ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୫)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ପଞ୍ଚମ ଭାଗ)

୫: ଦାନବୀର ପାଗଳା ଦାଶୁ

ଭରତପୁର ବଜାରରେ ଦୁଇ ତିନି ପାଗଳ ଅଛନ୍ତି । ହେଲେ ସବୁଠୁଁ ପୁରୁଣା ହେଲା ଦାଶୁ । ତାର ଭଲ ନାଁ କଣ କେହି ଜାଣି ନାହାନ୍ତି । ତାର ପ୍ରକୃତ ନାଁ ଦାଶୁ କି ନାହିଁ- ତାହା ବି କେହି ଜାଣି ନାହାନ୍ତି। କେମିତି କେଜାଣି ତା ନାଁ ଦାଶୁ ହୋଇଯାଇଛି- ଆଉ ବର୍ଷ ବର୍ଷ ଧରି ତାହାହିଁ ରହିଛି । ଦାଶୁ ଭାରତପୁର ଛାଡ଼ି କୁଆଡେ଼ ଯାଏନି । ଭରତପୁରରେ ପୁଣି ତାର ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଛି । ସେଇଠି ସେ ରହେ । ସେଇ ଅଞ୍ଚଳରେ ଘୁରାଫେରା କରେ । କେତେବେଳେ କେଉଁ କେତେବେଳେ ମନ୍ଦିର ପିଣ୍ଡାରେ, କେତେବେଳେ ସ୍କୁଲ ବାରଣ୍ଡାରେ, କେତେବେଳେ ବଜାରର କେଉଁ ଦୋକାନ ବାହାରେ ଶୁଏ ।

ପ୍ରଥମେ ଯେତେବେଳେ ଦାଶୁ ଭରତପୁରରେ ଆସି ପହଞ୍ଚିଲା- ସେତେବେଳେ ସେ ଜୱାନ ଥିଲା । ଚେହେରା ବେଶ ବଳିଷ୍ଠ ଥିଲା । ତାକୁ ଅନେକେ କହୁଥିଲେ ଇଏ ହେଲା ସିବିଆଇର ଲୋକ । ଦେଖୁନୁ- ପାଗଳର କଣ ଏମିତି ସୁନ୍ଦର ଚେହେରା ହେବ! ହେଲେ ସିବିଆଇର ଲୋକ ଭରତପୁର ଭଳି ଏକ ମଫସଲ ସହରରେ କଣ ଖୋଜିବାକୁ, କାହା ଉପରେ ନଜର ରଖିବାକୁ ଆସିବ- ତାହା ବି ଏକ ଗଭୀର ଚିନ୍ତାର ବିଷୟ । ଅନେକେ ସେ ବିଷୟରେ ମୁଣ୍ଡ ବି ଖେଳେଇଲେ । ମଫସଲ ସହରରେ ଏମିତି ଫାଲତୁ କଥାରେ ମୁଣ୍ଡ ଖେଳେଇବା ଲୋକଙ୍କର ଅଭାବ ନାହିଁ । କେତେକେ ଦାଶୁକୁ ଖାଇବାକୁ ଦେଇ ଏ ବିଷୟରେ ପଚାରିଲେ । ଦାଶୁ ସେମାନଂକୁ ବଲ ବଲ କରି ଚାହିଁଲା । ସେମାନେ ଯାହା ଦେଇଥିଲେ ତାକୁ ଖାଇଲା । ହେଲେ ସେମାନଂକ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଚାଲିଗଲା । ଚାଲିଗଲାବେଳେ ସେ ସିବିଆଇ ସିବିଆଇ ବୋଲି କହୁ କହୁ ଗଲା । ଏଥିରେ ସେ ସିବିଆଇର ଗୁୟେନ୍ଦା କି ନାହିଁ ସେ ରହସ୍ୟର ସମାଧାନ ହେବା ବଦଳରେ ରହସ୍ୟ ଆହୁରି ଘନୀଭୂତ ହୋଇଉଠିଲା ।

କିନ୍ତୁ ମଣିଷର କୌତୁହଳର ସମୟ ସୀମା ଅଛି । ଧୈର୍ଯ୍ୟର ବନ୍ଧ ଅଛି । ଦାଶୁ ଯେତେବେଳେ ଛ ମାସ ଧରି ଭରତପୁରରେ ରହିଗଲା- ଆଉ କୁଆଡେ଼ ଯିବାର ନାଁ ଧରିଲାନି- ସେତେବେଳେ ସେ ସିବିଆଇର ଲୋକ ହୋଇଥିବାର ସମ୍ଭାବନାଟା ଧୀରେ ଧୀରେ ମଉଳିବାକୁ ଲାଗିଲା । ଗୋଟେ ଧାସୁ କଥାର ଏମିତି ପାଣିଚିଆ ପରିସମାପ୍ତି ଅନେକଙ୍କର ପସନ୍ଦ ହେଲାନି । ତେଣୁ ସେମାନେ ସେ କଥାକୁ ଆଉ ଟିକେ ଲମ୍ବେଇବାକୁ ଚାହିଁଲେ । ସଂଧ୍ୟାଭାଟିରେ ମାଧବ ନନା କହିଲେ ବୁଝିଲୁ- ଦାଶୁ ଥିଲା ସିବିଆଇର ଲୋକ । କୌଣସି କାରଣରୁ ତାକୁ ସିବିଆଇରୁ ବାହାର କରି ଦିଆଯାଇଛି । ସେଇ ଦୁଃଖରେ ସେ ପାଗଳ ହୋଇଯାଇଛି ।

କିଛି ଲୋକ ଏକଥାକୁ ବିଶ୍ୱାସ ବି କଲେ । ଲୋକଂକର କଣ ଅଛି । ସେମାନେ ସବୁ କଥାକୁ ବିଶ୍ୱାସ କରନ୍ତି । ପଥର ଗଣେଶ କ୍ଷୀର ପିଇ ଗଲେ- ଏକଥାକୁ ବିଶ୍ୱାସ କରି ଭରତପୁରର ଲୋକ ମନ୍ଦିରରେ ଗଣେଶ ମୂର୍ତ୍ତି ଉପରେ ଲିଟର ଲିଟର କ୍ଷୀର ଢାଳିଦେଲେ । ଗଉଡ଼ ରଘୁ ସେଦିନ ବେଶ ଲାଭ କରି ପକେଇଲା । ପ୍ରତିଦିନ ସେ କ୍ଷୀରରେ ପାଣି ମିଶାଏ, ସେଦିନ କ୍ଷୀରରେ ପାଣି ମିଶେଇ ଲିଟର ଶହେ ଟଂକାରେ ବିକିଦେଲା । କିଏ ଜଣେ କହିଲା, ଆବେ ଠାକୁରଙ୍କୁ ଲାଗି କରା ହେଉଛି – ଏତେ ଠକାଠକି କରନା । ଠାକୁର ରାଗିବେ । ରଘୁ କହିଲା, କାଲି ଯାଇ ଠାକୁରଙ୍କୁ ନଡ଼ିଆଟିଏ ଦେଇଦେବି । ସେ ସନ୍ତୁଷ୍ଟ ହୋଇଯିବେ । ରଘୁ ଭାବିଥିଲା ଗଣେଶ ଆହୁରି ବହୁଦିନ ଧରି ଏମିତି କ୍ଷୀର ପିଇବେ ଆଉ ତାର ବେପାର ଭଲ ଚାଲିବ । ହେଲେ ପରଦିନକୁ କଣ ହେଲା କେଜାଣି, ଲୋକେ ଆଉ ଗଣେଶଙ୍କୁ କ୍ଷୀର ପିଆଇବାକୁ ଗଲେନି । ଆହା, ଗଣେଶ ବାଲା ସିନା ମାସେ ଖଣ୍ଡେ କ୍ଷୀର ପିଇଥାନ୍ତେ!

ତ ସେଇଦିନରୁ- କାହିଁ କେଉଁ ସୁଦୂର ଅତୀତରୁ ଦାଶୁ ଭରତପୁରରେ ଅଛି । ଇତିମଧ୍ୟରେ ଯୁବକ ଦାଶୁ ପ୍ରୌଢ଼ ହୋଇଛି । ତାର ଦାଢ଼ୀ ବଢ଼ିଛି । ମୁଣ୍ଡରେ ଜଟା ହୋଇଛି । ମଝିରେ ମଝିରେ ଭରତପୁରର ସବୁଠୁଁ ପୁରୁଣା ସେଲୁନ ବମ୍ବେ ହେୟାର କଟିଂ ସେଲୁନର ମାଲିକ ହରିବନ୍ଧୁ ବାରିକର ମୁଡ ହେଲେ ସେ ତା ଦାଢ଼ୀ ଆଉ ଜଟାକୁ କାଟିଦିଏ । ଆଉ କି ଆଶ୍ଚର୍ଯ୍ୟ ସେ ସମୟରେ ଦାଶୁ ସୁଧାର ପିଲାଟିଏ ପରି ଚୁପଚାପ ବସିଥାଏ ।

ଆଚ୍ଛା ଦାଶୁର ଆଉ ଗୋଟେ କଥା ହେଲା: ତାକୁ ଯିଏ ଯାହା ଦିଏ ସେ ତାକୁ ବେଶି ସମୟ ନିଜ ପାଖରେ ରଖେ ନି । ସଙ୍ଗେ ସାଙ୍ଗେ ଆଉ କାହାକୁ ଦେଇଦିଏ । ଧର ଆପଣ ତାକୁ ରୁଟି ପଟେ ଦେଲେ, ସେ ସେଥିରୁ କିଛି ଖାଇବ ଆଉ ବାକି ଖଣ୍ଡ ନିଶ୍ଚୟ କାହାକୁ ଦାନ କରିଦେବ । କୁକୁର ହେଉ କି କାଉ କି ଜରି ଗୋଟଉଥିବା ପିଲା- କାହାକୁ ହେଲେ ଦେଇଦେବ । ନିଜେ ସବୁ ରଖିବନି । ତେଣୁ ପାଗଳ ଦାଶୁକୁ ଭରତପୁରର କିଛିଲୋକ ଦାନବୀର ଦାଶୁ ବୋଲି ବି କହିଲେ । ସେ ନାଁଟା ବି ରହିଯାଇଛି ।

ଏକଥା ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ପାଗଳଙ୍କ ସହିତ କୁକୁରମାନଙ୍କର ଭାରି ଭଲ ପଡେ଼ । ସେମାନେ କୁକୁରକୁ କୋଳ କରି ଶୁଅନ୍ତି । କୁକୁର ବି ପାଗଳମାନଙ୍କ ପାଖରେ ନିଶ୍ଚିନ୍ତରେ ଥାଏ । ଭରତପୁରରେ ଦାଶୁ ସହିତ ସେ ଅଞ୍ଚଳର ସବୁ ବୁଲା କୁକୁରମାନଙ୍କର ଭାରି ଭଲ ପଡେ଼ । ଦାଶୁ ସେମାନକୁ ରୁଟି ତରକାରୀ ଯାହା ପାଏ ଖୁଆଏ ।

ଦାଶୁ ସହିିତ ଭୋଳୁର ବି ବହୁତ ଭଲ ପଡେ଼ । ଭୋଳୁ ତା ଜୀବନର ସବୁ ସୁଖ ଦୁଃଖ ଦାଶୁ ସହିତ ବାଣ୍ଟି ନିଏ । ତାକୁ ଭାରି ହାଲ୍କା ଲାଗେ । ଭୋଳୁ କହେ । ଦାଶୁ ଶୁଣେ । ତାର ଆଖିରେ ବେଳେବେଳେ ସହାନୁଭୂତିର ଲୁହ- କେତେବେଳେ ଆନନ୍ଦର ଲୁହ । ଲୁହର ରଂଗ ନାହିଁ । ସ୍ୱାଦ ବି ଏକା । ହେଲେ ଦୁଃଖର ଲୁହ ଆଉ ଆନନ୍ଦର ଲୁହ ଅଲଗା । ବାହାରକୁ ଜାଣି ହୁଏନି ସିନା- ଯାହା ଆଖିରୁ ବାହାରେ ସେ ଜାଣେ, ଆଉ ଯାହା ପାଇଁ ବାହାରେ ହୁଏତ ସେ ଜାଣେ । ରାନି ଯେ ତାକୁ ପଚାରୁନି, ବାହାର କୁକୁର ରକି ପ୍ରତି ଆକୃଷ୍ଟ ହୋଇଉଠିଛି ଏକଥା ଭୋଳୁ ଦାଶୁ ପାଖରେ କହିବାକୁ ଗଲା । ଦେଖିଲାବେଳକୁ ସେଠି ବସିଛି ରଜନୀକାନ୍ତ । ଦାଶୁ ଆଉ ରଜନୀକାନ୍ତ ଗୋଟିଏ ପତରରେ ପୁରୀ ତରକାରୀ ଖାଉଛନ୍ତି । କାଲି ଏଇ ପାଖ କଲ୍ୟାଣମଣ୍ଡପରେ କାହା ବାହାଘର ଭୋଜି ହୋଇଥିଲା ବୋଧେ- ଅଇଁଠା ପତର ତକ ରାସ୍ତା କଡେ଼ କୁଢେ଼ଇ ଦେଇଛନ୍ତି । ସେଥିରୁ ନେଇ ଆସିଛି ଦାଶୁ । ମଣିଷ ଖାଇବା ଜିନିଷ ଏତେ ନଷ୍ଟ କରେ କାହିଁକି କେଜାଣି! ହେଲେ ବର୍ତ୍ତମାନ ଏ ବିଷୟରେ ଚିନ୍ତା କଲା ଭଳି ମାନସିକତା ନଥିଲା ଭୋଳୁର । ରଜନୀକାନ୍ତକୁ ଦେଖି ତା ମୁଣ୍ଡକୁ ପିତ୍ତ ଚଢ଼ିଗଲା ।

ରଜନୀକାନ୍ତ ହେଲା ଭରତପୁରର ତଳ ସାହି କୁକୁର ସମାଜର ଦଳପତି । ଭୋଳୁର ଜାନି ଦୁସମନ ।

ଭରତପୁରରେ ଉପରସାହି ଆଉ ତଳସାହି- ମହାତ୍ମା ଗାନ୍ଧୀ ବଜାର ଆଉ ଉତ୍କଳମଣି ଗୋପବନ୍ଧୁ ନଗରର କୁକୁର ସମାଜ ଭିତରେ ଭାରି ଦୁସମନି । କେହି କାହାକୁ ସହି ପାରନ୍ତିନି । କେହି କାହା ଏରିଆ ଭିତରକୁ ପଶିଆସିଛନ୍ତି ଦେଖିଲେ ସାଙ୍ଗେ ସାଙ୍ଗେ ଦଙ୍ଗା ହୋଇଯାଏ ।

ନିଜ ଅଞ୍ଚଳକୁ ଆଉ କେହି ଅନୁପ୍ରବେଶ କଲେ- କେହି ସହନ୍ତି ନାହିଁ । ସେ କୁକୁର ହେଉ ବା ବାଘ । କୁମ୍ଭୀର ହେଉ ବା ଝିଟିପିଟି । ବାଘ ନିଜର ଇଲାକା ସୀମାରେ ପରିଶ୍ରା କରି ତା ଜାଗା ନିର୍ଦ୍ଦିଷ୍ଟ କରିଦିଏ । ନଈରେ କୁମ୍ଭୀରର ନିଜସ୍ୱ ଇଲାକା ଥାଏ । ତା ଭିତରକୁ ଆଉ ଗୋଟେ କୁମ୍ଭୀର ପଶି ଆସିଲେ- ସେ ତାକୁ ଆକ୍ରମଣ କରେ । ଘର କାନ୍ଥରେ ଗୋଟେ ଝିଟିପିଟି ପାଖକୁ ଆଉ ଗୋଟେ ଝିଟିପିଟି ଚାଲିଆସିଲେ ଝଟାପଟା ଲାଗିଯାଏ । ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ କଥା ଦେଖୁନାହାନ୍ତି! କେହି କାହାକୁ ସହଜରେ ଜାଗା ଦେବାକୁ, ଭୂମି ଉପରେ ନିଜ ଅଧିକାର ଛାଡ଼ିବାକୁ ନାରାଜ । ମହାଭାରତ ଦେଖନ୍ତୁ । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ସୂଚ୍ୟଗ୍ର ମେଦିନୀ- ଅର୍ଥାତ ଛୁଞ୍ଚିମୁନରେ ଯେମିତି ଜମି ଉଠିବ- ସେତିକି ବି ଦେବାକୁ ମନା କରିଦେଲେ । ତାପରେ ଲାଗିଲା କୁରୁକ୍ଷେତ୍ର ଯୁଦ୍ଧ । ଇତିହାସ ଓଲଟାଇ ଦେଖନ୍ତୁ ପୃଥିବୀରେ ଯେତେ ଯୁଦ୍ଧ ଆଉ ରକ୍ତପାତ ହୋଇଛି ତାର ତିନୋଟି ପ୍ରଧାନ କାରଣ: ନାରୀ, ଭୂମି ଆଉ ଧର୍ମ । ନାରୀ ଆଉ ଭୂମି ଭିତରେ ଗୋଟେ ସମାନ କଥା ରହିଛି। ପୁରୁଷ- ସେ ବ୍ୟକ୍ତି ହେଉ ବା ପୁରୁଷ କେନ୍ଦ୍ରିକ ସମାଜ ଏହାକୁ ନିଜ ଅଧିକାରଭୁକ୍ତ ସାମଗ୍ରୀ ଭାବେ ବିଚାର କରି ଆସିଛି । ନିଜ ଅଧିକାରଭୁକ୍ତ ସାମଗ୍ରୀ ଉପରେ ଆଉ କେହି ଭାଗ ବସେଇବ, ଆଉ କେହି ତାକୁ ନେଇଯିବ- ଏହାକୁ ସେ ସହ୍ୟ କରେ ନାହିଁ । ସମୟ କ୍ରମେ ତାର ମସ୍ତିଷ୍କ ଭିତରେ ପୂରେଇ ଦିଆଯାଇଛି ଯେ ନିଜ ଅଧିକାରଭୁକ୍ତ ସାମଗ୍ରୀର ରକ୍ଷା କରିବା- ଅର୍ଥାତ ତାକୁ ବରାବର ନିଜ ଅଧିକାରଭୁକ୍ତ କରି ରଖିବା ହିଁ ତାର କର୍ତ୍ତବ୍ୟ । ଯୋଦ୍ଧାମାନଙ୍କ ମଗଜ ଧୁଲେଇ କରି ମୁଣ୍ଡରେ ପୂରେଇ ଦିଆଯାଇଛି ଯେ ଏହା ହେଲା ସେମାନଙ୍କର ପବିତ୍ର କର୍ତ୍ତବ୍ୟ । କର୍ତ୍ତବ୍ୟରେ ଖିଲାପ କରିବା ଅର୍ଥ ବୃହତ୍ତର ସମାଜ ପ୍ରତି ପ୍ରତି ଦ୍ରୋହ କରିବା । କ୍ରମଶଃ ଏହି ଭାବନାକୁ ଆହୁରି ମଜବୁତ କରି ଦିଆଯାଇଛି । ସମୟକ୍ରମେ ଏ ଭାବନା ଏତେ ମଜବୁତ ହୋଇଯାଇଛି ଯେ ଏହାପାଇଁ ଜଣେ ଅନ୍ୟ କାହାକୁ ମାରିବାକୁ ବା ନିଜେ ମରିବାକୁ ବି ପ୍ରସ୍ତୁତ ।

ଏବକୁ ଆଉ ଗୋଟେ କାରଣ ଉଭା ହୋଇଛି: ଶକ୍ତି । ଶକ୍ତିରୁ ଦୁଇଟା ଅର୍ଥ । ପାୱାର । ବଳ । କ୍ଷମତା । ଆଉ ଏନର୍ଜି । ଉର୍ଜା । ଏ ଦୁଇଟି ପାଇଁ ଦେଶ ଦେଶ ଭିତରେ ଲାଗୁଛି ଯୁଦ୍ଧ ।

କୁକୁରର ବର୍ଗ ଅଛି । ସେ ବର୍ଗରେ ବିନ୍ୟାସ ବି ଅଛି । ହେଲେ ଧର୍ମ ନାହିଁ । ଅନ୍ତତଃ ଏଯାଏଁ ହୋଇନାହିଁ- ତେଣୁ ଧର୍ମକୁ ନେଇ କୁକୁରମାନଙ୍କ ଭିତରେ ଏଯାଏଁ ମାରପିଟ ହୋଇନି । ଏନର୍ଜି କଥା ସେମାନେ ଏଯାଏଁ ବୁଝିନାହାନ୍ତି । ତେଣୁ ତାକୁ ନେଇ ବି ମାରପିଟ ହୋଇ ନାହିଁ । ନାରୀକୁ ନେଇ ଝଗଡ଼ା ହୁଏ । କାମୁଡ଼ାକାମୁଡ଼ି ହୁଏ । ତେବେ ତାହା ଖୁବ କମ ସମୟ ପାଇଁ । କାରଣ କୁକୁର ସମାଜରେ ସହବାସର ଏକ ନିର୍ଦ୍ଧିଷ୍ଟ ସମୟ ଅଛି । ସେଇ ସମୟରେହିଁ ପୁରୁଷ କୁକୁର ଭିତରେ ସହବାସର କାମନା ଜାଗ୍ରତ ହୁଏ । ଆଉ କୁକୁର ସମାଜରେ ନାରୀକୁ ଜଣକର ସାମଗ୍ରୀ ବୋଲି ଗଣ୍ୟ କରାଯାଏ ନାହିଁ । ନାରୀର ବି ନିଜ ପସନ୍ଦର ପୁପରୁଷ ବାଛି ନେବାର ସ୍ୱାଧୀନତା ରହିଛି । କ୍ଷମତାକୁ ନେଇ ମାରପିଟ ହୁଏ । ହେଲେ ସବୁଠୁଁ ବେଶି ଲଢେ଼ଇ ହୁଏ ଭୂମିକୁ ନେଇ । କେହି ଆଉ କାହା ଏରିଆରେ ପଶି ଆସିଲେ ସେ ଏରିଆର ସବୁ କୁକୁର – ପୁରୁଷ ସ୍ତ୍ରୀ ନିର୍ବିଶେଷର ସମସ୍ତେ ଏକାଠି ହୋଇଯାଆନ୍ତି ଆଉ ପ୍ରବଳ ମାରପିଟ, କାମୁଡ଼ାକାମୁଡ଼ି କରନ୍ତି । ଅନେକେ ଖଣ୍ଡିଆ ଖାବରା ହୋଇଯାଆନ୍ତି । ରାସ୍ତା କୁକୁରର ଖଣ୍ଡିଆ ଖାବରା ଆପେ ଆପେ ଠିକ ହୋଇଯାଏ । ଭଲ ହୋଇଛି କୁକୁରମାନେ ମଣିଷମାନଙ୍କ ଭଳିଆ ମାରଣାସ୍ତ୍ର ତିଆରି କରିବା ଆଉ ତାକୁ ବ୍ୟବହାର କରିବା ଶିଖିନାହାନ୍ତି । ନହେଲେ ସେମାନଙ୍କ ଭିତରୁ ଅନେକେ ମାରା ପଡ଼ନ୍ତେ, ମଣିଷ ଯେମିତି ମରୁଛି ।

ଭରତପୁରର ଏ ଦୁଇ ଯୁଧୁମାନ କୁକୁର ଦଳ ଭିତରେ ନୋ ମ୍ୟାନସ ଲ୍ୟାଣ୍ଡ ହେଲା ଦାଶୁ । ଦାଶୁକୁ କେମିତି କେଜାଣି ଉଭୟ ସାହିର କୁକୁରମାନେ ପସନ୍ଦ କରନ୍ତି । ତା ଉପସ୍ଥିତିରେ କେମିତି କେଜାଣି ଉଭୟ ଦଳର କୁକୁର ପରସ୍ପରକୁ ଆକ୍ରମଣ କରିବାକୁ ଟିକେ ଥାଥାମାମା କରନ୍ତି ।

ଏକ୍ଷଣେ ରଜନୀକାନ୍ତ ପତରରୁ ମୁହଁ ଉଠେଇ ଦେଖିଲା, କିଛି ଦୂରରେ ଭୋଳୁ । ସାଙ୍ଗେ ସାଙ୍ଗେ ଭାଉ ଭାଉ କରି ଉଠିଲା ସେ । ସେ ପଟରେ ଭୋଳୁ ବି ଲାଞ୍ଜକୁ ପିଟି ଦାନ୍ତକୁ ଖିଙ୍କାରି ତୟାର ହୋଇଗଲା । କିନ୍ତୁ ଦାଶୁ ଗୋଟେ ହାତରେ ରଜନୀକାନ୍ତକୁ କୁଣ୍ଢେଇ ଧରି ଭୋଳୁକୁ କହିଲା: ଆରେ ଏବେ ଏଠୁ ଯାଃ! ପରେ କଥା ହେବୁ ।

ଭୋଳୁ ଥରେ ଦାଶୁ ଆଡ଼କୁ ଚାହିଁଲା । ଥରେ ରଜନୀକାନ୍ତ ଆଡେ଼ । ଆଚ୍ଛା, ଦାଶୁ କଣ ରଜନୀକାନ୍ତକୁ କୁଣ୍ଢେଇ ଧରି ବସିଛି । ଶେଷକୁ ଦାଶୁ ବି କଣ ପର ହୋଇଗଲା? ତା ଭାଗ୍ୟଟା କଣ ଏତେ ଖରାପ! ଭୋଳୁ ପଛକୁ ଫେରିଲା ।

ଭୋଳୁର ଯିବା ବାଟକୁ ଚାହିଁ ରଜନୀକାନ୍ତ ଗରର ଗରର ହେଲା କିଛି ସମୟ । ଶଳା, ମୁଡଟା ଖରାପ କରିଦେଲା । ଦାଶୁ ନଥିଲେ ଆଜି ଶଳାକୁ ଦେଇଥାନ୍ତି…!

ଦାଶୁ ତା ପାଟିକୁ ଖଣ୍ଡେ ପୁରୀ ବଢେ଼ଇ ଦେଇ ନଥିଲେ ରଜନୀକାନ୍ତ ହୁଏତ ଭାଉ ଭାଉ ଶବ୍ଦରେ ଗର୍ଜନ କରିଥାନ୍ତା । ହେଲେ ଦାଶୁର ସ୍ନେହବୋଳା ମୁହଁ ଦେଖି ସେ ଚୁପ ହୋଇଗଲା ଆଉ ପୁରୀଟାକୁ ପାଟିରେ ପୂରେଇ ଚୋବାଇବାକୁ ଲାଗିଲା ।

ଆଚ୍ଛା ଆପଣମାନେ ରଜନୀକାନ୍ତ ବିଷୟରେ କିଛି ଜାଣିବାକୁ ଚାହିଁବେ? ମୁଁ ଜାଣେ ରାସ୍ତାର ବୁଲା କୁକୁର ବିଷୟରେ ଆପଣମାନଙ୍କର କିଛି କୌତୁହଳ ନାହିଁ । ତଥାପି.. । ବାସ । ପାଞ୍ଚ ମିନିଟ ପାଇଁ ମୁଁ ଆପଣମାନଙ୍କୁ ରଜନୀକାନ୍ତର ଡାଇରି ପଢ଼ି ଶୁଣେଇବି । ଶୁଣନ୍ତୁ ପ୍ଲୀଜ ।