Latest Odisha News

BREAKING NEWS

ବୁର୍ଖା

ସଲୀମ୍ ତେଲୁଗୁ ସାହିତ୍ୟରେ ଜଣେ ପ୍ରତିଭାବାନ୍ ଲେଖକ । ଏପର୍ଯ୍ୟନ୍ତ ତାଂକର ବାରୋଟି ଉପନ୍ୟାସ ଦେଢଶହରୁ ଉର୍ଦ୍ଧ କବିତା ଏବଂ ଦୁଇଶରୁ ଅଧିକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇ ସାରିଛି। ତାଂକର ଗଳ୍ପ ଗୁଡିକ ଇଂଲିଶ୍ ସହିତ ହିନ୍ଦୀ, କାନାଡା, ମାଲାୟଲମ୍, ଓଡିଆ ଆଦି ଭାରତୀୟ ଭାଷାରେ ଅନୁବାଦ ହୋଇ ସାରିଛି । ତାଂକର ମୌଳିକ ଲେଖାଗୁଡିକ ମାନବିକତାରେ ଚିତ୍ରାୟିତ ପଥ ପ୍ରଦର୍ଶକ ଏବଂ କବିତା ପରି ଛନ୍ଦମୟ ବୋଲି ସମୀକ୍ଷକମାନଂକ ଦ୍ୱାରା ଉଚ୍ଚତର ସ୍ୱୀକୃତି ଲାଭ କରିଛି । ସେ କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାର, ତେଲୁଗୁ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ବହୁ ସମ୍ମାନଜନକ ପୁରସ୍କାରର ଅଧିକାରୀ ।

ବୁର୍ଖା

ମୂଳ ତେଲୁଗୁ: ସଲୀମ୍‍
ଓଡ଼ିଆ ଅନୁବାଦ: ପୁଣ୍ୟପ୍ରଭା ଦେବୀ

ରୋସନ୍ ଆରା । ବାଃ! କେତେ ସୁନ୍ଦର ନାମ! ଏଇ ନାମଟିକୁ ମୁଁ କେତେ ଭଲପାଏ! କାହାରି ନାଆଁଟି ପାଇଁ କେବଳ ତାକୁ ଭଲପାଇବା ଲୋକଂକ ଭିତରେ ମୁଁ ବୋଧେ ସବୁଠାରୁ ଆଗରେ ଥିବି । ରୋସନ୍ ଆରାର ସୌନ୍ଦର୍ଯ୍ୟ ବି ତା’ ନାମଟିର ଯଥାର୍ଥତା ପ୍ରତିପାଦନ କରୁଥିଲା । ତାର ଆଖି ଦୁଇଟି ଥିଲା ସଜଫୁଟା ଶୁଭ୍ର ଗୋଲାପ ପରି । ତାର ସରୁ ସରୁ ଓଠ ଦୁଇଟି ଡାଳିମ୍ବ ଫୁଲ ପରି ଲାଲ୍ ଦେଖାଯାଏ । ସେ ହସିଦେଲେ ଦାନ୍ତ ଗୁଡିକ ତାର ଧଳା ଧଳା ଡାଳିମ୍ବ ମଂଜି ପରି ଚମକୁଥାଏ । ସର୍ବୋପରି ତାର ସୁଗଠିତ ଶରୀରର ସୌନ୍ଦର୍ଯ୍ୟରେ ବିରାଜୁଥାଏ ଏକ ରାଜକୀୟ ଠାଣି ।

ସୌଭାଗ୍ୟ ବଶତଃ ଆମର କଲେଜଟା ଥିଲା ଏକମାତ୍ର ବାଳିକା କଲେଜ୍ । ଏଇଟା ଯଦି ସହଶିକ୍ଷା ଅନୁଷ୍ଠାନ ହୋଇଥାଆନ୍ତା ତା’ହେଲେ ଅଗଣତି ଯୁବକ ଏହି ମୋଗଲ ସୁନ୍ଦରୀକୁ ଦେଖି ହ୍ୱିସିଲ୍ ମାରିବାକୁ ଛାଡି ନ ଥାନ୍ତେ । ତାଂକ ଭିତରୁ ଅଧିକାଂଶ ଏହି ପାରସ୍ୟ କଢୀଟିକୁ ପାଇବା ପାଇଁ ପାଗଳ ହୋଇ ଯାଉଥାଆନ୍ତେ ନିଶ୍ଚୟ ।

ଯାହାହେଲେ ବି ରୋସନ୍ ଆରାର ଗୋଟାଏ କଥା କିନ୍ତୁ ମତେ ଭଲ ଲାଗୁ ନ ଥିଲା । ଯଦିଓ ଏଠାରେ ଖାଲି ଝିଅମାନେ ହିଁ ଥିଲେ ତଥାପି ବି ସେ ବୁର୍ଖା ଛାଡି ରହୁ ନ ଥିଲା । ଆଲ୍ଲାଂକଠାରୁ ପାଇଥିବା ଏତେ ମନୋମୁଗ୍ଧକର ସୌନ୍ଦର୍ଯ୍ୟକୁ ସେ ଗୋଟାଏ କଳା ବୁର୍ଖାରେ ଆବୃତ କରୁ, ଏଇଟାକୁ ମୁଁ ମୋଟେହେଲେ ସହିପାରୁ ନ ଥିଲି ।

ଏହି ବିଷୟକୁ ନେଇ ମୁଁ ବହୁବାର ଯୁକ୍ତି କରିଛି ରୋସନ୍ ଆରା ସହିତ । ତଥାପି କେବଳ ମୁହଁଟି ଛଡା ସିଏ ଆଉ କିଛିହେଲେ ବି ପ୍ରକାଶ କରେ ନାହିଁ।

ମୁଁ ଯଦି ତା’ରି ପରି ସୁନ୍ଦରୀଟିଏ ହୋଇ ଥାଆନ୍ତି ନା, ତା’ହେଲେ ଅନ୍ୟମାନଂକ ମତାମତକୁ ଅଗ୍ରାହ୍ୟ କରିଦେଇ ଗର୍ବର ସହିତ ସମସ୍ତକୁଂ ମୋର ରୂପ ଦେଖାଇ ଦେଉ ଥାଆନ୍ତି, ଯଦିଓ ମୁଁ ମୁସ୍ଲିମ୍ ହୋଇ ଜନ୍ମ ହୋଇଛି । ଯେତେବେଳେ ତାକୁ ମୁଁ ଏ କଥା କହିଲି…

“ମୁଁ ଯେ ଦେଖିବାକୁ ଭଲ ସେ କଥାଟାକୁ ପ୍ରଦର୍ଶନ କରିବାଟା କଣ ନିହାତି ଜରୁରୀ?’ ସେ ଯୁକ୍ତି କଲା । ଯଦିଓ ତାର ସରୁ ସରୁ ଓଠକୁ କଳା ବୁର୍ଖାଟା ଘୋଡେଇ ପକେଇ ଥିଲା, ଦୀପ୍ତ ଆଖି ଦୁଇଟି ତାର ଅସୁମାରୀ ସୌନ୍ଦର୍ଯ୍ୟ ବିଚ୍ଛୁରିତ କରୁଥିଲା ।

“ଯଦି କେହି ନ ଦେଖିଲେ ତା’ହେଲେ ସୌନ୍ଦର୍ଯ୍ୟଟା କଣ ପାଇଁ? ମୁଁ ଯଦି ତୋ’ରି ପରି ସୁନ୍ଦରୀ ହୋଇ ଥାଆନ୍ତି ନା, ସାରା ହାଇଦ୍ରାବ ।ଦକୁ ଦୋହଲେଇ ଦେଇ ଥାଆନ୍ତି ।’ ମୁଁ କହିଲି ।

“ତୁ ବି କେଉଁ କମ୍ ସୁନ୍ଦର ହୋଇଛୁ କି? “ହେଲାପୁରୀ’ର ରାଜକୁମାରୀ ଭଳି ତ ହୋଇଛୁ ।’ ରୋସନ୍ ଆରା କହିଲା ସ୍ନେହ ଜରଜର ହୋଇ । ପ୍ରଥମ ପ୍ରଥମ ତା’ସହିତ ମିଶିଲାବେଳେ ତାକୁ ଯେ ଦିନେ ମୋର ଜନ୍ମସ୍ଥାନର ନାମ ଗର୍ବର ସହିତ କହି ଦେଇଥିଲି, ସେ କଥା ମୋର ମନେ ପଡିଗଲା ।

ଏତିକିବେଳେ କଳ୍ପନା ମୋ ବିଷୟରେ ସାଂଗ ମାନଂକୁ କହିଲା “ସିଏ ଯେ ତାର ରୂପ ପାଇଁ ଅହଂକାରୀ ଖାଲି ସେ କଥା ନୁହେଁ, ସେ ତାର ଯତ୍ନ ମଧ୍ୟ ରୀତିମତ ନିଏ । ତାର ବାପା ଜଣେ ବ୍ୟାଂକ ମ୍ୟାନେଜର । ତାଂକର ଗୋଟାଏ ବଢିଆ ଘର ଆଉ ମାରୁତି କାର୍ ଅଛି ବୋଲି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।’ ତା’ପରେ ମତେ ଅନେଇ ପ·ରିଲା, “ତୁ ତ କାହିଁକି ଥରେହେଲେ ବି କାର୍ ରେ ବସି କଲେଜକୁ ଆସିନୁ?’ କଲ୍ପନା ମତେ ଭାରି ହିଂସା କରେ। ସେ ମତେ ଈର୍ଷାକରେ ମୋର ଶାଢ଼ି ପାଇଁ, ମୋର ମେକ୍ଅପ୍ ପାଇଁ ଆଉ ମୋର କେଶସଜ୍ଜାକୁ ଦେଖି ।

“ମୋର ବାପା ଜଣେ ଉଚ୍ଚ ଧରଣର ନୀତିବାଦୀ ମଣିଷ । ସେ କହନ୍ତି ଯେ ଏତେ କମ୍ ବୟସରୁ ଆମେ ବିଳାସ ବ୍ୟସନରେ ଅଭ୍ୟସ୍ତ ହେବା ଉଚିତ୍ ନୁହେଁ ।’ ବାପାଂକୁ ସମର୍ଥନ କରିବାକୁ ଯାଇ ମୁଁ କହିଲି ।

କଳ୍ପନାର ବାପା ହେଉଛନ୍ତି ପୋଷ୍ଟଅଫିସର ଜଣେ କ୍ଲର୍କ ମାତ୍ର ।

ଏ କଥା କହିଲାବେଳେ ମୋ’ଆଖିରେ ଉପହାସର ଯେଉଁ ଚମକ୍ ଥିଲା ତାକୁ ବୋଧେ ରୋସନ୍ ଆରା ଦେଖି ପାରିଲା କି କଣ! ତେଣୁ କହିଲା “ଆମମାନଂକ ଭିତରେ ଆମ ବାପାମାନଂକର ଷ୍ଟାଟସ୍ ବିଷୟରେ ଏତେ ଖାନ୍ତଲାସ କରିବା କି ଦରକାର? ଆମମାନଂକ ଭିତରେ ଖାଲି ଫାଟ ସୃଷ୍ଟି କରିବା ବ୍ୟତୀତ? ସେଇସବୁ କାରଣ ପାଇଁ ତ ଏଠାରେ ୟୁନିଫର୍ମ ହୋଇଛି । ଯେମିତିକି ଆମେ ଦାମୀଦାମୀ କପଡା ପିନ୍ଧି ନିଜ ନିଜର ଉଚ୍ଚମାନର ଭାଉ ନ ଦେଖାଉ । ସେଇ ଏକା ଉଦ୍ଦେଶ୍ୟରେ ତ ବୁର୍ଖାର ଇଉନିଫର୍ମ ବି ହୋଇଛି ।’ ରୋସନ୍ ଆରା ହସି କରି କହିଲା ।

ଆମ ଘରଟା ମୋ’ପାଇଁ ଗୋଟାଏ ନର୍କ ପରି । ମାତ୍ର ଦୁଇଟି ରୁମ୍ ର ଜେଲଖାନା ପରି ଛୋଟ ଛୋଟ କୋଠରି…

ଏଇ ବିଷୟରେ ଆଜି ସକାଳେ ଆଉଥରେ ବାପାଂକ ସହିତ ମୋର ମୁହାଁମୁହିଁ ଯୁକ୍ତିତର୍କ ହେଲା ।

ବାପାଂକୁ ତାଂକର ଦୀପାବଳିର ବୋନସ୍ ମିଳିଥାଏ । ମୁଁ କହିଲି ଯେ ମୋର ଗୋଟାଏ ଚୁଡିଦାର୍ କମିଜ ଦରକାର ହଜାରେ ଟଂକାର ।

“ସବୁ ମିଶିକରି ମୁଁ ତ ମାତ୍ର ହଜାରେ ଟଂକା ପାଇଛି । ତତେ ଯଦି ସବୁତକ ଦେଇଦେବି ତୋର ସାନଭାଇ ପାଇଁ କେମିତି କିଣିବି କହ? ଗଲା ବର୍ଷ ବି ମୁଁ ତୋର ମାଆଂକ ପାଇଁ ଶାଢ଼ି ଖଣ୍ଡେ କିଣି ପାରି ନ ଥିଲି । ମୁଁ ତତେ ଚାରିଶହ ଟଂକା ଦେବି, ସେଥିରେ ତୁ ଯାହା କିଣିବୁ କିଣ୍ ।’ ଟଂକା ଗଣି ଗଣି ମତେ ଦେଲାବେଳକୁ ବାପା କହିଲେ ।

ମୁହଁଟା ତାଂକର ସବୁବେଳେ ମେଘ ଘୋଡେଇଥିବା ପରି ଦୁଃଖୀ ଦୁଃଖୀ ଦେଖାଯାଏ । ସିଏ କଣ କେବେ ଖୁସି ଖୁସି ହୋଇ କଥା କହନ୍ତି?

ଟଂକାତକ ମୁଁ ଫିଂଗିଦେଇ ରାଗିଯାଇ କହିଲି, “ତୁମେ ଯଦି ପିଲାମାନଂକର ସାଧାରଣ ଆବଶ୍ୟକତାକୁ ପୂରଣ କରି ପାରିବ ନାହିଁ ତା’ହେଲେ ବାପା ହେଉଥିଲ କାହିଁକି? ଏକଥା କହିଲା ବେଳକୁ ରାଗ ଜରଜର ହୋଇଯାଉଥିଲି ମୁଁ ।

“ସାଧାରଣ ଆବଶ୍ୟକତାକୁ ମେଣ୍ଟାଇବାପାଇଁ ଯେ ଦାମୀ ଦାମୀ କପଡାର ଦରକାର ସେ କଥା ମୁଁ ଜାଣି ନ ଥିଲି ଝିଆ ଛାଡ୍ । ଜଣେ ସାଧାରଣ ଆଟେଣ୍ଡାଣ୍ଟ୍ ହୋଇ ମୁଁ କିପରି ଏତେସବୁ ବହନ କରି ପାରିବି? ତଥାପି ତୋର ମାଆ, ଭାଇ ଆଉ ମୁଁ ତତେ ସବୁ ଯୋଗେଇ ଆସୁଛୁ ଯେମିତି ତୋର କୌଣସି ଦୁଃଖ ନ ହୁଏ ।’ ବାପା ଉତ୍ତର ଦେଲେ ।

“ଇଏ ସବୁଯାକ ଖାଲି ଗରୀବର ଜଂଜାଳ । ମୁଁ ସବୁବେଳେ ଖାଲି ଅଭାବ ଆଉ ଅନାଟନର ଦୁଃଖଦାୟକ ଶବ୍ଦ ଶୁଣି ଶୁଣି ଆସୁଛି ପିଲାଦିନରୁ । ଏ ଘରେ କେବେହେଲେ ବି ଆନନ୍ଦର ସ୍ୱର ଶୁଣିନାହିଁ । କି ପାପ କରିଥିଲି କେଜାଣି ଏମିତି ଗୋଟାଏ ଘରେ ଜନ୍ମ ହୋଇଛି ।’ ଏତକ କହିଦେଇ ପ୍ରଚଣ୍ଡ ଝଡ ପରି ମୁଁ ବାହାରି ଆସିଲି ।

କଲେଜ୍ରେ ବି ମୁଁ କିଛିହେଲେ ଆନନ୍ଦ ପାଇ ପାରୁ ନ ଥିଲି କଳ୍ପନା ପାଇଁ । ଡିନାମାଇଟ୍ ରେ ଅଗ୍ନି ସଂଯୋଗ କଲା ପରି ସେ ମତେ ଉତ୍ତେଜିତ କରି ଦେଉଥିଲା । ସେ ଦିନ ତାର ଆଖି ନଚେଇ ନଚେଇ ଥଟ୍ଟା କଲାପରି କହିଲା “ତୋର ବାପା ଅଶୋକ ନଗର ବ୍ରାଂଚ୍ ରେ ମ୍ୟାନେଜର୍ ଅଛନ୍ତି ବୋଲି ତୁ କହିଥିଲୁ ନା? କିନ୍ତୁ ମୁଁ ଯେତେବେଳେ ସେଠାକୁ ଯାଇ ପଚାରିଥିଲି, ଶୁଣିଲି ଯେ ସେମିତିକା ନାମରେ ସେଠାରେ କେହି ନାହାନ୍ତି ।’

ସେକଥା ଶୁଣି ମୋର ସମସ୍ତ ସାଂଗ କୌତୁହଳୀ ହୋଇ ମତେ ଦେଖୁଥିଲେ ।

“ଓହୋଃ! ତତେ କହିବାକୁ ମୁଁ ଭୁଲି ଯାଇଛି ଯେ ମାସକ ଆଗରୁ ତାଂକର ଟ୍ରାନ୍ସଫର୍ ହୋଇ ଯାଇଛି ଉପଳ ନଗର ବ୍ରାଂଚକୁ ।’ କଳ୍ପନା ଯେଉଁ ନିଆଁ ଲଗେଇ ଦେଇଥିଲା ତାକୁ ଲିଭେଇ ଦେବାର ପ୍ରଚେଷ୍ଟା କରି ମୁଁ କହିଲି ।

“ସେକଥା କାହିଁକି ମତେ କହି ନ ଥିଲୁ? ସେମାନେ କହିଲେ ଏଇ ନାମରେ କେହିହେଲେ ବି ତାଂକର ବ୍ୟାଙ୍କରେ କେବେ ନ ଥିଲେ ।’ ଏଥର କଳ୍ପନାର ସ୍ୱର ଦୃଢ ଶୁଣାଗଲା ।

“ମୋର ବାପା ଯେ ଜଣେ କଠୋର ସ୍ୱଭାବର ଲୋକ ସେ କଥା କଣ ମୁଁ ତତେ କହି ନ ଥିଲି କି? ସେଥିପାଇଁ ସେଠାକାର ଷ୍ଟ।ଫ୍ ବାପାଂକ ସହିତ ମିଶିପାରୁ ନ ଥିଲେ ।

ତେଣୁ ସେମିତି କିଛି କହିଦେଇ ଥିବେ । କଥାଟାକୁ ବାଆଁରେଇ ଦେବାକୁ ଯାଇ ମୁଁ କହି ଦେଲି ।

କଳ୍ପନା ପ୍ରତି ପ୍ରତିଶୋଧ ମତେ ଉଚ୍ଚାଟକରି ଦେଉଥିଲା । ଇଚ୍ଛା ହେଉଥିଲା ତାର ମୁଣ୍ଡଟାକୁ କାନ୍ଥରେ ପିଟି ଦିଅନ୍ତି କି!

ଏ ବିଷୟରେ ତାର ଏତେ ଖାନ୍ତଲାସି କରିବା କଣ ଦରକାର ଥିଲା? ତାର ମୁହଁକୁ ଦେଖ । କାଳିକାନୀ । କୋଦାଳ ଦାନ୍ତି । ନାକଟା ତ ପିଚୁ ରାସ୍ତା ପରି ହୋଇଛି । ମୁଁ ଭାବେନା ଯେ ରୋସନ୍ ଆରା ସହିତ ପ୍ରତିଯୋଗୀତା କରି ପ୍ରଥମ ସ୍ଥାନ ପାଇଯିବି । ସେଇଟା ତାର ନିଜର । କଲ୍ପନା ସବୁବେଳେ ସଂଘର୍ଷ କରୁଥାଏ ତାର ଅସୁନ୍ଦରପଣିଆଁକୁ ମେକ୍ଅପ୍ କରି ଅନ୍ୟମାନଂକର ପ୍ରଶଂସା ଭାଜନ ହେବାପାଇଁ । ଚେଷ୍ଟା କରୁଥାଏ ତାର ବୁଦ୍ଧି ବଳରେ ଅନ୍ୟମାନଂକର ନଜରକୁ ଆସିବାପାଇଁ । ଅସୁନ୍ଦର ଥିବା ହେତୁ ସିଏ ଯାହା ପାରୁନାହିଁ …..

“ସେଇଟାକୁ କିଏ ବାହାହେବ ମ? ଜୀବନଟା ସାରା ସିଏ ସେମିତି ବାଡୁଅ ହୋଇ ରହିଯିବ ।’ ମୁଁ କହିଲି ରୋସନ୍ ଆରାକୁ ।

“କାହା ବିଷୟରେ ଏମିତି ମତାମତ ଦେବାଟା ଠିକ୍ ନୁହେଁ । ତାର କଣଟା ବା ଖରାପ୍ ଅଛି ଯେ? କଳ୍ପନା ତ ଭଲ ଝିଅଟିଏ । ‘ରୋସନ୍ ଆରା କହିଲା।

“ଭଲଝିଅଟିଏ? ହୁଁ! ତାର ମନଟା ବି ସେମିତି କୁତ୍ସିତ-ତାର ମୁହଁପରି ।’ ଘୃଣାରେ କହି ପକାଇଲି ମୁଁ ।

“ତା’ପରି ହୋଇଥିଲେ ଆମେ ବି ସେମିତି କରି ଥାଆନ୍ତେ । ରୋସନ୍ ଆରା କହିଲା ଆମେ ଈଶ୍ୱରଂକୁ ଡାକିବା ଯେ କଳ୍ପନା ଯେମିତି ଜଣେ ଦୟାଳୁ ଆଉ ସମଝଦାର୍ ଲୋକଟିଏ ତାର ସ୍ୱାମୀ ଭାବରେ ପାଏ ।’

ବିରକ୍ତିରେ ମୋର ଗଳାରୁଦ୍ଧ ହୋଇଗଲା ।

“ତୁ ସବୁବେଳେ ଏଇ ବୁର୍ଖାଟାକୁ କାହିଁକି ପିନ୍ଧୁ? ତୋର ଉଦାର ଚରିତ୍ର ସହିତ ଏଇଟା ଖାପ୍ ଖାଉନାହିଁ ମୋଟେହେଲେ । ତୁ ଗୋଟାଏ ଭଣ୍ଡ ।” ରାଗ ରାଗ ହୋଇ ମୁଁ କହିଲି ।

ରୋସନ୍ ଆରା ମୋ’କଥାକୁ ଧୀରସ୍ଥିର ହୋଇ ଶୁଣିଲା । କହିଲା,”ଆମ ଧର୍ମରେ କେତେକ ଉପଦେଶ।ତ୍ମକ ନିଷେଦ୍ଧାଜ୍ଞ। ରହିଛି । ଏଇ ବୁର୍ଖାଟା ବି ମୋ କ୍ଷେତ୍ରରେ ସେହି ମାନ୍ୟତା ରଖେ । ତୁ ତ ମୋ’ସହିତ ଏତେଦିନ ହେଲା ମିଶିଲୁଣି । ନୁହେଁ କି? ଆଜି ସନ୍ଧ୍ୟାରେ ଆମ ଘରକୁ ଚାଲ୍ । ତୋ’ପ୍ରଶ୍ନର ଉତ୍ତର ପାଇଯିବୁ ।

ତା’ ଘରଟି ମାଟି କାନ୍ଥର । ତାର ପ୍ରତି ଅଣୁରେ ଭରି ରହିଛି ଦାରିଦ୍ର୍ୟ ।

ରୋସନ୍ ଆରା ତାର ମାଆଂକ ସହିତ ମୋର ପରିଚୟ କରେଇ ଦେଲା ।

ମୋ’ଜାଣିବାରେ ତାଂକର ବୟସ ଚାଲିଶିରୁ ବେଶୀ ହୋଇ ନ ଥିବ । କିନ୍ତୁ ପଚାଶ ବର୍ଷ ପରି ଦିଶୁଛନ୍ତି । ଗାଲରେ ତାଂକର ବୟସର ଦାଗ ପଡିଥିଲେ ବି ସେ ସୁନ୍ଦର ଦିଶୁଛନ୍ତି ।

“ମୋର ମାଆ ଯେତେବେଳେ ବାହାହୋଇ ଥିଲେ ତାଂକୁ ମୋଟେ ଷୋଳବର୍ଷ ହୋଇଥିଲା । ଲାଗଲାଗ୍ ତିନି ତିନିଟା ପିଲା ଜନ୍ମକରି, ଦାରିଦ୍ର୍ୟର କଷାଘାତ ଆଉ ବେମାରୀ ମୋର ମାଆଂକ ଦେହ ଏମିତି ଖରାପ କରି ଦେଇଛି । କଥା କହୁ କହୁ ରୋସନ୍ ଆରା ତା’ମାଆଂକୁ ସ୍ନେହରେ କୁଣ୍ଢେଇ ପକେଇଲା । ତା’ପାଖରେ ଗଭୀର ମାତୃତ୍ୱର ସ୍ନେହ ଦେଖି ମତେ ଲାଗୁଥିଲା ତାର ମାଆ ଯେମିତି ତାର ପିଲାଟିଏ ପାଲଟି ଯାଇଛନ୍ତି!

ଗୋଟିଏ ଟିଣ ଟ୍ରଂକ୍ ଉପରୁ ଧୂଳିଝାଡିଦେଇ ରୋସନ୍ ଆରା ମତେ ବସିବାକୁ କହିଲା । ମାଠିଆରୁ ପାଣିଗ୍ଲାସ୍ଟିଏ ଆଣି ମତେ ପିଇବାକୁ ଦେଇ ମୋ’ରି ପାଖରେ ବସି ପଡିଲା । ମୋର ତଣ୍ଟି ଶୁଖି ଯାଉଥିଲା । ତା’ଘରେ ଏମିତି ଉକ୍ରଟ ଦାରିଦ୍ର୍ୟକୁ ମୁଁ ମୋଟେ ବି ଗ୍ରହଣ କରି ପାରୁ ନ ଥିଲି । ଗୋଟିଏ ଢୋକରେ ମୁଁ ପିଇଦେଲି ପାଣି ଗ୍ଲାସ୍ଟା ।

ମୋ’ ମୁହଁକୁ ·ହିଁରହି ରୋସନ ଆରା କହିଲା “ମୋର ଦି’ଟା ଛୋଟ ଭାଇ ଅଛନ୍ତି । ସେମାନେ ମୋଟେ ଭଲ ପଢନ୍ତି ନାହିଁ । ମୋର ପଢିବା ଖର୍ଚ୍ଚ ବହନ କରିବା ବାବାଂକ ଶକ୍ତିର ବାହାରେ । ତାଂକୁ ସେଥିପାଇଁ ବହୁତ କଷ୍ଟ କରିବ ।କୁ ପଡେ । ମୁଁ ଭଲ ମାର୍କ ପାଇ ପାଶ୍ କରିଥିଲି ବୋଲି ସେ ପଢାନ୍ତି । ତାଂକର ଅଟୋରିକ୍ସା ଧରି ସେ ସକାଳ ଆଠଟାରୁ ବାହାରି ଯାଆନ୍ତି ଯେ ରାତି ଦଶଟା ଆଗରୁ ଫେରି ପାରନ୍ତି ନାହିଁ । ସେଥିପାଇଁ ବାବାଂକ ପାଇଁ ମୋ’ମନରେ ବହୁତ ସମ୍ମାନ ।

ତା’ଘରର କଥା କହୁ କହୁ ରୋସନ୍ ଆରା ତାର ବୁର୍ଖାଟାକୁ ବାହାର କରି ରଖିଦେଲା । ମୁଁ ଏକଲୟରେ ଚାହିଁ ରହିଥିଲି ତା’ଆଡକୁ । ବାଃ! ତାର କେତେ ସୁନ୍ଦର ଫିଗର୍! ଗଢିଲା ମୂର୍ତ୍ତିଟିଏ ପରି ଚମତ୍କାର । ସତରେ ଯେମିତି ମତ୍ସ୍ୟକନ୍ୟାଟିଏ! ତାର ଚିରି ଯାଇଥିବା ଆଉ ଫାଟି ଯାଇ ତାଳି ପଡିଥିବା ଚୁଡିଦାର କମିଜ୍ ଭିତର ଦେଇ ତା ଅଂଗର ସୂକ୍ଷ୍ମ ଗଠନ ସୁନ୍ଦର ଚିତ୍ରଟିଏ ପରି ଫୁଟି ଉଠୁଥିଲା।

“ଏମିତିକା ତ।ଳି ତୁ ଦେଖିଛୁ? ଏକଲୟରେ ଚାହିଁ ରୋସନ୍ ଆରା କହିଲା ଠିକ୍ ଆମର ଜୀବନଟା ପରି? ଯେତେବେଳେ ମୋର କଲେଜରେ ଜଏନ୍ କରିବା କଥା ପଡିଲା, ମୋର ବାବା ଚିନ୍ତାରେ ପଡିଗଲେ ତାଂକର ଝିଅ ଉପଯୁକ୍ତ କପଡା ନ ଥାଇ କେମିତି କଲେଜକୁ ଯିବ? ମୁଁ ଗୋଟାଏ ମୂର୍ଖ ନୁହେଁ ଯେ ଦାମୀ ଦାମୀ ଡ୍ରେସ୍ ଆଶା କରିବି, ଯେତେବେଳେ ଆମେ କଲେଜର ଦରମା ଦେବାକୁ ବି ସକ୍ଷମ ନୋହୁଁ । ତେଣୁ ମୁଁ ବାବାଂକୁ ଉପାୟ ବତେଇ ଦେଇ କହିଲି ମୋ’ପାଇଁ ଦୁଇଟା ଶସ୍ତା ବୁର୍ଖା କିଣିଦିଅ! ଏବେ ମୋର ଏଇ ଦୁଇଟାଯାକ ପୁରୁଣା ଡ୍ରେସରେ ଚଳି ଯାଉଛି ବୁର୍ଖାଟାକୁ ଘୋଡେଇ ହେବା ଦ୍ୱାରା । ତା’ଜୀବନର ବାସ୍ତବିକତାକୁ ଦେଖାଇ ଦେଲା ରୋସନ୍ ଆରା ।

ଯେଉଁ ମୋଟା କଳା ପରଦାଟା ଆଜି ପର୍ଯ୍ୟନ୍ତ ମୋତେ ଅନ୍ଧ କରି ରଖିଥିଲା, ତାହା ଏବେ ଧୀରେ ଧୀରେ ଖସି ଯାଉଥିଲା । ଏ ପର୍ଯ୍ୟନ୍ତ ବିଭିନ୍ନ ମୁଖା ପିନ୍ଧି ମୁଁ ଯେଉଁ ଗର୍ବର କଥା ଗୁଡାକ କହି ଆସୁଥିଲି ସେଥିପାଇଁ ଅନୁତାପ ହେଉଥିଲା ମୋର । ଲାଗୁଥିଲା ସେଇ ମୁଖା ଗୁଡାକ ଯେମିତି ଉଚ୍ଚଶକ୍ତିର ବିଦ୍ୟୁତ୍ ତାରରେ ବୁଣା ହୋଇଛି ଏବଂ ଏବେ ତା ଭିତର ଦେଇ ବିଦ୍ୟୁତ ସଂଚାଳନ ହେଉଛି!

ମୁଁ ଘରେ ପହଂଚିଲା ବେଳକୁ ମୋର ବାବା,ମାଆ,ଭାଇ ଅପେକ୍ଷା କରି ଛିଡାହୋଇ ଥିଲେ ବାହାର ଅଗଣାରେ ।

“କଲେଜ୍ ଛୁଟିହେଲା ପରେ ଘରକୁ ନ ଆସି କୁଆଡେ ପଳେଇଥିଲୁ? ତୁ କଣ ମୋ’ଉପରେ ରାଗିଛୁ କି ଝିଅ? ନେ’ ଏ ହଜାର ଟଂକା ନେଇ ଯେଉଁ ଡ୍ରେସ୍ ମନ କରୁଥିଲୁ କିଣିବାକୁ, କିଣି ଆଣ ।’ ମୋ ହାତରେ ଟଂକାଟା ଗୁଂଜି ଦେଉ ଦେଉ ବାବା କହିଲେ ।

“ନାଇଁ ବାବା । ଏଥର ମାଆ ପାଇଁ ଶାଢ଼ି ଆଉ ଭାଇ ପାଇଁ ଭଲ କପଡା ଦେଖି କିଣି ଆଣ । ସହୃଦୟତାର ସହିତ ମୁଁ କହିଲି ।

ଆଶ୍ଚର୍ଯ୍ୟ ହୋଇ ସେମାନେ ମୋ’ଆଡକୁ ଚାହିଁ ରହିଲେ । ମୋର ମନ କୋମଳ ହୋଇ ଯାଇଛି ଦେଖି ଖୁସି ହୋଇଗଲେ ଏକାବେଳକେ ।

ତା’ପରଦିନ କଲେଜରେ ମୁଁ ଅନୁଭବ କଲି ଯେ ବୁର୍ଖା ଓଢେଇ ଥିବା ରୋସନ୍ ଆରା କେବଳ ନୁହେଁ, ଯିଏ ଏକ ଅଦ୍ଭୁତ ସୌନ୍ଦର୍ଯ୍ୟରେ ଚକଚକ୍ କରୁଛି। ଆଜି ତା’ସହିତ ମୁଁ ମଧ୍ୟ । ଯିଏ ଗୋଟାଏ ମିଥ୍ୟା ଆବରଣକୁ କାଲି ପର୍ଯ୍ୟନ୍ତ ଓଢେଇ ହୋଇ ରହିଥିଲା ।
…………………………………..
ପୁଣ୍ୟପ୍ରଭା ଦେବୀ ଓଡିଆ ସାହିତ୍ୟର ଜଣେ ସୁପରିଚିତା ଲେଖିକା । ତାଂକର ଏପର୍ଯ୍ୟନ୍ତ ସାତଟି ଉପନ୍ୟାସ, ଆଠଟି ଗଳ୍ପ ପୁସ୍ତକ ଏବଂ ଏଗାରଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ତାଂକର ମନଛୁଆଁ ଗଳ୍ପ ଗୁଡିକ ପାଇଁ ସେ ଶତାଧଧିକ ପ୍ରସଂସା ପତ୍ର ଏବଂ ବହୁ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କାର ପାଇଛନ୍ତି । ତାଂକର ଗଳ୍ପ ପୁସ୍ତକ “କୁନି ଗୋଇନ୍ଦା’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦମୀରୁ ବାଲ୍ ସାହିତ୍ୟ ପୁରସ୍କାର, ଶିଶୁ ସାହିତ୍ୟ କବିତା ପୁସ୍ତକ “କାଳିଆ ବଲଦ ଗଲା ଗଲା’ ପାଇଁ ଏନ୍.ସି.ଇ.ଆର୍.ଟିରୁ ପୁରସ୍କାର, ଗୀତିକବିତା ପାଇଁ ଆକାଶବାଣୀ ପୁରସ୍କାର ସହିତ ବହୁ ପୁରସ୍କ।ର ଏବଂ ସମ୍ମାନ ପାଇଛନ୍ତି ।

Comments are closed.