Latest Odisha News

BREAKING NEWS

ଅଜ୍ଞାତବାସ

ଅଜ୍ଞାତବାସ

ଦିପୁନ୍ ପୁହାଣ

ଥାଉ କିଛି,
ନିଜଠୁ ବି ଗୋପନୀୟ ହୋଇ ।

କିଛି ଅସହାୟତା ଏପରି ଯେ
ତାକୁ ନିଜଠି ଖୋଲିଦେବାକୁ ଡର
ଆଉ ତୁମେ ତ ମୋ ନିଜ ଦେହ ନୁହେଁ
ଦେହଠାରୁ ବହୁ ଦୂର ।

ବଡ଼ ବିଚିତ୍ର ଏ ଦେହ କାରସାଦି,
ଏ ଦେହରେ ଇ ବୃହନ୍ନଳା,
ଏ ଦେହରେ ଅର୍ଜୁନ ,
ଏ ଦେହ କେବେ ଶିଂଶପାର ଶାଖା
ଓ ଶାଖାରେ ଗୋପିତ ମୃତ ଶବ,
ସେ ଶବ ଦେହେ ରହସ୍ୟ ପଟଳ
ପଟଳ ଉହାଡେ ପୁଣି ମାଳମାଳ ମାରଣାସ୍ତ୍ର
ଗଦା, ଖଡ୍ଗ, କୁନ୍ତ ଓ ଗାଣ୍ଡିବ ।

କେଜାଣି ?
କେତେ ରୂପ, କେତେ ଚରିତ୍ରଙ୍କ ଚେତାଳରେ
ତିଆରି ଏ ଦେହ !
ଯାହାକୁ ମୁଁ ଦର୍ପଣରେ ଦେଖେ ,
ମୁଁ କି ନାଁ ମୁଁ ନୁହଁ ନିଇତି ପରଖେ !

ଥାଉ କିଛି ଧାରବାହିକତା,
କିଛି ଆକସ୍ମିକତା ଏ ଦେହରେ !
ଥାଉ କିଛି ଚପା ଗୁଂଜରଣ,
କିଛି ନାର୍ଯ୍ୟଦାବି ଥାଉ
କିଛି ରକ୍ତ ଟକମକ ହେଉଥାନ୍ତୁ ମୋଠି,
କିଛି ଶିଥିଳତା ଥାଉ,
କିଛି ପଡ଼ିଉଠି ଅଭ୍ୟାସ ବଳରେ
ଚାଲିବା ଶିଖୁଥିବା ଶିଶୁ ଓ
କିଛି ବ୍ୟବଚ୍ଛେଦ ଅପେକ୍ଷାରେ
ଲମ୍ବ ହୋଇ ଶୋଇଥିବା ମୃତ ଦେହଂକ ପତିଆରା
ଥାଉ ମୋ ଦେହରେ !

ଥାଉ କିଛି,
ନିଜଠୁ ବି ଗୋପନୀୟ ହୋଇ ।
ଏ ଅଜ୍ଞାତବାସ ନସରିବା ଯାଏଁ
କିଛି କିଛି ନିଜର ଠିକଣା ପୁଣି
ନିଜଠାରୁ ଅପସରି ଯାଉ ।
……………………………………
ଆଂପୋର, କଳିଂଗନଗର
ଯାଜପୁର, ୯୬୬୮୪୦୭୩୨୨

Leave A Reply

Your email address will not be published.