ଅନୁବାଦ ଗଳ୍ପ : ଜହୁର ବକ୍ସ
ଭୀଷ୍ମ ସାହାନୀଙ୍କୁ ହିନ୍ଦୀ ଗଦ୍ୟ ସାହିତ୍ୟର ଭୀଷ୍ମ ପିତାମହ ବୋଲି କୁହାଯାଇପାରେ । ୧୯୧୫ ମସିହାରେ ରାୱଲପିଣ୍ଡିଠାରେ ଜନ୍ମିତ ଭୀଷ୍ମ ସାହାନୀ ଦେଶ ବିଭାଜନ ପରେ ଭାରତକୁ ସ୍ଥାନାନ୍ତରୀତ ହୋଇଥିଲେ । ଜଣେ ସଫଳ ଅଧ୍ୟାପକ, ସାହିତ୍ୟକାର ଏବଂ ଅଭିନେତା ଭାବେ ସେ ସୁପରିଚିତ । ଗଳ୍ପ, ଉପନ୍ୟାସ ଓ ନାଟ୍କ ତଥା ପ୍ରବନ୍ଧ ରଚନା ମାଧ୍ୟମରେ ସେ ସମସ୍ତଙ୍କ ନିକଟରେ ସୁପରିଚିତ । ତାଙ୍କ ଦ୍ୱାରା ରଚିତ ‘ତମସ’ ଉପନ୍ୟାସ ଦେଶ ବିଭାଜନ କଥାବସ୍ତୁ ଉପରେ ରଚିତ ଏକ ବଳିଷ୍ଠ ଗ୍ରନ୍ଥ ବୋଲି ବିବେଚନା କରାଯାଏ । ସେହିଭଳି ଏକାଧିକ ଗଳ୍ପରେ ଦେଶ ବିଭାଜନ କାଳର ପରିସ୍ଥିତି ଓ ମାନବୀୟ ସଂକଟକୁ ସେ ଅତି ନିଖୁଣ ଭାବେ ଉପଜୀବ୍ୟ କରିଛନ୍ତି । ୧୯୭୫ ମସିହାରେ ଏହି ମହାନ୍ ସ୍ରଷ୍ଟାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୯
ମୂଳ ହିନ୍ଦୀ: ଭୀଷ୍ମ ସାହାନୀ
ହୋଇପାରେ, ଆପଣମାନଙ୍କ ଭିତରୁ କେହିି କେହି ଜହୁର ବକ୍ସଙ୍କ ନାଁ ଶୁଣିଥାଇ ପାରନ୍ତି! ହେଲେ ଜହୁର ବକ୍ସ ନାଁରେ ତ ଏ ଦୁନିଆରେ ଶହ ଶହ ଲୋକ ଅଛନ୍ତି । ଆପଣ ପଚାରି ପାରନ୍ତି, ‘କେଉଁ ଜହୁର ବକ୍ସ କଥା କହୁଛନ୍ତି?’ ନା, ମୁଁ ଯେଉଁ ଜହୁର ବକ୍ସଙ୍କ କଥା କହୁଚି ସେ ତାଙ୍କ ନାଁ ଲାଗି ଜଣାଶୁଣା ନ ଥିଲେ । ସେ ଜଣାଥିଲେ ଯାହା ତାଙ୍କ ଜୀବନରେ ବିତିଥିଲା, ଯାହା ସେ ଅଙ୍ଗେ ନିଭେଇଥିଲେ । ଜାଣିଚ, ଥରେ କ’ଣ ହେଲା? ସେକଥା ଜାଣିଳା ପରେ ଆପଣମାନେ ବି ଭୁଲି ପାରିବେନି । ଏଇ କଥା ଶୁଣିଲା ପରେ ରାସ୍ତାରେ ଯାଉଥିବା ଯେକୌଣସି ବୋଦାଦାଢ଼ିଆ ମଧ୍ୟବୟସ୍କ ଲୋକଟିଏ ଦେଖିଲେ ଆପଣ ବି ତାଙ୍କୁ ଜହୁର ବକ୍ସ ବୋଲି ଠଉରାଇ ବସିବେ । ଆଉ ତା’ପର ଠାରୁ ଆପଣମାନଙ୍କ ମନ ବି ମୋ ଅନ୍ତରାତ୍ମା ଭଳି ସବୁବେଳେ ଆନ୍ଦୋଳିତ ହେବାରେ ଲାଗିବ ।
ସତ କହିଲେ, ଜୀବନରେ ପ୍ରଥମ ଥର ଯେବେ ତାଙ୍କୁ ମୁଁ ଦେଖିଲି ମୋ ମନରେ ତାଙ୍କ ଲାଗି ସେମିତି କିଛି ଧାରଣା ଜନ୍ମି ନ ଥିଲା । ଯେକୌଣସି ଜଣେ ମଧ୍ୟବୟସ୍କ ଲୋକଙ୍କ ପରି ସେ ଥିଲେ । ଦେହରେ ମଇଳା କୁର୍ତ୍ତା ଖଣ୍ଡେ ପିନ୍ଧିଥିଲେ । କୁର୍ତ୍ତାଟି ପୁଣି ତାଙ୍କ କାନ୍ଧ ପାଖରୁ ଚିରି ଯାଇଥିଲା । ଆଉ ତା’ ସାଙ୍ଗରେ ଅଣ୍ଟାରେ ଗୋଟିଏ ତେହମତ୍ । ପାଦରେ ଜୋତା ନ ଥିଲା । ମୁଣ୍ଡବାଳ ଫୁରୁଫୁରୁ । ସେ ଠିଆ ହୋଇଥିଲେ କାନ୍ଥକୁ ଆଉଜି । ସାଧାରଣ ଲୋକଟିଏ ଭଳି ସେ ଠିଆ ହୋଇଥିଲେ । ସେଦିନ ମୁଁ ତାଙ୍କ ଚେହେରାରେ ସେମିତି କିଛି ମନେ ରଖିଲାଭଳି ଲକ୍ଷ୍ୟ କରିପାରି ନ ଥିଲି । ଯେମିତି ଦଳେ ସାଧାରଣ ଲୋକଙ୍କ ଭିତରେ ସେ ବି ଜଣେ ଥିଲେ । ସେ କାହାକୁ କିଛି କହୁ ନ ଥିଲେ କି କାହାରି କଥା ଶୁଣୁ ନ ଥିଲେ । ନିର୍ଜୀବ ପ୍ରତିମାଟିଏ ପରି ସେ କେବଳ ଠିଆ ହୋଇଥିଲେ । ସେଦିନ ତାଙ୍କ ଘର ସାମ୍ନା ଅଗଣାସାରା ଅନେକ ଲୋକ ରୁଣ୍ଡ ହୋଇଥିଲେ-ପୁରୁଷ, ମହିଳା ଓ ପିଲାମାନେ ସମସ୍ତେ । ଖଣ୍ଡେ ଦୂରରୁ ଲାଗୁଥିଲା ଯେମିତି ଗୋଟିଏ ମସ୍ତବଡ଼ ଅଳିଆ ଗଦା! ଘରଦ୍ୱାରଶୂନ୍ୟ ଲୋକମାନଙ୍କର ରୁଣ୍ଡସ୍ଥଳୀ । ସମସ୍ତେ ଦିଶୁଥିଲେ ସେଇ ଅଳିଆ ଗଦାର ଗୋଟିଏ ଗୋଟିଏ ଆବର୍ଜନା ପରି । ଆଉ ସେମାନଙ୍କ ପାଖକୁ ଲାଗି ଦରପୋଡ଼ା ଖଟ, ବାସନକୁସନ, ପୁରୁଣା ଲୁଗା ଆଦି ପୁଡ଼ାର ଗୋଟିଏ ମସ୍ତବଡ଼ ଗଦା । ଏଇସବୁ ଜିନିଷ ଏବେ ସେମାନଙ୍କ ଅବଶିଷ୍ଟ ଜୀବନର ସମ୍ପତ୍ତି । ଲୁଟତରାଜ, ଘରପୋଡ଼ି ଭିତରୁ ଟାଣି ଓଟାରି ସେମାନେ ଏଇ ସବୁ କିଛି ଯାହା ବଞ୍ଚାଇ ପାରିଥିଲେ । ଏବେ ଏଇ ଅଗଣାଟି ଛଡ଼ା ଏମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଦୁନିଆରେ ଆଉ କେଉଁଠି ହେଲେ ଜାଗା ନ ଥିଲା ।
ଜହୁର ବକ୍ସ କାନ୍ଥକୁ ଆଉଜି ସେମିତି ଠିଆ ହୋଇଥାଆନ୍ତି ଯେମିତି କାନ୍ଥ ସାଙ୍ଗରେ ଲଗାଇ କିଏ ଯେପରି ତାଙ୍କ ଦେହରେ ଅଣ୍ଟାରେ କଣ୍ଟା ବାଡ଼େଇଦେଇଛି । ଆଉ ମୋର ଯାହା ମନେପଡ଼ୁଚି, ତାଙ୍କ ଦୃଷ୍ଟି କେଉଁ ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ଲାଖି ରହିଥିଲା । ଯେଉଁ ଦରପୋଡ଼ା ଘରର କାନ୍ଥକୁ ଆଉଜି ସେ ଠିଆ ହୋଇଥିଲା ସେ ଘରଟି ତାଙ୍କର । ଘର ସାମ୍ନା ବାରଣ୍ଡାରେ ତାଙ୍କ ଘରର କିଛି ଆସବାବପତ୍ର ଏଣେତେଣେ ଖେଳେଇ ହୋଇ ପଡ଼ିଥାଏ । ଅଧାପୋଡ଼ା କାଗଜଖଣ୍ଡସବୁ ଉଡ଼ୁଥାଏ ଅଗଣାସାରା ।
ସେଇ ହରେକ ଦରପୋଡ଼ା କାଗଜଟୁକୁଡ଼ା ଭିତରେ ରହିଥିଲା କୌଣସି ନା କୌଣସି ପାଣ୍ଡୁଲିପିର କିଛି ଅଂଶ- କେଉଁଟା ଗୋଟିଏ ଗପର ତ ଆଉ କେଉଁଟା କେଉଁ ପ୍ରବନ୍ଧର ବା ଅନ୍ୟ କିଛି ଲେଖାର । ହାତରେ ଖଣ୍ଡେ କାଗଜ ଧରି ସେଥିରେ ଲେଖାଥିବା ଅବଶିଷ୍ଟ ଅକ୍ଷରରୁ ଯେକେହି ଚିହ୍ନିପାରିବ ଜହୁର ବକ୍ସଙ୍କ ହାତଲେଖା ଏଇ ପାଣ୍ଡୁଲିପିକୁ । ତାଙ୍କ ଅକ୍ଷରଗୁଡ଼ିକ କେଡ଼େ ସୁନ୍ଦର ଆଉ ସ୍ପଷ୍ଟ! ଯେମିତି ଧାଡ଼ିଗୁଡ଼ିକ ଗୋଟିଏ ଗୋଟିଏ ମୁକ୍ତାଗୁନ୍ଥା ମାଳ! ଲେଖକଟିଏ ପାଇଁ ତା’ ପାଣ୍ଡୁଲିପି ତା’ ରକ୍ତରେ ଲିଖିତ ସ୍ୱାକ୍ଷର ପରି । ଗୋଟିଏ ଗୋଟିଏ ପାଣ୍ଡୁଲିପିପାଇଁ କେତେ ବର୍ଷର ଚିନ୍ତା ଓ ଚେତନାକୁ ସେ ତା’ କଲମ ମୁନରେ ରୂପ ଦେଇ ନ ଥାଏ ସତେ!
ଚଟାଣସାରା ଅଧାପୋଡ଼ା ବହିପତ୍ର ସବୁ ଏତେତେଣେ ଖେଳେଇ ହୋଇ ପଡ଼ିଛି । ସହର ଉପର ଦେଇ ଦଙ୍ଗାର ଗୋଟିଏ ବିରାଟ ଝଡ଼ ବହିଯାଇଛି । ଆଉ ଫି’ଥର ଦଙ୍ଗା ଭଳି ହାଣକାଟରେ କେଉଁଠି କେମିତି ଲୋକ ପ୍ରାଣ ହରାଇଛନ୍ତି । ଏସବୁ ଭାବି ଆଉ ଅବା ଲାଭ କ’ଣ? ଯିଏ ଏ ଦଙ୍ଗାର ଶିକାର ହୋଇଛି ସେଇ କେବଳ ଅନୁଭବ କରିଛି ଏଥର ଦଙ୍ଗାର ବିଶେଷତ୍ୱ କ’ଣ ଅବା କେତେ ।
ଜହୁର ବକ୍ସଙ୍କ ଘରେ ନିଆଁ ଲଗେଇବା ପୂର୍ବରୁ ଲୁଟେରାମାନେ ତାଙ୍କ ଘର ଭିତରେ ପଶି ଜୋର ଜବରଦସ୍ତ ଯାହା ପାଇଲେ ଆଗ ନେଇ ପଳେଇଲେ । ହେଲେ ତାଙ୍କ ବହିପତ୍ର ଥାକରେ ଭୁଲରେ ସୁଦ୍ଧା କେହି ହାତ ମାରି ନ ଥିଲେ । କେବଳ ଯାହା ଏଇସବୁ ବହିପତ୍ରକୁ ପଛରେ ଆସି ନିଆଁ ଗ୍ରାସ କରିଥିଲା । ଜହୁର ବକ୍ସଙ୍କ ଘରେ ଏଇ ଲୁଣ୍ଠନକାରୀମାନଙ୍କୁ ସନ୍ତୁଷ୍ଟ କଲାଭଳି ଲୁଗାପଟା ବା ଖଟ ପଲଙ୍କ ପରି ଆସବାବପତ୍ର ନ ଥିଲା । ତଥାପି ତାଙ୍କ ଆଖି ସାମ୍ନାରେ ଯିଏ ଯାହା ପାଇଲା ଉଠାଇନେଲା ।
ଭଗବାନଙ୍କୁ ଜଣା ସେସବୁ ସେମାନେ କୁଆଡ଼େ ବୁହାଇନେଲେ! ବହି ଆଲମାରି ସେପର୍ଯ୍ୟନ୍ତ ସେମିତି ଅକ୍ଷତ ଥାଏ । କେହି ହେଲେ ସେଆଡ଼େ ଆଖି ବୁଲେଇ ଚାହିଁ ନ ଥାନ୍ତି । ଚାହୁଁ ଚାହୁଁ ସେମାନେ ଘରେ ନିଆଁ ଲଗେଇଦେଲେ । ଜହୁର ବକ୍ସ ଆଉ କିଛି ଉପାୟ ନ ପାଇ ଘରୁ ନିଜ ହାତରେ ଥାକ ଥାକ ବହି ବୁହାଇନେଲେ ପଦାକୁ । ତାଙ୍କୁ ଲାଗୁଥାଏ ସତେ ଯେମିତି ଗୋଟିଏ ଗୋଟିଏ ବହି ଜଣେ ଜଣେ ଜିଅନ୍ତା ମଣିଷ! ଆଉ ସେମାନଙ୍କୁ ସେ ନିଆଁ ଘେରରୁ ଉଦ୍ଧାର କରିଚାଲିଛନ୍ତି ହେଲେ ନିଆଁ କବଳରୁ ସେ ନିଜର ସବୁ ବହି ଉଦ୍ଧାର କରି ପାରିଲେନି । ତାଙ୍କ ହାତର ଗୋଟିଏ ଫାଳ ନିଆଁଧାସରେ ଶିଝିଗଲା । ଦାଢ଼ିରେ ନିଆଁ ଲାଗି ଅଧା ପୋଡ଼ିଗଲା । ତାଙ୍କୁ ଲାଗିଲା ସତେକି ତାଙ୍କର ଶ୍ୱାସରୁଦ୍ଧ ହୋଇଯାଉଛି । ସେ ଖୁବ୍ ହାଲିଆ ହୋଇ ତଳେ ଲୋଟିପଡ଼ିଲେ । ଯେଉଁ କିଛି ବହି ସେ ଏତେ କଷ୍ଟ କରି ଘରୁ ବାହାର କରି ଆଣିଥିଲେ, ଲୋକମାନଙ୍କ ଧାଁଦଉରେ ସେସବୁ ଦଳିଚକଟି ଏବେ ଅଗଣାସାରା ଛିନଛତ୍ର ହୋଇ ପଡ଼ିଥିଲା । ସେ ଚାହିଁଥାଆନ୍ତି ଓ ଦେଖୁଥାଆନ୍ତି କାହା ଗୋଡ଼ବାଜି କାଳିଦାସଙ୍କ ‘ଶକୁନ୍ତଳା’ ପୁସ୍ତକଟି ଦି’ହାତ ଘୁଞ୍ଚିଗଲାଣି ତ ଆଉ କାହା ଗୋଡ଼ ବାଜି ପ୍ରେମଚାନ୍ଦଙ୍କ ‘ଗୋଦାନ’ ଉପନ୍ୟାସ ବହିଟି ମାଟି କାମୁଡ଼ି ପଡ଼ିଲାଣି । ଆଉ ଏତେ ବର୍ଷର ପରିଶ୍ରମର ଫଳସ୍ୱରୂପ ତାଙ୍କ ପାଣ୍ଡୁଲିପିଗୁଡ଼ିକର ପୃଷ୍ଠା ଏତେ ଇତସ୍ତତଃ ହୋଇପଡ଼ିଛି ଚାରିଆଡ଼େ । ସବୁ ପୃଷ୍ଠା ଛିଣ୍ଡା ଓ ମାଟି କାଦୁଅରେ ଭରପୂର ।
ଜହୁର ବକ୍ସ କାନ୍ଥକୁ ଆଉଜିପଡ଼ି ସବୁ ଲକ୍ଷ୍ୟ କରୁଥାଆନ୍ତି । ଆଖିରେ ପଲକ ସୁଦ୍ଧା ପଡ଼ୁ ନ ଥାଏ । ତାଙ୍କ ତଣ୍ଟି ଶୁଖି ଯାଉଥାଏ । ତାଙ୍କୁ ଲାଗୁଥିଲା, ଯେମିତି ତାଙ୍କ ଆଖି ଆଗରେ ସେ ନିଜର ମୃତ୍ୟୁର ମହାନାଟକ ଅଭିନୀତ ହେବା ଦେଖୁଛନ୍ତି! ସୃଷ୍ଟି ପ୍ରଳୟବେଳେ ପାଷାଣ୍ଡମାନଙ୍କ ନୃତ୍ୟ ବି ୟା’ଠାରୁ ଅଧିକ ଭୟଙ୍କର ହୋଇ ନ ଥିବ । କିଛି ସମୟ ଭିତରେ ସବୁ ଶେଷ । ସେ ମନେ ମନେ ଚିନ୍ତା କରୁଥାଆନ୍ତି ଦୀର୍ଘ ତିରିଶବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ସାଧନାର ଫଳ ତାଙ୍କ ସାମ୍ନାରେ ଏବେ କେଇଖଣ୍ଡ ଦରପୋଡ଼ା କାଗଜ ହୋଇ ପବନରେ ଏତେତେଣେ ଉଡ଼ି ବୁଲୁଛନ୍ତି! କେତେ ଯତ୍ନରେ ସେ ଏଇ ବହିଗୁଡ଼ିକୁ ସାଇତି ରଖି ନ ଥିଲେ! କେତେ ସ୍ନେହରେ ସେ ଏଇସବୁ ବହିଗୁଡ଼ିକର ପୃଷ୍ଠା ଓଲଟାଇ ନ ଥିଲେ ବାରମ୍ବାର! କାରଣ, ଏଇସବୁ ବହି ତ ପୁଣି ବହୁ ବିଶ୍ୱପ୍ରସିଦ୍ଧ ସାହିତ୍ୟାନୁରାଗୀମାନଙ୍କ ବର୍ଷ ବର୍ଷ ସାଧନାର ସ୍ୱରୂପ!
ସେ ଇଲାକାର ସବୁ ପଡ଼ୋଶୀଙ୍କ ଘରେ ଦଙ୍ଗାକାରୀମାନେ ନିଆଁ ଲଗେଇ ଦେଇ ସାରିଲା ପରେ ସେମାନଙ୍କ ଦୃଷ୍ଟି ପଡ଼ିଥିଲା ଜହୁର ବକ୍ସଙ୍କ ଘର ଉପରେ । ସେମାନେ ଦାଣ୍ଡ କବାଟଟିକୁ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ । ସମସ୍ତଙ୍କ ହାତରେ କିଛି ନା କିଛି ଗୋଟିଏ ମାରଣାସ୍ତ୍ର ଥିଲା- କାହା ହାତରେ ଠେଙ୍ଗାଟିଏ ତ ଆଉ କାହା ହାତରେ ବର୍ଚ୍ଛାଟିଏ । ସମସ୍ତେ ଚିତ୍କାର କରୁଥିଲେ । ଜହୁର ବକ୍ସଙ୍କ ପତ୍ନୀ ମଧ୍ୟ ଭୟରେ ଚିତ୍କାର କରୁଥିଲେ । ସେ ବି କିଛି ସମୟ ପରେ ଚିତ୍କାର କରିବା ଆରମ୍ଭ କଲେ: ‘ମୁଁ କାହାର କି ଅନିଷ୍ଟ କରିଛି ? ତୁମେ ସବୁ ମୋ ଘରକୁ କାଇଁକି ଆସିଛ ? ତୁମମାନଙ୍କ ମତଲବ କ’ଣ?’
ଦଙ୍ଗାକାରୀମାନେ ଭାବିଲେ, ଜହୁର ବକ୍ସ ସେମାନଙ୍କୁ ଅପମାନିତ କରୁଚନ୍ତି । ଜହୁର ବକ୍ସଙ୍କୁ ଜଣା ନ ଥିଲା ତାଙ୍କ ପତ୍ନୀ କେତେବେଳୁ ପାଟିକରିବା ବନ୍ଦ୍ କରି ଦେଇଥିଲେ, କେତେବେଳୁ ତାଙ୍କ ଝିଅର କାନ୍ଦଣା ଆଉ ଶୁଭୁ ନ ଥିଲା । ଏଇ ତାଣ୍ଡବଳୀଳା ଚାଲିଥିଲା ବେଳେ ତାଙ୍କ ମୁଣ୍ଡରେ କିଛି ଢୁକୁନଥିଲା- ସେ କ’ଣ କରିବେ ଅବା ଏଭଳି ପରିସ୍ଥିତିରେ ତାଙ୍କର କ’ଣ କରିବା ଉଚିତ । ସେ ନିଜ ଇଚ୍ଛାରେ ଚାରିଆଡ଼କୁ ମୁହଁ ବୁଲେଇ ଚାହିଁ ସୁଦ୍ଧାପାରୁ ନ ଥାନ୍ତି । ତାଙ୍କରି ଘର ଭିତରେ ତାଙ୍କ ବିନା ଅନୁମତିରେ ଏ ସବୁ କାଣ୍ଡ ଚାଲିଥିଲା । ହଠାତ୍ ତାଙ୍କ ମୁଣ୍ଡକୁ ଗୋଟିଏ ଉପାୟ ଢ଼ୁକିଲା । ସେ ଦୁଇହାତ ଯୋଡ଼ି ସେଇ ଅଚିହ୍ନା ହିଂସ୍ର ମୁହଁମାନଙ୍କୁ ଅନୁନୟଭରା କଣ୍ଠରେ କହିଲେ : ତୁମର ଯାହା ଇଚ୍ଛା ତାହା ନିଅ । ହେଲେ ମୋର ଗୋଟିଏ ଅନୁରୋଧ, ଦୟାକରି ମୋର ଏଇ ବହି ଓ କାଗଜପତ୍ରକୁ ଛାଡ଼ିଦିଅ । ମୁଁ ଅନୁନୟ ହୋଇ ତୁମମାନଙ୍କ ଗୋଡ଼ତଳେ ପଡ଼ୁଛି । ହେଲେ ତାଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ତାଙ୍କୁ ଧକ୍କା ଦେଇ ଘରୁ ବାହାର କରି ଦିଆଗଲା । ତା’ପରେ ଚାଲିଲା ଘରସାରା ଖାନତଲାସୀ, କାଳେ କେଉଁଠି ଆଉ କିଛି ଜିନିଷ ରହିଯାଇଥିବ! ସବୁ ନେଇସାରିଲା ପରେ ସେମାନେ ଘରେ ନିଆଁ ଲଗେଇ ଦେଲେ, ଜହୁର ବକ୍ସଙ୍କ ଆଖି ସାମ୍ନାରେ ।
ମୁଁ ଜହୁର ବକ୍ସଙ୍କ ଆଡ଼େ ଚାହିଁଲି । ସେ ଯେଉଁଠି ଠିଆ ହୋଇଥିଲେ ସେଇଠି ସେମିତି ଠିଆ ହୋଇ ରହିଥାନ୍ତି । ତାଙ୍କ ମନ ଭିତରେ ସେତେବେଳେ କ’ଣ ସବୁ ବିତୁଥିଲା ସେକଥା ମତେ ଜଣା ନ ଥିଲା । ତାଙ୍କର ସେଇ ଓଠତଳର ଦାଢ଼ିପୁଳାକ, ଆଉ ତାଙ୍କ ଢେମା ଢେମା ଆଖି ଓ ପତଳା ଚେହେରାଟା ଦେଖି ମୋତେ ଲାଗୁଥିଲା ସତେ ଯେପରି ତାଙ୍କ ଭିତରେ ଏକ ନିଆଁ ଜଳୁଛି । ଆଉ ସେ ନିଆଁରେ ଜହୁର ବକ୍ସ ଏବେ ଅର୍ଦ୍ଧଦଗ୍ଧ । ସେତିକିବେଳେ ହଠାତ୍ ତାଙ୍କ ନାଁଟା ମୋ ମନରେ ପୁଣି ଥରେ ଆନ୍ଦୋଳିତ ହେଲା । ଏଇ ସେଇ ଜହୁର ବକ୍ସ ଯାହାଙ୍କ ଗପ ମତେ କେତେ ଭଲ ଲାଗେ । ସିଏ କେତେ କେତେ ବହି ଲେଖି ନାହାନ୍ତି, ଅନୁବାଦ କରି ନାହାନ୍ତି! ସେସବୁ ବି ମୁଁ ପଢ଼ିଛି । ଶେଖ୍ ସାଦୀଙ୍କ ‘ଗୁଲିସ୍ତାଁ’ ଠାରୁ ‘ଦୋସ୍ତାନା’ ପର୍ଯ୍ୟନ୍ତ । ସିଏ କ’ଣ ସେଇ ଜହୁର ବକ୍ସ ଯାହାଙ୍କୁ ମୁଁ ମୋ ଆଖି ସାମ୍ନାରେ ଦେଖୁଛି ! ମୋର ବିଶ୍ୱାସ ହେଉ ନ ଥିଲା । ଇଏ କେମିତି ଦିଶୁଛନ୍ତି?
ପାଦରେ ଜୋତା ନାହିଁ, ତେହମତ୍ ଖସିପଡ଼ିଚି । ଆଉ ଆଖି ଦ’ଟା କେଉଁ ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ନିବିଷ୍ଟ ତାହା ଚାହିଁଲେ ସୁଦ୍ଧା ଜାଣିହେଉନି । କାନ୍ଥଟାକୁ ଆଉଜି ସେ ସେମିତି ମୂର୍ତ୍ତିଟିଏ ଭଳି ଠିଆ ହୋଇଚନ୍ତି । ସେଦିନ ସକାଳୁ ଜହୁର ବକ୍ସ ସବୁଦିନ ଭଳି କେଇପୃଷ୍ଠା ଲେଖାଲେଖି କରିସାରିବା ପରେ ବିଡ଼ି ଖଣ୍ଡିଏ ଲଗେଇ ନିଜ ତଖତ୍ ଉପରେ ବସି କ୍ଳାନ୍ତି ମେଣ୍ଟାଉଥାଆନ୍ତି । ନିଜ ଚିନ୍ତାଧାରାକୁ ଶବ୍ଦରେ ସଫଳ ରୂପ ଦେଇଥିବାରୁ ମନେମନେ ଆତ୍ମତୃପ୍ତି ଅନୁଭବ କରୁଥାଆନ୍ତି ସେ । ସକାଳୁ ସକାଳୁ ଏଇ ସଫଳ ଲେଖନୀ ଚାଳନା ତାଙ୍କ କଥାବସ୍ତୁକୁ ନିର୍ଲିପ୍ତ ଝରଣାଟିଏ ଭଳି ଝରାଇ ଆଣିଥିଲା କାଗଜ ପୃଷ୍ଠା ଉପରେ ।
ଜହୁର ବକ୍ସଙ୍କୁ ଲାଗୁଥାଏ ସତେ ଯେମିତି ପୂର୍ବରୁ ସେ ଆଉ କେବେ ଏତେ ଆତ୍ମସନ୍ତୋଷ ଅନୁଭବ କରି ନ ଥିଲେ । ଠିକ୍ ଏତିକିବେଳେ ଦାଣ୍ଡ ବାରଣ୍ଡାରେ ସେ କାହାର ପାଦଶବ୍ଦ ଶୁଣିବାକୁ ପାଇଲେ । ସତେ ଯେମିତି କେଇଜଣ ଲୋକ ଦୌଡ଼ାଦୌଡ଼ି କରୁଛନ୍ତି । ତା’ପରେ ପାଟିତୁଣ୍ଡ, ନାରାବାଜି ଓ ଅଶ୍ଳୀଳ ଗାଳିଗୁଲଜ । ଗଲା କେଇଦିନ ହେଲା ସହରରେ ଉତ୍ତେଜନା ଲାଗି ରହିଥିଲା । ହେଲେ ଏ ଅଞ୍ଚଳରେ ସକାଳୁ ସକାଳୁ ଏଭଳି ପାଟିତୁଣ୍ଡ, ହୋହଲ୍ଲା! ଯେପରିକି ଗୋଟିଏ ବନ୍ଧ ଭାଙ୍ଗି ପାଣି ମାଡ଼ି ଆସୁଛି , ଆଉ ଆତ୍ମରକ୍ଷାପାଇଁ ଲୋକମାନେ କରୁଣ ଚିତ୍କାର କରି ପ୍ରାଣ ବିକଳରେ ଦୌଡ଼ାଦୌଡ଼ି କରୁଛନ୍ତି । ହଁ, ଏଇଟା ସେଇ ସାମ୍ପ୍ରଦାୟିକ ସଦ୍ଭାବର ବନ୍ଧ ଭାଙ୍ଗିବା ଘଟଣା ଥିଲା ।
ଆଉ ଘୃଣା ଓ ହିଂସାର ପାଣି ମାଡ଼ି ଆସୁଥିଲା ଚାରିଆଡ଼େ, ପ୍ରବଳ ବେଗରେ । ଜହୁର ବକ୍ସ ପାଟିତୁଣ୍ଡ ଶୁଣିଲେ । ହେଲେ ସେ ଏଥିରେ ଆଦୌ ବିଚଳିତ ହେଲେନି । ବାହାରେ କାହାର ସବୁ ପାଟି ଶୁଭୁଥିଲା । ଜାଣିବା ଲାଗି ସେ କବାଟ ଖୋଲି ଦେଖିବାକୁ ଯିବାବେଳେ ପତ୍ନୀ ତାଙ୍କର ବାରଣ କଲେ ।
‘
: ତୁମକୁ ଆଲ୍ଲା କସମ୍, କବାଟ ଖୋଲନି । ଯାହା ଦେଖିବା କଥା ଝରକା ବାଟେ ଦେଖ । ଶୁଣୁଛ ପରା ବାହାରେ ଲୋକଙ୍କ ପାଟିତୁଣ୍ଡ ।’
:‘ଆରେ କିଛି ହବନି । ତୁମେ ମୋଟେ ବ୍ୟସ୍ତ ହୁଅନି । ଆମ ଏ ଇଲାକାରେ ଦଙ୍ଗା କାଇଁକି ଲାଗିବ କହୁନ?’
:‘ଦଙ୍ଗା ଲାଗୁ କି ନ ଲାଗୁ । ମୁଁ ତୁମ ଗୋଡ଼ତଳେ ପଡ଼ୁଚି, ନେହୁରା ହେଉଚି, ତୁମେ କ’ଣ ବୁଦ୍ଧି ବିବେକଶୂନ୍ୟ ହୋଇଗଲ ନା କ’ଣ?’
ଜହୁର ବକ୍ସ ପତ୍ନୀଙ୍କ କଥା ନ ଶୁଣି କବାଟ ଆଡ଼କୁ ଯାଉ ଯାଉ ହସି ହସି ପଚାରିଲେ,‘ମୋତେ ଏ ଇଲାକାରେ କିଏ ନ ଚିହ୍ନିଚି କହିଲ? ମୋର କାଇଁକି କିଏ କିଛି କ୍ଷତି କରିବ ?’
ଏତିକିବେଳେ ବାହାରେ ଗୋଟାଏ ବଡ଼ ଧରଣର କିଛି ବିସ୍ଫୋରଣ ହେଲା । କାନ ଫାଟି ପଡ଼ିଲା ପରି ଶବ୍ଦ । ଜହୁର ବକ୍ସଙ୍କୁ ଲାଗିଲା ସତେ ଯେମିତି ତାଙ୍କରି ଦରଜା ଉପରକୁ କିଏ କିଛି ଗୋଟାଏ ଭାରୀ ଜିନିଷ ଫୋପାଡ଼ିଲା । ନା,ଏଇଟା ବିସ୍ଫୋରଣ ନୁହେଁ, କବାଟରେ କିଏ ଯେମିତି କୁରାଢ଼ୀରେ ଗୋଟିଏ ପାହାର ପକାଇଲା! ଥରେ ନୁହେଁ କି ଦି’ଥର ନୁହେଁ, ତିନିଥର । ତୃତୀୟ ଥର ସେଇ ପାହାରରେ କବାଟଟା ଖୋଲିଗଲା ।
ଜହୁର ବକ୍ସଙ୍କୁ ଏବେ ସୁଦ୍ଧା ଲାଗୁଥାଏ ଭୁଲରେ କେହି ତାଙ୍କ କବାଟ ଭାଙ୍ଗିଚି । ତାଙ୍କୁ ସାମ୍ନାରେ ଦେଖି ବୋଧହୁଏ ଏଇ ଲୋକମାନେ ସେମାନଙ୍କର ଭୁଲ୍ ବୁଝିପାରିବେ ଓ କ୍ଷମା ମାଗି ଚାଲିଯିବେ । କିନ୍ତୁ କବାଟ ଭାଙ୍ଗିବା ମାତ୍ରେ ଏକାଥରକେ ପଞ୍ଝାଏ ଲୋକ ଘର ଭିତରକୁ ପଶି ଆସିଲେ । ସମସ୍ତଙ୍କ ହାତରେ ଧାରୁଆ କାତି, ବର୍ଚ୍ଛା, ଖଣ୍ଡା ଓ ଆହୁରି କେତେ କେତେ ମାରଣାସ୍ତ୍ର । ଆଖି ପିଛୁଳାରେ ଏତେ କାଣ୍ଡ ଘଟିଗଲା ଯେ ଜହୁର ବକ୍ସଙ୍କୁ ସେକଥା ବିଶ୍ୱାସ ଲାଗୁ ନ ଥାଏ । ଏସବୁ ଦେଖି ଜହୁର ବକ୍ସଙ୍କ ବଡ଼ଝିଅ ‘ଓଃ ମା’!’ ବୋଲି ଚିତ୍କାର କରି ମା’ ନିକଟକୁ ଦୌଡ଼ିଯାଇ କୁଣ୍ଢାଇ ଧରିଲା । ସାନଝିଅ ବାପାଙ୍କ ବହି ଆଲମାରି ପାଖରେ ଯେମିତି ଠିଆ ହୋଇଥିଲା ସେଇଠି ସ୍ଥାଣୁଟିଏ ଭଳି ଠିଆ ହୋଇ ରହିଥାଏ । ସତେ କି ତା’ ଦେହରେ ଜୀବନ ନାହିଁ! ପଥର ମୂର୍ତ୍ତିଟିଏ! ତା’ ମୁହଁ ଗୋଟାପଣେ ସେତା ପଡ଼ି ଯାଇଥାଏ ଓ ପଲକହୀନ ଆଖିରେ ସେ କେବଳ ଚାହିଁ ରହିଥାଏ ଏଇ ଅଜଣା ଲୋକମାନଙ୍କ ଆଡ଼େ । ଏଇ ଘଟଣା ପରେ ତାଙ୍କ ସ୍ତ୍ରୀ ଓ ଦି’ଝିଅଙ୍କ ଅବସ୍ଥା କ’ଣ ହେଲା ସେ କଥା ଜହୁୁର ବକ୍ସଙ୍କୁ ଠିକ୍ ଭାବେ ଜଣା ନାହିଁ ।
ଏଇ ଅଚିହ୍ନା ମୁହଁ ଭିତରୁ ଜହୁର ବକ୍ସ ମାତ୍ର ତଣକ ମୁହଁକୁ ଚିହ୍ନି ପାରିଲେ । ବିଶ୍ୱେଶ୍ୱର । ତାଙ୍କର ଟିକିଏ ସାହସ ହେଲା । ବିଶ୍ୱେଶ୍ୱର ପାଖ ଗଳିରେ ରହୁଥିଲା ଓ ସେ ଗୋଟିଏ ହିନ୍ଦୀ ପତ୍ରିକାର ସାମ୍ବାଦିକ ଥିଲା । ବିଶ୍ୱେଶ୍ୱର ତାଙ୍କୁ ଚିହ୍ନିଥିଲା ଓ ତାଙ୍କ ଲେଖାକୁ ବେଶ୍ ପସନ୍ଦ କରୁଥିଲା । ଜହୁର ବକ୍ସଙ୍କର ମନେ ପଡ଼ିଲା ଥରେ ବିଶ୍ୱେଶ୍ୱର ତାଙ୍କ କହିଥିଲା,‘ଆପଣ ଜଣେ ମୁସଲମାନ ନିଶ୍ଚୟ । ହେଲେ ହିନ୍ଦୀ ସାହିତ୍ୟକୁ ସମୃଦ୍ଧ କରିବା ଲାଗି ଆପଣଙ୍କ ଅବଦାନ ଅବଶ୍ୟ ଅବିସ୍ମରଣୀୟ ହୋଇ ରହିବ ।’
ତାଙ୍କର ଦୁଇ ତିନିଟି ପ୍ରବନ୍ଧ ମଧ୍ୟ ସେ ତାଙ୍କ ପତ୍ରିକାରେ ଛପାଇଥିଲା । କିନ୍ତୁ ବିଶ୍ୱେଶ୍ୱର ଏଇ ସମାଜବିରୋଧୀ ଲୋକମାନଙ୍କ ସାଙ୍ଗରେ ଏଠିକି କାହିଁକି ଆସିଚି? ସେ ସେମାନଙ୍କୁ ଅଟକାଉ ନାହିଁ କାହିଁକି? ଜହୁର ବକ୍ସ ସେଇଠି ଠିଆହୋଇ ବଡ଼ ପାଟିରେ କହିଉଠିଲେ,‘ବିଶ୍ୱେଶ୍ୱର, ତୁମେ ତ ମୋତେ ଭଲ କରି ଚିହ୍ନିଛ , ନୁହେଁ?’
ହେଲେ ବିଶ୍ୱେଶ୍ୱର ଆଉ ସେଠାରେ ନ ଥିଲା । ମୁହୂର୍ତ୍ତକ ଭିତରେ ସତେ ଯେମିତି ସେ ପବନରେ ମିଳେଇ ଯାଇଥିଲା ସେଠାରୁ । ଏଇ ଲୋକମାନଙ୍କ ଭିତରେ ସେ କେଉଁଠି ମିଶିଗଲା ଜହୁର ବକ୍ସଙ୍କ ଆଖି ଆଉ ତାଙ୍କ ଖୋଜି ପାଇଲାନି । ଅଚିହ୍ନା ଲୋକଗୁଡ଼ାକ ସେଇଭଳି ଚିତ୍କାର କରି ଚାଲିଥାନ୍ତି । ସେମାନଙ୍କ ଆଖି କି ହିଂସ୍ର! ଜହୁର ବକ୍ସଙ୍କ ପାଦ ଥରିବାକୁ ଲାଗିଲା । ଦେହସାରା ଗୋଟଳଏ ଝାଳ ବୋହିଗଲା । ଥରିଲା କଣ୍ଠରେ ସେ କହିଲେ,‘ଦେଖ ଭାଇମାନେ, ତୁମର ଯାହା ଇଚ୍ଛା ତା’ ନେଇଯାଅ । ହେଲେ ମୋର ତୁମମାନଙ୍କୁ ଗୋଟିଏ ଛୋଟ ଅନୁରୋଧ… ।’
ଏକଥା ଶୁଣି କେଇଜଣ ଶାନ୍ତ ପଡ଼ିଗଲେ । ହେଲେ ଆଉ କେତେଜଣ ଆହୁରି ଉଚ୍ଚ କଣ୍ଠରେ ଚିତ୍କାର କରିବା ଆରମ୍ଭ କଲେ । ପଢ଼ାଶୁଣା ଲୋକର ଧାରଣା, କୋମଳ କଣ୍ଠରେ ବୁଝାଶୁଝା କଲେ ତାଙ୍କୁ ଲୋକମାନେ ଶୁଣିବେ, ସେମାନଙ୍କ ଯୁକ୍ତିକୁ ବିଶ୍ୱାସଯୋଗ୍ୟ ଭାବିବେ । କିନ୍ତୁ ଏଠି ତ ଏ ହିଂସ୍ର ଲୋକଗୁଡ଼ାକ ପୂରା ରକ୍ତ ପିଇଯିବା ଲାଗି ତିଆର!
‘ଭାଇମାନେ, ସବୁ କିଛି ନେଇଯାଅ । ହେଲେ ମୋର ଏ କାଗଜପତ୍ର ଓ ବହିତକ ଛାଡ଼ିଦିଅ । ଏସବୁ ମୋର ଢେର୍ ବର୍ଷର ପରିଶ୍ରମର ଫଳ । ଏସବୁ ବହି ସଂଗ୍ରହ କରିବା ଲାଗି ମୋର ସାରା ଜୀବନ ବିତିଯାଇଛି । ମୋର ଝାଳବୁହା ପରିଶ୍ରମରେ ମୁଁ ଗୋଟି ଗୋଟି କରି ଏସବୁ ଜୁଟାଇଛି ।’
ତା’ପରେ ତାଙ୍କ ମୁଣ୍ଡରେ କି ଭୂତ ସବାର ହେଲା ସେକଥା ଭଗବାନଙ୍କୁ ଜଣା । ବଡ଼ପାଟିରେ ଚିତ୍କାର କରି ସେ ପାଗଳଙ୍କ ଭଳି ଏଇ ଅବୁଝା ହିଂସ୍ର ଲୋକଗୁଡ଼ାଙ୍କୁ କହିଚାଲିଲେ,‘ଏଇ ଦେଖ, ଦେଖ, ଏଗୁଡ଼ାକ ‘ନିରାଲା’ଙ୍କ କବିତାବଳୀ, ‘ପନ୍ତ’ଙ୍କ ରଚନାବଳୀ, ମହାଦେବୀ ବର୍ମାଙ୍କ କାବ୍ୟ ସଂଗ୍ରହ । ଏପଟେ ଦେଖ, ବୃନ୍ଦାବନଲାଲ ବର୍ମାଙ୍କ ସାହିତ୍ୟକୃତି । ଏସବୁ ପ୍ରେମଚନ୍ଦଙ୍କ ଉପନ୍ୟାସମାଳା, ପୂରା ସେଟ୍ । ଭଗବତୀବାବୁ ମତେ ଜାଣନ୍ତି । ଭଲକରି ଚିହ୍ନନ୍ତି । ମତେ ନାଗରଜୀ ବି ଚିହ୍ନିଚନ୍ତି । ଅମୃତଲାଲ ନାଗରଙ୍କର ଏସବୁ ବହି । ମୁଁ ଏସବୁ ବହି କିଣିବା ଲାଗି ମୋ ଜୀବନକାଳର ସବୁ ଅର୍ଥ ଖର୍ଚ୍ଚ କରିଛି । ଦୟାକରି ମତେ ଛାଡ଼ିଦିଅ, ଏସବୁ ବହିର କିଛି ଅନିଷ୍ଟ କରନି । ଆଉ ଏସବୁ ମୋର ନିଜ ସାହିତ୍ୟକୃତିମାନଙ୍କ ପାଣ୍ଡୁଲିପି । ମୁଁ ‘ଗୁଲିସ୍ତାଁ’ ପୁସ୍ତକୁ ହିନ୍ଦୀରେ ଅନୁବାଦ କରିଚି ।’ ଭଗବାନଙ୍କୁ ଜଣା ଏସବୁ କଥା ସେଇ ପାଷାଣ୍ଡମାନଙ୍କ ପଥର ହୃଦୟ ଭେଦିଥିଲା କି ନାହିଁ! ହେଲେ ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ବସିବା ପରେ ଜହୁର ବକ୍ସ ହଠାତ୍ ଚୁପ୍ ହୋଇଗଲେ । କେବଳ ଗୁଣୁଗୁଣୁ ସ୍ୱରରେ ଆଉ କିଛି କହିବାକୁ ଚେଷ୍ଟା କରୁଥିଲେ, ଯାହା କେବଳ ତାଙ୍କ ଥରଥର ଓଠରୁ ଜଣାପଡ଼ୁଥିଲା । ତା’ପରେ କେଇଜଣ ମିଶି ଘୋଷାରି ଘୋଷାରି ତାଙ୍କୁ ବାହାରକୁ ନେଇଗଲେ । ଜଣେ କିଏ ତାଙ୍କୁ ଲକ୍ଷ୍ୟ କରି କହିଲା, ‘ଶଳା ମୁସଲମାନ! କହିଲା କ’ଣ ନା ହିନ୍ଦୀରେ ଲେଖୁଛି !
ବଦମାସ କୋଉଠିକାର!’ ଜହୁର ବକ୍ସଙ୍କ କାନରେ ଏକଥା ପଡ଼ିଲା । ତାଙ୍କୁ ଲାଗିଲା ଯେମିତି ତାଙ୍କର ଚିନ୍ତା କରିବାର ସବୁ ଶକ୍ତି ଲୋପ ପାଇଯାଉଛି । ତା’ପରେ ଆରମ୍ଭ ହୋଇଗଲା ଲୁଟତରାଜ । ଖଟପଲଙ୍କଠାରୁ ଆରମ୍ଭ କରି ତକିଆ ଆଉ ବେଡ୍ସିଟ୍ ପର୍ଯ୍ୟନ୍ତ । ଜହୁର ବକ୍ସଙ୍କ ମୁଣ୍ଡରେ ହଠାତ୍ ଚିନ୍ତା ପଶିଲା ତାଙ୍କ ପତ୍ନୀ ଓ ଦି’ଝିଅଙ୍କ କଥା । ସେ ଚାରିଆଡ଼କୁ ଚାହିଁଲେ । କେଉଁଠି ହେଲେ ଦିଶିଲେନି ସେଇ ପରିଚିତ ମୁହଁ ତିନିଟି । ସେ କାନ୍ଦି ଉଠିଲେ ଅବୋଧ ଶିଶୁଟିଏ ଭଳି । ତାଙ୍କ କାନ୍ଦଣା ଦେଖି ସେହି ଅଜଣା ଲୋକଙ୍କ ଭିତରୁ କିଏ ଜଣେ ତାଙ୍କ ପଛଆଡ଼ୁ ଗୋଟିଏ ଶକ୍ତ ଧକ୍କା ଦେଲା । ଜହୁର ବକ୍ସ ଛିଟିକିଯାଇ ମୁହଁମାଡ଼ି ହାମୁଡ଼ି ପଡ଼ିଲେ ଅଗଣାରେ । ଯିଏ ଯାହା ନେବା କଥା ନେଇ ସାରିଲେଣି । ସାରା ଘରଟା ଏବେ ଖାଲି । କେବଳ ଯାହା ତାଙ୍କ ବହି ଆଲମାରିଗୁଡ଼ିକ ସେମିତି ଅକ୍ଷତ ରହିଥାଏ । ତା’ପରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗେଇଦେଲେ । ଚାରିଆଡ଼େ ନିଆଁ ବ୍ୟାପୀ ଚାଲିଲା । ଧୂଆଁରେ ଭରିଗଲା ଘରଦ୍ୱାର ସବୁ । ଏତିକିବେଳେ ଆଉ ଜଣେ ଦୟା ଦେଖାଇଲା ଭଳି କହିଲା, ‘ଶଳା, ତୋ ଭାଗ୍ୟ ଭଲ, ବର୍ତ୍ତିଗଲୁ ଜୀବନ ଧରି ।’ ୟା’ପରେ ଆଉ ଅଧିକ ସମୟ ସେମାନେ ସେଠାରେ ରହି ନ ଥିଲେ । ସମ୍ଭବତଃ ଆଉ ଗୋଟିଏ ଜହୁର ବକ୍ସ ଘର ଲୁଟି ନିଆଁ ଲଗେଇବାକୁ ଚାଲି ଯାଇଥିଲେ । ଚିତ୍କାର କରି, ସ୍ଲୋଗାନ ଦେଇ, ଗାଳି ଫଜିତ୍ କରି ।
ଜହୁର ବକ୍ସ ସେଇଠି ସେମିତି ଠିଆହୋଇ ଚାହିଁ ରହିଥାଆନ୍ତି ସେ ନିଆଁଆଡ଼େ । ଆସ୍ତେ ଆସ୍ତେ ନିଆଁ ତାଙ୍କ ଲାଇବ୍ରେରୀକୁ ଗ୍ରାସ କରିବାକୁ ଆରମ୍ଭ କଲା । ଜହୁର ବକ୍ସ ଆଉ ସେ ଆଡ଼େ ଚାହିଁ ପାରିଲେନି । ମୁହଁ ବୁଲାଇନେଲେ । ମନେ ମନେ ଭାବିବାକୁ ଲାଗିଲେ, କେବଳ ତାଙ୍କ ଘର ପୋଡ଼ି ପାଉଁଶ ହୋଇନି, ତା’ସହିତ ତାଙ୍କ ସାରାଜୀବନର ଆସ୍ଥା ଓ ବିଶ୍ୱାସ ବି ପୋଡ଼ି ପାଉଁଶ ହୋଇଯାଇଛି । ନା, ସେ ଭୁଲ୍ ଭାବୁଛନ୍ତି । ଆସ୍ଥାର ଶେଷ ହୋଇନି, ଯାହା କ୍ଷତାକ୍ତ ହୋଇ ମାତ୍ର । ସେ ଗୋଟିଏ ଖିଆଲରେ ସେଇ ନିଆଁ ଭିତରକୁ ପଶିଗଲେ ଓ ଆଲମାରି ଭିତରୁ ଦରପୋଡ଼ା ପାଣ୍ଡୁଲିପି ଓ ବହିସବୁ ନେନ୍ଥା ନେନ୍ଥାକରି ବାହାରକୁ ବୁହାଇ ଆଣିଲେ । ନିଜ ଆଖିରେ ନିଜର ଏଇ ଅମୂଲ୍ୟ ସମ୍ପଦଗୁଡ଼ିକୁ ପୋଡ଼ି ପାଉଁଶ ହୋଇଯିବାକୁ କିପରି ଅବା ଦେବେ ସେ! ଯେତିକି ବଞ୍ଚେଇ ହେବ ବର୍ତ୍ତିଯାଉ ।
ଏଇ ଖିଆଲରେ ସେ ଥରକୁ ଥର ନିଆଁ ଭିତରେ କଶି ପୁଳାପୁଳା ବହି ଆଣି ଗଦା କରିବାରେ ଲାଗିଲେ । ହେଲେ ବେଶୀ ସମୟ ସେ ଏଇ କାମ କରି ପାରିଲେନି । ନିଆଁ ଧାସରେ ତାଙ୍କ ହାତ ଗୋଡ଼ ସିଝିଗଲା । ଧୂଆଁ ତାଙ୍କ ତଣ୍ଟି ମୂଳକୁ ରୁନ୍ଧିଦେଲା । ଧଇଁସଇଁ ହୋଇଯାଇ ସେ ଆଉ ଆଗକୁ ପାଦ ବଢ଼େଇ ପାରିଲେନି । ସେ ସେଇଠି ଚଟାଣ ଉପରେ ପଡ଼ିଗଲେ । ମୁଣ୍ଡକୁ ଦି’ହାତରେ ଭିଡ଼ିଧରି । ଏବେ ଜହୁର ବକ୍ସ ଉଠି କାନ୍ଥକୁ ଆଉଜି ଠିଆ ହୋଇଥିଲେ ସ୍ଥାଣୁଟିଏ ଭଳି । ସାମ୍ନା ଅଗଣାରେ ତାଙ୍କ ଆଗରେ ଦରପୋଡ଼ା କାଗଜର ପୃଷ୍ଠାସବୁ । ଆଉ ସେଇ ଅଳିଆଗଦା ଉପରେ ବସିଥିଲେ ସେଇ ମହଲାର ଘର ହରାଇଥିବା ଅନ୍ୟ କେଇଟା ହତଭାଗ୍ୟ ପରିବାର । ପିଲାଛୁଆ, ସ୍ତ୍ରୀଲୋକ, ବୁଢ଼ାବୁଢ଼ୀ ସଭିଏଁ । ହେଲେ ସେଇ ଉଦବାସ୍ତୁ ଚାହାଣି ନିଆରା ଥିଲା । ସେ ଚାହିଁଥିଲେ, କିନ୍ତୁ ତାଙ୍କ ଲକ୍ଷ୍ୟ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ବା ବ୍ୟକ୍ତିବିଶେଷଙ୍କ ଉପରେ ନିବଦ୍ଧ ନ ଥିଲା । ସେଥିରେ ଭରି ରହିଥିଲା ଶୂନ୍ୟତା, ହୃଦୟର ଶୂନ୍ୟତା ଭଳି ।
ଯେତେବେଳେ ଆମେସବୁ ସହରର ମାନ୍ୟଗଣ୍ୟ ଭାବେ ପରିଚିତ ସାମ୍ବାଦିକ, ସମାଜସେବୀ ଓ ଅନ୍ୟମାନେ ଧର୍ମନିରପେକ୍ଷତା ନାଁରେ ଶପଥ ନେଇ ଚାରିଆଡ଼େ ବୁଲି ଦଙ୍ଗାଦୁର୍ଗତ ଲୋକମାନଙ୍କୁ ସମବେଦନା ଜଣାଇଲୁ ଜହୁର ବକ୍ସଙ୍କୁ ସେଇଠି କାନ୍ଥକୁ ଆଉଜି ସେମିତି ନିର୍ଲିପ୍ତ ଚାହାଣିରେ ଠିଆ ହୋଇଥିବାର ଦେଖିଲୁ । ଆମ ସମବେଦନାର ସ୍ୱର ତାଙ୍କ ହୃଦୟକୁ ଛୁଇଁଲା କି ନା ସେକଥା ଆମେ ଜାଣୁନା । କିନ୍ତୁ ସେତିକିବେଳେ ମୁଁ ଜହୁର ବକ୍ସଙ୍କୁ ଭଲଭାବେ ଲକ୍ଷ୍ୟକରି ଚିହ୍ନିଲି । ହାତରେ ନୋଟବୁକ୍ ଓ ପେନସିଲ୍ ଧରି ମୁଁ ତାଙ୍କ ନିକଟକୁ ଯାଇ ପଚାରିଲି,‘ଆପଣ ଜଣେ ଲେଖକ ନା?
ଆପଣ ହିନ୍ଦୀରେ ଅନେକ ଗପ ଲେଖିଛନ୍ତି, ନୁହେଁ? ଶେଖ୍ ସା’ଦୀଙ୍କ କବିତାସବୁକୁ ଆପଣ ହିନ୍ଦୀରେ ଅନୁବାଦ କରି ନାହାନ୍ତି?’
ସେ ତାଙ୍କ ଆଖି ସାମାନ୍ୟ ଘୂରାଇ ମତେ କଣେଇ ଚାହିଁଲେ । ତା’ପରେ ପୁଣି ବୁଲେଇନେଲେ ଯେପରିକି ବିଶ୍ୱେଶ୍ୱରର ଚେହେରା ସେ ମୋ ମୁହଁରେ ଦେଖି ପାରୁଥିଲେ । ମୁହଁରେ ତାଙ୍କର ସାମାନ୍ୟ ଟିକିଏ ହସ ଖେଳିଯାଇ କ୍ଷଣିକ ପରେ ପୁଣି ମିଳେଇଗଲା ।
‘ମୋର ଯେତେ ଯାହା ଲେଖିବା କଥା ମୁଁ ଲେଖି ସାରିଛି । ଇଏ ମୋର ଶେଷ ଗପ ।’ ଅନୁଚ୍ଚ ସ୍ୱରରେ ଏତିକ କହି ସେ ଚୁପ୍ ପଡ଼ିଗଲେ ।
ଲେଖକଟିଏ ତା’ର କଥାବସ୍ତୁ ନିଜ ଲେଖନୀ ମୁନରେ ତିଆରି କରେ । ଆଉ ଗୋଟିଏ ସମ୍ପୂର୍ଣ୍ଣ ଅଲଗା କଥାବସ୍ତୁ ଦୁନିଆରେ ଜୀଏଁ । ସିଏ ଜୀବନର କଥାବସ୍ତୁ । ସେ କଥାବସ୍ତୁ କୌଣସି ଲେଖକର ଲେଖନୀ ଅଧୀନସ୍ଥ ନୁହେଁ । ହେଲେ ଏଇ ଦୁଇଟି ଭିତରୁ ଜହୁର ବକ୍ସ କେଉଁ କଥାବସ୍ତୁକୁ ଉଦ୍ଦେଶ୍ୟ କରି ମତେ ଏପରି କହିଲେ ସେକଥା ମୁଁ ବୁଝିନପାରି ଚୁପ୍ ରହିଲି ।
ଅଗଣାରେ ଦରପୋଡ଼ା ପାଣ୍ଡୁଲିପିର ପୃଷ୍ଠାମାନ ଅନାଥ ଶିଶୁପରି ଏଣେତେଣେ ଉଡ଼ି ବୁଲୁଥାନ୍ତି । ଅଧାପୋଡ଼ା ବହିସବୁ ଲୋଟୁଥାନ୍ତି ତଳେ ମାଟି କାଦୁଅ ହୋଇ । ଏଇ କେଇ ଘଣ୍ଟା ପୂର୍ବରୁ ସେମାନେ କାଚ ଆଲମାରି ଭିତରେ କେତେ ଯତ୍ନରେ ନ ଥିଲେ!
ଧର୍ମନିରପେକ୍ଷବାଦରେ ବିଶ୍ୱାସୀ ଶାନ୍ତି କମିିଟିର ଜଣେ କେହି ବ୍ୟକ୍ତି ନଇଁପଡ଼ି ତଳୁ ଖଣ୍ଡେ ବହି ଗୋଟେଇ ଆଣିଲେ । ବହିଟି ସାରା କାଦୁଅ ସାଲୁବାଲୁ । କହି ହେବନି କେତେଜଣ ଏହି ବହିଟି ଉପରେ ପାଦ ପକେଇଚନ୍ତି । ରାମାୟଣ ବହିଟି ତୁଳସୀଦାସକୃତ ‘ରାମଚରିତମାନସ’ । ସେ ବହିଟିର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲେ । ଅନେକ ସ୍ଥାନରେ କିଛି ନା କିଛି ଚିହ୍ନ ଦିଆଯାଇଚି ଆଉ ଅନେକ ଧାଡ଼ି ତଳେ କାଳିରେ ଦାଗ ଦିଆଯିବାର ଚିହ୍ନ । ମୋତେ ଲାଗିଲା ଜହୁର ବକ୍ସ କେବଳ ଏ ପୁସ୍ତକଟିକୁ ପଢ଼ି ନ ଥିଲେ, ଏହାର ଅନେକ ଅଂଶକୁ ସେ ହୃଦୟର ସହ ମନେ ରଖିଥିଲେ ମଧ୍ୟ ।
ଘରସବୁ ପୋଡ଼ି ପାଉଁଶ ହୋଇଗଲା । ଶାନ୍ତି କମିଟି ସହରର ଗଳିକନ୍ଦି ବୁଲି ଉପଦ୍ରୁତ ଲୋକମାନଙ୍କୁ ଆଶ୍ୱାସନାର ବାଣୀ ଶୁଣାଇଗଲେ । ହେଲେ ସେମାନଙ୍କ ହୃଦୟରେ ଲାଗିଥିବା ନିଆଁ ସେପର୍ଯ୍ୟନ୍ତ ଲିଭି ନ ଥିଲା । ସେଇ ନିଆଁରେ ସେମାନେ ଜଳି ଚାଲିଥାଆନ୍ତି ।
ଦଙ୍ଗାପରେ ସାରା ସହରଟାର ଲୋକଙ୍କୁ ଯେପରି ଦାରିଦ୍ର୍ୟ ଗୋଟାପଣେ ଗ୍ରାସ କରିଗଲା । ଦୋକାନବଜାର ଖୋଲିଲା, ରାସ୍ତାଘାଟରେ ଲୋକ ପୁଣି ପୂର୍ବଭଳି ଚଳାଚଳ କଲେ । ନିଜ ଭାଗ୍ୟକୁ ଆଦରି ଲୋକମାନେ ଦଙ୍ଗାକୁ ଏକ ଦୁଃସ୍ୱପ୍ନ ଭଳି ଭୁଲିଯିବାକୁ ଚେଷ୍ଟକଲେ । ଯେତେହେଲେ ଇଏ ତାଙ୍କ ଜନ୍ମସ୍ଥାନ । ଯାହାହେଲେ ସୁଦ୍ଧା ସେମାନେ ଏଇଠି ରହିବେ । ଆଉ ପୁରୁଣା କଥାକୁ ଧରି କେତେଦିନ ଅବା କାନ୍ଦିବେ? ପୋଡ଼ାଘରୁ ଅଳିଆ ପାଉଁଶ ସଫାକରି ନୂଆ ଘର ତିଆରି କରିବା ଲାଗି ସେମାନେ ଲାଗିପଡ଼ିଲେ । ପାଞ୍ଚଦିନର ଏଇ ଦଙ୍ଗାକୁ ସେମାନେ ସୁଖନିଦ୍ରା ଭିତରେ ଗୋଟିଏ ଦୁଃସ୍ୱପ୍ନ ବୋଲି ଧରି ନେଇଥିଲେ । ଏବେ ସେମାନେ ସେଥିରୁ ମୁକ୍ତ । ପିଲାମାନେ ହସିଖୁସି ସ୍କୁଲକୁ ଯିବା ଆରମ୍ଭ କଲେଣି । ଏଇ କେତେଦିନ ତଳେ ସାରା ସହରଟାକୁ ଯେ ଦଙ୍ଗା ଗ୍ରାସ କରିଥିଲା ସେକଥା ସମସ୍ତେ ଭୁଲିବାକୁ ବସିଲେଣି । ପୁଣି ଥରେ ଶାନ୍ତିରେ ବସବାସ କରିବାର ପ୍ରଚେଷ୍ଟା । ନିରାଶା ଭିତରୁ ସମସ୍ତେ ଆଶା ଖୋଜିବାରେ ବ୍ୟସ୍ତ । ସାରା ସହରଟା ଉପରୁ ଏବେ କଳାବାଦଲର ପରଦାଟା ପୂରାପୂରି ହଟି ସାରିଥିଲା । କିନ୍ତୁ ଲୋକମାନଙ୍କ ହୃଦୟରେ ସେ କ୍ଷତଟା ସେଯାଏ ଲିଭି ନ ଥିଲା । ତଥାପି ସେମାନେ ବିଶ୍ୱାସ କରିବାକୁ ଚେଷ୍ଟା କରୁଥିଲେ- ହିନ୍ଦୁ, ମୁସଲମାନ ଭିତରେ କୌଣସି ଭେଦଭାବ ନାହିଁ । ନା, ଭବିଷ୍ୟତରେ ଆଉ ସହରରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ଲାଗିବନି ।
ୟା’ଭିତରେ ଦି’ବର୍ଷ ବିତି ସାରିଥିଲା । ଦିନେ ସହରର ସେଇ ଗଳିଦେଇ ମୁଁ କାରରେ ଯାଉଥିଲି । ମୋ ସାଙ୍ଗରେ ମୋର ଅନ୍ୟ ସାଥୀମାନେ ବି ଥିଲେ । ସାମ୍ପ୍ରଦାୟିକବାଦ ଉପରେ ଗୋଟିଏ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବାକୁ ମୁଁ ଯାଉଥାଏ । ସେଥିରେ ମୋର ଗୋଟିଏ ଭାଷଣ ଦେବା କଥା । ଏଇ କେତେବର୍ଷ ଭିତରେ ଯେଉଁ ଯେଉଁ ସ୍ଥାନରେ ଦଙ୍ଗା ଲାଗିଛି ମୁଁ ସେସବୁ ଯାଗା ବୁଲି ଲୋକମାନଙ୍କ ସହ ମିଶିଛି , ସେମାନଙ୍କ ଦୁଃଖଦୁର୍ଦଶା ନିଜ ଆଖିରେ ଦେଖିଚି, ସମଦୁଃଖୀ ହୋଇଛି ସେମାନଙ୍କ ବିପଦ ପ୍ରତି । ଆଉ ଏଇ ଦଙ୍ଗାର କାରଣ ଓ ପରିଣାମ ଜାଣିବାକୁ ଚେଷ୍ଟ କରିଛି । ଏଇସବୁ ଦଙ୍ଗା ମୋତେ ଯଥେଷ୍ଟ ପ୍ରତ୍ୟକ୍ଷ ଧାରଣା ବି ଦେଇଚି । ଏବେ ମୁଁ ଯେକୌଣସି ଆଲୋଚନାଚକ୍ରରେ ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ ଘଣ୍ଟା ଘଣ୍ଟା ଭାଷଣ ଦେଇପାରେ । ଆମ କାରଟି ଗୋଟିଏ ସ୍ଥାନରେ ଅଟକିଲା । ସାଙ୍ଗେସାଙ୍ଗେ ଆମ କାରକୁ ଘେରି କିଛି ଲୋକ ରୁଣ୍ଡ ହୋଇଗଲେ । ସେମାନେ ଆମ ସମସ୍ତଙ୍କୁ ନିଜ ନିଜର ଦୁଃଖ ଦୁର୍ଦ୍ଦଶା ବଖାଣିଲେ । ସେମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଆମ ନିକଟରେ ସମବେଦନା ଛଡ଼ା ଆଉ କିଛି ନ ଥିଲା ।‘ଭବିଷ୍ୟତରେ ଆଉ ଏପରି ଦଙ୍ଗା ଲାଗିବନି । ସରକାର ତୁମମାନଙ୍କ ଦୁର୍ଦ୍ଦଶା ପ୍ରତି ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି’ ଇତ୍ୟାଦି, ଇତ୍ୟାଦି । ଆମର ଏଇ ଫମ୍ପା ଆଶ୍ୱାସନାବାଣୀକୁ ସେମାନେ ବିଶ୍ୱାସ କଲେ କି ନା ସେକଥା କେବଳ ସେଇମାନଙ୍କୁ ହିଁ ଜଣା । ଧର୍ମନିରପେକ୍ଷ ଚିନ୍ତାଧାରାରେ ବିଶ୍ୱାସ କରିବା ଲାଗି ଆମର ଉପଦେଶ ପ୍ରତି କିନ୍ତୁ ସେମାନେ ମୁଣ୍ଡ ହଲାଇ ସମ୍ମତି ଜଣେଇଥିଲେ ।
ଆମ କାର୍ ପୁଣି ଆଗକୁ ଚାଲିବାକୁ ଆରମ୍ଭ କଲା । ହେଲେ ଏତିକିବେଳେ ସେଇ ଜନଗହଳି ଭିତରୁ ଜଣେ ଲୋକ ବାହାରି ଆସି ଆମ କାର୍ ବନେଟ୍କୁ ଧରି ଚାଲିବାକୁ ଆରମ୍ଭ କଲା । କାର୍ ଆସ୍ତେ ସ୍ପିଡ୍ ନେଉଥାଏ । ଲୋକଟିର ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥାଏ ସେ ଯେପରି ତା’ ଗୁହାରି ଆମକୁ ଜଣେଇବା ଲାଗି ଇଚ୍ଛା କରୁଛି । କାର୍ର ଗତି ବଢ଼ିବା ସହ ତାକୁ କେଇଜଣ ଲୋକ ଧରିପକାଇ ପଛକୁ ଟାଣିନେଲେ ।
ଏଁ! ଇଏତ ଜହୁର ବକ୍ସ! ମୋତେ ଜହୁର ବକ୍ସଙ୍କୁ ଚିହ୍ନିବାକୁ ବେଶୀ ସମୟ ଲାଗିଲାନି । ତାଙ୍କର ସେଇ ବିଚିତ୍ର ଦାଢ଼ି ଏବେ ଧଳା ପଡ଼ିସାରିଥାଏ । କିନ୍ତୁ ଆଖିର ସେଇ ଚାହାଣିରେ ତିଳେହେଲେ ପରିବର୍ତ୍ତନ ଘଟି ନ ଥିଲା । ମୁଣ୍ଡରେ ସେଇ ବିପର୍ଯ୍ୟସ୍ତ କେଶ । ଇଚ୍ଛାହେଲା, କାର୍ ଅଟକାଇ ତାଙ୍କ ସାଙ୍ଗରେ କିଛି ସମୟ କଥାବାର୍ତ୍ତା ହେବାକୁ । ସେଦିନ ସେ ପଦଟିଏ ହେଲେ କିଛି କଥା କହିନଥିଲେ । କିନ୍ତୁ ଏବେ ତାଙ୍କର ମାନସିକ ଅବସ୍ଥା ସୁଧୁରି ଯିବଣି । ମୁଁ ଶୁଣିଛି , ତାଙ୍କ ଥଇଥାନ କରିବା ଲାଗି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କାର୍ ସିଟରୁ ମୁହଁ ଘୂରେଇ ମୁଁ ପଛକୁ ଫେରି ଚାହିଁଲାବେଳେ କାହିଁକି କେଜାଣି ମୋ ମନ ଉଦ୍ବେଳିତ ହୋଇ ଉଠୁଥିଲା ତାଙ୍କ ଲାଗି । ରାସ୍ତା ଉପରେ ଇତସ୍ତତଃ ପାଦରେ ସେ ଏଣେତେଣେ ବୁଲଚାଲ କରୁଥିଲେ । ମୋତେ ଲାଗିଲା ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ଯେପରି ନିଜର ରାସ୍ତା ଖୋଜି ପାଇ ନାହାନ୍ତି! ସେ କେଉଁଠ ଅଛନ୍ତି ଅବା କେଉଁଆଡ଼େ ଯିବେ!
ମୋ ପାଖ ସିଟରେ ବସିଥିବା ଜଣେ ସ୍ଥାନୀୟ ଲୋକ ମୋ କାନ ପାଖରେ ଆସ୍ତେ କହିଲେ, ‘ସେ ଲୋକଟି ଜହୁର ବକ୍ସ । ତା’ ମୁଣ୍ଡ କେଇଦିନ ହେବ ବିଗିଡ଼ି ଯାଇଚି । ସେ ଏବେ ପୂରା ପାଗଳ ।’ ଥରକୁ ଥର ମୁଁ କଛକୁ ବୁଲି ଲୋକଟିକୁ ଚାହୁଁଥିବାରୁ ମୋର ସହଯାତ୍ରୀ ସମ୍ଭବତଃ ଭାବିଥିଲେ ମୁଁ ଲୋକଟି ବିଷୟରେ କିଛି ଜାଣିବାକୁ ଚାହୁଁଛି । ତେଣୁ ସେ ମୋତେ ଜହୁର ବକ୍ସଙ୍କ ବିଷୟରେ ଏକଥା କହିଥିଲେ ।
ଏଇକଥା କେଇପଦ ତାଙ୍କ ମୁହଁରୁ ଶୁଣିସାରିବା ପରେ କେଜାଣି କାହିଁକି ମୋ ମନ ଆହୁରି ଅଶାନ୍ତ ହୋଇ ଉଠିଲା । ମୋ ମନରେ ପ୍ରଶ୍ନ ପରେ ପ୍ରଶ୍ନ ଉଠିଚାଲିଲା- ଜହୁର ବକ୍ସ କ’ଣ ମୋତେ କିଛି କହିବାକୁ ଚାହୁଁଥିଲେ? ସିଏ କ’ଣ ମୋତେ ଏତେଦିନ କରେ ଚିହ୍ନି ପାରିଥିଲେ? ପଛକୁ ମୁଁ ପୁଣିଥରେ ବୁଲି ଚାହିଁ ଲକ୍ଷ୍ୟକଲି, ଜହୁର ବକ୍ସଙ୍କ ଦୃଷ୍ଟି ଆମ ଚଳନ୍ତା କାର୍ ଉପରେ ନିବଦ୍ଧ ଥିଲା । ଦେହରେ ସେଇ ଛିଣ୍ଡା ପୋଷାକ ଓ ବିପର୍ଯ୍ୟସ୍ତ ମୁଣ୍ଡବାଳ । ତାଙ୍କ ଗପ ମୋ କାନରେ ଶୁଣାଇ ଚାଲିଥିଲା- ଜହୁର ବକ୍ସଙ୍କ ଜୀବନର ଶେଷ ଓ ଶ୍ରେଷ୍ଠ ଗପ ।
ସେଦିନ ମୁଁ ଶେଷଥରପାଇଁ ଜହୁର ବକ୍ସଙ୍କୁ ସେଇ ରାତିରେ ଦେଖିଥିଲି । ତା’ପରେ ଆଉ ତାଙ୍କ ସହ ଦେଖା ହେବାର ସୁଯୋଗ ଜୁଟିନି । ତା’ର କିଛି ଦିନ ପରେ କେହିଜଣେ ମୋତେ ଖବର ଦେଲେ, ଜହୁର ବକ୍ସ ଆଉ ଏ ଦୁନିଆରେ ନାହାନ୍ତି ।
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.