ମେଞ୍ଚାଏ ଅଳନ୍ଧୁ
ସୋନାଲି ପଣ୍ଡା
ତୁମେ ପଚାରିଲ
ମୋ ଚୁପ୍ ରହିବାର କାରଣ
ମୁଁ ଉତ୍ତରରେ ଫେରେଇଦେଲି
ଲୁଣିଆ ହସରୁ ଚେନାଏ
କେଜାଣି କ’ଣ ବୁଝିଲ
ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ
ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ
ଝରକା ସେପାଖେ ଥୁଣ୍ଟା ଗଛଟିଏ
ସେ ଗଛଟାରେ ବାଇଆବସା ହଳେ
କାଇଁ ଚିଁ ଚିଁ ଶୁଭୁନି ତ!
ସେଠି ବୋଧେ ଜୀବନ ଝୁଲୁଛି…
ତୁମେ ଆସ୍ତେ କରି କହିଲ
ମୋ ଗାଲରେ କୁନି କଳାଜାଇ
ମୁଁ ଆଖି ଚୋରେଇଲି
ତୁମେ ଅନେଇ ରହିଲ ସାଢ଼େ ଆଠ ସେକେଣ୍ଡ
ମୁଁ ଭୟ କରୁଥିଲି, କାଳେ ଆଉ ଥରେ….
ସେଇ ବାଟେ ଚଢ଼େଇଟେ ଉଡ଼ିଗଲା
ମୁଁ ଆଖି ଫେରେଇଲି
ଆକାଶରେ ତାରାଟେ ଦିଶିଲା
ମୁଁ ଓଢ଼ଣୀରେ ଚଷମା ପୋଛିଲି
ତୁମେ କିଛି ଗୋଟେ ଗୁଣୁଗୁଣେଇଲ,
ମୁଁ କାନ ଡେରି ଗପଟେ ଶୁଣିଲି
ତୁମେ ପୁଣି ଉତ୍ତରରେ ଶବ୍ଦଟେ ଖୋଜିଲ
ମୁଁ ପାପୁଲିରେ ଲୁହ ଟୋପେ ଦେଲି
ଏବେ ତମ ଆଖିତଳେ
ପ୍ରଶ୍ନବାଚକ ଚିହ୍ନ
ହେଲେ ମୋ ଚଷମାରେ
ମେଞ୍ଚାଏ ଅଳନ୍ଧୁ!
……………………….
୯୩୪୮୮୬୯୪୪୬
Comments are closed.