କ କଡ଼ରେ ଠିଆହୋଇ ତାକୁ ଡାକିଥିଲେ ।
‘ନିକ୍କା ମା’, ଉଠ୍ ।’ଜେଜେବାକା ମୋ ବାପାଙ୍କୁ ନିକ୍କା ବୋଲି ଡାକୁଥିଲେ ।
ସ୍ୱପ୍ନ ଦେଖୁଛି ବୋଲି ଭାବି ବୁଢ଼ୀମା’ ପ୍ରଥମଥର ଆଖିବୁଜି ଶୋଇ ପଡ଼ିଥିଲା । ହେଲେ ପୁଣି ଥରେ ଡାକ ଶୁଭିଲା । ‘ନିକ୍କା ମା’ ।’
‘ହେ ଭଗବାନ! ଇଏ ମୁଁ କ’ଣ ଦେଖୁଛି ! ସିଏ ପୂରାପୁରି ଗୋଟାପଣେ ମଣିଷଟିଏ ଭଳି ମୋ ଆଖି ଆଗରେ ଠିଆ ହୋଇଛନ୍ତି!’
ବୁଢ଼ୀମା’ ନିଜ ଆଖିକୁ ବିଶ୍ୱାସ କରିନପାରି ଚିତ୍କାର କରିଉଠିଲା ।
ଜେଜେବାପା କାଳେ ତାକୁ କହିଥିଲେ, ‘ମୁଁ ତୋ ସାଥିରେ ଭଲକରି ଦି’ପଦ କଥାବାର୍ତ୍ତା ନହୋଇ ଚାଲିଗଲି । ସେଇଥିଲାଗି ଭାବିଲି ନିରୋଳାରେ ଆସି ତୋ ସାଥିରେ କିଛି ଗପସପ ହେବି ।’
ବୁଢ଼ୀମା’ ଆମକୁ ଏସବୁ କୁହେ । ଘର କବାଟ କାଳେ ଠିଆମେଲା ହୋଇଥିଲା ! ଜେଜେବାପା କବାଟକୁ ମେଲା ହୋଇ ରହିବାକୁ କହିଥିଲେ ବୋଲି ସେ ଆମକୁ କୁହେ ।
ଆମେ ବୁଢ଼ୀମା’ କଥାକୁ ବିଶ୍ୱାସ ନକରି ପଚାରିଥିଲୁ, ‘ବନ୍ଦ୍ କବାଟ କୋଉଠି ଆପେ ଆପେ ଖୋଲିଯାଏ?’ ବୁଢ଼ୀମା’ କହିଥିଲା, ‘ହଁ, ଜେଜେବାପା ସେସବୁ କବାଟ ନିଜେ ତିଆରି କରିଥିଲେ ତ, ସେଇଥିଲାଗି ।’
ବୁଢ଼ୀମା’ କଥାର ଗୋଟିଏ ବଳିଷ୍ଠ ଯୁକ୍ତି ଥିଲା ନିଶ୍ଚୟ । ଜଣେ ମଣିଷର ହେଉ ଅବା ଗୋଟିଏ ନିର୍ଜୀବ ବସ୍ତୁ ହେଉ, ଆମେ ଯାହାକୁ ଜୀବନ କହୁଚେ, ବାସ୍ତବିକ ସେପରି କିଛି ନାହିଁ । କେବଳ ଯାହା ପରସ୍ପର ସହିତ ଥିବା ସମ୍ପର୍କର ଏକ ନମୁନା ମାତ୍ର । ବୁଢ଼ୀମା’ ଆହୁରି ଆମମାନଙ୍କୁ ବୁଝାଏଯେ କେମିତି ମୂର୍ତ୍ତିକାରଟିଏ ଓଦାମାଟି ନେଇ ଚକଟି ତା’ର କାଦୁଆ ଆଙ୍ଗୁଠିରେ ଜୀବନ୍ତ ଭଳି ଦିଶୁଥିବା ମୂର୍ତ୍ତିଟିଏ ଗଢ଼େ । ତା’ର ହାତ ସେତେବେଳେ ଠିକ୍ ଗୋଟିଏ ନାରୀର ଗର୍ଭଭଳି କାର୍ଯ୍ୟ କରେ । ନାରୀର ଗର୍ଭରେ ଠିକ୍ ସେହିଭଳି ଜୀବନଟିଏ ସଞ୍ଚରିଥାଏ ଓ କିଛି ମାସ କରେ ଏ ଦୁନିଆର ଆଲୋକ ଦେଖେ ।’
ମୁଁ ଯେତେବେଳେ ଛୋଟ ଶିଶୁଟିଏ ଥିଲି, ମୋ ମା’ ସେତିକିବେଳେ ମରି ଯାଇଥିଲା । ତଥାପି ସୁଦ୍ଧା ମୋ ବୁଢ଼ୀମା’ର ଲୋଚାକୋଚା ଓ ବସନ୍ତଚିହ୍ନଭରା ମୁହଁ ଭିତରୁ ମୁଁ ମୋ ନିଜ ମା’ର ସୁସ୍ଥ ଓ ସତେଜ ମୁହଁ ଦେଖି ପାରୁଥିଲି । ବୁଢ଼ୀମା’ ମୋ ସ୍ମୃତିରେ ସଦାସର୍ବଦା ଜୀବନ୍ତ ରହିଆସିଛି । ଆଜି ପର୍ଯ୍ୟନ୍ତ ।
ଜମାଲ ମୋ କାନ୍ଧକୁ ହଲେଇଦେଇ ପଚାରିଲା, ‘ମନେ ମନେ କ’ଣ ଭାବି ହସି ଚାଲିଛୁ?’
‘ଜମାଲ, ମୁଁ ମନେ ମନେ ବୁଢ଼ୀମା’ କଥା ଭାବୁଥିଲି ।’
‘ହେଲେ ଏଥିରେ ହସିବାର କ’ଣ ଅଛି? ବୁଢ଼ୀମା’ କଥା ଯଦି ଏତେ ଖିଆଲ ପଡ଼ୁଚି, ଆଖିରୁ କେଇବୁନ୍ଦା ଲୁହ ଝରେଇନେ । ବାସ୍, କଥା ସରିଲା ।’
ଏତିକି କହି ସେ ମୋ ଆଡ଼କୁ ଆଉ ଖଣ୍ଡେ ସିଗାରେଟ୍ ବଢ଼େଇ ଦେଉ ଦେଉ କହିଲା, ‘ତୋ ଭାଉଜ ଘରେ ମୋତେ ସିଗାରେଟ ଛୁଇବାକୁ ସୁଦ୍ଧା ଦିଏନି । ତେଣୁ ଘର, ବାହାର ସବୁ କୋଟା ମୁଁ ଏଇ ବାହାରେ ବାହାରେ ଅସୁଲ କରିନିଏ ।’
ଦିହେଁ ଆଉ ଖଣ୍ଡେ ଲେଖାଏଁ ସିଗାରେଟ ଧରେଇଲୁ ।’ ‘ମୋହନ, ତୋ ବୁଢ଼ୀମା’ଠାରୁ ଶୁଣିଥିବା କୌଣସି ଗୋଟିଏ
ହେଲେ ଗପ ସୁଦ୍ଧା ଏ ପର୍ଯ୍ୟନ୍ତ ମୁଁ ଭୁଲିପାରିନି । ସତ କହିଲେ, ତୁ ଏଠାକୁ ବୁଲି ଆସିବା କଥା ଯେଉଁଦିନ ତୋ ଚିଠିରୁ ମୁଁ
ଜାଣିବାକୁ ପାଇଲି, ସେସବୁ ଗପ ମୋ ମନକୁ ଆପେ ଆପେ ଆସିଗଲା । ମୋ ମନ କେବଳ ଦୁଃଖରେ ଭରିଯାଉଛି ଯେ ତୁ ଏଠାକୁ କେବଳ ଗୋଟିଏ ଦିନ ଲାଗି ବୁଲିଆସିଛୁ ।’ ମୁଁ ଲକ୍ଷ୍ୟକଲି, ଜମାଲ ଆଖିରେ ଲୁହ ଜକେଇ ଆସୁଛି ।
‘ମୁଁ ତ ତୋତେ କହିସାରିଛି ଯେ ମୋ ଭିସାର ଦିନ ସରି ଆସୁଛି ।’ ‘ତୁ ତ ଆଗରୁ ଏଠାକୁ ବୁଲି ଆସି ପାରିଥାନ୍ତୁ?’ ‘ସେ କଥା ବି ତୋତେ କହିସାରିଛି । ଯେଉଁଥି ପାଇଁ ସେମାନେ ମୋତେ ଏ ଭିସା ଦେଇଛନ୍ତି ସେ କାମ ସାରୁ ସାରୁ ଛଅଦିନ ବରବାଦ୍
ହୋଇଗଲା ।’
‘ତୁ ଶଳା ନିପଟ ଚାରିଶ’ବିଶ୍! ପୂରା ଛତିଶ ବର୍ଷ ପରେ ତୁ ତୋ ଜନ୍ମଭୂମିକୁ ବୁଲି ଆସିଛୁ । ଗୋଟିଏ ଦିନ ବି ଅଧିକ
ରହିପାରିବୁ ନାହିଁ ବୋଲି କହୁଛୁ ?’
ସେତେବେଳକୁ ଆମେ ରାସ୍ତାର ଶେଷ ମୁଣ୍ଡରେ ପହଁଞ୍ଚି ସାରିଥିଲୁ । ମୁଁ ଜମାଲକୁ ଇଙ୍ଗିତ କଲି, କାର୍କୁ ବାଁପଟକୁ ନେବାଲଗି ଡ୍ରାଇଭରକୁ କହିବାଲାଗି ।
‘ଓଃ! ବୁଝିଲି । ପ୍ରଥମେ ତୁମ ଘର ଦେଖି ତା’ପରେ ଆମ ଘରକୁ ଯିବା ।’
କାର୍ ବାଁ ପଟେ ବୁଲିଲା । ଅତୀତର ସବୁ ସୁପ୍ତ ସ୍ମୃତି ହଠାତ୍ ମୋ ଆଖି ଆଗରେ ଜୀବନ୍ତ ହୋଇ ଗୋଟି ଗୋଟିକରି
ନାଚିଉଠିଲେ । ‘ଚାଚ।।, ମୁଁ କାଖ ହେବି, ସେ ନିଜେ ନିଜେ କାଖ ହୋଇପାରିବ ନା ମୁଁ ଟେକିଦେବି? ମୁଁ ଫଜଲାକୁ ମୋ ପିଠିରେ ବି ଲାଉ କରିପାରିବି । ବଜାର ଭିତରେ ଚାଲି ଚାଲି ଗଲାବେଳେ ମୁଁ ପ୍ରତି ଦେକାନ ପାଖରେ ଅଟକିଯାଇ ପଚାରି ଚାଲିଥାଏ- ଏବେ କାଖ ହେବାଲାଗି ମୋ ପାଳି ଆସିଲାଣି ନା ନାଇଁ ?’
‘ଆରେ କାଖୁଆଳୀରେ କାଖୁଆଳୀ!’ ମୁଁ ଫଜଲାକୁ ମୋ କାଖରୁ ଖସାଇ ତଳେ ଥୋଇଲି ଓ କହିଲି, ‘ବାସ୍, ବହୁତ ହୋଇଗଲା!’ ଫଜଲା ମୋତେ ମନେ ପକାଇଦେଲା । ସାମ୍ନା ବାଙ୍କ ଶେଷ ହେବା ଆଗରୁ ନୁହେଁ ।’
‘ତତେ ଥରେ କହିଲି ପରା ‘ନୁହଁ’ବୋଲି । ଏବେ ଏଇଠି ଓହ୍ଲା ।’ ଫଜଲା ମୋ ବେକ ଧରି ଓହଳି ବଡ଼ିବ । ତଳକୁ ଜମ୍ମାରୁ ଖସିବନାହିଁ ।
ମୁଁ ତାକୁ ଗୋଟିଏ ଶକ୍ତି ବିଧା ଚଢ଼େଇଦିଏ । ସେ ବି ମୋରି ଭଳି ବଳୁଆ । ତା’ପରେ ସେ ମତେ ପିଟିବାକୁ ଆରମ୍ଭ କେିଦିଏ । ମୁଁ
କାନ୍ଦିପକାଏ । ସେ ନିର୍ବିକାର ଭାବେ ମୋରି ଆଡ଼େ ଅନେଇ ରହେ । ‘ହଉ, କାନ୍ଦ୍ନା । ଆ, ମୁଁ ତତେ କାଖେଇପରି ନେଇଯିବି ।’
ଜମାଲ ମୋ ମୁହଁକୁ ଚାହିଁ ପଚାରିଲା, ‘ମନେ ମନେ ପୁଣି କ’ଣ ଭାବି ହସୁଛୁ?’
ରାସ୍ତାର ଆଗ ଚୌକଠାରେ ପ୍ରତିବର୍ଷ ଦୀପାବଳି ଦିନ ରାତିରେ ସମସ୍ତେ ଅଗି ଜଳାନ୍ତି । ଯେତେବେଳେ କାଠିକୁଟା ଜଳି ନିଆଁର
ତେଜ ମଢ଼େ ଓ ଅଗ୍ନିଶିଖା ଆକାଶ ଆଡ଼କୁ ନିଜର ଜିଭ ବଢ଼ାଏ, ଲୋକମାନେ ଯେଝା ଯେଝା କୋଠା ଛାତ ଉପରେ ବସି ସତେ
ଯେପରି ସେଇ ନିଆଁ ପୁଆଉଥାନ୍ତି । ରେଳଲାଇନ ପାର ହେବାପରେ ଆମେ କାରରେ ବସି ବାଁ’ପଟେ ଆଗକୁ ବଢ଼ିଲୁ ।
‘ଆରେ ହଁ ତ! ଏଇଠି ଅଛି । ବିବି ନୁରନ୍ ଗଳି ଆଜି ପର୍ଯ୍ୟନ୍ତ ସେମିତି ଅଛି!’
‘ନୁରନ୍!’
କତରାଲଗା ବୁଢ଼ାଟିଏ ଧୀରେ ଧୀରେ କବାଟ ପାଖକୁ ଚାଲି ଚାଲିଆସି କବାଟ ଫାଙ୍କ ଦେଇ ବାହାରକୁ ଉଣ୍ଡେ । ତା’ମୁହଁରେ ଆଗରୁ ଥିବା କାଉଚିହ୍ନଟି କୁଆଡ଼େ ଲୁଚିଗଲାଣି କେଉଁ କଣ୍ଟକିତ ପଥରେ । ଜୁଆନ ପୁଅ ତା’ର କଳାପାଣି ପାର ହୋଇ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗୁଥିଲା । ସେ କାଳେ ମଣିଷ ମାରିଥିଲା । ସେଇ ଦିନଠାରୁ ବୁଢ଼ୀ ବାଟ ନାହିଁ ଅବାଟ ନାହିଁ ଚାରିଆଡ଼େ ଘୂରି ବୁଲୁଥିବ । ସତେ ମେିତି ତା’ର ହଜିଲା ପୁଅକୁ ଖୋଜି ଚାଲିଥିବ ‘ବିବି ନୁରନ୍!’
‘ହଁ, ଆରେ କିଏ ଡାକୁଚ?’
‘ମୁଁ… ମୁଁ… ମୋହନ । ସଲାମ ଆଲେକମ୍ ବିବି । ନେ, ତୋ ଲାଗି ବଢ଼ିଆ ଜିଲାପି ଆଣିଚି । ମୋ ବୁଢ଼ୀମା’ ତୋ ଲାଗି
ପଠେଇଚି ।’
ବିବି ମୁହଁରୁ ଆଶୀର୍ବାଦର ଧାରା ଶ୍ରାବଣ ବର୍ଷି ଚାଲିଲା, ‘ଶହେ ବର୍ଷ ବଞ୍ଚିବୁରେ ପୁଅ । ଆଲ୍ଲା ତତେ ସବୁ ସୁଖ ଶାନ୍ତି ଦିଅନ୍ତୁ । ତୋ ମୁହଁରେ ସଦାବେଳେ ହସ ଲାଗିଥାଉ ।’
କବାଟଫାଙ୍କ ଦେଇ ସତେକି ବିବିର ଆଶୀର୍ବାଦ ବର୍ଷ ଆସି ଆମ କାର୍ ଉପରେ ଅଜାଡ଼ି ହୋଇପଡ଼ିଲା! ସେଇ ବର୍ଷାରେ ଯେମିତି ମୋ ମୁହଁ ଧୋଇ ହୋଇଗଲା!
ଜମାଲ ମୋତେ ଚେତାଇଦେଲା, ‘ମୋହନ, କାନ୍ଦୁଛୁ କାଇଁକି?’
କାର୍ ଏବେ ଆମରି ଘର ଆଡ଼କୁ ବଢ଼ି ଚାଲିଥିଲା । ଆଗରେ ଲଙ୍ଗୁଳୁ ଚାଚାର ଦୋକାନ । ସେ ଆଗରୁ ମେଥିଲେଟ ସ୍ପିରିଟ୍ ବିକ୍ରି କରୁଥିଲା ।
‘ଚାଚା, ଏମିତି ଅଧା ଲଙ୍ଗଳା ହୋଇ କାଇଁକି ଲୁଗା ପିନ୍ଧିଛ ?’
‘ଆରେ ପୁଅ, ଲଙ୍ଗଳା ହୋଇ ଆମେ ସମସ୍ତେ ଏ ଦୁନିଆକୁ ଆସିଛେ , ଆଉ ସେମିତି ଲଙ୍ଗଳା ହୋଇ ଏ ସଂସାରରୁ ଫେରିଯିବା ।’ ସେ ହସି ହସି କହିବ ।
‘ଆରେ! ଗୋବିନ୍ଦ ଚାଚା କେତେବେଳେ ପାଖ ଗୁଡ଼ିଆ ଦେକାନରୁ ବାହାରିଆସି ମୋତେ ଚଟକଣାଟିଏ ବସେଇଦେଲେ ମୁଁ
ଜାଣିପାରିଲିନି!
‘ ଏ ବେଶ୍ୟାପଡ଼ାରେ ତୁ କାଇଁକି ଘୂରି ବୁଲୁଚୁ, ଶୁଣେ?’ ସେ ମୋତେ ଅଭିଭାବକ ସୁଲଭ ଠାଣିରେ ତାଗିଦ୍ କଲାଭଳି ପଚାରିବେ ।
ଗୋବିନ୍ଦ ଚାଚା ରାଗିଗଲେ ତାଙ୍କ ପାଟିରୁ ଉର୍ଦ୍ଦୁ ବାହାରେ । ପୁଣି ଥରେ ସେ ମତେ ପଚାରିଲେ, ‘ଜବାବ ଦେଉନୁ, କାଇଁକି ବୁଲୁଛୁ ?’
ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲାପରି କହିଲି, ‘ମୋ କଲେଜକୁ ଏଇ ବାଟେ ରାସ୍ତା ।’
ଗୋବିନ୍ଦ ଚାଚା ମୋ ଉତ୍ତରରେ ସନ୍ତୁଷ୍ଟ ହୋଇନାହାନ୍ତି ବୋଧେ । ସେ ତାଙ୍କ ଦୋକାନର ମିଠେଇ ଥାଳିରୁ ଦିଓଟି ବର୍ଫି ଆଣି ମୋ ହାତରେ ଗୁଞ୍ଜିଦିଅନ୍ତି ଓ କହନ୍ତି, ‘ହଉ, ଯା’,ଯା’ ।’ ମୁଁ ବୁଲିପଡ଼ି ଚାଲିବାକୁ ଆରମ୍ଭ କରିବା ଆଗରୁ ସେ । ମାତେ ପୁଣି ଥରେ ଅଟକାନ୍ତି ଓ କହନ୍ତି, ‘ଏଥରକ କଲେଜ ଏ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବୁ ।’
ଆମେ ଆମ ଗଳିରେ ପହଞ୍ଚି ସାରିଥିଲୁ । ଜମାଲ ଡ୍ରାଇଭରକୁ ଗାଡ଼ି ଅଟକାଇବାକୁ ନିର୍ଦ୍ଦେଶ ଦେଲା ।
‘ଆ’, ମୋହନ ।’
ଗଳିଟା ସାରା ଭାରି ନିର୍ଜନ ଲାଗୁଥିଲା । ମୁଁ କାରରୁ ଗୋଡ଼ କାଢ଼ି ରାସ୍ତା ଉପରେ ଥୋଇବା ମାତ୍ରେ ମୋତେ ଲାଗିଲା ଯେମିତି
ମୋ ବୁଢ଼ୀମା’ର ଛାଇ ସିଧା ଲମ୍ବିଆସି ପଡ଼ିଛି ମନ୍ଦିର ଉପରେ । ମନ୍ଦିର ପାହାଚସବୁ ଅତିକ୍ରମ କରି ସେ ସିଧା ବୁଲିଯାଇ ଆମ ଘର ସାମ୍ନାରେ ଠିଆ ହୋଇଯାଉଛି! ମୋ ପାଦ ଚଞ୍ଚଳ ହୋଇଗଲା
ସେ ଜମାଲ ମୋ ପଛେ ପଛେ ଚାଲିଥାଏ । ମୋ ବୁଢ଼ୀମା’ ଏଥର ଡାହାଣ ପଟେ ବୁଲିଲା । ମୁଁ ବି ତା’ ପଛେ ପଛେ ଆହୁରି ଲମ୍ବା ପାହୁଣ୍ଡ ପକାଇ ଚାଲିଲି । ତା’ମୁହଁ କ୍ଷଣକ ଲାଗି ମୋତେ ଦିଶିଗଲା । ତା’ପାଖରେ ପହଞ୍ଚିବାକୁ ମୁଁ ବ୍ୟଗ୍ର ହୋଇଉଠିଲି । କିନ୍ତୁ ରାସ୍ତାର ଆଗ ବୁଲାଣି ପାଖରେ ପହଁଞ୍ଚିବା ପରେ ମୋ ବୁଢ଼ୀମା’ ଆଉ ସେଠାରେ ନଥିଲା । କେହି ବି ନଥିଲେ । ମୁଁ ଆମ ଘରର ସାମ୍ନା ଦରଜା ପାଖରେ ଠିଆ ହୋଇଥିଲି । କବାଟ ଭିତରପଟୁ ବନ୍ଦ୍ ଥିଲା । ଆମ ଗଳିର ଅନ୍ୟ ସବୁ ଘରେ ଉପରେ ମୋ ଆଖି ବୁଲିଗଲା । ଘରଗୁଡ଼ିକ ଏତେ ଲଗାଲଗି ହୋଇ ଥିଲେ ଯେ ଆମେ ଜଣକ ଛାତରୁ ଅନ୍ୟ ଜଣକ ଛାତକୁ ବେଶ୍ ଆରାମରେ ଡେଇଁ ଯା’ଆସ କରିପାରଥିଲୁ ।
ଯେପରି ସେସବୁ କୋଠ ଆମର ଥିଲା ବୋଲି ମୁଁ ଓ ମୋର ଅନ୍ୟ ଖେଳସାଥୀମାନେ ମଣୁଥିଲୁ! ସେଇଭଳି ଜଣେ ନିଜ ଘର ଭିତରକୁ ଯିବାକୁ ହେଲେ କେବଳ ଯେ ନିଜ ସାମ୍ନ ଦରଜା ଦିଶୁଥିଲା, ତା’ନୁହେଁ । ଅନ୍ୟ କାହା ଦରଜା ଦେଇ ବି ସେ ଆରାମରେ ଯାଇପାରୁଥିଲା ।
ମୁଁ ଆମ ଘର ଦରଜାରେ ମୃଦୁ ଆଘାତ କଳି । କିନ୍ତୁ ଠିକ୍ ସେତିକିବେଳେ ମୋ ମନକୁ ଏକ ଅଜବ ଚିନ୍ତା ଘାରିଲା । ମୋତେ ଲାଗିଲା ଯେପରି ମୁଁ, ମୁଁ ନୁହେଁ, ଆଉ ଜଣେ କିଏ- ଜଣେ ଆଗନ୍ତୁକ । ଘର ଭିତରୁ ଯେଉଁ ଅପରିଚିତ ଲୋକଟି କବାଟ ଖୋଲିବ, ବାସ୍ତବିକ ସେ ହିଁ ‘ମୁଁ’ । ଅତୀତର ସେଇ ‘ମୁଁ’କୁ ହିଁ ମୁଁ ଏବେ ମନେ ମନେ ଖୋଜୁଥିଲି ।
କବାଟ ସେପଟୁ ଗୋଟିଏ ଅପରିିତ କଣ୍ଠସ୍ୱର ଶୁଭିଲା, ‘କିଏସେ ଡାକୁଛ ?’ ଓ ସେ କବାଟ ସନ୍ଧି ଦେଇ ବାହାରକୁ ଉଣ୍ଡିଲା । ମୁଁ ଅବା ଅତୀତର ସେଇ ଆତ୍ମସତ୍ତାକୁ ଭୁଲି ପାରିଥାନ୍ତି କିପରି? କିନ୍ତୁ ସେ ମୋ ମୁହଁକୁ ଆବାକାବା ହୋଇ ଅନାଇ ପୁଣିଥରେ ପଚାରିଲା, ‘ଆପଣ କିଏ? ମୁଁ ଚିହ୍ନି ପାରିଲିନି । ଦୟାକରି ପରିଚୟ ଦିଅନ୍ତୁ ।’
ନା, ବିଚରା ତାକୁ ଦୋଷ ଦେଇ ଲାଭ କ’ଣ? ସେ ତ ମୋତେ ପୂର୍ବରୁ କେବେ ଦେଖିନଥିଲା । ଏବେ ସୁଦ୍ଧା କବାଟ ବନ୍ଦ୍ ଥିଲା । ତେଣୁ ସେ ମୋତେ ଚିହ୍ନବ ଅବା କିପରି? ମୁଁ ପୁଣି ଥରେ କବାଟରେ କରାଘାତ କଲି ଓ ତା’ର ପ୍ରତିକ୍ରିୟାକୁ ଅପେକ୍ଷା କଲି । ଲକ୍ଷ୍ୟକଲି, କବାଟ ଦି’କଡ଼କୁ ଲାଗିଥିବା ଝରକା ବି ବନ୍ଦ୍ ଥିଲା । ମୁଁ ପୁଣି ଥରେ କବାଟ ଖଡ଼ଖଡ଼ କରିବାକୁ ହାତ ବଢ଼ାଇଲି । ଠିକ୍ ସେତିକିବେଳେ ଘର ଭିତରୁ ଏକ ଅପରିଚିତ କଣ୍ଠସ୍ୱର ଶୁଣି ଅଟକିଗଲି । ଘର ଭିତରୁ ଜଣେ ମହିଳାଙ୍କ କଥା ମୋ କାନରେ ପଡ଼ିଲା- ‘ଘରେ କେହି ପୁରୁଷ ଲୋକ ନାହାନ୍ତି । ସମସ୍ତେ ବାହାରକୁ ଯାଇଛନ୍ତି ।’ ମହିଳା ଜଣକ ଝରକା କଡ଼କୁ ଲାଗି ଠିଆ ହୋଇଥିଲେ ।
ଜମାଲ ମୋ କାନ୍ଧ ଉପରେ ଆସ୍ତେ ହାତ ଥାପି କହିଲା, ‘ଚାଲ୍, ଯିବା ।’ ଆମେ ଗଳିରୁ ବାହାରି ଆସି କାର୍ ଆଡ଼େ ଚାଲିଲୁ । ଜମାଲ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲା, ‘ସିଧା ଘରକୁ ନେଇ ଚାଲ୍ ।’ ତା’ପରେ ମୋ ଆଡ଼କୁ ବୁଲିପଡ଼ି ପଚାରିଲା, ‘ଆଉ ଖଣ୍ଡେ ସିଗାରେଟ ଟାଣିବୁ?’
ମୋ ଉତ୍ତରକୁ ଅପେକ୍ଷା ନକରି ସେ ଦି’ଖଣ୍ଡ ସିଗାରେଟରେ ନିଆଁ ଧରେଇ ଖଣ୍ଡେ ମୋ ହାତରେ ଧରାଇଦେଲା । ଆମେ କାର୍ ଭିତରେ ସିଗାରେଟ ଟାଟି ଧୂଆଁ ଭର୍ତ୍ତି କରିଦେଲୁ । ସତେକି ସେ ଧୂଆଁ ଭିତରେ ମୋ ଅତୀତର ସ୍ମୃତିକୁ ମୁଁ କିଛି ସମୟ ପାଇଁ
ଭୁଲିଯିବାକୁ ଚାହୁଁଥିଲି!
କାର୍ ଏବେ ଖୁବ୍ ବେଗରେ ଧାଇଁଥିଲା ‘ବୈଦୋଁ କା ପୁଲ୍’ ଆଡ଼େ । ଜମାଲ ମୋତେ ସୂଚାଦେଇଲା ଯେ ସେ ଏବେ ସେଇ ଇଲାକାରେ ରହୁଛି ।
ମୁଁ ପଚାରିଲି, ‘ଏଇଠି ପରା ଗୋଟିଏ ବିରାଟ ଶ୍ରୀକୃଷ୍ଣ ମନ୍ଦିର ଥିଲା?’
‘ହଁ, ସେଇ ମନ୍ଦିର ଏବେ ମୋ ଘର ।’ ଜମାଲ ଉତ୍ତର ଦେଲା । ମଣିଷମାନେ ଆଜିକାଲି ନିଜ ଘରଦ୍ୱାର ଛାଡ଼ି ଦେବତାଙ୍କ ମନ୍ଦିରରେ ରହିବାକୁ ଆରମ୍ଭ କଲେଣି । ଜମାଲର ଉତ୍ତର ମୋତେ କେମିତି ଅଜବ ଲାଗିଲା । ‘ଏଇ ତ ଆମ ଘରେ ଆସି ଆମେ ପହଁଞ୍ଚି ଗଲେ ।’
ମୋ ମନରୁ ସେ ପର୍ଯ୍ୟନ୍ତ ସେଇ ପୁରୁଣା ମନ୍ଦିରର ସ୍ମ୍ମୃତି ଦୂର ହୋଇନଥିଲା । ଜମାଲ ସେ ମନ୍ଦିରଟିର ବାହ୍ୟ ଆକୃତିରେ ଯେତେ ପରିବର୍ତ୍ତନ ଆଣିଲେ ସୁଦ୍ଧା ମୋ ମନରୁ ପ୍ରକୃତ ମନ୍ଦିରଟିର ସ୍ୱରୂପ ଲିଭିନଥିଲା । ଆମେ ଗେଟ୍ ଖୋଲି ଭିତରକୁ ପଶିଲୁ । ବଗିଚାରେ ବସିଥିବା ଜମାଲ ପରିବାରର ସଦସ୍ୟମାନେ କାର୍ ନିକଟକୁ ଧାଇଁ ଆସିଲେ ।
ଜମାଲ ତା’ର ପତ୍ନୀସହ ମୋତେ କରିିୟ କରାଇଦେଇ କହିଲା- ‘ମୋହନ୍! ଏଇ ହେଲା ମୋର ବେଗମ୍ ।’
ଭାଭୀ ମୋତେ ସାଦର ସମ୍ଭାଷଣ ଜଣାଇଲେ, ‘ସଲାମ ୱାଲେକମ୍!’ ‘ୱାଲେକମ୍ ଅସଲ୍ଲାମ୍!’ ଏଥ ବର୍ଷ ପରେ ସୁଦ୍ଧା ମୋ ପାଟିରୁ ଏକରି ଶୁଦ୍ଧ ଉର୍ଦ୍ଦୁ ପ୍ରତି ସମ୍ଭାଷଣ ବାହାରିବ ବୋଲି ମୁଁ ନିଜେ ସୁଦ୍ଧା ଜାଣିନଥିଲି । ମୋତେ ମୋ ନିଜ ସ୍ୱର କିପରି ଅପରିଚିତ ଲାଗିଲା ।
‘ବେଗମ୍, ଶୁଣୁଛ ତା’ କଥାକୁ? କେତେ ବଢ଼ିଆ ଉର୍ଦ୍ଦୁ କହୁଚି । ୟେ ପଞ୍ଜାବୀ ଦେଶୀମୂଳାକୁ ମୁଁ ମାତ୍ର ତିନିବର୍ଷ ଭିତରେ ବେଶ୍ ସହରୀ ବନେଇ ଦେଇଥିଲି । କିନ୍ତୁ ତୁମ କଥା ଦେଖ । ସାରା ଜୀବନ ମୋ ସାଥିରେ ଜୀବନ ବିତେଇଲା ପରେ ବି ଯେଉଁ ପଞ୍ଜାବୀକୁ ସେଇ ପଞ୍ଜାବୀ ହୋଇ ରହିଗଲ!’ ଜମାଲର ଜନ୍ମ ଉତ୍ତର ପ୍ରଦେଶରେ ହୋଇଥିଲା ଓ ତା’ର ପିଲାଦିନ ବି
ସେଇଠି କଟିଥିଲା ।
ଭାଭୀ ଜମାଲକୁ ପଚାରିଲା, ‘କ’ଣ ହେଲା ସେଇଠୁ? ମୁଁ କେବଳ ଉର୍ଦ୍ଦୁ କହିବାରେ ଯାହା ଫେଲ୍ ମାରିଥିଲି । କିନ୍ତୁ ତୁମେ ତ କେବଳ ଉର୍ଦ୍ଦୁ କହିବା ଛଡ଼ା ଅନ୍ୟ ସବୁଥିରେ ଫେଲ୍ ମାରିଗଲ ।’
ଜମାଲ୍ ମୋ ଆଡ଼କୁ ମୁହଁ ବୁଲେଇ ତତକ୍ଷଣାତ୍ କହିଲା, ‘କେବଳ ତୁମକୁ ବାହାହେବା ଯୋଗୁ ସବୁଥିରେ ଫେଲ୍ ମାରିଗଲି । ତୋର ତ ମନେଥିବ ମୋହନ୍, ତୋ ନିଜ ମାତୃଭାଷା ଉଚ୍ଚାର କରିବାରେ ତୁ କେଡ଼େ ଦୁର୍ବଳ ଥିଲୁ? ସବୁବେଳେ ମୋତେ ‘ମୁଝକୋ’, ‘ତୁଝକୋ’ କହି ଚାଲୁଥିଲୁ । ତୋତେ ଥରେ ମୁଁ କେମିତି ସାବଧାନ କରେି ଦେଇଥିଲି ଯେ ତୁ ଭାଷାକୁ ଯଦି ଠିକ୍ ଭାବେ ବ୍ୟବହାର କରିବା ନଶିଖୁ ତା’ହେଲେ ମୁଁ ତୋ ସାଥିରେ ଏକା ରୁମରେ ରହିବିନାହିଁ । ହେଲେ ମୋ ନିଜ ବେଗମକୁ ମୁଁ ଏମିତିକା ଧମକ ଜୀବନରେ କେବେ ଦେଇପାରିବିନି ।’
ଆମେ ସମସ୍ତେ ଏକା ସାଙ୍ଗରେ ହସି ଉଠିଲୁ । ଜମାଲ ତା’ ପରିବାରର ଅନୃ ସଦସ୍ୟମାନଙ୍କ ସହ ମୋତେ ପରିଚୟ କରେଇଦେଲା- ‘ମୋହନ୍, ଇଏ ହେଲା ମୋ ବୋହୂ, ଆଉ ସିଏ ମୋ ଝିଅ ।
ତା’ବର ଜଣେ ଇଞ୍ଜିନିଅର ।ଏବେ ସାଉଦି ଆରବରେ ଚାକିରି କରୁଚି । ଆଉ ସିଏ… ।’
ମୁଁ ଚାହିଁଲି ଜଣେ ହୁଷ୍ଟପୁଷ୍ଟ ଯୁବକ ଆଡ଼େ । ମୋ ମନେହେଲେ ଏତେବର୍ଷ ପରେ ମୁଁ ସେଇ ଜମାଲକୁ ଦେଖୁଚି ଯାହାକୁ ଦୀର୍ଘ
ଛତିଶବର୍ଷ ତଳେ ଦିନେ ହଠାତ୍ ହରାଇଥିଲି । ସେଇ ଯୁବକ ଚେହେରା । ମୋ ସିଗାରେଟ ପ୍ୟାକେଟ ଛଡ଼େଇନେଇ ସତେକି ଏଇ ମୁହୂର୍ତ୍ତରେ ପଳେଇବ! ଏଭଳି ଚିନ୍ତାଧାରା ମୋ ମୁହଁରେ ହସର କ୍ଷୀଣ ରେଖାଟିଏ ଟାଣି ଆଣିଲାବେଳେ ମୋତେ ଦୁଃଖ ବି ଲାଗିଲା । ମୁଁ ଯୁବକଟି ସମ୍ପର୍କରେ ମନ ଭିତରେ ଯେଉଁ ପ୍ରକାର ଧାରଣା ଆଣୁଥିଲି, ଯୁବକଟି କିନ୍ତୁ ମୋ ସମ୍ପର୍କରେ ସେପରି ଧାରଣା ଆଣୁନଥିଲା । ଜମାଲର ପୁଅ ହୋଇଥିବାରୁ ମୁଁ ତା’ଠାରୁ ଯଥେଷ୍ଟ କିଛି ଆଶା କରୁଥିଲି ।
ଯଦି ମୋ ପୁଅ ଆଜି ଏଠାରେ ଥାଆନ୍ତା, ତେବେ ଦୁଇଜଣଯାକ ଦି’ପିଢ଼ି ପରେ ହୁଏତ ଇତିହାସ ଭିତରୁ ଘୃଣାକୁ ପରିହାର କରି
ବନ୍ଧୁତା ଓ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତେ ।
ଜମାଲ ତା’ସ୍ତ୍ରୀକୁ କହିଲା, ‘ମୋହନ ଆସନ୍ତାକାଲି ଫେରିଯିବ । ଯିବ ବୋଲି କହୁଛି , ଯାଉ । ଗୋଟିଏ ଦିନ ଖାଲି ଆସି ମୁହଁ ଦେଖେଇଦେଇ ଚାଲିଯିବ । ତା’ଇଚ୍ଛା, ଆମେ ଅବା କିଏ? କ’ଣ ଅବା ତା’ଲାଗି କରିପାରିବା?’
‘ଆରେ ଭାଭୀଜାନ୍, ଏମିତି ମୁହଁ ଶୁଖାଉଛ କାହିଁକି ?’
‘ବେଗମ୍, ଇଏ ବଣିଆକୁ ଏମିତି କଳ ସୁଆଦିଆ ଖାଦ୍ୟ ଖାଇବାକୁ ଦିଅ ଯେ ସାରାଜୀବନ ତା’ପାଟିରୁ ସେ ସୁଆଧ ଛାଡ଼ିବନି । ବଣିଆପୁଅ ଝୁରି ହେଉଥିବ । ଜୀବନସାରା କେବଳ ଡାଲିଭାତ ଖାଇ ପେଟ ପୂରେଇ ଆସିଛି ।’
‘ଡ୍ରାଇଭର!’
‘ବାବୁଙ୍କର ସବୁ ବ୍ୟାଗପତ୍ର ଆଣି ମୋ ବେଡରୁମରେ ଥୋଇଦେ’ । ଆଲ୍ଲାଙ୍କ ଦୁଆରୁ ଅନ୍ତତଃ ଗୋଟିଏ ରାତି ତ ହେଲେ ତୋ ସାଥିରେ କଟେଇବାର ସୁଯୋଗ ମିଳିଲା । ଦୀର୍ଘ ଚାଳିଶ ବର୍ଷ ତଳେ ଯେମିମତି ହଷ୍ଟେଲରେ ଏକାରୁମ୍ରେ ରହୁଥିଲେ ଆଜି ରାତିଟା ସେମିତି ବିତେଇବା ।
ହଁ, ମୁଁ ସଫା ସଫା କହିଦେଉଚି ବେଗମ୍, ଆଜି ମୁଁ ଯେତେ ସିଗାରେଟ ଟାଣିଲେ ବି ତୁମେ ମୋତେ ଆଦୌ ବାରଣ କରିବନି । କେବଳ ଆଜି ଦିନକ ପାଇଁ । ମୋହନ୍, ଆରେ ଖଣ୍ଡେ ସିଗାରେଟ ଧରା । ଆଚ୍ଛା, ତୁ ଆଗ ଯାଇ ମୁହଁହାତ ଧୋଇଧାଇ ପକା । ତା’ପରେ ଆମେ ବସି ନିର୍ଦ୍ଧୁମ୍ ଗପସପ ହେବା ।’ ଏତିକି କହିସାରି ଜମାଲ ମୋ ହାତକୁ ଖଣ୍ଡେ ସିଗାରେଟ ବଢ଼ାଇଦେଲା ଓ ନିଜ ଓଠରେ ଖଣ୍ଡେ ଲଗାଇଲା ।
ମୁଁ ଉପର ମହଲାକୁ ଉଠିବା ଲାଗି ଶିଢ଼ି ଚଢ଼ିବାବେଳେ ମୋର ମନେ ପଡ଼ିଗଲାଯେ ଏଇଟା ଜମାଲର ଘର ନୁହେଁ, ମନ୍ଦିରଟିଏ । ଅତୀତର ସ୍ମୃତି ମୋ ମନ ଭିତରକୁ ଧସେଇ ପଲିଆସିଲା । ଜନ୍ମାଷ୍ଟମୀ ଦିନ ମୁଁ ଏଇ ମନ୍ଦିର ସାମ୍ନାରେ ପ୍ରସାଦ ଖାଇବାକୁ ଧାଡ଼ିବାନ୍ଧି ଠିଆ ହେଉଥିଲି ।
ସେଦିନ ରାତିଅଧରେ କାଳେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନିଅନ୍ତି । ପୁଣି ଗୋଟିଏ ବର୍ଷ ପରେ ଠିକ୍ ସେଇଦିନ ଆଉ ଥରେ ଜନ୍ମଗ୍ରହଣ କରନ୍ତି… ! ଏମିତି ପ୍ରତିବର୍ଷ ତାଙ୍କର ନୂଆ ଜନ୍ମ ଘଟେ । ମୁଁ ଅନ୍ୟ କୌଣସି ପର୍ବପର୍ବାଣୀକୁ ନମାନିଲେ ସୁଦ୍ଧା ଜନ୍ମାଷ୍ଟମୀକୁ ବେଶ୍ ନିଷ୍ଠାର ସହ ପାଳେ । କୃଷ୍ଣଙ୍କ ଭଜନ ଗାଏ । ଶ୍ରୀକୃଷ୍ଣ ପାଲିଙ୍କିରେ ବସି ଦେଳି ଖେଳୁଥାନ୍ତି । ର୍ମୁ ମନେ ମନେ ଭାବୁଥାଏ, ‘ପ୍ରଭୁ, ଏ ଘୋର କଳିକାଳରୁ ଏ ନିରୀହ ଶିଶୁଟିକୁ ରକ୍ଷାକର । ନିଜ ବାହୁଛାୟା ତଳେ ଆଶ୍ରୟ ଦିଅ ।’
ବାରଣ୍ଡା ପାର କରାଇ ଡ୍ରାଇଭର ମୋତେ ପ୍ରଥମେ ଗୋଟିଏ ଲମ୍ବା ହଲ୍ ଭିତରକୁ ନେଇଗଲା ଓ ସେଠାରୁ ଜମାଲର ବେଡରୁମ୍ ଭିତରକୁ । ବେଡରୁମର ଗୋଟିଏ କୋଣରେ ମୋର ବ୍ୟାଗପଟା ଥୋଇ ସେ ମୋତେ ବାଥରୁମଠାରୁ ୱାସ୍ ବେସିନ୍ ପର୍ଯ୍ୟନ୍ତ ସବୁକିଛି ଦେଖାଇଦେଲା ଓ ଧୋଇଧାଇ ହୋଇ ଆସିବାକୁ ଅନୁରୋଧ କଲା ।
ମୁହଁହାତ ଧୋଇସାରି ମୁଁ ଟାୱେଲରେ ପୋଛିହେଉଛି । ଏତିକିବେଳେ ମୋର ନଜର ପଡ଼ିଲା ୱାସ୍ ବେସିନ୍ ଉପରେ । ତା’ଦେହରେ ବଡ଼ ଅସରପାଟିଏ ପଡ଼ିଥିଲା । ମୁଁ ଠିକ୍ ଭାବେ ଜାଣେନି, ଅସରପା ଦେଖିବା ମାତ୍ରେ ମୋର କାହିଁକି ଜମାଲ କଥା ମନେ ପଡ଼େ ଓ ମୁଁ ତାକୁ ସଲାମ୍ ଲକାମ୍ ଜଣାଏ ଓ ତା’ସହ ସେଇ ଛୋଟ ଜୀବନଟିକୁ ମୁଁ ଅସଲ୍ଲାମ ଵାଲେକାମ ପକାଏ ।
ଲକ୍ଷ୍ୟକଲି, ସତେ ଯେପରି ମୋର ସମ୍ଭାଷଣର ପ୍ରତ୍ୟୁତ୍ତର ଜଣାଇବାକୁ ଅସରପାଟି ତା’ର ପର ମେଲାଇ ରଖିଛ! ତା’ପରେ ହଠାତ୍ ସେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ଜମାଲ୍ ମୋତେ ବାହାର ହଲ୍ରେ ଅପେକ୍ଷା କରିଥିଲା ।
‘ଆ’ ।’
ମୁଁ ତା’ପାଖରେ ସୋଫା ଉପରେ ବସି ପଡ଼ୁ ପଡ଼ୁ ତା’ ବିଦେଶୀ ସିଗାରେଟରୁ ଆଉ ଖଣ୍ଡେ ମାଗିଲି । ‘ହଁ, ମୁଁ ଜାଣିଛି’ କହି ମୁଁ ସେଇ କାଠପଟା ଘେରା ଜାଗାଟି ଆଡ଼େ ଚାହିଁଲି ।
ଜମାଲ ହଠାତ୍ ତା’ବସିବା ସ୍ଥାରରୁ ଉଠିପଡ଼ି ଚିଲ୍ଲେଇ ଉଠିଲା, ‘ଆରେ, ଏବେ ମୋର ନମାଜ ପଢ଼ିବା ସମୟ ହୋଇଗଲା । ଏଇ ସାଙ୍ଗେ ସାଙ୍ଗେ ଯାଇ ଫେରିଆସୁଛି । ତୁ ବସିଥା’ ।’
ଜମାଲ ବାହାରିଯିବା ମାତ୍ରେ ମୁଁ ଯାଇ ସେଇ ବନ୍ଦ୍ ଜାଗାଟି ଚାରିକଡ଼େ ପଦଚାରଣ କଲି । ସିମେଣ୍ଟ ଚିହ୍ନ ଦେଖି ମୁଁ ସ୍ପଷ୍ଟ ଅନୁମାନ କରିପାରୁଥିଲି ଯେଉଁଠି ଦିନେ ଲୀଳାମୟ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା । ମୁଁ ସେ ଜାଗାଟିକୁ ଭଲଭାବେ ନିରୀକ୍ଷଣ କରିବା ମାତ୍ରେ ମୋ ମନ ଭିତରେ ଘଣ୍ଟା ବାଜିଉଠିଲା । ଦୀର୍ଘ ଛତିଶ ବର୍ଷ ତଳେ ସେ ଯେଉଁଠି ଥିଲେ,ଆଜି ବି ସେ ସେଇଠି ଅଛନ୍ତି ।
ମୋତେ ଲାଗିଲା, ‘ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ’ ଧ୍ୱନିରେ ସତେକି ସମଗ୍ର ହଲ୍ଟି ପ୍ରତିଧ୍ୱନିତ ହୋଇଉଠୁଛି! ଭକ୍ତମାନଙ୍କ ସମବେତ ଧ୍ୱନି । ଭଗବାନ ଶ୍ରୀକୃଷ୍ଣ ପୁଣିଥରେ ଜନ୍ମଗ୍ରହଣ କରିଛନ୍ତି । ‘ଏଠିକି ଆସ୍, ପ୍ରସାଦ ନେ’ । ବୁଢ଼ୀମା’ ମୋ ମୁହଁରେ ଏତେ ବଡ଼ ଲଡ଼ୁଟିଏ ଭର୍ତ୍ତି କରିଦେଉଛି ଯେ ମୁଁ କଥା ସୁଦ୍ଧା କହିପାରୁନି । ମୋ ଦି’ଗାଲ ଫୁଲିଉଠିଛି । କେବଳ ଯାହା ମୋ ହୃଦୟରେ ଭକ୍ତି ମୁଁ ମନେ ମନେ ଠାକୁରଙ୍କୁ ଜଣାଉଛି । ଜନ୍ମ ହେବାମାତ୍ରେ ଭଗବାନ ଶ୍ରୀକୃଷ୍ଣ ହଠାତ୍ ବଡ଼ ହୋଇଯାଇଛନ୍ତି । ତାଙ୍କ ଓଠରେ ବଂଶୀ ଓ ଚାରିକଡ଼େ ଗୋପାଙ୍ଗନା ବେଢ଼ି ରହିଛନ୍ତି । କି କମନୀୟ କାନ୍ତି! ସମସ୍ତେ ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନର ତାଳେ ତାଳେ ନାଚି ଚାଲିଛନ୍ତି । ସମ୍ପୂର୍ଣ୍ଣ ବିଭୋର ହୋଇ ପଡ଼ିଛନ୍ତି । ପୂଜାରୀ ତା’ର ମନ୍ତ୍ର ପଢ଼ି ଚାଲିଛନ୍ତି ଓ ଦି’କଡ଼କୁ ମୁଣ୍ଡ ଢଳେଇ ଗୋଟାପଣେ ତଲ୍ଲୀନ ହୋଇ ଉଠିଛନ୍ତି ।
ଉପସ୍ଥିତ ଭକ୍ତବୃନ୍ଦ ରାଧେଶ୍ୟାମ… ସଙ୍ଗୀତରେ ବି ବିଭୋର ହୋଇ ଯାଇଛନ୍ତି । ବୃଦନ୍ଦାବନ ଛାଡ଼ି ଭଗବାନ ଶ୍ରୀକୃଷ୍ଣ ଯାଇ ସାରିଛନ୍ତି । କିନ୍ତୁ ରାଧାଙ୍କ ନୃତ୍ୟ ଭିତରେ କେତେବେଳେ ଗୋଟିଏ ଯୁଗ ବିତି ସାରିଲାଣି । ଭଗବାନଙ୍କର ବୃନ୍ଦାବନ ଛାଡ଼ିା ବି ଗୋଟିଏ ଯୁଗ ହେଲାଣି । କିନ୍ତୁ ଏ ଦୁଃଖକୁ ବହନ କରିବାକୁ ଯେପରି ଗୋପାଙ୍ଗନାମାନେ ଅସମର୍ଥ । ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ସହିତ ଭକ୍ତବୃଦ୍ଦ ବି । ମୁଁ ମୁଣ୍ଡଟେକି ଭକ୍ତମଣ୍ଡଳୀଙ୍କ ଆଡ଼େ ଚାହୁଁଛି । କାହିଁ କେଉଁଆଡ଼େ, ଜଣେ ହେଲେ ଭକ୍ତ ଦୃଶ୍ୟ ହେଉନାହାନ୍ତି । ସମଗ୍ର ହଲ୍ଟି ଶୂନ୍ୟ! କେବଳ ଭଗବାନ ଶ୍ରୀକୃଷ୍ଣ ଓ ମୁଁ । ଆଉ କେହି କୁଆଡ଼େନାହାନ୍ତି । ସେଇ କାଠପଟା ଲଗା ଛୋଟ ବିମାନଟି ଭିତରେ ଶ୍ରୀକୃଷ୍ଣ ଓ ତା’ବାହାରେ ମୁଁ । ସତେକି ସେଇ ପଟାକୁ ଆଉଜି ପଡ଼ି ଭଗବାନ ବିଶ୍ରାମ ନେଉଛନ୍ତି! ସେ ତାଙ୍କ ହାତରେ ବଂଶୀ ଧରିନାହାନ୍ତି କି ସୁଦର୍ଶନ ଚକ୍ର ମଧ୍ୟ ନାହିଁ । ତାଙ୍କ ମୁଣ୍ଡରେ ମୟୂରପୁଚ୍ଛ ଖଚିତ ରତ୍ନମୁକୁଟ ମଧ୍ୟ ଶୋଭା ପାଉନାହିଁ । ଦୁଇପଡ଼କୁ ତାଙ୍କର ଅଳଙ୍କାର ବିବର୍ଜିତ ହାତ ଦିଓଟି ଝୁଲି ରହିଛି । ମୁଁ ହଠାତ୍ ଚିହିଁକି ଉଠିଲି- ‘ହେ ଭଗବାନ!’
ତାଙ୍କର ଏ ଦୟନୀୟ ସ୍ଥିତି ଦେଖି ମୋ ମନ ବି ଦୁଃଖରେ ଭରିଗଲା । ହଠାତ୍ ମୋ ଆଖି ଆଗରେ ଶ୍ରୀକୃଷ୍ଣ ସାକ୍ଷାତ୍ ଆସି ଠିଆ
ହୋଇପଡ଼ିଲେ ଓ କହିଚାଲିଲେ, ‘ଆରେ, ମୋ ନମାଜ ପଡ଼ିବା ସମୟ ହୋଇଗଲାଣି ।’
ମୁଁ ଆଖି ପୋଛି ଆଉ ଥରେ ତାଙ୍କଆଡ଼େ ନିରୀକ୍ଷଣ କଲି । କିନ୍ତୁ ସେତେବେଳକୁ ଭଗବାନ ଶ୍ରୀକୃଷ୍ଣ ସେଠାରୁ ପ୍ରସ୍ଥାନ କରି
ସାରିଥିଲେ ।
ରୂପାନ୍ତରଣ: ସୁଭାଷ ଶତପଥୀ
Comments are closed.