Latest Odisha News

BREAKING NEWS

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ 

ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ !
ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି ।

କିଛି ସମୟ ରହି ବୋଉ ଡାକିଲେ – ଉଠି ଯା ମୋର ଗେହ୍ଲୁ, ମୋ ଧନ ।

ଆଜି ପରା କାର୍ତ୍ତିକ ପୁନେଇଁ । ନୂଆପଲ୍ଲୀ ପୋଖରୀରେ ଡଙ୍ଗା ଭସେଇବା । ଡଙ୍ଗା ଭସେଇବା କଥା ଶୁଣି ଟୁକୁଲର ନିଦ ଭାଙ୍ଗିଗଲା । ବାପା ଶୁଣେଇଥିବା କବିତାଟି ମନେପଡ଼ିଗଲା – ଭାସି ଯା ମୋର କାଗଜଡଙ୍ଗା ଭାସିଯା…

ମୁହଁ ଧୋଇ ଦାନ୍ତ ଘଷିଲା ଟୁକୁଲ । ବାପା କିଣିଆଣିଥିବା କାଗଜର ଡଙ୍ଗାଟିକୁ ଧରିଲା । ଦେଖିବାକୁ ବୋଇତ ପରି । ରଙ୍ଗରଙ୍ଗିଆ ଦିଶୁଛି। ତା ବୋଉ କଦଳୀପଟୁକାଟିଏ ଧରିଲେ ।

ଟୁକୁଲ ବୋଉ ସାଥିରେ ପୋଖରୀକୁ ବାହାରିଲା । ସିରିସିରି ପବନରେ ତାକୁ ଶୀତ ଲାଗୁଥାଏ । ତା ବୋଉ କହିଲେ – ସକାଳୁ ଉଠି ଗାଧେଇଲେ ଶୀତ ଲାଗିବନି ।

ପୋଖରୀକୂଳରେ ବହୁତ ଲୋକ ଜମା ହେଇଥାନ୍ତି । ଟୁକୁଲ ପରି ଛୋଟ ଛୋଟ ପିଲାମାନେ ବି ଆସିଥାନ୍ତି । ଡଙ୍ଗାରେ ଧୂପ, ଦୀପ, ଫୁଲ, ପାନ, ଗୁଆ ରଖିଲା ଟୁକୁଲର ବୋଉ । ଟୁକୁଲ ବୋଉର ହାତ ଧରି ଅଳ୍ପ ପାଣି ଭିତରକୁ ଗଲା । ଡଙ୍ଗାଟିକୁ ଭସେଇଦେଲା ଟୁକୁଲ । ତାଳି ମାରିଲା ଖୁସିରେ । ସେ ବରଷାପାଣିରେ ଡଙ୍ଗା ଭସେଇଥିଲା । ଆଜି ସେ ଡଙ୍ଗାଟିକୁ ପୂଜା କରି ଭସେଇଦେଉଛି । ଛୋଟ ଛୋଟ ପିଲା ବି ଡଙ୍ଗା ଭସଉଛନ୍ତି । ଟୁକୁଲ ଚାରିଆଡକୁ ଚାହୁଁଥାଏ । ତା ବୋଉ କଦଳୀ ପାଟୁକାକୁ ପୂଜା କରି ଭସେଇଦେଲେ । ଡଙ୍ଗା ପାଣି ଉପରେ ଥିଇରି ଥିଇରି ଚାଲିଲା । ଟୁକୁଲର ବୋଉ ଗୀତ ଗାଇଲେ –

ଆ କା ମା ବୈ..
ପାନ ଗୁଆ ଥୋଇ ।
ପାନ ଗୁଆ ତୋର
ମାସକ ଧରମ ମୋର ।

ଟୁକୁଲ ଭାରି ଖୁସି ହେଉଥାଏ । ତା ଡଙ୍ଗାଟି ଆଗକୁ ଆଗକୁ ଯାଉଛି । ଲୋକମାନଙ୍କର ଗହଳି ଦେଖି ତାକୁ ଭଲ ଲାଗୁଥାଏ । ବୋଉ ସାଥିରେ ମନ୍ଦିର ବେଢାରେ ବୁଲିଲା । ମନ୍ଦିର ଭିତରେ ଶିବ, ହନୁମାନ, ମା’ ମଙ୍ଗଳାକୁ ମୁଣ୍ଡିଆ ମାରିଲା । ବେଲୁନ କିଣିଲା । ପେଁକାଳି କିଣିଲା ।

ଟୁକୁଲ ତା ବୋଉ ସାଥିରେ ଇସ୍କନ ମନ୍ଦିରକୁ ଗଲା । ବାଟରେ ଟୁକୁଲର ବୋଉ କହିଲେ – ଆମ ଓଡ଼ିଶାର ନାଁ ଥିଲା କଳିଙ୍ଗ । କଳିଙ୍ଗ ରାଇଜର ସାଧବମାନେ ବୋଇତରେ ସାତ ଦରିଆ- ତେର ନଈ ପାରି ହେଉଥିଲେ । ମା ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରି ବୋଇତରେ ଯାଉଥିଲେ । ସେମାନେ ଆମ ରାଇଜର ହାତ ତିଆରି ଜିନିଷ ନେଇ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ୱୀପକୁ ଯାଉଥିଲେ । ସେଠାରୁ ହୀରା, ନୀଳା, ମାଣିକ ଆଣୁଥିଲେ । ସାଧବପୁଅମାନେ ବହୁତ ସାହସୀ ଥିଲେ । ଏ କାର୍ତ୍ତିକ ପୁନେଇଁରେ ବେପାର କରିବାକୁ ଯାଉଥିଲେ । ସେମାନଙ୍କୁ ଆମେ ମନେପକଉଛୁ । ଡଙ୍ଗା ତିଆରି କରି ପୂଜା କରୁଛୁ । ପୋଖରୀ ନଈପାଣିରେ ଭସେଇଦେଉଛୁ । ଏଇ କଥାଟି ମନେ ରଖିଥିବୁ ଟୁକୁଲ ।

ହଁ ବୋଉ । ଆଉ ମୁଁ ଅଳସୁଆ ହେବନି । ଆରବରଷକୁ ତୋ ସାଥୀରେ ଡଙ୍ଗା ଭସେଇବାକୁ ଆସିବି ।

ଟୁକୁଲର କଥା ଶୁଣି ତା ବୋଉ ଆଦରରେ ମୁଣ୍ଡକୁ ଆଉଁଷିଦେଲେ । ଚାଲି ଚାଲି ଇସ୍କନ ମନ୍ଦିରରେ ଜଗନ୍ନାଥ ଠାକୁର, ବଳଭଦ୍ର ଠାକୁର, ସୁଭଦ୍ରା ଠାକୁରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କଲା ଟୁକୁଲ । ଠାକୁର ଦର୍ଶଣ କରି ଵାଟସାରା ପେଁକାଳି ବଜେଇ ବଜେଇ ଟୁକୁଲ ତା ବୋଉ ସାଥିରେ ଘରକୁ ଫେରିଆସିଲା ।

 ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.