Latest Odisha News

BREAKING NEWS

ସମ୍ବଲପୁର ପହଞ୍ଚି ସ୍ଥିତି ସମୀକ୍ଷା କଲେ ଡିଜିପି, କହିଲେ; ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ

ସମ୍ବଲପୁର : ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ହିଂସା ମାମଲାର ଶନିବାର ସମୀକ୍ଷା କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ବଲପୁରରେ ପର୍ଯ୍ୟାପ୍ତ ଫୋର୍ସ ଅଛନ୍ତି; ଘଟଣାର ତଦନ୍ତ କରାଯାଉଛି ଓ ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ । ଯେଉଁମାନେ ଏହି ଘଟଣା ସହିତ ସଂପୃକ୍ତ ଅଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ସହରର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଘଟଣାର ତଦନ୍ତ ଚାଲିଛି। ସମ୍ବଲପୁରବାସୀ ଭୟଭୀତ ହୁଅନ୍ତୁ ନାହିଁ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବଂଶଲ ଏକ ସ୍ବତନ୍ତ୍ର ହେଲିକପ୍ଟରରେ, ଶନିବାର ଅପରାହ୍ନ ୪ଟାରେ ସମ୍ବଲପୁର ଜମାଦାରପାଲୀ ଏୟାରଷ୍ଟିପରେ ପହଞ୍ଚି ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଥିଲେ। ଡିଜିପିଙ୍କ ସହିତ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ସ୍ତରକୁ ଆଣିବା ପାଇଁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସହିତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀମାନେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା (ସୋନପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ସୀମାକୁ ଲାଗି ଥିବା ଅଞ୍ଚଳ)କୁ ସିଲ୍ କରାଯାଇଛି। ଏଥିସହ ଜିଲ୍ଲାରେ ଗୁରୁବାର ଠାରୁ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଥିବାବେଳେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.