Latest Odisha News

BREAKING NEWS

ଅଶ୍ଲୀଳତାକୁ ମାଧ୍ୟମ କରି ଜଣେ କେବେବି ପାଠକର ନିକଟରେ ପହଁଚି ପାରିବ ନାହିଁ: ସଚ୍ଚିଦାନନ୍ଦ କର

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ସଚ୍ଚିଦାନନ୍ଦ କର। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ,ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ ।ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ। ସାତଟି ଗଳ୍ପ ସଙ୍କଳନ ଓ ଚାରୋଟି ଉପନ୍ୟାସ ସୃଷ୍ଟି କରି ଶ୍ରୀ କର ପାଠକମାନଙ୍କ ନିକଟରେ ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ପରିଚିତ।

ସୂର୍ଯ୍ୟଘର,ସ୍ନେହର ଦୁଇବୁନ୍ଦା ଲୁହ ,ଗଳ୍ପ ଲେଖୁଥିବା ପ୍ରେମିକ,ଜନ୍ମଦାତ୍ରୀ,ସୁଖରେ ଅଛି ଶକୁନ୍ତଳା,ଗୋଟେ ଭଲ ସ୍ବାମୀର ମୁହଁ ,ତୈଳଚିତ୍ର ଇତ୍ୟାଦି ଗଳ୍ପ ସଙ୍କଳନର ସେ ସଫଳ ସ୍ରଷ୍ଟା। ତାଙ୍କ ରଚିତ ଉପନ୍ୟାସ ପକ୍ଷୀଜନ୍ମ, ଗଲାପୁତ୍ର,ନଈକୂଳରେ ଘର,ଅନ୍ଧଦେଶର ଦର୍ପଣ ଇତ୍ୟାଦି ବହୁଳ ଭାବରେ ପାଠକୀୟ ଆଦୃତି ଲାଭ କରିଛି । ଶିଶୁ ସାହିତ୍ୟ ସୃଷ୍ଟିରେ ଗଛଟି କାହାର ( ଗଳ୍ପ ), କୁନିଝିଅର କଣ୍ଢେଇ ( ଗଳ୍ପ ), ବେଙ୍ଗ ରାଜା ବେଙ୍ଗୁଲୀ ରାଣୀ ( କବିତା ) ଇତ୍ୟାଦି ତାଙ୍କର କାଳଜୟୀ ସୃଜନୀ। ସଂସାର ସମ୍ମାନ ,କଥା କଳିକା ଗଳ୍ପ ସମ୍ମାନ,ଜନସୁଧା ଶିଶୁ ସାହିତ୍ୟ ସମ୍ମାନ,ଷ୍ଟୋରି ମିରର୍ ଗଳ୍ପ ସମ୍ମାନ, ସରଗଶଶୀ ଶିଶୁ ସାହିତ୍ୟ ସମ୍ମାନ,ଦିବ୍ୟଜ୍ୟୋତି ସାହିତ୍ୟ ସଂସଦ ସମ୍ମାନ ଆଦି ସମ୍ମାନରେ ସେ ସମ୍ମାନିତ।

ତାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ” ।

୧. ନିଜକୁ କେଉଁ ହିସାବରେ ଦେଖନ୍ତି କବି, ଗୀତିକାର , ଗାଳ୍ପିକ ନା ଉପନ୍ୟାସିକ ?

ଉତ୍ତର: ସତ କହିବାକୁ ଗଲେ ଏସବୁ ଭିତରୁ ନିଜକୁ ଏଯାଏଁ କୋୖଣସି ହିସାବରେ ଦେଖିପାରିନି।କିଏ ମୋତେ କେଉଁ ହିସାବରେ ଭାବନ୍ତି ତା’ ମଧ୍ୟ ମୋତେ ଜଣାନାହିଁ।ତେବେ ଏତିକି କହିବି ଯେ ମୁଁ ଜଣେ ସାଧାରଣ ମଣିଷ।ନିଜର ଚିନ୍ତା ଓ ଚେତନାକୁ ବ୍ୟକ୍ତ କରିବା ପାଇଁ ଲେଖାଲେଖିର ସାହାଯ୍ୟ ନିଏ।ଦକ୍ଷତା ଅନୁସାରେ କିଛି ଲେଖେ।

୨. ଲେଖାଲେଖି କେବେ ଆରମ୍ଭ କଲେ?

ଉତ୍ତର: ହାଇସ୍କୁଲରେ ପଢୁଥିବା ସମୟରେ ଲେଖାଲେଖି ଆରମ୍ଭ କରିଥିଲି।ତେବେ ମୋର ପ୍ରଥମ ଲେଖା ୧୯୮୪ ମସିହାରେ ” ସୃଜନୀ ବନବୀଣା ” ରେ ପ୍ରକାଶ ପାଇଥିଲା।ତାହା ଥିଲା କବିତା।ସେହି ବର୍ଷ କଲେଜ ମ୍ୟାଗାଜିନରେ ମୋର ଗପଟିଏ ମଧ୍ୟ ପ୍ରକାଶ ପାଇଥିଲା।

୩. ଅନୁଭୁତିକୁ କେବେ ଗପରେ କି ଉପନ୍ୟାସରେ ଜୀବନ୍ତ କରିଛନ୍ତି କି ?

ଉତ୍ତର: ଆଜି ପର୍ଯ୍ୟନ୍ତ ସବୁବେଳେ ନିଜର ଅନୁଭୂତିକୁ ନେଇ ଲେଖିଛି।କ’ଣ ଲେଖିବି – ଏପରି ଆଦୌ ଭାବିବାକୁ ପଡିନାହିଁ।କଥା ହେଉ କି କବିତା ଅବା ଉପନ୍ୟାସ ସବୁଥିରେ ମୋର ଅନୁଭବକୁ ହିଁ ରଖି ଆସିଛି।

୪. ଲେଖିଲା ବେଳେ କେଉଁ ଦିଗକୁ ଅଧିକ ଧ୍ୟାନ ଦିଅନ୍ତି?

ଉତ୍ତର: କଥାରେ କାହାଣୀ ସହିତ ଭାଷା ଓ ଭାବ ବିନ୍ୟାସ ଉପରେ ଗୁରୁତ୍ୱ ଦେଇଥାଏ।ଶୈଳୀରେ ପାଠକଙ୍କ ନିକଟତର ହେବାକୁ ଉଦ୍ୟମ କରିଥାଏ।ସେହିପରି ପିଲାଙ୍କ ପାଇଁ କବିତା ଲେଖିବାବେଳେ ଶିଶୁ – ସାହିତ୍ୟର ସମସ୍ତ ଉପାଦାନ ପ୍ରତି ଗୁରୁତ୍ୱ ଦେବାକୁ ହୁଏ।ସରଳ ଓ ଶିଶୁ ବୋଧଗମ୍ୟ ଭାଷା ଚୟନ କରିବାକୁ ପଡେ। ଉପଧା ମିଳନରେ ଆଦୌ ସାଲିସ୍ କରେନାହିଁ।

୫.ଏଯାବତ ଆପଣଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି କଣ?

ଉତ୍ତର: ଏ ପ୍ରଶ୍ନଟି ମୋତେ ନୁହେଁ, ବରଂ ମୋର ପାଠକଙ୍କୁ ପଚାରିବା ଭଲ ହେବ।ଲେଖି ସାରିବା ପରେ ମୁଁ ପ୍ରାୟତଃ ଭୁଲି ଯାଇଥାଏ କ’ଣ ଲେଖିଛି ବୋଲି।ସେସବୁରେ ମୋର ଆଉ କିଛି ଅଧିକାର ଥିବା ଭଳି ମୋର କାହିଁକି ମନେ ହୁଏନାହିଁ।ତେବେ ସବୁବେଳେ ମୋର ସର୍ବଶ୍ରେଷ୍ଠ ଲେଖାଟି ଲେଖିବାର ଇଚ୍ଛା ନେଇ ଲେଖିବାକୁ ବସିଥାଏ।ଦକ୍ଷତା ବାହାରେ କିଛି କରିପାରିବି ଭାବେନାହିଁ।ନିଜ ଉପରେ ଯଥେଷ୍ଟ ଭରସା ଥାଏ।

୬.ପାଠକ ନକରାତ୍ମକ ମତ ରଖିଲେ ଆପଣ ତାକୁ କିପରି ଭାବରେ ଗ୍ରହଣ କରିବେ?

ଉତ୍ତର: ଏଯାଏଁ କୌଣସି ବିରୋଧାଭାଷର ସମ୍ମୁଖୀନ ହୋଇନାହିଁ।ତେବେ ପାଠକଙ୍କର ମତକୁ ସର୍ବାଧିକ ଗୁରୁତ୍ୱ ଦିଏ।ଲେଖାଟି ଯଦି ପାଠକଙ୍କ ମନକୁ ନ ଛୁଇଁଲା ତେବେ ସେପରି ଲେଖିବା କିଛି କାମରେ ଆସେନାହିଁ।ଏ ଦିଗ ପ୍ରତି ମୁଁ ବେଶ୍ ସଚେତନ ଥାଏ।ମୋ ପାଠକ,ମୋ ବିଚାରକ।

୭.ଆଜିକାଲି ସାହିତ୍ୟରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?

ଉତ୍ତର: ସାହିତ୍ୟରେ ଅଶ୍ଳିଳତା ଆଦୌ ଗ୍ରହଣୀୟ ନୁହେଁ।ଉଚିତ ଢଙ୍ଗରେ ଉପସ୍ଥାପନ କରାଯାଇ ନ ପାରିବାରୁ ତାହା ଅଶ୍ଳିଳ ହୋଇ ଯାଉଛି।ହେଲେ ପାଠକ କେବେ ତାହା ଗ୍ରହଣ କରିବ ନାହିଁ।ଅଶ୍ଳିଳତାକୁ ମାଧ୍ୟମ କରି ଜଣେ କେବେ ବି ପାଠକର ନିକଟରେ ପହଞ୍ଚି ପାରିବ ନାହିଁ।ସେପରି ଭାବନା ଠାରୁ ସବୁବେଳେ ଦୂରରେ ଥାଏ।

୮. କୋଡ଼ିଏ ବର୍ଷ ପୂର୍ବର ଓ ଏବେର ସାହିତ୍ୟରେ ପାର୍ଥକ୍ୟ କଣ ଓ ସମାନତା କଣ ?

ଉତ୍ତର: ସାହିତ୍ୟ ଆଉ ପ୍ରେମ,ପ୍ରତାରଣା, ପରିବାର, ସମାଜ ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ କି ସଂସ୍କାର ଓ ଆର୍ଦଶ ଭାବନାରେ ସମୃଦ୍ଧ ହେବାକୁ ଚାହୁଁନାହିଁ।ନୂଆ ନୂଆ ଚେତନାର ପ୍ରବାହରେ ବାଟ ଭାଙ୍ଗିଛି।କ’ଣ କହାଯାଉଛି ତାହା ନୁହେଁ, ବରଂ କିପରି କୁହାଯାଉଛି ତାହା ଗୁରୁତ୍ୱ ବହନ କରୁଛି।ପାଠକର ମନକୁ ବାନ୍ଧି ରଖିବା ସହିତ ତାକୁ ଚେତେଇ ଦେବା ପାଇଁ ଉଦ୍ୟମ କରାଯାଉଛି – ଜୋର୍ କରି ନୁହେଁ ,ମନୋରଞ୍ଜନ ମାଧ୍ୟମରେ।ଲକ୍ଷ୍ୟ ପ୍ରାୟତଃ ସମାନ।

୯.ଶିଶୁଙ୍କ ପାଇଁ ଆପଣ ଅନେକ ଲେଖା ଲେଖିଛନ୍ତି । ଏ ସଂପର୍କରେ କିଛି କହିବେ ?

ଉତ୍ତର: ପିଲାମାନଙ୍କୁ ଭଲପାଏ।ସେମାନଙ୍କ ପାଇଁ ନୁହେଁ, ବରଂ ସେମାନେ ମୋ ଠାରୁ କିଛି ଲେଖାଇ ନେଇଛନ୍ତି।ଶିଶୁ – ସାହିତ୍ୟର ପରିବେଶ ଖୁବ୍ ସୀମିତ।ପିଲାମାନଙ୍କ ପାଇଁ ଲେଖିବା ସମୟରେ ତା’ ଭିତରେ ରହି କାର୍ଯ୍ୟ କରିବାକୁ ହୋଇଥାଏ।କେବେ ସେଥିରୁ ବାହାରି ଯାଇନି।ଉପାଦେୟ ବିଷୟକୁ ନେଇ ଉପଯୁକ୍ତ ଶବ୍ଦ ଚୟନ କରି ଲେଖିବାକୁ ଯତ୍ନବାନ ହୋଇଛି।କବିତାରେ ଉପଧା ମିଳନକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି।

୧୦.ପେଶା ଓ ନିଶା ମଧ୍ୟରେ କେବେ ଛନ୍ଦି ହୋଇଛନ୍ତି କି ?

ଉତ୍ତର: ନା,ବରଂ ଉଭୟ ମୋ ପାଇଁ ପରିପୂରକ ଭଳି କାର୍ଯ୍ୟ କରିଛନ୍ତି।ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି । ମୁଁ ଆଗକୁ ବଢିଛି।

୧୧. ଜଣେ ସଫଳ ଲେଖକ କିପରି ହୋଇ ପାରିବ ?

ଉତ୍ତର: ସଫଳତା ପାଇଁ ସାଧନା, ସାଧନା ପାଇଁ ଗୁରୁ।ଏହି କଥାକୁ ମନେ ରଖିବାକୁ ହେବ।ବ୍ୟକ୍ତିଗତ ସ୍ତରରେ ନ ରହି ବ୍ୟକ୍ତି ନିଜର ଚେତନାକୁ ପ୍ରସାରଣ କରିପାରିଲେ ସଫଳତା ପାଇ ପାରିବ।ଏଥିପାଇଁ ସ୍ବୀୟ ଉଦ୍ୟମର ଆବଶ୍ୟକତା ଅଛି।ସମୃଦ୍ଧ ଭାବନାର ସଫଳ ରୂପାୟନ କରିପାରିଲେ ତାହା ସମ୍ଭବ ହୋଇ ପାରିବ।

୧୨.ନୂଆ ଲେଖକଙ୍କ ପ୍ରତି ଆପଣଙ୍କର ବାର୍ତା କଣ ହେବ?

ଉତ୍ତର: ପ୍ରଥମେ ନିଜକୁ ଓ ନିଜର ଦକ୍ଷତାକୁ ବୁଝନ୍ତୁ।ସାହିତ୍ୟର ବିଭିନ୍ନ ବିଭାଗ ଭିତରୁ ଯେଉଁ ବିଭାଗରେ ସବୁଠୁ ଅଧିକ ଦକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିପାରିବେ ସେଇ ବିଭାଗକୁ ନିଜର କରନ୍ତୁ।ବୁଦ୍ଧିମାନ୍ ଓ ବିଚାରବନ୍ତ ଭାବେ ଧୀରେଧୀରେ ଆଗକୁ ବଢନ୍ତୁ।ନିଜର ଜାଗା ନିଜେ ତିଆର କରନ୍ତୁ।ସମୟକୁ ଅପେକ୍ଷା କରନ୍ତୁ।କେବେ ନିରୁତ୍ସାହିତ ହୁଅନ୍ତୁ ନାହିଁ।ନିଜ ଭିତରୁ ପ୍ରେରଣା ସଂଗ୍ରହ କରନ୍ତୁ।ସ୍ବପ୍ନାଭିଳାସୀ ନ ହୋଇ କାର୍ଯ୍ୟଦକ୍ଷ ହୁଅନ୍ତୁ।କାର୍ଯ୍ୟ କରି ଚାଲନ୍ତୁ।ଦେଖିବେ ଦିନେ ସକାଳର ସୂର୍ଯ୍ୟ ଆପଣଙ୍କ ହାତପାଆନ୍ତାରେ ଥିବ।ଆପଣ ଯେଉଁଠି ପହଞ୍ଚିବାକୁ ଇଚ୍ଛା କରିଥିଲେ, ତା’ ଠାରୁ ଆଗରେ ଥିବେ।

Comments are closed.