Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧

ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି। ଧ୍ୟାନ ଭଗ୍ନ ହେବା ପରେ ମାତାଙ୍କ ବିରସ ବଦନ ଦେଖି ଭଗବାନ ଶିବ ତାଙ୍କ ଦୁଃଖର କାରଣ ଜାଣିବାକୁ ଚାହିଁ କହିଲେ, ” ଦେବୀ ! ତୁମେ ଏତେ ବିବ୍ରତା କାହିଁକି। ତୁମ ଭକ୍ତଙ୍କର କେଉଁଠାରେ କିଛି ବିପତ୍ତି ପଢ଼ିଛି କି ? ତୁମେ ତ ଶକ୍ତି। ଚାହିଁଲେ ତାଙ୍କର କଷ୍ଟ ନିବାରଣ କରି ପାରିବ! ”

ଶୁଷ୍କ ବଦନରେ ମାତା କହିଲେ, ” ମୋ ପୁତ୍ରୀ ସୁଲୋଚନା ବର୍ତ୍ତମାନ ଘୋର ବିପଦରେ । ସନ୍ତାନର କ୍ଳେଶ , ମାତାର ଚିନ୍ତାର କାରଣ ହୋଇଛି ପ୍ରଭୁ ! ”

” କିନ୍ତୁ ନାଗଲୋକରେ ଏପରି ବିଷମ ପରିସ୍ଥିତି ସୃଷ୍ଟିର ହେବାର କାରଣ କ’ଣ ହୋଇପାରେ ? ସେଠାରେ ତ ସମସ୍ତେ ଖୁବ ସୁଖଶାନ୍ତିରେ ରୁହନ୍ତି। ମୋ ନିକଟରେ ସମ୍ପୂର୍ଣ୍ଣ ଉପାଖ୍ୟାନ ବ୍ୟକ୍ତ କରନ୍ତୁ ଦେବୀ ! ”

” ପୁତ୍ରୀ ସୁଲୋଚନା ବର୍ତ୍ତମାନ ନାଗଲୋକରେ ଆଉ ନାହାଁନ୍ତି। ପିତା ବାସୁକିଙ୍କ ଦ୍ୱାରା ଅଭିଶପ୍ତା ହୋଇ ପୃଥିବୀଲୋକରେ ଅଛନ୍ତି । ”

” ଅଭିଶପ୍ତା ?? କିନ୍ତୁ କାହିଁକି ? ”

” ପାତାଳଲୋକର ରାଜା ନାଗରାଜ ବାସୁକିଙ୍କ ଶାସନରେ ସମସ୍ତ ନାଗ ଖୁବ ସୁଖରେ ଜୀବନ ବ୍ୟତୀତ କରୁଛନ୍ତି। ଅଚାନକ ଦେବରାଜ ଇନ୍ଦ୍ରଙ୍କର ପାତାଳଲୋକକୁ ଆଗମନ ନାଗରାଜ ବାସୁକିଙ୍କ ମନରେ ସଂଶୟ ସୃଷ୍ଟି କରେ। ସେପରି ବିଶେଷ ଉଦ୍ଦେଶ୍ୟ ନ ଥିଲେ ଦେବରାଜ ଦର୍ଶନ ଦିଅନ୍ତି ନାହିଁ। ଅଭିବାଦନ ଜଣାଇ ଆସନ ଗ୍ରହଣ ପାଇଁ ଅନୁରୋଧ କଲେ ନାଗରାଜ। ଦେବଲୋକର କୁଶଳ ଜିଜ୍ଞାସା ପରେ ଆଗମନର କାରଣ ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ସ୍ମିତ ହସି ଇନ୍ଦ୍ର କହିଲେ, ” ନାଗରାଜ ! ଏକ ବିଶେଷ କାରଣ ହେତୁ ଏଠାକୁ ଏକ ଯାଚକ ରୂପେ ଆଜି ମୋର ଅଗମନ।ଆପଣଙ୍କର କନ୍ୟା ସୁଲୋଚନା ଏବେ ବିବାହଯୋଗ୍ୟା । ମୁଁ ତାଙ୍କର ପାଣିଗ୍ରହଣ ପାଇଁ ଇଚ୍ଛୁକ । ଆପଣଙ୍କ ସ୍ୱୀକୃତି ହେଲେ .…. ”

ଇନ୍ଦ୍ରଙ୍କର କଥା ଶେଷ ନ ହେଉଣୁ ବାସୁକି କହିଲେ,” ଅତି ଉତ୍ତମ। ସୁଲୋଚନା ଯେ ଇନ୍ଦ୍ରାଣୀ ହେବେ ଏହା ଆମ ପାଇଁ ଅତ୍ୟନ୍ତ ସୌଭାଗ୍ୟ ଓ ଗୌରବର କଥା। କନ୍ୟା ବିବାହଯୋଗ୍ୟା ହେଲେ ସମସ୍ତ ପିତାଙ୍କର ଗୋଟିଏ ଚିନ୍ତା ହୁଏ , କିପରି ଯୋଗ୍ୟ ପାତ୍ର ସହିତ ବିବାହ କରାଇ କନ୍ୟାର ଭବିଷ୍ୟତକୁ ଉଜ୍ଜ୍ୱଳ କରାଇବେ। ଆପଣଙ୍କଠାରୁ ଅଧିକ ଯୋଗ୍ୟ ସୁପାତ୍ର ଆଉ କିଏ ଅଛନ୍ତି ? ”

କ୍ରମଶଃ…

Leave A Reply

Your email address will not be published.