ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ ଆଜିଠୁ ରାଉରକେଲା ସହରରେ ଗଡିଛି ସଂଜିବନୀ ରଥ ।
ସଂଜିବନୀ ରଥକୁ ରାଉରକେଲା ସରକାରୀ ହସ୍ପିଟାଲ (RGH) ପରିସରରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏଡିଏମ୍ ଆବୋଲି ସୁନୀଲ ନରୱଣେ ଓ ଆର୍ଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସେବା ପାଇବା ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମାବଳୀ ରହିଛି । କୋଭିଡ ଟିକା ପାଇବା ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଦରକାର । ପ୍ରତିଦିନ ଏହି ସେବା ପାଇଁ ଦିନ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ୦୬୬୧-୨୫୧୦୦୩୬ ନମ୍ବରକୁ ହିତାଧିକାରୀ କିମ୍ବା ପରିବାର ଲୋକେ କଲ କରିପାରିବେ । ଲୋକଙ୍କ ଆବେଦନକୁ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ୍ ଟିମ୍ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ ଟିକାଦାନ କରାଯିବ । ତେବେ ଏହା ପୂର୍ବରୁ ହିତାଧିକାରୀ କିମ୍ବା ପରିବାର ଲୋକଙ୍କୁ ଏ ସଂପର୍କରେ ଅବଗତ କରାଯିବ ।
Comments are closed.