Latest Odisha News

ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?

ଭୁବନେଶ୍ୱର: ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହୋଇଥିବା ତିନୋଟି ପର୍ଯ୍ଯାୟରେ କିଏ କେତେ ଆସନ ହାତେଇଲାଣି ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜି। ବିଜେଡି ଓ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି। ଏହାରି ଭିତରେ ଉଭୟ ବିଜେଡି ଓ ବିଜେପି କେତେ ଲେଖାଏଁ ଆସନ ଜିତିବେ ବୋଲି ଦାବି କରିଛନ୍ତି।

ଆଜି ବିଜେଡି ନେତା ଭି.କେ ପାଣ୍ଡିଆନ୍ ଦାବି କରିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ସଂଖ୍ୟାଗରିଷ୍ଠତା ହାସଲ କରି ସାରିଛି।ପାଣ୍ଡିଆନ ଦାବି କରିଛନ୍ତି ଯେ ବିଜେଡି ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟୀ ହେଉଛି। ମୁଁ ସଂଖ୍ୟାରେ ଯିବି ନାହିଁ। ମୁଁ କହିପାରିବି ଯେ ଆମେ ରାଜ୍ୟରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟୀ ହେଉଛୁ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଆମେ ସଂଖ୍ୟାଗରିଷ୍ଠତା ହାସଲ କରିସାରିଛୁ। ରାଜ୍ୟରେ ୪ ରାଉଣ୍ଡ ମତଦାନ ସରିବା ପରେ ବିଜେଡି ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି କେ ଭି ସିଂହ ଦେଓ କହିଛନ୍ତି, ରାଜ୍ୟରେ ଦଳ ଦୁଇ ତୃତୀୟାଂଶ ଆସନ ହାତେଇବାକୁ ଯାଉଛି। ଦଳ ଭଲ ପ୍ରଦର୍ଶନ କରୁଛି। ଜୁନ 4ରେ ବିଜେପି ରାଜ୍ୟରେ ସରକାର ଗଢ଼ିବ ଦଳ। ଏହାପରେ ସେ କହିଛନ୍ତି, ଜୁନ୍ ୪ ତାରିଖରେ ରାଜ୍ୟରେ ସରକାର ଗଢ଼ିବା ପରେ ଗତ ୨୫ ବର୍ଷ ମଧ୍ୟରେ ଗଠିତ ୨୪ଟି ତଦନ୍ତ କମିସନଙ୍କ ରିପୋର୍ଟ ତାଙ୍କ ଦଳ ସାର୍ବଜନୀନ କରିବ। ଚଳିତ ନିର୍ବାଚନରେ ବିଜେପି ବହୁମତ ହାସଲ କରିବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ଦଳ ପୂରଣ କରିବ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆମ ସରକାର ସରକାର ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲିବେ ଏବଂ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏହାର ବିଷୟବସ୍ତୁ ପ୍ରକାଶ କରିବେ। ବିଜେଡି ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତିର ପର୍ଦ୍ଦାଫାସ ବିଜେପି କରିବ ବୋଲି କେଭି ସିଂହଦେଓ କହିଛନ୍ତି। ଖଣି ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ ସୁନିଶ୍ଚିତ କରାଯିବ। ଚିଟଫଣ୍ଡ ଦୁର୍ନୀତିରେ ମଧ୍ୟ ବିଜେପି ସରକାର ଠକେଇର ଶିକାର ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା ପାଇଁ ପଦକ୍ଷେପ ନେବେ।

ତେବେ କଂଗ୍ରେସର ପ୍ରତିକ୍ରିୟା ଏହାକୁ ନେଇ ମିଲିପାରି ନାହିଁ। କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରୁଛି। ଜଟଣୀର ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ୯୦ରୁ ୯୫ ଆସନ ବିଜେଡି ଜିତିବ। ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ସେ ୯ ତାରିଖରେ ଶପଥ ଗ୍ରହଣ କରିବେ। ଓଡ଼ିଶାରେ ବିଜେଡି ଏକ ନମ୍ବର, ବିଜେପି ଦ୍ୱିତୀୟ,
କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ସୁର ରାଉତରାୟ  କହିଛନ୍ତି।

Leave A Reply

Your email address will not be published.