Latest Odisha News

ମନୋଇ ଝିଅ

ମନୋଇ ଝିଅ

ବିଜୟଲକ୍ଷ୍ମୀ ନାୟକ

ଝିଅ ଥରେ ବାଲିଘର ତୋଳୁଥିଲା
ତା’ର ଦୁଇ ପାପୁଲିରେ
ଯୋଡି ଦେଉଥିଲା ତା ସମୟ
ମିଶେଇ ଦେଉଥିଲା ବାଲିରେ
ତା ଠପଠପ୍ ଝାଳ
ପୁଣି ଭାଙ୍ଗି ଦେଉଥିଲା ଥରକୁଥର ।

ଘରକୁ ଫେରିଗଲା ବେଳେ
ମୁଣ୍ଡରେ ନେଇ ଯାଉଥିଲା
ପରସ୍ତେ ବାଲି
ତାକୁ ଝାଡିଦେଇ ପୁଣି ଝିଅ ଦୌଡୁଥିଲା
ବାରି ଦୁଆରର କବାଟ ସେପାଖ
ଖରାଛାଇକୁ।

ଝିଅ ରାନ୍ଧି ଦେଉଥିଲା
ସଢେଇରେ ଭାତ ତିଅଣ
ମନେ ମନେ କହୁଥିଲା
ଆଃ କି ସୁଆଦିଆ !

ଝିଅ ବୋଉର ଲୁଗାକୁ ଲୁଚେଇ ନେଇ
ପିନ୍ଧି ଦେଉଥିଲା
ବୋଉର ଠଣଠଣ୍ ଚୁଡିକୁ
ଦୁଇ ହାତରେ ପିନ୍ଧି
ଏପଟ ସେପଟ କରି
ମୁଣ୍ଡିଆ ମାରୁଥିଲା ।

ଝିଅ ଲୁଚେଇ ନେଉଥିଲା
ବୋଉର ସିନ୍ଦୂର ଫରୁଆ
ଅଳତା ଡବା ।

ଯେବେ ଷୋହଳ ଛୁଇଁଲା
ଝିଅକୁ ଟିକେ ଲାଜ ଲାଜ ଲାଗିଲା
ଏବେ ଝିଅ ନିଜକୁ ସଜାଉଥିଲା
ତା ନିଜ ଢାଞ୍ଚାରେ
ଜିନ୍ସ ଆଉ ଟପସ୍ ପିନ୍ଧି
ଆଇନାକୁ ଚାହିଁ
ଧୀରେଧୀରେ ହସୁଥିଲା।

କେମିତି ଦିଶୁଛି ଏବେ ସେ
ଆଉ କାହା ନଜରରେ
ସୁନ୍ଦରୀ ହେବାକୁ
ଆହୁରି ଗାଢ ମେକଅପ୍ ବୋଳୁଥିଲା…

………………….
ଭାଟସାହି, ବାହାଡାଝୋଲା, ନୟାଗଡ
ଦୂରଭାଷ-7605975315

Comments are closed.