Latest Odisha News

BREAKING NEWS

ଅନୁବାଦ କବିତା : ମୁଁ ନୁହେଁ ତମ ତଥ୍ୟ

ମୂଳ ଇଂରାଜୀ : ଅଭୟ ଫ୍ଲାଭିଆନ୍ ଖାଖା

ମୁଁ ନୁହେଁ ତମ ତଥ୍ୟ,
ନା ତମ ଭୋଟ ବ୍ୟାଙ୍କ,
ମୁଁ ନୁହେଁ ତମ ପ୍ରକଳ୍ପ
ଅବା ମ୍ୟୁଜିଅମର କେଉଁ ଅଦ୍ଭୁତ ବସ୍ତୁ,
ମୁଁ ନୁହେଁ ଅମଳ ହେବା ଲାଗି
ଅପେକ୍ଷମାଣ ଆତ୍ମାଟିଏ,
ଅବା ତମ ମତବାଦକୁ ପରୀକ୍ଷା
କରିବା ଲାଗି ପରୀକ୍ଷାଗାରଟିଏ ।

ମୁଁ ନୁହେଁ ତମ କମାଣର ଥୋପ,
ଅବା କେଉଁ ଅଦୃଶ୍ୟ ଶ୍ରମିକ,
ଅବା ଇଣ୍ଡିଆ ହାବିଟାଟ ସେଣ୍ଟରରେ
ତମ ମନୋରଞ୍ଜନର ଉପାଦାନ,
ମୁଁ ନୁହେଁ ତମ କ୍ଷେତ୍ର, ତମ ଭିଡ଼, ତମ ଇତିହାସ,
ତମ ସାହାଯ୍ୟ, ତମ ଦୋଷ,
ତମ ବିଜୟର ପଦକମାନ ।

ମୁଁ ଅମାନ୍ୟ, ଅଗ୍ରାହ୍ୟ, ପ୍ରତିରୋଧ କରୁଛି
ତମ ଦିଆ ଆଖ୍ୟା ସବୁକୁ,
ତମ ରାୟ, ଦଲିଲ, ସଂଜ୍ଞାଗୁଡ଼ିକୁ,
ତମ ଆଦର୍ଶ, ନେତା ଓ ପୃଷ୍ଠପୋଷକମାନଙ୍କୁ,
କାରଣ ସେମାନେ ଅସ୍ୱୀକାର କରନ୍ତି
ମୋ’ ଅସ୍ତିତ୍ୱ, ମୋ’ ଦୃଷ୍ଟି, ମୋ’ ପରିଧିକୁ ।

ତମ ଶବ୍ଦ, ମାନଚିତ୍ର, ପରିସଂଖ୍ୟାନ, ସୂଚକ,
ସେ ସବୁ ଖାଲି ଭ୍ରମ ଉତ୍ପନ୍ନ କରିବା ଲାଗି
ଆଉ ତମକୁ ଉଚ୍ଚାସନରେ ବସାଇବା ଲାଗି,
ଯେଉଁଠି ଥାଇ ତମେ ମୋତେ ଘୃଣା କରିପାରିବ ।
ତେଣୁ ମୁଁ ମୋ’ ଚିତ୍ର ନିଜେ ଆଙ୍କୁଛି,

ଆଉ ମୋ’ ବ୍ୟାକରଣ ନିଜେ ନିର୍ଦ୍ଧାରଣ କରୁଛି,
ମୁଁ ମୋ’ ନିଜ ଯୁଦ୍ଧ ଲଢ଼ିବା ଲାଗି
ନିଜ ଅସ୍ତ୍ର ତିଆରି କରୁଛି,
ମୋ’ ଲାଗି, ମୋ’ ନିଜ ଲୋକ,
ମୋ’ ପୃଥିବୀ, ଆଉ ମୋ’ ଆଦିବାସୀପଣିଆ !

ଅନୁବାଦ : ସରଳ କୁମାର ଦାସ

୪୮୬ ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର – ୭୫୧୦୧୨
ମୋ. ୯୪୩୭୦୩୮୦୧୫
saral_das@yahoo.co.in

 

 

Leave A Reply

Your email address will not be published.