ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ.

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ.

ବିଚିତ୍ର ବିଶ୍ୱାଳ

ଆଜି ଜେ.ଏନ୍.ୟୁ.ର ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ଯାହା ବି ହେଉଛି, ଯେପରି ଭାବେ ସରକାର ପୋଲିସ୍ ଲଗେଇ ଛାତ୍ର ମାନଙ୍କୁ ରକ୍ତାକ୍ତ କରି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି ଓ ସରକାରଙ୍କୁ ସମର୍ଥନ କରୁଥିବା ଗୋଟିଏ ଗୋଷ୍ଠୀ ଯେପରି ଭାବେ ଲାଗିପଡ଼ି ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର କରି ଜେ.ଏନ୍.ୟୁ.କୁ ବଦ୍ନାମ୍ କରିବାକୁ ଚେଷ୍ଟା କରୁଛନ୍ତି, ତାହାର ଏକମାତ୍ର କାରଣ ଜେ.ଏନ୍.ୟୁ.ର ବୌଦ୍ଧିକ ପରମ୍ପରା । ସିଧା କଥାରେ କହିଲେ ଜେ.ଏନ୍.ୟୁ.କୁ ନିଜ ବୌଦ୍ଧିକତାର ମୂଲ୍ୟ ଦେବାକୁ ପଡ଼ୁଛି । ନିକଟ ଅତୀତ ଉପରେ ଦୃଷ୍ଟି ପକେଇଲେ ବୁଝି ହେବ ଯେ, କଂଗ୍ରେସ୍ କି ବିଜେପି ଯିଏ ବି ସରକାରରେ ଥାଆନ୍ତୁ ନା କାହିଁକି, ବିରୋଧୀ ମତବାଦକୁ ବୌଦ୍ଧିକତା ଦୃଷ୍ଟିରୁ ପରିପକ୍ୱ କରିବାରେ ଆମ ଦେଶର ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟ ଜେ.ଏନ୍.ୟୁ.ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଜେ.ଏନ୍.ୟୁ.ର ଛାତ୍ର ଓ ଅଧ୍ୟାପକ ମାନେ ବିଭିନ୍ନ ବାଟରେ ବିରୋଧୀ ପକ୍ଷଙ୍କୁ ବୌଦ୍ଧିକ ମାଲ୍ ମସଲା ପ୍ରଦାନ କରିଆସୁଛନ୍ତି । ଯାହା ପ୍ରକାରାନ୍ତରେ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଛି । ମନ୍ମୋହନ ସିଂହଙ୍କ ସରକାର ସମୟ ହେଉ କି ବର୍ତମାନର ମୋଦୀଙ୍କ ସମୟ ହେଉ, ଜେ.ଏନ୍.ୟୁ. ହିଁ ସବୁବେଳେ ମୂଖ୍ୟ ବିରୋଧୀର ଭୂମିକା ପାଳନ କରିଆସିଛି । ଏହା ଅବଶ୍ୟ ଭିନ୍ନ କଥା ଯେ, ବର୍ତମାନର ସରକାର ବିରୋଧୀ ପକ୍ଷକୁ ଆଦୌ ବି ହଜମ କରିପାରୁନାହାନ୍ତି ବୋଲି କଳେବେଳେ କୌଶଳରେ ଜେ.ଏନ୍.ୟୁ.କୁ ବଦ୍ନାମ କରିବାକୁ ଚେଷ୍ଟା କରୁଛନ୍ତି । ଯାହାର ନମୂନା ଆମେ ଜେ.ଏନ୍.ୟୁ.ର ସାଂପ୍ରତିକ ଛାତ୍ର ଆନ୍ଦୋଳନକୁ ଯେପରି ଭାବେ ଦମନ କରାଯାଉଛି ସେଥିରୁ ଦେଖିବାକୁ ପାଉଛୁ ।

ଜେ.ଏନ୍.ୟୁ.ର ଛାତ୍ର ଆନ୍ଦୋଳନ ସମୟରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗୋଷ୍ଠୀ ଲାଗିପଡ଼ି ଜେ.ଏନ୍.ୟୁ.କୁ ବଦ୍ନାମ୍ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଜେ.ଏନ୍.ୟୁ.ର ଛାତ୍ର ମାନଙ୍କୁ ଉଶୃଙ୍ଖଳିତ, ସେଠାରେ କଣ୍ଡୋମ ମିଳୁଛି, ଛାତ୍ରମାନେ ମଦ୍ୟପାନ କରି ଅଶ୍ଳୀଳ ଆଚରଣ କରୁଛନ୍ତି ଆଦି ପ୍ରଚାର କରାଯାଉଛି ଓ ସଂପୂର୍ଣ୍ଣ ଜେ.ଏନ୍.ୟୁ.କୁ ଦେଶ ବିରୋଧୀ ବୋଲି ମଧ୍ୟ ପ୍ରଚାର କରାଯାଉଛି । ଦେଶର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ଏପରି ବଦ୍ନାମ୍ କରିବା ପ୍ରାୟତଃ ପ୍ରଥମ ଥର ଦେଖାଯାଉଛି । ଦୁଇ ଚାରି ଜଣ ଛାତ୍ରଙ୍କର କିଛି ଖରାପ କାମ ଯୋଗୁ ସଂପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ବଦ୍ନାମ୍ କରିବା କେତେ ପ୍ରାସଙ୍ଗିକ! ଏହା ପଛରେ ଥିବା କାରଣ ପ୍ରାୟତଃ ସମସ୍ତେ ଜାଣନ୍ତି । ଗତ କିଛି ବର୍ଷ ଧରି ଜେ.ଏନ୍.ୟୁ.ର ଛାତ୍ର ସଂଘ ନିର୍ବାଚନରେ ନିୟମିତ ଭାବେ ବାମପନ୍ଥୀ ବିଚାରଧାରାର ଛାତ୍ରମାନେ ଜିତୁଛନ୍ତି ଓ ବିଜେପି ସମର୍ଥିତ ଛାତ୍ର ଗୋଷ୍ଠୀ ଆପ୍ରାଣ ଉଦ୍ୟମ କଲେ ମଧ୍ୟ ବିଜୟୀ ହୋଇ ପାରୁନାହାନ୍ତି । ସେହି ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟ ନିୟମିତ ଭାବେ କେନ୍ଦ୍ର ସରକାରଙ୍କର ଜନବିରୋଧୀ ନୀତିକୁ ସମାଲୋଚନା କରିଆସୁଛନ୍ତି । ଏହା ହିଁ ଜେ.ଏନ୍.ୟୁ. ଦଳନ ପଛରେ ଥିବା କାରଣ ଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଜେ.ଏନ୍.ୟୁ.ରେ ହଷ୍ଟେଲ୍ ଫି ୩୦୦ ପ୍ରତିଶତ ବୃଦ୍ଧି, ଲାଇବ୍ରେରୀରେ ପଢ଼ିବା ସମୟ ସଂକୁଚିତ ଓ ଅନ୍ୟାନ୍ୟ କଟକଣା ଆଦି ବିରୁଦ୍ଧରେ ଛାତ୍ରମାନେ ଦୀର୍ଘ ପନ୍ଦର ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି । ଯାହାକୁ ସରକାର ପୋଲିସ୍ ଲଗେଇ ଛାତ୍ର ମାନଙ୍କୁ ଲହୁଲୁହାଣ କରି ଆନ୍ଦୋଳନକୁ ଦମନ କରିବାକୁ ବୃଥା ପ୍ରୟାସ କରୁଛନ୍ତି । ବର୍ତମାନ ସରକାର ଶିକ୍ଷାକୁ ଏକ ବ୍ୟବସାୟ ରାସ୍ତାରେ ନେବାକୁ ଚେଷ୍ଟା କରି ଶିକ୍ଷାନୁଷ୍ଠାନ ମାନଙ୍କୁ ଦିଆଯାଉଥିବା ସବ୍ସିଡ଼୍କୁ କମ୍ କରିବାକୁ ଚାହୁଁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଜେ.ଏନ୍.ୟୁ.ରେ ପଢ଼ୁଥିବା ସମୁଦାୟ ଛାତ୍ରଙ୍କ ମଧ୍ୟରୁ ୪୦ ପ୍ରତିଶତ ଛାତ୍ର ନିମ୍ନ ଆର୍ଥିକ ବର୍ଗରୁ ଆସିଥାନ୍ତି । ଅର୍ଥାତ୍ ସେହି ପରିବାର ମାନଙ୍କର ମାସିକ ରୋଜଗାର ୧୨ହଜାର ଟଙ୍କାରୁ କମ୍ । ଯଦି ଜେ.ଏନ୍.ୟୁ.ରେ ଫି ବୃଦ୍ଧି କରିଦିଆଯାଏ, ତେବେ ନିମ୍ନ ବର୍ଗର ପିଲାମାନେ ଜେ.ଏନ୍.ୟୁ. ପରି ଉଚ୍ଚ ମାନର ଶିକ୍ଷା ହାସଲ କରିବାରୁ ବଂଚିତ ହେବେ । ଏପରି କରି ସରକାର କ’ଣ ଶିକ୍ଷାକୁ କେବଳ ଧନୀ ଲୋକ ମାନଙ୍କର ବିଷୟ କରି ରଖିବାକୁ ଚାହୁଁଛନ୍ତି କି? ଜେ.ଏନ୍.ୟୁ.ର ଛାତ୍ରମାନଙ୍କର ଏହି ଆନ୍ଦୋଳନ ସମୟରେ କିଛି ଲୋକ ଏକଥା ବି କହୁଛନ୍ତି ଯେ, ଦିଲ୍ଲୀ ପରି ଏକ ଜାଗାରେ ଜେ.ଏନ୍.ୟୁ.ର ହଷ୍ଟେଲ ଫି ଏବେ ଯେତିକି ବି ରହିଛି, ତାହା ବଜାର ତୁଳନାରେ ଅତ୍ୟନ୍ତ କମ୍ । ତେଣୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଫି ବୃଦ୍ଧି କରିବାଟା ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଏଠାରେ ମନେ ରଖିବା କଥା ଯେ, କେବଳ ଜେ.ଏନ୍.ୟୁ.କୁ ସରକାର ସବ୍ସିଡ଼୍ ଦେଉନାହାନ୍ତି, ଆମ ଦେଶର ଆହୁରି ବଡ଼ବଡ଼ ଶିକ୍ଷାନୁଷ୍ଠାନକୁ ବି ସରକାର ସବ୍ସିଡ଼୍ ପ୍ରଦାନ କରୁଛନ୍ତି । ଆଇ.ଆଇ,ଟି ଓ ଆଇ.ଆଇ.ଏମ୍. ଆଦିକୁ ବି ଜେ.ଏନ୍.ୟୁ. ଠାରୁ ଅଧିକ ସବ୍ସିଡ଼୍ ଦିଆଯାଉଛି । ଶିକ୍ଷାନୁଷ୍ଠାନକୁ ସବ୍ସିଡ଼୍ ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ । କାରଣ ଦେଶର ଛାତ୍ର ମାନଙ୍କ ପାଇଁ କମ୍ ଦାମରେ ଉଚ୍ଚମାନର ଶିକ୍ଷା ଉପଲବ୍ଧ କରେଇବା ହିଁ ସରକାରଙ୍କ ସର୍ବପ୍ରଥମ କାମ ହେବା ଉଚିତ୍ । ଗୋଟିଏ ପଟେ ଦେଶକୁ ପାଂଚ ଟ୍ରିଲିଅନ୍ ଅର୍ଥନୀତି ଦାବୀ କରୁଥିବା ସରକାର ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ କଂଜୁସ୍ ହେଉଛନ୍ତି କାହିଁକି? ଶିକ୍ଷାନୁଷ୍ଠାନ ମାନଙ୍କର ସବ୍ସିଡ଼୍ କାଟି ସରକାର ରୋଜଗାର କରିବାକୁ କାହିଁକି ଚାହୁଁଛନ୍ତି? ସରକାର ଯଦି ନିଜର ଖର୍ଚ୍ଚ କମ୍ କରିବାକୁ ଚାହୁଁଛନ୍ତି, ତେବେ ବିଧାୟକ ଓ ସଂସଦ ମାନଙ୍କୁ ଦିଆଯାଉଥିବା ସବ୍ସିଡ଼୍, ସଂସଦ ଭବନରେ ଯେପରି ସବ୍ସିଡ଼୍ ଦାମ୍ରେ ଖାଦ୍ୟ ଦିଆଯାଉଛି, ସେସବୁ କମ୍ କରନ୍ତୁ । ସେମାନଙ୍କୁ ଯେପରି ମାଗଣାରେ ରେଳ ଓ ଉଡାଯାହାଜ ଯାତ୍ରାର ସୁବିଧା ଦିଆଯାଉଛି, ସେସବୁ କମ୍ କରାଯାଉନି କାହିଁକି? ସରକାର କାହିଁକି ଶିକ୍ଷାନୁଷ୍ଠାନ ମାନଙ୍କୁ ଦିଆଯାଉଥିବା ସବ୍ସିଡ଼୍ ପଛରେ ପଡ଼ିଛନ୍ତି? ସରକାର କ’ଣ ଭାବୁଛନ୍ତି, ଦେଶର ପିଲାମାନେ ପାଠ ପଢ଼ିଲେ, ସେମାନଙ୍କୁ ପୁଣି ପ୍ରଶ୍ନ ପଚାରିବେ ଓ ଅଡ଼ୁଆ ହେବ! ସରକାର କ’ଣ କେବଳ ଭବିଷ୍ୟତରେ ମୁର୍ଖଙ୍କ ସେନା ତିଆରି କରିବାକୁ ଚାହୁଁଛନ୍ତି, ଯେଉଁମାନେ କେବଳ ଜିନ୍ଦାବାଦ୍ ପକେଇବେ । ସବୁ ଶିକ୍ଷାନୁଷ୍ଠାନ ମାନଙ୍କର ସବ୍ସିଡ଼୍ କାଟିବା ଯୋଜନାରେ ସରକାର ଅଛନ୍ତି । ଏହା ଜେ.ଏନ୍.ୟୁ.ରୁ ଆରମ୍ଭ ହୋଇଛି । ତେଣୁ ଜେ.ଏନ୍.ୟୁ.ର ଛାତ୍ର ମାନଙ୍କର ଲଢ଼େଇ କେବଳ ନିଜ ସୁବିଧା ପାଇଁ ନୁହେଁ, ଦେଶର ଶିକ୍ଷା ବ୍ୟବସ୍ଥାକୁ ବ୍ୟବସାୟ ଚିନ୍ତାଧାରାରୁ ମୁକ୍ତ ରଖିବାର ଲଢ଼େଇ ।

ଛାତ୍ର ମାନଙ୍କର ଏହି ଆନ୍ଦୋଳନକୁ ତଳୁଆ ଦେଖେଇବା ପାଇଁ ଚତୁରତାର ସହିତ ଏହାକୁ ବିବେକାନନ୍ଦ ପ୍ରତିମୂର୍ତି ସହିତ ଯୋଡ଼ାଯାଉଛି । ପ୍ରଥମ କଥା ହେଉଛି, ପ୍ରତିମୂର୍ତି ଆଦୌ ବି ଭଙ୍ଗାଯାଇନି । ପ୍ରତିମୂର୍ତିରେ କେହି ଜଣେ ଦୁର୍ବୁତ ଖରାପ କଥା ଲେଖିଛି । ସେଥିପାଇଁ ଦୁର୍ବୁତକୁ ଦଣ୍ଡ ଦିଆଯିବା କଥା ନା ଜେ.ଏନ୍.ୟୁ.ର ଛାତ୍ର ଆନ୍ଦୋଳନକୁ ନିନ୍ଦା କରିବା କଥା! ଏତଦ୍ବ୍ୟତୀତ ଜେ.ଏନ୍.ୟୁ. ବିଷୟରେ ଅନେକ ଉଦ୍ଦେଶ୍ୟ ମୂଳକ ମିଥ୍ୟା ଖବର ପ୍ରଚାର କରାଯାଉଛି । ଯାହା ଆଦୌ ବି ସତ୍ୟ ନୁହେଁ । ଯେମିତିକି ଜେ.ଏନ୍.ୟୁ.ରେ ଦଶ ଟଙ୍କାରେ ହଷ୍ଟେଲ୍ ବେଡ଼୍ ମିଳୁଛି । ଜେ.ଏନ୍.ୟୁ.ରେ ହଷ୍ଟେଲ୍ରେ ରହୁଥିବା ଜଣେ ଛାତ୍ରର ବାର୍ଷିକ ଫି ୨୭ ହଜାରରୁ ୩୨ ହଜାର ଟଙ୍କା ମଧ୍ୟରେ । ବର୍ଦ୍ଧିତ ଦେୟ ଲାଗୁହେଲେ ଏହା ପ୍ରାୟ ୫୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହେବ । ସତ ଠାରୁ ଦୂରକୁ ଯାଇ କିଛି ଲୋକ ଜେ.ଏନ୍.ୟୁ.କୁ ଲାଗିପଡ଼ି ବଦ୍ନାମ କରିବାକୁ ଚାହୁଁଛନ୍ତି । କାରଣ ଜେ.ଏନ୍.ୟୁ. ଯୁଗେ ଯୁଗେ ବିରୋଧୀ ମତକୁ ବୌଦ୍ଧିକତା ପ୍ରଦାନ କରିଆସୁଛି, ଯାହା ସରକାର ଚାହାନ୍ତି ନାହିଁ ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮

LEAVE A REPLY

Please enter your comment!
Please enter your name here