ସାଧନା ପଣ୍ଡା
ମଖମଲି ମିନାର ଉପରେ
ଜମିଛନ୍ତି
ସହରର ସମସ୍ତ ମଧୁମକ୍ଷୀ
ଦେଖୁଛନ୍ତି,
ଅମୃତର ସ୍ବପ୍ନ।
ମସଜିଦରୁ ଭାସିଆସେ
ଆଲ୍ଲା ହୋ ଆକବର
ମନ୍ଦିରରୁ ଘଣ୍ଟା ବାଦ୍ୟର ଶବ୍ଦ,
ଅସହାୟ ମନୁଷ୍ୟର ସୁଅ
ଛୁଟିଛି ଅବାରିତ,
ନିରୀହ ଟ୍ରାଫିକ୍ ଭିଡ ମଧ୍ୟେ …
କ୍ଳାନ୍ତ ସମାରୋହ ;
ବ୍ୟାକୁଳ ହୃଦୟ
ବ୍ୟଥିତ ପ୍ରାଣ ,
ଦର୍ଶନାଭିଲାଷୀ
ପୂଣ୍ୟ ପ୍ରାଣ ନେଇ ।
ଆହା!
ସତେ କେଡେ ଅସହାୟ
କେତେ ଦୟନୀୟ
ଆଜି ଏ ମଣିଷ ଜୀବନ !
ତାରା ଭରା ଆକାଶ ରେ
ଉଇଁ ଯାଏ ଜହ୍ନ
ଜଳିଉଠେ ବତୀଖୁଣ୍ଟ
ଆଖି ମଳି ମଳି
ଅର୍ଦ୍ଧ ନିମିଳିତ ନୟନେ
କରୁଣ , ସ୍ତିମିତ…
ଅତି ତ୍ରାସେ
ଗୁଞନ୍ତି ମୁଖ
ହରାଇ ସୁଖ।
ଶୁଭିଯାଏ ଆରତି ଧ୍ୱନୀ
ତୀବ୍ରରୁ ଅତି ତୀବ୍ର ….
ଅସ୍ପଷ୍ଟ …
ଅବୁଝା ମନ୍ତ୍ରେ
ଆସ୍ତେ ଆସ୍ତେ
ଧୁଆଁ ଧୁଆଁ ହୋଇ ଉଠେ
ସହରର ରାସ୍ତା
ଗହଳିରେ ଖେଳିଯାଏ
ପୋଡା ମୋବିଲ୍ ର ଗନ୍ଧ
ଉତ୍କଟ ରୁ ଅତି ଉତ୍କଟ
ଏଯେ ନିୟତିର
କ୍ରୁର ନିମନ୍ତ୍ରଣ ।
ଅମୃତ ଆଜି ପାଲଟିଛି ବିଷ
ଗରଳ ଭରିଛି;
ଖାଦ୍ୟ ପାଣି ଫଳ ପୁଷ୍ପେ
ବିଷ ଖାଲି ବିଷ
ପବନେ ବିଷ
ସବୁଆଡେ ଖାଲି
ବିଷ ର ଚୁମ୍ବନ
ଏକି
ନିୟତିର କ୍ରୁର ଦଂଶନ
ମୁହୂର୍ମୁହୂ …
ତୀବ୍ରତର ହୋଇ !!!
ମଧୁମକ୍ଷୀ ଆଜି
ମଣନ୍ତି ବିପନ୍ନ
ଅସହାୟ ଆତଙ୍କିତ ଜୀବନ
ଭୀତ ତ୍ରସ୍ତ
ମୋହାଚ୍ଛନ୍ନ
ମଣିଷ ର ମନ…..
କାକୁସ୍ଥେ ଜଣାଏ ପ୍ରଣାମ
କରି ଅଦୃଷ୍ଟେ ସ୍ମରଣ ..
Comments are closed.