Latest Odisha News

BREAKING NEWS

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ।

ସେଥିପାଇଁ ବିରୋଧୀ ଦଳ ଗୁଡିକ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏପରିକି ଏହି ବୈଠକକୁ କଂଗ୍ରେସ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ସୋନିଆ ଗାନ୍ଧୀ ମଧ୍ୟ ବୈଠକରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ଠିକ ଏହି ସମୟରେ ଆସନ୍ତା ୧୮ ତାରିଖରେ ଏନଡିଏ ବୈଠକ ହେବ। ନିଜର ଶକ୍ତି ବୃଦ୍ଧି ପାଇଁ ଏନଡିଏ ଉଦ୍ୟମ ଆରମ୍ଭ କରିଛି। ଏନଡିଏରେ ବିଜେପିର ସହଯୋଗୀ ଦଳ ସମେତ ପୂର୍ବରୁ ଏନ୍ଡ଼ିଏରେ ଥିବା ଦଲଗୁଡିକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ତେଣୁ ଏହି ବୈଠକକୁ ନୂଆ ଓ ପରିବର୍ଦ୍ଧିତ ଏନଡିଏ ବୈଠକ ବୋଲି କୁହାଯାଉଛି। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରର ଶାସକ ବିଜେପି ନିର୍ବାଚନ ପୂର୍ବରୁ ନିଜର ଶକ୍ତି ବଢାଇବାକୁ ଉଦ୍ୟମ କରୁଛି।

ଏପରିକି ବର୍ତ୍ତମାନ ଦେଶର ରାଜନୈତିକ ଚିତ୍ର ବଦଳିଛି। ମହାରାଷ୍ଟ୍ରରେ ମଧ୍ୟ ଶିବସେନା ଓ ଏନସିପି ଦୁଇ ଗୋଷ୍ଠୀ ହୋଇଛନ୍ତି। ତେଣୁ ଏନଡିଏର ଏହି ବୈଠକରେ ବହୁ ନୂଆ ସହଯୋଗୀ ଓ ଚେହେରାଙ୍କୁ ଦେଖିବାକୁ ମିଳିବ।

ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ପ୍ରଫୁଲ୍ଲ ପଟେଲ ଯୋଗ ଦେବାର ସମ୍ଭାବନା ଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନା, ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନ ତଥା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଂଝୀ ପ୍ରମୁଖ ଏନଡିଏ ବୈଠକରେ ସାମିଲ ହେବେ ବୋଲି କୁହାଯାଉଛି।

ଜିତନରାମ ଓ ତାଙ୍କ ପୁଅ ତଥା ହମ ପାର୍ଟିର ଜାତୀୟ ସଭାପତି ସନ୍ତୋଷ ସୁମନ ବୈଠକରେ ଯୋଗ ଦେବେ ଵୋଲି ଦଳର ମୁଖପାତ୍ର ଅମରେନ୍ଦ୍ର ତ୍ରିପାଠୀ କହିଛନ୍ତି। ସେପଟେ ଚିରାଗ ପାଶ୍ୱାନ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ସହ ଆଲୋଚନା କରିଥିବାବେଳେ ସେ ବୈଠକରେ ସାମିଲ ହେବେ ବୋଲି କୁହାଯାଇଛି।

ସେହିଭଳି ଏଆଇଏଡିଏମକେ ବୈଠକରେ ସାମିଲ ହେବ। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା ବୈଠକରେ ଯୋଗ ଦେବେ। ସେପଟେ ନିଜର ପୁରୁଣା ସାଥୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମକୁ ଜୋରଦାର କରିଛି ବିଜେପି।

ଟିଡିପି, ଶିରୋମଣି ଅକାଳୀ ଦଳ ମଧ୍ୟ ଏନଡିଏକୁ ଫେରିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ ଟିଡିପି ଓ ଜଗନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ମଧ୍ୟରେ ବିଜେପି ସହ ହାତ ମିଳାଇବାକୁ ଲଢେଇ ଜୋରଦାର ହେଉଥିବା କୁହାଯାଇଛି।

ସେପଟେ କର୍ଣ୍ଣାଟକରେ ବଡ଼ ପରାଜୟ ଯୋଗୁ ଅଳ୍ପ କିଛି ସିଟ ଜିତିବାକୁ ସକ୍ଷମ ହୋଇଥିବା ଜେଡିଏସ ଏନଡିଏ ବୈଠକରେ ସାମିଲ ହେବାର ସମ୍ଭାବନା ରହିଛି।

ଏପରିକି ବିରୋଧୀ ଏକତାର ନେତୃତ୍ୱ ନେଉଥିବା ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ଏନଡିଏକୁ ପୁଣିଥରେ ଫେରିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏ କଥାକୁ ବିଜେପି ନେତା ରବି ଶଙ୍କର ପ୍ରସାଦ ଖଣ୍ଡନ କରିଛନ୍ତି।

ସେପଟେ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏପରିକି ବିଜେପିକୁ ବଡ଼ ଭାଇର ଆଖ୍ୟା ଦେଇ ମେଣ୍ଟରେ ସାମିଲ ହେଲେ ଛୋଟ ଦଲଗୁଡିକୁ ସ୍ୱାଗତ କରାଯିବ ବୋଲି କୁହାଯାଉଛି।

ତେଣୁ ଏଭଳି ସ୍ଥିତିରେ ବିରୋଧୀ ମେଣ୍ଟ ଓ ନୂଆ ରୂପ ନେବାକୁ ଯାଉଥିବା ଏନ୍ଡ଼ିଏ ମଧ୍ୟରେ ଲଢେ଼ଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.