Latest Odisha News

ନୀଳଗିରିରେ ନୂଆ ଲଢେଇ

ଭୁବନେଶ୍ୱର: ସେଇ ନେତା, ନୂଆ ଦଳ । ଚବିଶ ନିର୍ବାଚନରେ ଶେଷ ଯାଏଁ ଝୁଲି ରହିଥିଲା ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା। ପରସ୍ପର ମଧ୍ୟରେ ଛକାପଞ୍ଝା ସହ ଘୁଞ୍ଚି ଘୁଞ୍ଚି ଚାଲିଥିଲା ନୀଳଗିରି ଟିକେଟ୍ ଘୋଷଣା । ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ନମିଳିବାରୁ ବିଜେଡି ଛାଡିଥିଲେ ଗତଥରର ଦଳୀୟ ପ୍ରାର୍ଥୀ ସନ୍ତୋଷ ଖଟୁଆ । ପରେ ବିଜେପିରେ ମିଶିବା ସହ ସେ ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ କଂଗ୍ରେସ ପୂର୍ବତନ ବିଧାୟକ ତଥା ଦଳର ଭେଟେରାନ୍ ନେତା ଅକ୍ଷୟ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛି।

ସେଇ ନେତା ନୂଆ ଦଳ
ଗତଥର ବିଜେଡିରୁ ସନ୍ତୋଷ ଖଟୁଆ ଓ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ସୁକାନ୍ତ ନାୟକ। ଉଭୟଙ୍କ ମଧ୍ୟରେ ନୀଳଗିରିରେ ଜୋରଦାର ଟକ୍କର ହୋଇଥିଲା । ମାତ୍ର ୧୫ଶହ ଭୋଟରେ ସନ୍ତୋଷ ଖଟୁଆଙ୍କୁ ହରାଇ ଜିତିଥିଲେ ସୁକାନ୍ତ ନାୟକ। ବିଜୟ ବ୍ୟବଧାନ ରହିଥିଲା ମାତ୍ର ୧ପ୍ରତିଶତ । କିଛି ଦିନ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ସୁକାନ୍ତ ନାୟକ । ଶେଷ ଯାଏଁ ଝୁଲାଇ ରଖିବା ପରେ ବିଜେଡି ସୁକାନ୍ତଙ୍କୁ ଟିକେଟ୍ ଦେଇଥିଲା। ଦଳର ଏହି ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରିବା ସହ ବିଜେଡି ଛାଡିଥିଲେ ସନ୍ତୋଷ ଖଟୁଆ । ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏଥର ବି ନୀଳଗିରି ନିର୍ବାଚନ ମଇଦାନରେ ସୁକାନ୍ତ ଓ ସନ୍ତୋଷ, ତେବେ ବଦଳିଛି ଦଳ ।

କେବେ ବିଜେଡି କେବେ ବିଜେପି ?
ନୀଳଗିରିରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି ସୁକାନ୍ତ ନାୟକ । ୨୦୧୪ରେ ସେ ବିଜେଡିରୁ ଜିତିଥିଲେ ତ ୨୦୧୯ରେ ବିଜେପିରୁ ବିଧାୟକ ହୋଇଥିଲେ। ବାରମ୍ବାର ଦଳବଦଳ କରିଛନ୍ତି ସୁକାନ୍ତ । ୨୦୧୯ରେ ବିଜେଡି ଟିକେଟ ନମିଳିବାରୁ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ବିଜେପିରୁ ବିଧାୟକ ବି ନିର୍ବାଚିତ ହୋଇଥିଲେ । ତେବେ ପୁଣି ବିଜେପି ଛାଡି ବିଜେଡିକୁ ଫେରିଥିଲେ ସୁକାନ୍ତ । ରାଜନୈତିକ ସୁଯୋଗ ପାଇଁ ସୁକାନ୍ତଙ୍କ ବାରମ୍ବାର ଦଳବଦଳକୁ ନୀଳଗିରି ଭୋଟର କେମିତି ଗ୍ରହଣ କରୁଛନ୍ତି, ତାଉପରେ ନଜର ରହିଛି ।

ନୀଳଗିରି ବୋହୂ Vs ନନା
ନୀଳଗିରି ଲଢେଇର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡିପାରେ । ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ବିଧାନସଭା ଆସନରୁ ଦୁଇଥର ବିଧାୟକ ହୋଇଛନ୍ତି । ତେଣୁ ପ୍ରତାପଙ୍କର ନୀଳଗିରିରେ ଭଲ ସପୋର୍ଟ ବେସ୍ ଓ ସଂଗଠନ ରହିଛି । ତେବେ ନନାଙ୍କ ହୋମଗ୍ରାଉଣ୍ଡରେ ଭୋଟ୍ ବିଭାଜନ କରିପାରନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ନୀଳଗିରି ବ୍ଲକ କାଂଶ ଗାଁରେ ଲେଖାଶ୍ରୀଙ୍କ ଶାଶୂଘର । ତେଣୁ ନୀଳଗିର ବୋହୂ ଭାବେ ଏଠାରେ ଭୋଟ୍ ଉପରେ ପ୍ରଭାବ ପକାଇ ପାରନ୍ତି ଲେଖାଶ୍ରୀ । ତେଣୁ ବାଲେଶ୍ବର ଲୋକସଭା ଲଢେଇକୁ ପ୍ରଭାବିତ କରିପାରେ ନୀଳଗିରି ।

କୁଆଡେ ଯିବ କଂଗ୍ରେସ ଭୋଟ୍ ?
ନୀଳଗିରିରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେଉଥିବାରୁ କଂଗ୍ରେସ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । ୨୦୧୯ରେ ମାତ୍ରାଧିକ କମିଥିଲା କଂଗ୍ରେସ ଭୋଟ୍। ଗତଥରର କଂଗ୍ରେସ ପ୍ରାର୍ଥୀ ତଥା ରାଣୀ ମନୋଜ ମଂଜରୀ ଦେବୀ ମାତ୍ର ୧୨ହଜାର ଭୋଟ୍ ପାଇଥିଲେ। ନେତୃତ୍ବ ଅଭାବରୁ ନୀଳଗିରିରେ କଂଗ୍ରେସ ଗ୍ରାଫ ଖସିଚାଲିଛି । ଏଥର ନିର୍ବାଚନ ନଲଢିବାକୁ କହିଥିଲେ ରାଣୀ । ତେଣୁ ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ । ୧୯୮୦ ଓ ୧୯୯୫ରେ ଦୁଇଥର ବିଧାୟକ ହୋଇଥିଲେ ଅକ୍ଷୟ । ତେଣୁ ସେ କିଛି ମାତ୍ରାରେ କଂଗ୍ରେସ ଭୋଟ୍ ବଢାଇ ପାରନ୍ତି । ଏପରି ହେଲେ କାହା ଭୋଟ୍ କାଟିବେ ଅକ୍ଷୟ, ତାଉପରେ ନୀଳଗିରି ବିଜୟ ଅଙ୍କ ନିର୍ଭର କରିପାରେ ।

ଭୁବନେଶ୍ବରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.