Latest Odisha News

BREAKING NEWS

ଜାଣନ୍ତୁ, ଶାମ୍ବ ଦଶମୀକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି..

ଭୁବନେଶ୍ୱର: ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ ।

ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଇଥିଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ ।

ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି ।

ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ ।

ସୂର୍ଯ୍ୟପୂଜା ମନ୍ତ୍ର:

“ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ” ।

ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ ।

ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି । ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବି I

ତାହା ହିଁ ହେଲା । ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ । ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।

ନିଜେ ଦେବର୍ଷି ନାରଦ ଭୁବନ ସୂର୍ଯ୍ୟଦେବଙ୍କ ଅଭିଶାପରେ ଧବଳ କୁଷ୍ଠ ବ୍ୟାଧିରେ ଗ୍ରସ୍ତ ହୋଇଥିବା କଥା ରହିଛି । ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠ ମୁକ୍ତ ହୋଇଥିଲେ । ସେଥିପାଇଁ ଏ ଦଶମୀକୁ ଶାମ୍ବଦଶମୀ କୁହାଯାଏ ।

ଶାମ୍ବ ବାଲୁକାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ । ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲୋ ସେହି ସ୍ଥାନ ହିଁ ଆଜିର କୋଣାର୍କ ।

ସୂର୍ଯ୍ୟପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନ ଉଲ୍ଲେଖ ଅଛି ଦିଗ୍‌ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ । ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ।

ଯେଉଁ ସ୍ଥାନରେ କୃଷ୍ଣ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରେୟବନ ନାମରେ ଖ୍ୟାତ । ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର । ତାଙ୍କ ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରେୟବନ ନାମରେ ଖ୍ୟାତ ।

ଗ୍ରହଜାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି – “ ଜାତଂ ସୂର୍ଯ୍ୟ କଳିଯେଂଷୁ ” । ଅର୍ଥାତ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି I ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟପୂଜାର ପ୍ରାଚୀନ ପ୍ରତୀକ । ଷଷ୍ଠ ଶତାବ୍ଦୀରେ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର , ନବମ ଶତାବ୍ଦୀର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚିନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ I

ପୂଜାବିଧି:

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି ।

ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁରି କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

Leave A Reply

Your email address will not be published.